ଅହମ୍ମଦାବାଦ,୧୯/୧୨: ଭାରତ ପାଞ୍ଚ ମ୍ୟାଚ୍ ବିଶିଷ୍ଟ ଟି-୨୦ରେ ଦକ୍ଷିଣ ଆଫ୍ରିକାକୁ ୩୦ ରନରେ ପରାସ୍ତ କରି ସିରିଜରେ ୩-୧ ବିଜୟ ହାସଲ କରିଛି। ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ପ୍ରଥମ ଇନିଂସରେ ୨୩୧ ରନର ବିଶାଳ ସ୍କୋର କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ନିର୍ଦ୍ଧାରିତ ୨୦ ଓଭରରେ କେବଳ ୨୦୧ ରନ କରିପାରିଛି। ହାର୍ଦ୍ଦିକ ପାଣ୍ଡ୍ୟା ୧୬ ବଲରେ ଅର୍ଦ୍ଧଶତକ ହାସଲ କରିଥିବା ବେଳେ ବରୁଣ ଚକ୍ରବର୍ତ୍ତୀ ସର୍ବାଧିକ ୪ଟି ଓ୍ବିକେଟ ନେଇ ଭାରତର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି।

ଏହି ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ବୋଲିଂ ନିଷ୍ପତ୍ତି ନେଇଥିଲା, ଯାହାକି ସେମାନଙ୍କ ପାଇଁ ବୁମରାଂ ସାବ୍ୟସ୍ତ ହୋଇଥିଲା। ଶୁଭମନ ଗିଲ୍ଙ୍କ ଅନୁପସ୍ଥିତିରେ, ସଞ୍ଜୁ ସାମସନ୍ ଅଭିଷେକ ଶର୍ମାଙ୍କ ସହ ଇନିଂସ୍ ଓପନ କରିଥିଲେ। ସାମସନ୍ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସମଗ୍ର ସିରିଜ୍ର ପ୍ରଥମ ମ୍ୟାଚ୍ ଖେଳିବାର ସୁଯୋଗ ପାଇଥିଲେ ଏବଂ ସେ ୨୨ ବଲ୍ରେ ୩୭ ରନ୍ କରିଥିଲେ। ଅଭିଷେକ ଶର୍ମା ମଧ୍ୟ ୩୪ ରନ୍ କରିଥିଲେ।

ହାର୍ଦ୍ଦିକ-ତିଲକଙ୍କ ପରେ,ଘାଇଲା କରିଥିଲା ଘାତକ ବୋଲିଂ:

ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଚମ ଟି-୨୦ରେ ୨୫ ବଲରେ ୬୩ ରନ୍ କରିଥିଲେ। ସେ ୧୬ ବଲ୍ ରେ ତାଙ୍କର ଅର୍ଦ୍ଧଶତକ ପୂରଣ କରିଥିଲେ। ଟି-୨୦ ଇତିହାସରେ ଏହା ଜଣେ ଭାରତୀୟ ବ୍ୟାଟର ଦ୍ୱାରା ଦ୍ୱିତୀୟ ଦ୍ରୁତତମ ଅର୍ଦ୍ଧଶତକ ଥିଲା। ତିଲକ ବର୍ମା ମଧ୍ୟ ୪୨ ବଲ୍ ରେ ୭୩ ରନ୍ କରି ଭାରତକୁ ୨୩୧ ରନ୍ ରେ ପହଞ୍ଚାଇଥିଲେ। ୨୩୨ ରନର ଟାର୍ଗେଟକୁ ପିଛା କରି ଦକ୍ଷିଣ ଆଫ୍ରିକା କ୍ୱିଣ୍ଟନ ଡି କକ୍ ସହିତ ଏକ ଚମତ୍କାର ଶୁଭାରମ୍ଭ କରିଥିଲା। ହେଣ୍ଡ୍ରିକ୍ସ ମାତ୍ର ୧୩ ରନ କରି ଆଉଟ ହୋଇଥିଲେ, କିନ୍ତୁ ଡି କକ୍ ଙ୍କ ବିସ୍ଫୋରକ ବ୍ୟାଟିଂ ପାଇଁ ଦକ୍ଷିଣ ଆଫ୍ରିକା ପାୱାରପ୍ଲେରେ କୌଣସି ୱିକେଟ ନ ହରାଇ ୬୭ ରନ କରିଥିଲା।

ମ୍ୟାଚ୍ ଓଲଟାଇଦେଲେ ବୁମ୍ରା:

ଦକ୍ଷିଣ ଆଫ୍ରିକା ୧୦ ଓଭରରେ ୧୧୮ ରନରେ ପହଞ୍ଚିଥିଲା, କିନ୍ତୁ ୧୧ତମ ଓଭରରେ ଜସପ୍ରିତ ବୁମରାହ ଡି କକଙ୍କୁ ତାଙ୍କ ନିଜ ବୋଲିଂରେ କ୍ୟାଚ୍ ଦେଇ ତାଙ୍କୁ ୬୫ ରନରେ ଆଉଟ କରିଥିଲେ। ଡି କକ ୩୫ ବଲରେ ୬୫ ରନ କରିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକାର ରନ ହାର ମନ୍ଥର ହେବାକୁ ଲାଗିଲା। ଡି କକଙ୍କ ଆଉଟ ହେବା ପରେ, ଆଫ୍ରିକା ପରବର୍ତ୍ତୀ ପାଞ୍ଚ ଓଭରରେ କେବଳ ୩୮ ରନ କରିପାରିଥିଲା ଏହିପରି ଭାବରେ ୫ ମ୍ୟାଚ୍ ବିଶିଷ୍ଟ ଟି୨୦ ସିରିଜ୍କୁ ହାତେଇବାରେ ସଫଳ ହୋଇଥିଲା ଭାରତ।ବରୁଣଙ୍କ ଚକ୍ରବ୍ୟୁହରେ ଫସିଲା ଦକ୍ଷିଣ ଆଫ୍ରିକା: 
ବରୁଣ ଚକ୍ରବର୍ତ୍ତୀ ଭାରତର ସବୁଠାରୁ ସଫଳ ବୋଲର ସାବ୍ୟସ୍ତ ହୋଇଛନ୍ତି। ସେ ଚାରି ଓଭରରେ ୫୩ ରନ ଦେଇ ଚାରି ଜଣ ଦକ୍ଷିଣ ଆଫ୍ରିକୀୟ ବ୍ୟାଟରଙ୍କୁ ଆଉଟ୍ କରିଥିଲେ। ବରୁଣ ତାଙ୍କ ସ୍ପେଲର ଶେଷ ଓଭରରେ ତିନୋଟି ଛକା ସହିତ ୨୧ ରନ ଦେଇଥିଲେ। ଉଲ୍ଲେଖନୀୟ ଯେ ବରୁଣ ଚକ୍ରବର୍ତ୍ତୀ ଏହି ବର୍ଷ ଟି-୨୦ରେ ସର୍ବାଧିକ ୱିକେଟ୍ ନେଇଥିବା ବୋଲର ହୋଇଛନ୍ତି।