ନୂଆଦିଲ୍ଲୀ, ୬/୩ : ଶେଷ ପର୍ଯ୍ୟାୟରେ ଟି-୨୦ ବିଶ୍ବକପ ୨୦୨୬ । ଫାଇନାଲ ଟକ୍କର ପାଇଁ ପ୍ରସ୍ତୁତ ଭାରତ-ନ୍ୟୁଜିଲାଣ୍ଡ। ଦକ୍ଷିଣଆଫ୍ରିକାକୁ ହରାଇ ଫାଇନାଲରେ ପ୍ରଥମେ ପ୍ରବେଶ କରିଥିଲା କିଓ୍ବି ଦଳ । ଗୁରୁବାର ଇଂଲଣ୍ଡକୁ ୭ ରନରେ ପରାସ୍ତ କରି ଘରୋଇ ମାଟିରେ ଫାଇନାଲ ଟିକେଟ ହାତେଇଛି ସୂର୍ଯ୍ୟବାହିନୀ । ଆସନ୍ତା ୮ ତାରିଖରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯିବ ଫାଇନାଲ ମୁକାବିଲା । ତେବେ ଏହି ଫାଇନାଲ ମୁକାବିଲା ଐତିହାସିକ ହେବାକୁ ଯାଉଛି । ଭାରତ-ନ୍ୟୁଜିଲାଣ୍ଡ ମିଶି ଇତିହାସ ରଚିବା ପାଇଁ ଯାଉଛନ୍ତି ।
ଟି-୨୦ ବିଶ୍ବକପର ଫାଇନାଲରେ ପ୍ରଥମଥର ଉଭୟ ଦଳ ଭେଟାଭେଟି ହେବାକୁ ଯାଉଛନ୍ତି । ଭାରତ ଡିଫେନ୍ଡିଂ ଚାମ୍ପିୟନ ରହିଛି । ଭାରତ ଦୁଇଟି ଟି-୨୦ ବିଶ୍ବକପ ଜିତିଥିବାବେଳେ ତୃତୀୟଥର ଚାମ୍ପିୟନ ହେବା ଲକ୍ଷ୍ୟରେ ରହିଛି । ସେପଟେ ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବିଶ୍ବକପ ବିଜୟୀ ହେବା ଲକ୍ଷ୍ୟରେ ରହିଛି । ତେବେ ଆଇସିସିର ତିନୋଟି ଯାକ ଫର୍ମାଟରେ ଉଭୟ ଦଳ ଫାଇନାଲରେ ମୁହାଁମୁହିଁ ହେଉଛନ୍ତି । ପୂର୍ବରୁ ଏଭଳି କେବେ ହୋଇନାହିଁ । ଡବ୍ଲୁଟିସି ଫାଇନାଲ ୨୦୨୧ରେ ପ୍ରଥମେ ଖେଳିଥିଲେ । ଏଥିରେ ଭାରତ ନ୍ୟୁଜିଲାଣ୍ଡଠାରୁ ହାରିଥିଲା । ଏହାପରେ ୨୦୨୫ ମସିହାରେ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଭେଟାଭେଟି ହୋଇଥିଲେ । ଯାହା ୫୦ ଓଭର ବିଶିଷ୍ଟ ମ୍ୟାଚ ଥିଲା । ରୋହିତଙ୍କ ଅଧିନାୟକତ୍ବରେ ଭାରତ ଏହି ମ୍ୟାଚ୍ ଜିତିଥିଲା । ଆଉ ଏବେ ଟି-୨୦ ବିଶ୍ବକପର ଫାଇନାଲରେ ସାମ୍ନାସାମ୍ନି ହେବାକୁ ଯାଉଛନ୍ତି ।
ଟି-୨୦ ବିଶ୍ବକପରେ କାହାର କଣ ରେକର୍ଡ ?
ଚଳିତ ଟି-୨୦ ବିଶ୍ବପରେ ଭାରତ ଦମଦାର ପ୍ରଦର୍ଶନ ଜାରି ରଖିଛି । ଦକ୍ଷିଣଆଫ୍ରିକା ବିପକ୍ଷରେ ସୁପର-୮ ମୁକାବିଲା ହାରିଛି ଭାରତ । ତେବେ ନ୍ୟୁଜିଲାଣ୍ଡ ସହ ଚଳିତ ଟି-୨୦ ବିଶ୍ବକପରେ ପ୍ରଥମଥର ଖେଳିବ ତାହା ପୁଣି ଫାଇନାଲରେ । ଟି-୨୦ କ୍ରିକେଟରେ ଭାରତ ନ୍ୟୁଜିଲାଣ୍ଡଠାରୁ ଅଧିକ ମ୍ୟାଚ ଜିତିଛି । ମାତ୍ର ଟି-୨୦ ବିଶ୍ବକପରେ ଉଭୟ ଦଳ ତିନଥର ସାମ୍ନାସାମ୍ନି ହୋଇଛନ୍ତି । କିନ୍ତୁ ପ୍ରତ୍ୟେକଥର ଭାରତକୁ ପରାଜୟ ବରଣ କରିବାକୁ ପଡ଼ିଛି ।
ଏହାସହ ପଢ଼ନ୍ତୁ : ସେହି ଷ୍ଟାଡିୟମ, ପୁଣି ଫାଇନାଲ ମୁକାବିଲା : ଏହି ଦୁଇ ପରିବର୍ତ୍ତନ ଭାରତକୁ ଜିତାଇବ କି ଟି-୨୦ ବିଶ୍ବକପ ?