କଟକ : କଟକର ବାରବାଟୀ ଷ୍ଟାଡିୟମରେ ଆଜି (ମଙ୍ଗଳବାର) ଭାରତ- ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ଟି ମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ପ୍ରଥମ ମ୍ୟାଚ୍ ଖେଳା ଯାଉଛି। ପ୍ରଥମେ ବ୍ୟାଟିଂ କରି ଟିମ୍ ଇଣ୍ଡିଆ ୬ ୱିକେଟ୍‌ରେ ୧୭୫ ରନ୍ କରିଛି । ଦକ୍ଷିଣ ଆଫ୍ରିକାକୁ ଦେଇଛି ୧୭୬ ରନ୍‌ର ଟାର୍ଗେଟ୍।

ଏହି ଟି-୨୦ ସିରିଜ୍ ଦୁଇ ମାସ ପରେ ଆରମ୍ଭ ହେବାକୁ ଥିବା ଟି-୨୦ ବିଶ୍ୱକପ୍‌ର ପ୍ରସ୍ତୁତ ନେଇ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ ମନେକରାଯାଉଛି। ଏହି ମୁକାବିଲାରେ ସାଉଥ୍ ଆଫ୍ରିକାର ଅଧିନାୟକ ଏଡେନ ମାର୍କରନ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲେ। ଭାରତ ପ୍ରଥମେ ବ୍ୟାଟିଂ କରିଥିଲା।

କଟକ ଟି-୨୦ରେ ଭାରତର ପ୍ରାରମ୍ଭିକ ଖୁବ୍ ଖରାପ ରହିଥିଲା ଏବଂ ଶୁଭମନ ଗିଲ୍ ମାତ୍ର ୪ ରନ୍ କରି ପ୍ରଥମ ଓୋଭରରେ ଲୁଙ୍ଗି ଏନଗିଡିଙ୍କ ବଲ୍ରେ ଆଉଟ୍ ହୋଇଥିଲେ। କିଛି ସମୟ ପରେ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ମଧ୍ୟ ୧୧ ରନ୍ରେ ଲୁଙ୍ଗିଙ୍କ ବଲ୍ର ଶିକାର ହୋଇଥିଲେ। ୬ ଓଭର ପରେ ଭାରତର ସ୍କୋର ୪୦-୨ ଥିଲା। ୭ମ ଓଭରରେ ଭାରତକୁ ୩ୟ ଝଟକା ଲାଗିଥିଲା, ଯେବେ ଅଭିଷେକ ଶର୍ମା ୧୭ ରନ୍ କରି ଆଉଟ୍ ହୋଇଥିଲେ। ଏହାପରେ ତିଳକ ବର୍ମା ଓ ଅକ୍ଷର ପଟେଲଙ୍କ ମଧ୍ୟରେ ପାର୍ଟନରସିପ୍ ଆଗେଇ ଚାଲୁଥିଲା, କିନ୍ତୁ ୧୨ତମ ଓଭରରେ ତିଳକ ବର୍ମା ୨୬ ରନ୍ କରି ଆଉଟ୍ ହୋଇଥିଲେ। ୧୪ ତମ ଓଭରରେ ଭାରତକୁ ୫ମ ଝଟକା ଲାଗିଥିଲା ,ଯେବେ ଅକ୍ଷର ପଟେଲ ୨୩ ରନ୍‌ରେ ଆଉଟ୍ ହୋଇଥିଲେ।

ଏହାପରେ ହାର୍ଦ୍ଦିକ ପାଣ୍ଡ୍ୟା ଓ ଶିବମ ଦୁବେଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ହୋଇଥିଲା। ଉଭୟଙ୍କ ମଧ୍ୟରେ ୧୯ ଟି ବଲ୍ରେ ୩୩ ରନ୍ର ପାର୍ଟନରସିପ୍ ହୋଇଥିଲା। କିନ୍ତୁ ୧୮ ତମ ଓଭରରେ ଶିବମ ଦୁବେ ଆଉଟ୍ ହୋଇଥିଲେ। ଶିବମ ୧୧ ରନ୍ କରି ଥିଲେ। ହାର୍ଦ୍ଦିକ ପାଣ୍ଡ୍ୟା ୨୫ଟି ବଲ୍‌ରେ ନିଜର ଫିଫ୍ଟି ପୂରା କରି ଥିଲେ। ହାର୍ଦ୍ଦିକ ୨୮ଟି ବଲ୍‌ରେ ଅପରାଜେୟ ୫୯ ରନ୍‌ର ଇଂନିସ୍ ଖେଳିଥିଲେ। ତାଙ୍କ ଦ୍ୱାରା ଭାରତ ଦକ୍ଷିଣ ଆଫ୍ରିକା ସାମ୍ନାରେ ୧୭୬ରନ୍‌ର ଏକ ଲକ୍ଷ୍ୟ ରଖି ପାରିଥିଲା।