ରାଏପୁର, ୨୩/୦୧: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି ମୁକାବିଲା ଖେଳାଯିବ । ଉଭୟ ଦଳ ଅଭ୍ୟାସ କରିବାକୁ ସୁଯୋଗ ପାଇ ନଥିଲେ ହେଁ ମାନସିକ ସ୍ତରରେ ପ୍ରସ୍ତୁତ ରହିଛନ୍ତି । ଆଗକୁ ଟି-ଟ୍ୱେଣ୍ଟି ବିଶ୍ୱକପ୍ ରହିଥିବାରୁ ଉଭୟ ଦଳ ଯଥା ସମ୍ଭବ ସହଳ ତ୍ରୁଟି ସୁଧାରିବାକୁ ଲକ୍ଷ୍ୟ ରଖିଛନ୍ତି । ଭାରତ ୧-୦ରେ ଆଗୁଆ ରହିଛି । ତେଣୁ ନ୍ୟୁଜିଲାଣ୍ଡ ସିରିଜକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବା ନିଶ୍ଚିତ ।
ପ୍ରଥମ ମ୍ୟାଚ ବିଜୟ ପରେ ଭାରତୀୟ ଦଳର ମନୋବଳ ବେଶ୍ ଊଦ୍ଧ୍ୱର୍ରେ ରହିଛି । ତଥାପି ନ୍ୟୁଜିଲାଣ୍ଡକୁ ହାଲକା ଭାବେ ଗ୍ରହଣ କରିବା ମହଙ୍ଗା ପଡ଼ିବ । ଦିନିକିଆ ସିରିଜରେ ମଧ୍ୟ ନ୍ୟୁଜିଲାଣ୍ଡ ପ୍ରଥମ ମ୍ୟାଚ୍ ହାରିଥିଲା । ମାତ୍ର ଏହାପରେ ଦମ୍ଦାର ପ୍ରତ୍ୟାବର୍ତ୍ତନ କରି ପରବର୍ତ୍ତୀ ୨ଟି ଯାକ ମ୍ୟାଚ ଜିତି ନ୍ୟୁଜିଲାଣ୍ଡ ସିରିଜ କବଜା କରିଥିଲା । ପ୍ରଥମ ଟି-ଟ୍ୱେଣ୍ଟିରେ ମଧ୍ୟ ନ୍ୟୁଜିଲାଣ୍ଡ ଲଢୁଆ ଖେଳ ପ୍ରଦର୍ଶନ କରିଥିଲା । ଏକ ସମୟରେ ଦଳ ବିଜୟ ଆଶା ଉଜ୍ଜ୍ୱଳ ରଖିଥିଲା । ଗ୍ଲେନ ଫିଲିପ୍ସ ଆଉଟ୍ ହେବା ପରେ ଲୟ ହରାଇ ନ୍ୟୁଜିଲାଣ୍ଡ ପରାଜିତ ହୋଇଥିଲା ।
ଏହି ତ୍ରୁଟି ସୁଧାରି ନ୍ୟୁଜିଲାଣ୍ଡ ଗ୍ରାଉଣ୍ଡକୁ ଓହ୍ଲାଇବ । ଭାରତକୁ ମଧ୍ୟ ଅନେକ ତ୍ରୁଟି ସୁଧାରିବାକୁ ହେବ । ପ୍ରଥମତଃ ଓପନିଂ ବିଭାଗ ବଡ଼ ଭାଗିଦାରୀ ଗଢ଼ି ମୂଳଦୁଆ ସୁଦୃଢ଼ କରିବା ଜରୁରି । ଦ୍ୱିତୀୟତଃ ସ୍ପିନରମାନେ ମଧ୍ୟ ଓଭରଗୁଡ଼ିକରେ ନ୍ୟୁଜିଲାଣ୍ଡ ବ୍ୟାଟରଙ୍କୁ ବାନ୍ଧି ରଖିବା ଆବଶ୍ୟକ । ଭାରତ ଏହି ଦିଗ ପ୍ରତି ଧ୍ୟାନ ଦେବ । ଉଭୟ ଦଳ ଏକାଦଶରେ ପରିବର୍ତ୍ତନ କରିବା ସମ୍ଭାବନା ନାହିଁ । ତଥାପି ସଞ୍ଜୁ ସାମସନ ଓ ଇଶାନ କିଷନଙ୍କ ଫର୍ମକୁ ନେଇ ଦଳ ସାମାନ୍ୟ ଚିନ୍ତିତ ରହିଛି ।ଆଜି ଉଭୟଙ୍କୁ ଆଉ ଥରେ ସୁଯୋଗ ମିଳିବ । ଏକାଦଶରେ ସ୍ଥାନ ଜମାଇବାକୁ ହେଲେ ଉଭୟଙ୍କୁ ସୀମିତ ସୁଯୋଗର ଫାଇଦା ଉଠାଇବାକୁ ପଡ଼ିବ ।
ନ୍ୟୁଜିଲାଣ୍ଡ ମଧ୍ୟ ଓପନିଂ ବିଭାଗର ପ୍ରଦର୍ଶନକୁ ନେଇ ଚିନ୍ତିତ ରହିବା ସ୍ୱାଭାବିକ । ପ୍ରଥମ ମ୍ୟାଚରେ ଉଭୟ ଡେଭନ କନୱେ ଓ ରଚିନ ରବିନ୍ଦ୍ର ନିରାଶ କରିଥିଲେ । ଦଳର ମଧ୍ୟ କ୍ରମ ବେଶ୍ ସୁଦୃଢ଼ ରହିଛି । ଫିଲିପ୍ସ, ଡାରିଲ ମିଚେଲ, ମାର୍କ ଚାପମାନ ଶ୍ରେଷ୍ଠ ଫର୍ମରେ ରହିଛନ୍ତି ।
ରାଏପୁର ପିଚ୍ ବ୍ୟାଟିଂ ପାଇଁ ଅନୁକୂଳ ରହିବ । ତଥାପି ସ୍ପିନରମାନେ ପିଚ୍ର ଫାଇଦା ଉଠାଇ ପାରିବେ । ରାତ୍ରିରେ ମ୍ୟାଚ ଖେଳାଯାଉଥିବାରୁ କାକର ପ୍ରଭାବ ରହିବ । ତେଣୁ ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।
ସମ୍ଭାବ୍ୟ ଏକାଦଶ
ଭାରତୀୟ : ଅଭିଷେକ ଶର୍ମା, ସଞ୍ଜୁ ସାମସନ, ସୂର୍ଯ୍ୟକୁମାର ଯାଦବ (ଅଧିନାୟକ), ଇଶାନ କିଷନ, ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ରିଙ୍କୁ ସିଂହ, ଶିବମ ଦୁବେ, ଅର୍ଶଦୀପ ସିଂହ, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।
ନ୍ୟୁଜିଲାଣ୍ଡ : ଟିମ ରବିନସନ, ଡେଭନ କନୱେ, ରଚିନ ରବିନ୍ଦ୍ର, ଡାରିଲ ମିଚେଲ, ଗ୍ଲେନ ଫିଲିପ୍ସ, ମାର୍କ ଚାପମାନ, କ୍ରିଷ୍ଟିଆନ କ୍ଲାର୍କ, ମିଚେଲ ସାଣ୍ଟନର (ଅଧିନାୟକ), କେଲି ଜାମିସନ, ଆଇସ୍ ସୋଦ୍ଧି, ଜାକବ ଡଫି ।