ମାଞ୍ଚେଷ୍ଟର,୨୯/୦୭: ଚଳିତ  ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜର ୪ଟି ମ୍ୟାଚ୍‌ ଶେଷ ହୋଇଛି ।  ମାଞ୍ଚେଷ୍ଟରରେ ସିରିଜ ପରାଜୟ ଏଡ଼ାଇବା ପରେ ଭାରତୀୟ ଦଳ ସ୍ୱଦେଶ ଫେରିବା ପୂର୍ବରୁ ଆଉ ଥରେ ସବୁ ଶକ୍ତି ଖଟାଇ  ବିଜୟ ପାଇଁ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ୨୦ ଦିନର ଘମାଘୋଟ ଲଢ଼େଇ ପରେ  ଦଳର ପ୍ରାୟ ସବୁ ଖେଳାଳି ଏବେ କ୍ଳାନ୍ତ ।  ଆଉ ମାତ୍ର ୨ଦିନ ମଧ୍ୟରେ ଶେଷ ଟେଷ୍ଟ  ଆରମ୍ଭ ହେବ । ଖେଳାଳିଙ୍କୁ ବିଶ୍ରାମ  ନେବାକୁ ସମୟ ମିଳିବ ନାହିଁ । ତେଣୁ  ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ ।  

ଦଳର ସବୁ ପେସ୍‌ ବୋଲର ସମ୍ପୂର୍ଣ୍ଣ ଫିଟ୍‌ ଥିବା ଚତୁର୍ଥ ଟେଷ୍ଟ ପରେ ମୁଖ୍ୟ  କୋଚ୍‌ ଗୌତମ ଗମ୍ଭୀର ସ୍ପଷ୍ଟ କରିସାରିଛନ୍ତି ।  ତଥାପି ବୋଲିଂ ବିଭାଗରେ ପରିବର୍ତ୍ତନ  ହେବା ଏକ ପ୍ରକାର ନିଶ୍ଚିତ । ମାଞ୍ଚେଷ୍ଟରରେ  ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ବୋଲିଂ  ବାହିନୀରେ ଅତି କମ୍‌ରେ ୩ଟି କିମ୍ବା ୪ଟି  ପରିବର୍ତ୍ତନ ହେବା ଆଶା କରାଯାଉଛି ।  

ଓଭାଲ୍‌ ଟେଷ୍ଟ ପାଇଁ ଏକ ସତେଜ  ପେସ୍‌ ବୋଲିଂ ବିଭାଗ ପ୍ରସ୍ତୁତ କରିବାର  ସମୟ ଆସିଛି । ଦୁଇ ଅଭିଜ୍ଞ ଯଶପ୍ରୀତ  ବୁମରା ଓ ମହମ୍ମଦ ସିରାଜଙ୍କ କାର୍ଯ୍ୟଭାର  କମାଇବା ଭଳି ବୋଲର ପଞ୍ଚମ ଟେଷ୍ଟରେ  ଖେଳିବା ଜରୁରି ବୋଲି ଟିମ୍‌ ମ୍ୟାନେଜମେଣ୍ଟ  ଉପଲବ୍ଧି କରିସାରିଛି । ସର୍ଦୁଲ ଠାକୁର,  ଅଂଶୁଲ କାମ୍ବୋଜ, ପ୍ରସିଦ୍ଧ କ୍ରିଷ୍ଣା ଆଦି ଫେଲ  ମାରିସାରିଛନ୍ତି । କେବଳ ଆକାଶ ଦୀପ  ଘାତକ ସାବ୍ୟସ୍ତ ହୋଇଥିଲେ ହେଁ ଫିଟ୍‌ନେସ୍‌  ଅଭାବରୁ ସେ ଚତୁର୍ଥ ଟେଷ୍ଟ ଖେଳି ନଥିଲେ ।  ଦଳରେ ଆଉ ଜଣେ ପେସ୍‌ ବୋଲର ଭାବେ  ରହିଛନ୍ତି ଅର୍ଶଦୀପ ସିଂହ । ସେ ଏପର୍ଯ୍ୟନ୍ତ  ଟେଷ୍ଟ ପଦାର୍ପଣ କରି ନାହାନ୍ତି । ଚତୁର୍ଥ  ଟେଷ୍ଟ ପୂର୍ବରୁ ସେ ଆହତ ହୋଇଥିଲେ  ହେଁ ବର୍ତ୍ତମାନ ଫିଟ୍‌ ହୋଇ ସାରଛନ୍ତି । 

