କଲମ୍ବୋ, ୧୫/୦୨: ସୁପର ସନ୍‌ଡେ'ରେ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ସବୁଠୁ ଚର୍ଚ୍ଚିତ ମୁକାବିଲା । ରାତ୍ରିରେ ଦୁଇ ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ହେବେ ସାମ୍ନା ସାମ୍ନି । ବିଗତ କିଛି ମାସ ଧରି ଲାଗି ରହିଥିବା ବିବାଦ ଏହି ମ୍ୟାଚର ଉତ୍କଣ୍ଠାକୁ ଦ୍ୱିଗୁଣା କରି ଦେଇଛି । ପୂର୍ବ ଆଇସିସି ଟୁର୍ଣ୍ଣାମେଣ୍ଟଗୁଡ଼ିକ ଭଳି ଭାରତ ଆଧିପତ୍ୟ ଜାରି ରଖିବାକୁ ପ୍ରସ୍ତୁତ । ନିରପେକ୍ଷ ଭେନ୍ୟୁରେ ଖେଳୁଥିବା ପାକିସ୍ତାନ ମଧ୍ୟ ସବୁ ପରାଜୟର ପ୍ରତିଶୋଧ ନେବାକୁ ଅପେକ୍ଷା କରିଛି । କଲମ୍ବୋ ସହରରେ ଉଭୟ ଭାରତ ଓ ପାକିସ୍ତାନ ସମର୍ଥକ ଏହି ମ୍ୟାଚକୁ ଉତ୍ସୁକତାର ସହ ଅପେକ୍ଷା କରି ରହିଛନ୍ତି । ମାତ୍ର ଲଘୁଚାପ ଜନିତ ବର୍ଷା ସବୁ ଉତ୍କଣ୍ଠାକୁ ପାଣିଚିଆ କରିବାର ଆଶଙ୍କା ରହିଛି ।

ଟି-ଟ୍ୱେଣ୍ଟି ଫର୍ମାଟ୍‌ରେ କୌଣସି ମ୍ୟାଚର ପୂର୍ବାନୁମାନ କରିବା ଅସମ୍ଭବ । ପୂର୍ବ ରେକର୍ଡ ଭାରତ ପକ୍ଷରେ ରହିଥିଲେ ହେଁ ଭାରତକୁ ହରାଇବା ଭଳି ପାକିସ୍ତାନ ନିକଟରେ ମଧ୍ୟ ଏକ ସନ୍ତୁଳିତ ଓ ଶକ୍ତିଶାଳୀ ଦଳ ରହିଛି । ଟି-ଟ୍ୱେଣ୍ଟି ବିଶ୍ୱକପ୍‌ରେ ଭାରତ ୭-୧ରେ ଆଗୁଆ ରହିଛି । ଅର୍ଥାତ ଉଭୟ ଦଳ ମଧ୍ୟରେ ୮ଟି ମ୍ୟାଚ ଖେଳାଯାଇଛି । କେବଳ ୨୦୨୧ ବିଶ୍ୱକପ୍‌ରେ ପାକିସ୍ତାନ ବିଜୟୀ ହୋଇଥିଲା । ବାକି ୭ଟି ମ୍ୟାଚରେ ଭାରତ ବିଜୟ ହାସଲ କରିଛି ।

ପାକିସ୍ତାନ ଦଳ ଏଥର ଶ୍ରୀଲଙ୍କାରେ ସମସ୍ତ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି । ଇତି ମଧ୍ୟରେ ପାକିସ୍ତାନ ୨ଟି ମ୍ୟାଚ ଖେଳି ସ୍ଥାନୀୟ ଜଳବାୟୁ ସହ ଖାପ ଖୁଆଇ ସାରିଛି । ତଥାପି ପାକିସ୍ତାନ ଆସନ୍ତାକାଲି ପିଚ୍ ଓ ଜଳବାୟୁର ଫାଇଦା ଉଠାଇବା ନିଶ୍ଚିତ ବୋଲି କହି ହେବ ନାହିଁ । କାରଣ ପାକିସ୍ତାନ ୨ଟି ମ୍ୟାଚ ଏସଏସଜି ଗ୍ରାଉଣ୍ଡ୍‌ରେ ଖେଳିଥିଲା । ଆଜି ପ୍ରେମଦାସା ଷ୍ଟାଡ଼ିୟମ୍‌ରେ ମ୍ୟାଚ ଖେଳାଯିବ । ଏହି ମ୍ୟାଚ ପାଇଁ ପ୍ରସ୍ତୁତ କରାଯାଇଥିବା ପିଚ୍ରେ ଗୋଟିଏ ମ୍ୟାଚ୍ ଖେଳ ସରିଛି । ଜିମ୍ବାୱେ ଦଳ ଦିନକ ତଳେ ଏହି ପିଚ୍‌ରେ ଅଷ୍ଟ୍ରେଲିଆକୁ ହରାଇଥିଲା ।

