ଲଣ୍ଡନ,୧୯/୦୬: ମଝିରେ ଆଉ ମାତ୍ର  ଗୋଟିଏ ଦିନ । ଶୁକ୍ରବାରଠୁ ଆରମ୍ଭ ହେବ ଭାରତ-ଇଂଲଣ୍ଡ ୫ମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜ । ଉଭୟ ଦଳ ହେଡିଂଲେ ଗ୍ରାଉଣ୍ଡରେ ଜୋରଦାର ପ୍ରସ୍ତୁତି ଚଳାଇଛନ୍ତି । ଘରୋଇ ଦଳ ପ୍ରଥମ ଟେଷ୍ଟ ପାଇଁ ଚୂଡ଼ାନ୍ତ ଏକାଦଶ  ଘୋଷଣା କରିସାରିଛି । ଭାରତ ଏକଦଶ ପ୍ରସ୍ତୁତିରେ ଲାଗିଛି । ତଥାପି ନବ ନିଯୁକ୍ତ ଅଧିନାୟକ ଶୁଭମନ ଗିଲ୍‌ ଅବସର ନେଇଥିବା ବିରାଟ କୋହଲିଙ୍କ ୪ନଂ ସ୍ଥାନରେ ବ୍ୟାଟିଂ କରିବାକୁ ଯାଉଥିବା ସ୍ପଷ୍ଟ ହୋଇଛି । ବୁଧବାର ସାମ୍ବାଦିକ ସମ୍ମିଳନୀରେ ଉପଅଧିନାୟକ ରିଷଭ  ପନ୍ତ ଏହା ସ୍ପଷ୍ଟ କରିଛନ୍ତି ।

ପୋପଙ୍କ ସ୍ଥାନ ଅପରିବର୍ତ୍ତିତ ପ୍ରଥମ ଟେଷ୍ଟ ପାଇଁ ଇଂଲଣ୍ଡ ଚୂଡ଼ାନ୍ତ ଏକାଦଶ ଘୋଷଣା କରିଛି । ଯୁବ ବ୍ୟାଟିଂ ବିସ୍ମୟ ଜାକବ ବେଥେଲଙ୍କ ସ୍ଥାନକୁ ନେଇ ଚାଲିଥିବା ସବୁ ଆଲୋଚନାରେ ପୂର୍ଣ୍ଣଛେଦ ପଡ଼ିଛି । ବେଥେଲ ଏକାଦଶରେ ସ୍ଥାନ ପାଇ ନାହାନ୍ତି । ଓଲି ପୋପଙ୍କ ଅଭିଜ୍ଞତାକୁ ପ୍ରାଥମିକତା ଦିଆଯାଇଛି । ତେଣୁ ସେ  ୩ନଂ ସ୍ଥାନରେ ବ୍ୟାଟିଂ କରିବେ ।  

ଗତ ବର୍ଷ ନ୍ୟୁଜିଲାଣ୍ଡ ଗସ୍ତ ସମୟରେ ବେଥେଲ  ଟେଷ୍ଟ ପଦାର୍ପଣ କରିଥିଲେ ଓ ଦମ୍‌ଦାର ବ୍ୟାଟିଂ କରି  ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ସାଜିଥିଲେ । ଭାରତ ବିପକ୍ଷ ସିରିଜ  ପୂର୍ବରୁ ତାଙ୍କୁ ପ୍ରବଳ ଦାବିଦାର ରୂପେ ବିବେଚନା  କରାଯାଉଥିଲା । ମାତ୍ର ପୂର୍ବରୁ ଏହି ସ୍ଥାନରେ ଖେଳୁଥିବା ଓଲି ପୋପଙ୍କ ଉପରେ କୋଚ୍‌ ବ୍ରେଣ୍ଡନ ମ୍ୟାକ୍‌କୁଲମ ଓ ଅଧିନାୟକ ବେନ ଷ୍ଟୋକ୍ସ ଭରସା ରଖିଛନ୍ତି । 

ଏକାଦଶରେ ୩ଜଣ ପେସ୍‌ ବୋଲର ଓ ଜଣେ  ସ୍ପିନରଙ୍କୁ ସ୍ଥାନ ମିଳିଛି । କ୍ରିସ୍‌ ୱକ୍ସ ଓ ବ୍ରାଇଡନ କାର୍ସ ବୋଲିଂ ଆରମ୍ଭ କରିବେ । ଜୋସ ଟଙ୍ଗ ତୃତୀୟ ପେସ୍‌ ବୋଲର ଭାବେ ଖେଳିବେ । ଏମାନଙ୍କ ବ୍ୟତୀତ ସୋହେବ ବସିର ଏକମାତ୍ର ସ୍ପିନର ଭାବେ ଦଳରେ  ରହିଛନ୍ତି । ବେନ ଷ୍ଟୋକ୍ସ ଚତୁର୍ଥ ପେସ୍‌ ବୋଲର ଦାୟିତ୍ୱ ତୁଲାଇବେ । ସେହିପରି ଜୋ ରୁଟ୍‌ ସମୟ ସମୟରେ ସ୍ପିନ୍‌ ବୋଲିଂ କରିବେ । 

