ନୂଆଦିଲ୍ଲୀ, ୭/ : ଆରମ୍ଭ ହୋଇଯାଇଛି ଟି-୨୦ ବିଶ୍ବକପ । ନେଦରଲାଣ୍ଡ ବିପକ୍ଷ ମ୍ୟାଚରୁ ପାକିସ୍ତାନ ବିଜୟୀ ହୋଇ ଅଭିଯାନ ଆରମ୍ଭ କରିଛି । ୩ ଓ୍ବିକେଟରେ କଷ୍ଟରେ ମ୍ୟାଚ ଜିତିଛି ପଡ଼ୋଶୀ ଦେଶ । ଭାରତ ବିପକ୍ଷରେ ମ୍ୟାଚକୁ ବୟକଟ ପାଇଁ ଘୋଷଣା କରିଥିବା ପାକିସ୍ତାନ ଏବେ ନେବ ୟୁଟର୍ଣ୍ଣ । ଭାରତ ବିପକ୍ଷ ମ୍ୟାଚ ବର୍ଜନ ନିଷ୍ପତ୍ତିକୁ ବଦଳାଇବ ପାକିସ୍ତାନ । ପୁଣିଥରେ ଭାରତ ବିପକ୍ଷରେ କଲୋମ୍ବୋରେ ମ୍ୟାଚ ଖେଳିପାରେ ବୋଲି ସୂଚନା ମିଳିଛି ।
ମିଳିଥିବା ସୂଚନା ଅନୁସାରେ ପିସିବି କହିଛନ୍ତି କି, ସେମାନଙ୍କ ନିଷ୍ପତ୍ତି ପରିବର୍ତ୍ତନ ହୋଇପାରେ । ପାକିସ୍ତାନ ସରକାରଙ୍କ ସହ ପିସିବି ଏନେଇ ଆଲୋଚନା କରିବ । ଆସନ୍ତା ୧୫ ତାରିଖରେ ଭାରତ ବିପକ୍ଷରେ ମଇଦାନକୁ ଓହ୍ଲାଇବ ପାକିସ୍ତାନ । ପ୍ରଥମରୁ ଭାରତରେ ମ୍ୟାଚ ଖେଳିବାକୁ ମନା କରିଥିବା ପାକିସ୍ତାନ ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ ଖେଳିବା ପାଇଁ ସୂଚୀରେ ରହିଛି । ମାତ୍ର ଭାରତ ବିପକ୍ଷ ମ୍ୟାଚ ଖେଳିବାକୁ ମନା କରିବା ପରେ ଆଇସିସି ବହୁ କ୍ଷତି ସହିବ । ଏହାସହ ଶ୍ରୀଲଙ୍କାର ଭାବମୂତ୍ତି ଉପରେ ମଧ୍ୟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
ଶ୍ରୀଲଙ୍କା କ୍ରିକେଟ ବୋର୍ଡ ସଭାପତି ପାକିସ୍ତାନର ବୋର୍ଡ ସଭାପତି ନକଭିଙ୍କ ସହ ଏନେଇ କଥା ହୋଇଛନ୍ତି । ଯେଉଁ କାରଣରୁ ପାକିସ୍ତାନ ଏବେ ନିଜର ନିଷ୍ପତ୍ତିରେ ପରିବର୍ତ୍ତନ ଆଣିବ । ଏହାସହ ଏହି ମ୍ୟାଚ ଅନୁଷ୍ଠିତ ହେଲେ ଶ୍ରୀଲଙ୍କା ମଧ୍ୟ ଲାଭବାନ ହେବ । ଆଇସିସି ସହ ବୋର୍ଡମାନେ ମଧ୍ୟ ଲାଭ ପାଇବେ । ସେପଟେ ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ସାରା ବିଶ୍ବ ଚାହିଁ ରହିଛି । ପାକିସ୍ତାନ ନିଜର ପ୍ରଥମ ମ୍ୟାଚରେ କଷ୍ଟଦାୟକ ବିଜୟ ହାସଲ କରିଥିବାବେଳେ ଆଗାମୀ ମ୍ୟାଚ ଗୁଡ଼ିକରେ ପରାଜୟ ହେଲେ ପରବର୍ତ୍ତୀ ପର୍ଯ୍ୟାୟରେ ପହଞ୍ଚିବା ମଧ୍ୟ କଷ୍ଟ ହୋଇଯିବ ।
ଏହାସହ ପଢ଼ନ୍ତୁ : ପରାଜୟରୁ ଅଳ୍ପକେ ବର୍ତ୍ତିଲା ପାକିସ୍ତାନ; ନେଦରଲାଣ୍ଡସକୁ ହରାଇବାକୁ ସଂଘର୍ଷ କଲା, ଶେଷ ଓଭରରେ ଜିତିଲା