ଗୌହାଟୀ,୨୫/୦୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ତୃତୀୟ ଟି-ଟ୍ୱେଣ୍ଟି ଖେଳାଯିବ । ୫ମ୍ୟାଚ୍ ବିଶିଷ୍ଟ ଏହି ସିରିଜରେ ଭାରତ ୨-୦ରେ ଅଗ୍ରଣୀ ହାସଲ କରିସାରିଛି । ଆଜି ବିଜୟ ସହ ସିରିଜ କବ୍ଜା କରିବାକୁ ଘରୋଇ ଦଳ ପ୍ରୟାସ କରିବ । ନ୍ୟୁଜିଲାଣ୍ଡ ଦଳ ପାଇଁ ଏହି ମ୍ୟାଚ ‘କର ବା ମର’ ପରିସ୍ଥିତି ସୃଷ୍ଟି କରିଛି । ତେଣୁ ସମସ୍ତ ଶକ୍ତି ଲଗାଇ ଦଳ ସିରିଜକୁ ଫେରିବାକୁ ଚେଷ୍ଟା କରିବ ।
ଟି-ଟ୍ୱେଣ୍ଟି ବିଶ୍ୱକପ୍ ପୂର୍ବରୁ ଭାରତ ଧିରେ ଧିରେ ସବୁ ତ୍ରୁଟି ସୁଧାରିବାରେ ଲାଗିଛି । ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଫର୍ମକୁ ଫେରିବା ଦଳ ପାଇଁ ସବୁଠୁ ଆଶ୍ୱସ୍ତିକର ଘଟଣା ରହିଛି । ଦ୍ୱିତୀୟ ମ୍ୟାଚରେ ସେ ଅପରାଜିତ ୮୧ ରନ୍ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ । କେବଳ ସଞ୍ଜୁ ସାମସନ ଓ ଯଶପ୍ରୀତ ବୁମରାଙ୍କ ଫର୍ମକୁ ନେଇ ଦଳର ଚିନ୍ତା ରହିଛି।
ଆଜି ମଧ୍ୟ ବୁମରାଙ୍କୁ ବିଶ୍ରାମ ମିଳିବ । ଯୁବ ପେସ ବୋଲରମାନେ ଉନ୍ନତ ପ୍ରଦର୍ଶନ କରୁଥିବାରୁ ବୁମରାଙ୍କ ଭଳି ବିଶ୍ୱର ଶ୍ରେଷ୍ଠ ବୋଲରଙ୍କୁ ବିଶ୍ୱକପ୍ ପାଇଁ ପ୍ରସ୍ତୁତ ହେବାକୁ ସମୟ ମିଳିବା ଆବଶ୍ୟକ । ଭାରତର ମଧ୍ୟ କ୍ରମ ଓ ନିମ୍ନ କ୍ରମ ବ୍ୟାଟିଂ ବିଭାଗ ପ୍ରସ୍ତୁତ ଥିବା ପ୍ରମାଣ ମିଳି ସାରିଛି ।
ନ୍ୟୁଜିଲାଣ୍ଡ ଏକ ଶୃଙ୍ଖଳିତ ଓ ଶକ୍ତିଶାଳୀ ଦଳ । ୨ଟି ମ୍ୟାଚ ହାରିଥିଲେ ହେଁ ଭାରତକୁ ହରାଇବାର କ୍ଷମତା ଦଳ ନିକଟରେ ରହିଛି । ପ୍ରତ୍ୟେକ ଖେଳାଳି ଫର୍ମରେ ରହିଛନ୍ତି । କେବଳ ଚତୁର ରଣନୀତି ବଳରେ ଭାରତକୁ ହରାଇବା ସମ୍ଭବ ହେବ । ବର୍ଷାପଡ଼ା ଷ୍ଟାଡ଼ିୟମ୍ରେ ବିଶାଳ ସ୍କୋର ହେବା ନିଶ୍ଚିତ । ରାତ୍ରିରେ କାକର ପଡ଼ୁଥିବାରୁ ଦ୍ୱିତୀୟ ଭାଗରେ ବ୍ୟାଟିଂ ସହଜ ହେବ । ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ନିଶ୍ଚିତ ।
ସମ୍ଭାବ୍ୟ ଏକାଦଶ
ଭାରତ: ଅଭିଷେକ ଶର୍ମା, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ(ଅଧିନାୟକ), ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରିଙ୍କୁ ସିଂହ, ଶିବମ ଦୁବେ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।
ନ୍ୟୁଜିଲାଣ୍ଡ : ଟିମ ରବିନସନ, ଡେଭନ କନୱେ, ରଚିନ ରବିନ୍ଦ୍ର, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, କ୍ରିଷ୍ଟିଆନ କ୍ଲାର୍କ, ମିଚେଲ ସାଣ୍ଟନର (ଅଧିନାୟକ), କେଲି ଜାମିସନ, ଆଇସ୍ ସୋଦ୍ଧି, ଜାକବ ଡଫି ।
ଆହୁରି ପଢ଼ନ୍ତୁ:-ଡବ୍ଲୁପିଏଲ୍ ୨୦୨୬; ବେଙ୍ଗାଲୁରୁର ପ୍ରଥମ ପରାଜୟ, ୭ ୱିକେଟ୍ରେ ହରାଇଲା ଦିଲ୍ଲୀ