ଖାଲି ପଡ଼ିଛି ୩ନଂ ବ୍ୟାଟିଂ ସ୍ଥାନ 

ଇଂଲଣ୍ଡ ଏକାଦଶ ଘୋଷଣା କରିଥିଲେ ହେଁ ଭାରତ  ଏପର୍ଯ୍ୟନ୍ତ ଚୂଡ଼ାନ୍ତ ଏକାଦଶ ପ୍ରସ୍ତୁତ କରିନାହିଁ । ବିଶେଷ କରି ବ୍ୟାଟିଂ କ୍ରମର ୩ନଂ ସ୍ଥାନକୁ ନେଇ ଏବେ ବି ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ବୁଧବାର ସାମ୍ବାଦିକ ସମ୍ମିନଳୀରେ ପନ୍ତ ଏହା ସ୍ପଷ୍ଟ କରିଛନ୍ତି ।  ସେ କହିଛନ୍ତି, ୪ନଂ ସ୍ଥାନ ଚୂଡ଼ାନ୍ତ ହୋଇଛି ।  ଗିଲ ଏହି ସ୍ଥାନ ସମ୍ଭାଳିବାକୁ ଯାଉଛନ୍ତି । ମୁଁ ୫ନଂ  ସ୍ଥାନରେ ବ୍ୟାଟିଂ କରିବି । କିନ୍ତୁ ଗିଲ୍‌ ଛାଡ଼ିଥିବା  ୩ନଂ ସ୍ଥାନକୁ ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ  ନିଷ୍ପତ୍ତି ହୋଇନାହିଁ ।  

ସାଇ ସୁଦର୍ଶନ ଓ କରୁଣ ନାଏରଙ୍କ ମଧ୍ୟରୁ ଜଣେ  ୩ନଂ ସ୍ଥାନରେ ବ୍ୟାଟିଂ କରିବା ଏକ ପ୍ରକାର ନିଶ୍ଚିତ  ରହିଛି । ଉଭୟଙ୍କୁ ଏକାଦଶରେ ସ୍ଥାନ ଦେବାକୁ ମଧ୍ୟ  ବିଚାର କରାଯାଉଛି । ୬ନଂ ସ୍ଥାନରେ ଜଣେ ସ୍ପେଶାଲିଷ୍ଟ  ବ୍ୟାଟରଙ୍କୁ ଖେଳାଇବାକୁ ଟିମ ମ୍ୟାନେଜମେଣ୍ଟ ଚିନ୍ତା  କରୁଛି ।   

ନାଏର ଦାବିଦାର

୮ବର୍ଷ ପରେ ଟେଷ୍ଟ ଦଳକୁ ଫେରିଥିବା କରୁଣ ନାଏର ଏକାଦଶରେ ସ୍ଥାନ ପାଇବା ସହ ୩ନଂ  ସ୍ଥାନରେ ବ୍ୟାଟିଂ କରିବାର ଯଥେଷ୍ଟ ସମ୍ଭାବନା  ରହିଛି । ଭାରତୀୟ ଦଳର ଅଭ୍ୟାସ ଶିବିରୁ ଯାହା ଜଣାପଡ଼ୁଛି, ନାଏରଙ୍କ ଅଭିଜ୍ଞତାକୁ ପ୍ରାଥମିକତା  ମିଳିବ । ସେ  ନୂଆ ବଲ୍‌ରେ ଢେର ସମୟ ବ୍ୟାଟିଂ ଅଭ୍ୟାସ କରିଥିଲେ । ଅନ୍ୟ ପଟରେ ସୁଦର୍ଶନ ଅଧିକାଂଶ ସମୟ ଥ୍ରୋ’ଡାଉନ୍ସରେ  ଅଭ୍ୟାସ କରୁଥିବା ଦେଖିବାକୁ ମିଳିଥିଲା ।  

