ନୂଆଦିଲ୍ଲୀ,୨/୦୩: ଚାମ୍ପିଅନ୍ସ ଟ୍ରଫିରେ ଆଜି (ରବିବାର) ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଅନ୍ତିମ୍ ଲିଗ ମ୍ୟାଚ ଖେଳାଯିବ । ଲଗାତାର ଦୁଇ ମ୍ୟାଚ ଜିତି ସେମିରେ ପ୍ରବେଶ କରି ସାରିଛି ଟିମ୍ ଇଣ୍ଡିଆ । ଅନ୍ୟ ପରେ କିୱି ଦଳ ମଧ୍ୟ କିଛି କମରେ ନାହିଁ । ଦଳ ଦୁଇଟି ମ୍ୟାଚ ଜିତି ସାରିଛି । ଦୁଇ ଟାଇଟଲ ଦାବିଦାର ଗ୍ରୁପ-ଏ ପଏଣ୍ଟ ଟେବୁଲରେ ଶୀର୍ଷ ସ୍ଥାନ ପାଇଁ ଲକ୍ଷ୍ୟ ରଖିଛନ୍ତି । ଏକ ଘମାଘୋଟ ଲଢେଇ ଦେଖିବାକୁ ମିଳିବ । ଭାରତ ଏହି ମ୍ୟାଚ ଜିତି ୨୫ ବର୍ଷ ତଳର ପ୍ରତିଶୋଧ ନେବାକୁ ପ୍ରୟାସ କରିବ । ଏହି ଫଳାଫଳ ସେମି ଫାଇନାଲ ଲାଇନ ଅଫ୍ ଚୂଡାନ୍ତ କରିବ । ଏହି ମ୍ୟାଚରେ ଭାରତ ତାର ଏକାଦଶରେ ପରିବର୍ତ୍ତନ କରିପାରେ । ଆହତ ରୋହିତ ଶର୍ମା ବିଶ୍ରାମ ନେଇ ପାରନ୍ତି । ତାଙ୍କ ସ୍ଥାନରେ ଶୁବମନ୍ ଗିଲ ଅଧିନାୟକତ୍ବ କରିପାରନ୍ତି । ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇପାରେ । ତେବେ ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ପ୍ଲେଇଙ୍ଗ ଇଲେଭେନରେ କିଛି ପରିବର୍ତ୍ତନ ହେବା ଅନୁମାନ କରାଯାଉଛି ।
ଅଧିନାୟକତ୍ବ କରିପାରନ୍ତି ଗିଲ୍- ଚାମ୍ପିଅନ୍ସ ଟ୍ରଫିରେ ଦୁଇଟି ମ୍ୟାଚ ଜିତି ଫୁଲ ଜୋସରେ ଅଛି ଟିମ୍ ଇଣ୍ଡିଆ ମାତ୍ର ଅଧିନାୟକଙ୍କୁ ଟିକେ ଚିନ୍ତା ରହିଛି । ନ୍ୟୁଜିଲାଣ୍ଡ ବିପକ୍ଷ ମ୍ୟାଚରେ ଭାରତୀୟ ଦଳର ନିୟମିତ ଅଧିକନାୟକ ରୋହିତ ଶର୍ମାଙ୍କୁ ବିଶ୍ରାମ ଦିଆଯାଇପାରେ । ତାଙ୍କ ସ୍ଥାନରେ ଦଳର କମାଣ ନେଇପାରନ୍ତି ଶୁବମନ୍ ଗିଲ । ହାର୍ମ ଷ୍ଟିଙ୍ଗ ଆହତ କାରଣରୁ ରୋହିତ ବିଶ୍ରାମ ନେଇପାରନ୍ତି । ତେଣୁ ତାଙ୍କ ବଦଳରେ ପ୍ରଥମ ଥର ପାଇଁ ଉପ-ଅଧିନାୟକରୁ ଅଧିନାୟକତ୍ବ ଦାୟିତ୍ବ ତୁଲାଇ ପାରନ୍ତି ଶୁବମନ୍ ଗିଲ ।
ସାମିଙ୍କ ଜାଗା ନେବେ ଏହି ପ୍ଲେୟାର- ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତ ପ୍ରମୁଖ ଖେଳାଳିଙ୍କୁ ବିଶ୍ରାମ ଦେବାକୁ ଯୋଜନା କରୁଛି । ଭାରତୀୟ ଦଳ ତାର ବୋଲିଂ ବିଭାଗରେ ୫ ସ୍ପିନରଙ୍କ ମଧ୍ୟରୁ କାହାକୁ ନେଇ ଖେଳିବ ଚୂଡାନ୍ତ କରିନାହିଁ । ରବୀନ୍ଦ୍ର ଜାଡେଜା, ଅକ୍ଷର ପଟେଲ୍, କୁଳଦୀପ ଯାଦବ, ୱାସିଂଟନ ସୁନ୍ଦର, ବରୁଣ ଚକ୍ରବର୍ତ୍ତୀଙ୍କ ମଧ୍ୟରୁ ଆଜି କିଏ ଖେଳିବ ତାହା ସ୍ପଷ୍ଟ ହୋଇନାହିଁ । ମହମ୍ମଦ ସାମିଙ୍କୁ ବିଶ୍ରାମ ଦିଆଯାଇପାରେ । ତାଙ୍କ ସ୍ଥାନରେ ଅର୍ଶଦୀପ ସିଂହ ପ୍ଲେଇଙ୍ଗ ଇଲେଭେନରେ ସାମିଲ ହୋଇପାରନ୍ତି । ସେହିପରି କୁଳଦୀପ ଯାଦବଙ୍କ ସ୍ଥାନରେ ବରୁଣ ଚକ୍ରବର୍ତ୍ତୀଙ୍କୁ ଏକାଦଶରେ ସୁଯୋଗ ମିଳିପାରେ ।
ଭାରତ-ନ୍ୟୁଜିଲାଣ୍ଡ ହେଡ୍ ଟୁ ହେଡ୍- ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ମୋଟ୍ ୧୧୮ଟି ଦିନିକିଆ ମ୍ୟାଚ ଖେଳାଯାଇଛି । ଭାରତ ୬୦ଟି ମ୍ୟାଚ ଜିତିଥିବାବେଳେ ନ୍ୟୁଜିଲାଣ୍ଡ ୫୦ଟି ମ୍ୟାଚ ଜିତିଛି । ୭ଟି ମ୍ୟାଚ ଫଳାଫଳ ଶୂନ୍ୟ ରହିଛି । ଗୋଟିଏ ଡ୍ର ହୋଇଛି । ରେକର୍ଡ ଦେଖିଲେ କିୱି ଦଳ ଉପରେ ଭାରତ ପଲ୍ଲା ଭାରି ରହିଛି । ଚାମ୍ପିଅନ୍ସ ଟ୍ରଫିରେ ୨୦୦୦ ମସିହାରେ ଏକ ମ୍ୟାଚ ଖେଳାଯାଇଥିଲା ଯାହାକୁ ୪ ୱିକେଟରେ ଜିତିଥିଲା କିୱି ଦଳ । ଆଜିର ମ୍ୟାଚ ଜିତି ୨୫ବର୍ଷ ପୁରୁଣା ପ୍ରତିଶୋଧ ନେବାକୁ ଲକ୍ଷ୍ୟ ରଖିଛି ଟିମ୍ ଇଣ୍ଡିଆ ।