ମାଞ୍ଚେଷ୍ଟର,୨୯/୦୭: ଚଳିତ ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜର ୪ଟି ମ୍ୟାଚ୍ ଶେଷ ହୋଇଛି । ମାଞ୍ଚେଷ୍ଟରରେ ସିରିଜ ପରାଜୟ ଏଡ଼ାଇବା ପରେ ଭାରତୀୟ ଦଳ ସ୍ୱଦେଶ ଫେରିବା ପୂର୍ବରୁ ଆଉ ଥରେ ସବୁ ଶକ୍ତି ଖଟାଇ ବିଜୟ ପାଇଁ ପ୍ରତିଶ୍ରୁତିବଦ୍ଧ । କିନ୍ତୁ ୨୦ ଦିନର ଘମାଘୋଟ ଲଢ଼େଇ ପରେ ଦଳର ପ୍ରାୟ ସବୁ ଖେଳାଳି ଏବେ କ୍ଳାନ୍ତ । ଆଉ ମାତ୍ର ୨ଦିନ ମଧ୍ୟରେ ଶେଷ ଟେଷ୍ଟ ଆରମ୍ଭ ହେବ । ଖେଳାଳିଙ୍କୁ ବିଶ୍ରାମ ନେବାକୁ ସମୟ ମିଳିବ ନାହିଁ । ତେଣୁ ଏକାଦଶରେ ପରିବର୍ତ୍ତନ ହେବା ନିଶ୍ଚିତ ।
ଦଳର ସବୁ ପେସ୍ ବୋଲର ସମ୍ପୂର୍ଣ୍ଣ ଫିଟ୍ ଥିବା ଚତୁର୍ଥ ଟେଷ୍ଟ ପରେ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ସ୍ପଷ୍ଟ କରିସାରିଛନ୍ତି । ତଥାପି ବୋଲିଂ ବିଭାଗରେ ପରିବର୍ତ୍ତନ ହେବା ଏକ ପ୍ରକାର ନିଶ୍ଚିତ । ମାଞ୍ଚେଷ୍ଟରରେ ବ୍ୟୟବହୁଳ ସାବ୍ୟସ୍ତ ହୋଇଥିବା ବୋଲିଂ ବାହିନୀରେ ଅତି କମ୍ରେ ୩ଟି କିମ୍ବା ୪ଟି ପରିବର୍ତ୍ତନ ହେବା ଆଶା କରାଯାଉଛି ।
ଓଭାଲ୍ ଟେଷ୍ଟ ପାଇଁ ଏକ ସତେଜ ପେସ୍ ବୋଲିଂ ବିଭାଗ ପ୍ରସ୍ତୁତ କରିବାର ସମୟ ଆସିଛି । ଦୁଇ ଅଭିଜ୍ଞ ଯଶପ୍ରୀତ ବୁମରା ଓ ମହମ୍ମଦ ସିରାଜଙ୍କ କାର୍ଯ୍ୟଭାର କମାଇବା ଭଳି ବୋଲର ପଞ୍ଚମ ଟେଷ୍ଟରେ ଖେଳିବା ଜରୁରି ବୋଲି ଟିମ୍ ମ୍ୟାନେଜମେଣ୍ଟ ଉପଲବ୍ଧି କରିସାରିଛି । ସର୍ଦୁଲ ଠାକୁର, ଅଂଶୁଲ କାମ୍ବୋଜ, ପ୍ରସିଦ୍ଧ କ୍ରିଷ୍ଣା ଆଦି ଫେଲ ମାରିସାରିଛନ୍ତି । କେବଳ ଆକାଶ ଦୀପ ଘାତକ ସାବ୍ୟସ୍ତ ହୋଇଥିଲେ ହେଁ ଫିଟ୍ନେସ୍ ଅଭାବରୁ ସେ ଚତୁର୍ଥ ଟେଷ୍ଟ ଖେଳି ନଥିଲେ । ଦଳରେ ଆଉ ଜଣେ ପେସ୍ ବୋଲର ଭାବେ ରହିଛନ୍ତି ଅର୍ଶଦୀପ ସିଂହ । ସେ ଏପର୍ଯ୍ୟନ୍ତ ଟେଷ୍ଟ ପଦାର୍ପଣ କରି ନାହାନ୍ତି । ଚତୁର୍ଥ ଟେଷ୍ଟ ପୂର୍ବରୁ ସେ ଆହତ ହୋଇଥିଲେ ହେଁ ବର୍ତ୍ତମାନ ଫିଟ୍ ହୋଇ ସାରଛନ୍ତି ।