ସ୍ଲିପ କ୍ୟାଚ୍‌ ଅଭ୍ୟାସ ସମୟରେ ନାଏର ପ୍ରଥମ ସ୍ଲିପ୍‌ରେ ଫିଲ୍ଡିଂ କରିଥିଲେ । ରାହୁଲ ଦ୍ୱିତୀୟ  ସ୍ଲିପ୍‌, ଗିଲ୍‌ ତୃତୀୟ ସ୍ଲିପ୍‌ ଓ ଯଶସ୍ୱୀ ଜୈସ୍ୱାଲ୍‌ ଗଲି  ଅଞ୍ଚଳରେ ଫିଲ୍ଡିଂ କରୁଥିବା ଦେଖିବାକୁ ମିଳିଥିଲା ।  ନାଏର ୩ନଂ ସ୍ଥାନରେ ଖେଳିଲେ ୬ନଂ ସ୍ଥାନ  ପାଇଁ ସୁଦର୍ଶନ ଓ ନୀତିଶ କୁମାର ରେଡ୍ଡୀଙ୍କ ମଧ୍ୟରେ  ପ୍ରତିଦ୍ୱନ୍ଦ୍ୱିତା ହେବ । ନୀତିଶ ଗତ ବର୍ଡର-ଗାଭାସ୍କର  ଟ୍ରଫିରେ ଶତକ ଅର୍ଜନ କରିଥିବାରୁ ଦୌଡ଼ରେ  ରହିଛନ୍ତି । ଜାଡ଼େଜା ୭ନଂ ସ୍ଥାନରେ ବ୍ୟାଟିଂ କରିବେ ।  

ପେସ୍‌ ବିଭାଗ ସମ୍ଭାଳିବେ ବୁମରା 

ଟେଷ୍ଟ ସିରିଜ ସହ ବିଶ୍ୱର ଶ୍ରେଷ୍ଠ ବୋଲର  ଯଶପ୍ରୀତ ବୁମରାଙ୍କ କାର୍ଯ୍ୟଭାର ମଧ୍ୟ ବେଶ୍‌  ଗୁରୁତ୍ୱପୂର୍ଣ୍ଣ । ସେ ଅତି ବେଶୀରେ ୩ଟି ଟେଷ୍ଟ ଖେଳିବେ ବୋଲି ପ୍ରାଥମିକ ପର୍ଯ୍ୟାୟରେ ନିର୍ଦ୍ଧାରଣ  କରାଯାଇଛି । ତେବେ ସେ ପ୍ରଥମ ଟେଷ୍ଟ ଖେଳିବା ନିଶ୍ଚିତ ରହିଛି । ସିରାଜ ତାଙ୍କ ସହ ନୂଆ ବଲ୍‌ ଆରମ୍ଭ  କରିବେ । ଆକାଶ ଦୀପ ଓ ଦଳକୁ ଫେରିଥିବା ହର୍ଷିତ  ରାଣାଙ୍କ ଉପସ୍ଥିତି ସତ୍ତେ୍ୱ ତୃତୀୟ ପେସ୍‌ ବୋଲର  ସ୍ଥାନ ପାଇଁ ପ୍ରସିଦ୍ଧ କ୍ରିଷ୍ଣା ଆଗରେ ରହିଛନ୍ତି । ବଲ୍‌କୁ  ଅତିରିକ୍ତ ବାଉନ୍ସ କରିବାର କ୍ଷମତାକୁ ନେଇ ପ୍ରସିଦ୍ଧଙ୍କୁ  ଅଗ୍ରଧିକାର ମିଳିବ ।   

ସର୍ଦୁଲ, ସୁନ୍ଦରଙ୍କ ମଧ୍ୟରୁ ଜଣେ

ବ୍ୟାଟିଂ କ୍ରମକୁ ଲମ୍ବା କରିବା ଓ ୫ଜଣ ବୋଲର  ନେଇ ଖେଳିବାକୁ ହେଲେ ସର୍ଦୁଲ ଠାକୁର ଓ  ୱାସିଂଟନ ସୁନ୍ଦରଙ୍କ ମଧ୍ୟରୁ ଜଣଙ୍କୁ ଏକାଦଶରେ  ସ୍ଥାନ ମିଳିବ । ଉଭୟ ୮ନଂ ସ୍ଥାନରେ ବ୍ୟାଟିଂ କରିବାର କ୍ଷମତା ରଖିଛନ୍ତି । ଠାକୁର ଉପଯୋଗୀ  ବ୍ୟାଟିଂ କରିବେ ଓ ଉପଯୁକ୍ତ ସହଯୋଗୀ ପେସ୍‌ ବୋଲର ହେବେ । ପିଚ୍‌ ଅଧିକ ଶୁଖିଲା ହେବାର ସମ୍ଭାବନା ଥିଲେ ସୁନ୍ଦରଙ୍କୁ ଖେଳାଇବା ଉପଯୁକ୍ତ ହେବ । ତେଣୁ କୁଲଦୀପ ଯାଦବଙ୍କୁ ଏକାଦଶରେ ସ୍ଥାନ ମିଳିବା ସମ୍ଭାବନା କ୍ଷୀଣ ।