ପୁରୀ, ୮/୭ : ରଥରେ ଲାଗିବା ପାଇଁ ଚିତ୍ରକରମାନେ ହଂସପଟା ପ୍ରସ୍ତୁତ କରୁଛନ୍ତି। ୮ ଓ ୪ ଫୁଟିଆ ଲମ୍ବ ପଟାରେ ମାଳମାଳ ହଂସ ଚିତ୍ର ସହ ପୂର୍ଣ୍ଣକୁମ୍ଭ ଓ ଉଭୟ ପାର୍ଶ୍ୱରେ ମାଛ ଚିତ୍ର କରାଯାଇଛି। ତିନି ରଥ ପାଇଁ ମୋଟ ୭୬ଟି ହଂସପଟା ପ୍ରସ୍ତୁତ କରାଯାଉଥିବା ନିର୍ମାଣକାରୀ କହିଛନ୍ତି। ତାଳଧ୍ୱଜ ଓ ନନ୍ଦିଘୋଷ ପାଇଁ ୨୮ ଲେଖାଏଁ ଓ ଦେବୀ ରଥ ପାଇଁ ୨୦ଟି ହଂସପଟା ପ୍ରସ୍ତୁତ କରାଯାଉଛି। ଏଥିସହ ଚିତ୍ରକରମାନେ ରଥର ସିଂହାସନ ଚାରିପଟ ରଙ୍ଗ କାର୍ଯ୍ୟ ଜାରି ରଖିଛନ୍ତି। ଦର୍ଜୀ ସେବକମାନେ ଶ୍ରୀମନ୍ଦିର କାର୍ଯ୍ୟାଳୟ ଉପର ମହଲାରେ ରଥର ମଣ୍ଡଣୀ କନା ତିଆରି ଜାରି ରଖିଛନ୍ତି ।

ଦୁଆରଘଡ଼ାରେ ଲାଗିବାକୁ ଚନ୍ଦ୍ରଶାଳୀର କନା କଟିଙ୍ଗ ଶେଷ କରି ସେଥିରେ ଲାଗିବାକୁ ଫୁଲ, ଡାଳିଲତା ଆଦି ତିଆରୁଛନ୍ତି । ରଥର ବିଳାସପଟି ଜରି ଜମ୍ବୁରା ଓ ଲେସ୍‌ ଆଦି କାର୍ଯ୍ୟ ଶେଷ କରିଛନ୍ତି । ଓଝା ସେବକମାନେ ରଥ ପାଇଁ ଆବଶ୍ୟକ ଲୁହା ସାମଗ୍ରୀ ତିଆରିବା ପରେ ଜରୁରିକାଳୀନ ସ୍ଥିତି ପାଇଁ କିଛି ଦରକାରି ଲୁହା ଜିନିଷ ତିଆରୁଛନ୍ତି । ବିଶ୍ୱକର୍ମାଙ୍କ ବରାଦ ଅନୁସାରେ ଫାଳି କାଠ ଖଳାକୁ ଯୋଗାଯାଇଛି । ରଥ ଚଳା ସମୟରେ ମୋଡ଼ ଖାଇବାକୁ ଫାଳି ଆବଶ୍ୟକ ହୁଏ। ଚକରେ ଫାଳି ଲାଗିଲେ ରଥ ମୋଡ଼ ନିଏ । ନନ୍ଦିଘୋଷ ଓ ତାଳଧ୍ୱଜ ପାଇଁ ୨୦ଟି ଲେଖାଏଁ ଫାଳି ଓ ଦେବୀ ରଥ ପାଇଁ ୧୫ଟି ଫାଳି ଯୋଗାଯାଇଥିବା ଭୋଇ ସର୍ଦ୍ଦାର ରବି ଭୋଇ କହିଛନ୍ତି।

ଆହୁରି ପଢନ୍ତୁ- Rath khala Update: ତିନ ରଥରେ ଲାଗିଲା କନ୍ୟାପଟା, ଦୁଆରଘଡ଼ା ନିକଟରେ ଲାଗିଲା ହାତୀଆଳମାଳ...