ଆହୁରି ପଢ଼ନ୍ତୁ :- ପାକିସ୍ତାନ ବିପକ୍ଷ ମ୍ୟାଚ୍ ପୂର୍ବରୁ ଏମିତି କହିଲେ ଭାରତୀୟ ଅଧିନାୟକ ସୂର୍ଯ୍ୟକୁମାର ଯାଦବ​​​​​​​

ଉଭୟ ଦଳର ସୁଦୃଢ଼ ବ୍ୟାଟିଂ ବିଭାଗକୁ ନେଇ ସମ୍ପ୍ରତି ଆଲୋଚନା କରାଯାଉଥିଲେ ହେଁ ଆସନ୍ତାକାଲି ସ୍ପିନରମାନେ ମ୍ୟାଚ ଫଳାଫଳ ନିର୍ଣ୍ଣୟ କରିବେ । ଫୋକସରେ ରହିଛନ୍ତି ଉଭୟ ଦଳର ସ୍ପିନର ବରୁଣ ଚକ୍ରବର୍ତ୍ତୀ ଓ ଉସମାନ ତାରିକ । ତାରିକଙ୍କ ବୋଲିଂ ଆକ୍ସନକୁ ନେଇ ଗତ କିଛି ଦିନ ଧରି ଜୋରଦାର ଚର୍ଚ୍ଚା ଚାଲିଛି । ହେଲେ ଭାରତୀୟ ଦଳ ତାଙ୍କୁ ସାମ୍ନା କରିବାକୁ ପ୍ରସ୍ତୁତ ରହିଥିବା ଆଜି ସୂର୍ଯ୍ୟକୁମାର ଯାଦବ ପ୍ରକାଶ କରିଛନ୍ତି ।

ଆଜି ଭାରତ ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ କରିବାର ସମ୍ଭାବନା ରହିଛି । ଓପନର ଅଭିଷେକ ଶର୍ମା ଫିଟ୍ ହୋଇ ଅଭ୍ୟାସ ଆରମ୍ଭ କରିଛନ୍ତି । ସେ ଖେଳିବା ଆଶା କରାଯାଉଛି। ଏହା ସମ୍ଭବ ହେଲେ ସଞ୍ଜୁ ସାମସନ ବାଦ୍ ପଡ଼ିବେ । ସେହିପରି ଭାରତ ଆଉ ଜଣେ ସ୍ପିନର ନେଇ ଗ୍ରାଉଣ୍ଡକୁ ଓହ୍ଲାଇ ପାରେ । ଫଳରେ ଅର୍ଶଦୀପ ସିଂହଙ୍କ ସ୍ଥାନରେ ୱାସିଂଟନ ସୁନ୍ଦର କିମ୍ବା କୁଲଦୀପ ଯାଦବ ଏକାଦଶରେ ସ୍ଥାନ ପାଇ ପାରନ୍ତି । ପାକିସ୍ତାନ ଏକାଦଶରେ ପରିବର୍ତ୍ତନ ସମ୍ଭାବନା ନାହିଁ । ତଥାପି ଉସମାନ ଖାନଙ୍କ ସ୍ଥାନରେ ଫଖାର ଜମାନଙ୍କୁ ଖେଳାଇବାକୁ ଟିମ ମ୍ୟାନେଜମେଣ୍ଟ ଚିନ୍ତା କରିପାରେ । ପିଚ୍ ସ୍ପିନରଙ୍କୁ ସହାୟତା କରିବା ନିଶ୍ଚିତ । କେବଳ ବର୍ଷା ଯାହା ଖେଳରେ ବାଧା ସୃଷ୍ଟି କରିବ । ଟସ ସେଭଳି ଗୁରୁତ୍ୱ ରଖିବ ନାହିଁ । ତଥାପି ଟସ ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଆଶା କରାଯାଉଛି ।

ସମ୍ଭାବ୍ୟ ଏକାଦଶ

ଭାରତ: ଅଭିଷେକ ଶର୍ମା/ସଞ୍ଜୁ ସାମସନ, ଇଶାନ କିଷନ, ତିଳକ ବର୍ମା, ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା, ଶିବମ ଦୁବେ, ରିଙ୍କୁ ସିଂହ, ଅକ୍ଷର ପଟେଲ, କୁଲଦୀପ ଯାଦବ/ ୱାସିଂଟନ ସୁନ୍ଦର, ଯଶପ୍ରୀତ ବୁମରା, ବରୁଣ ଚକ୍ରବର୍ତ୍ତୀ ।

ପାକିସ୍ତାନ: ସାହିବଜାଦା ଫରହାନ, ସାଏମ ଆୟୂବ, ସଲମାନ ଆଘା, ବାବର ଆଜମ, ଶଦାବ ଖାନ, ମହମ୍ମଦ ନୱାଜ, ଉସମାନ ଖାନ, ଫହିମ ଅସ୍ରଫ, ସହିନ ଆଫ୍ରିଦି, ଉସମାନ ତାରିକ, ଅବରାର ଅହମ୍ମଦ ।