ପଞ୍ଚମ ଟେଷ୍ଟରୁ ସର୍ଦୁଲ ଓ କାମ୍ବୋଜଙ୍କୁ  ବାଦ ଦିଆଯିବା ନିଶ୍ଚିତ । ଏହି ୨ଟି ସ୍ଥାନ ପାଇଁ  ୩ଜଣ ଦାବିଦାର ରହିଛନ୍ତି । ତେବେ ପଞ୍ଚମ  ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍‌ ଦେଖିବା ପରେ  ସବୁ ନିଷ୍ପତ୍ତି ନିଆଯିବ । ଭାରତ ଏଥର ବୋଲିଂ  ବିଭାଗକୁ ସୁଦୃଢ଼ କରିବା ଜରୁରି । ତେଣୁ  ୩ପେସ୍‌ର ଓ ୩ ସ୍ପିନର ନେଇ ଖେଳିବା  ଆଶା କରାଯାଉଛି । ସର୍ଦୁଲଙ୍କ ସ୍ଥାନରେ  କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ । 

କାମ୍ବୋଜଙ୍କ ସ୍ଥାନରେ ଆକାଶ ଦୀପ  ଏକାଦଶକୁ ଫେରିବା ନିଶ୍ଚିତ । ବାକି ରହିବ  ବୁମରାଙ୍କ ସ୍ଥାନ । ବୁମରା ଚଳିତ ସିରିଜରେ  ୩ଟି ଟେଷ୍ଟ ଖେଳି ସାରିଲେଣି । ତେଣୁ  ତାଙ୍କୁ ବିଶ୍ରାମ ଦେବାର ସମୟ ଆସିଛି ।  ସିରିଜ ପରାଜୟ ଏଡ଼ାଇବାର ସୁଯୋଗ  ଉଜ୍ଜୀବିତ ରହିଥିବାରୁ ବୁମରାଙ୍କୁ ଶେଷ  ଟେଷ୍ଟରେ ଖେଳାଯାଇପାରେ । ତଥାପି ଯାହା  ଆଶା କରାଯାଉଛି, ବୁମରା ଓ ସିରାଜଙ୍କ  ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିବ ଓ ଏହି  ସ୍ଥାନରେ ଅର୍ଶଦୀପ ପଦାର୍ପଣ କରିବେ ।  

ରିଷଭ ପନ୍ତ ଆହତ ହୋଇ ଶେଷ  ଟେଷ୍ଟରୁ ବାଦ ପଡ଼ିଛନ୍ତି । ତେଣୁ ତାଙ୍କ  ସ୍ଥାନରେ ଧ୍ରୁବ ଜୁରେଲ ଓଭାଲ ଟେଷ୍ଟ  ଖେଳିବା ନିଶ୍ଚିତ । ମାତ୍ର ତାଙ୍କ ବ୍ୟାଟିଂ  ସ୍ଥାନକୁ ନେଇ ଡ୍ରେସିଂ ରୁମ୍‌ରେ ଜୋରଦାର  ଆଲୋଚନା ହେବ । ଚତୁର୍ଥ ଟେଷ୍ଟର  ଦ୍ୱିତୀୟ ଇନିଂସରେ ୱାସିଂଟନ ସୁନ୍ଦର ୫  ଓ ରବିନ୍ଦ୍ର ଜାଡ଼େଜା ୬ନଂ ସ୍ଥାନରେ ବ୍ୟାଟିଂ  କରି ଶତକ ଅର୍ଜନ କରିଥିଲେ । ସୁନ୍ଦର  ନୂଆ ଦାୟିତ୍ୱରେ ସଫଳ ହୋଇଛନ୍ତି । ତେଣୁ  ତାଙ୍କ ବ୍ୟାଟିଂ ସ୍ଥାନକୁ ପରିବର୍ତ୍ତନ କରିବା  ସମ୍ଭାବନା ନାହିଁ । ସୁନ୍ଦର ଓ ଜାଡ଼େଜାଙ୍କ  ବ୍ୟାଟିଂ କ୍ରମ ଅପରିବର୍ତ୍ତିତ ରହିଲେ  ଜୁରେଲ ୭ନଂ ସ୍ଥାନରେ ବ୍ୟାଟିଂ କରିବେ ।