ପଞ୍ଚମ ଟେଷ୍ଟରୁ ସର୍ଦୁଲ ଓ କାମ୍ବୋଜଙ୍କୁ ବାଦ ଦିଆଯିବା ନିଶ୍ଚିତ । ଏହି ୨ଟି ସ୍ଥାନ ପାଇଁ ୩ଜଣ ଦାବିଦାର ରହିଛନ୍ତି । ତେବେ ପଞ୍ଚମ ଟେଷ୍ଟ ପାଇଁ ପ୍ରସ୍ତୁତ ପିଚ୍ ଦେଖିବା ପରେ ସବୁ ନିଷ୍ପତ୍ତି ନିଆଯିବ । ଭାରତ ଏଥର ବୋଲିଂ ବିଭାଗକୁ ସୁଦୃଢ଼ କରିବା ଜରୁରି । ତେଣୁ ୩ପେସ୍ର ଓ ୩ ସ୍ପିନର ନେଇ ଖେଳିବା ଆଶା କରାଯାଉଛି । ସର୍ଦୁଲଙ୍କ ସ୍ଥାନରେ କୁଲଦୀପ ଯାଦବଙ୍କୁ ସୁଯୋଗ ମିଳିପାରେ ।
କାମ୍ବୋଜଙ୍କ ସ୍ଥାନରେ ଆକାଶ ଦୀପ ଏକାଦଶକୁ ଫେରିବା ନିଶ୍ଚିତ । ବାକି ରହିବ ବୁମରାଙ୍କ ସ୍ଥାନ । ବୁମରା ଚଳିତ ସିରିଜରେ ୩ଟି ଟେଷ୍ଟ ଖେଳି ସାରିଲେଣି । ତେଣୁ ତାଙ୍କୁ ବିଶ୍ରାମ ଦେବାର ସମୟ ଆସିଛି । ସିରିଜ ପରାଜୟ ଏଡ଼ାଇବାର ସୁଯୋଗ ଉଜ୍ଜୀବିତ ରହିଥିବାରୁ ବୁମରାଙ୍କୁ ଶେଷ ଟେଷ୍ଟରେ ଖେଳାଯାଇପାରେ । ତଥାପି ଯାହା ଆଶା କରାଯାଉଛି, ବୁମରା ଓ ସିରାଜଙ୍କ ମଧ୍ୟରୁ ଜଣଙ୍କୁ ବିଶ୍ରାମ ମିଳିବ ଓ ଏହି ସ୍ଥାନରେ ଅର୍ଶଦୀପ ପଦାର୍ପଣ କରିବେ ।
ରିଷଭ ପନ୍ତ ଆହତ ହୋଇ ଶେଷ ଟେଷ୍ଟରୁ ବାଦ ପଡ଼ିଛନ୍ତି । ତେଣୁ ତାଙ୍କ ସ୍ଥାନରେ ଧ୍ରୁବ ଜୁରେଲ ଓଭାଲ ଟେଷ୍ଟ ଖେଳିବା ନିଶ୍ଚିତ । ମାତ୍ର ତାଙ୍କ ବ୍ୟାଟିଂ ସ୍ଥାନକୁ ନେଇ ଡ୍ରେସିଂ ରୁମ୍ରେ ଜୋରଦାର ଆଲୋଚନା ହେବ । ଚତୁର୍ଥ ଟେଷ୍ଟର ଦ୍ୱିତୀୟ ଇନିଂସରେ ୱାସିଂଟନ ସୁନ୍ଦର ୫ ଓ ରବିନ୍ଦ୍ର ଜାଡ଼େଜା ୬ନଂ ସ୍ଥାନରେ ବ୍ୟାଟିଂ କରି ଶତକ ଅର୍ଜନ କରିଥିଲେ । ସୁନ୍ଦର ନୂଆ ଦାୟିତ୍ୱରେ ସଫଳ ହୋଇଛନ୍ତି । ତେଣୁ ତାଙ୍କ ବ୍ୟାଟିଂ ସ୍ଥାନକୁ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ସୁନ୍ଦର ଓ ଜାଡ଼େଜାଙ୍କ ବ୍ୟାଟିଂ କ୍ରମ ଅପରିବର୍ତ୍ତିତ ରହିଲେ ଜୁରେଲ ୭ନଂ ସ୍ଥାନରେ ବ୍ୟାଟିଂ କରିବେ ।