ଜୋହାନ୍ସବର୍ଗ,୧୬/୧୧: ଦକ୍ଷିଣ ଆଫ୍ରିକା ଓ ଭାରତ  ମଧ୍ୟରେ ଆଜି ଅନୁଷ୍ଠିତ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ  ୧୩୫ ରନ୍‌ରେ ବିଜୟ ହାସଲ କରି ୩-୧ରେ ସିରିଜ କବ୍‌ଜା  କରିଛି । ଭାରତୀୟ ଦଳ ଏହି ମ୍ୟାଚ୍‌ରେ ଅନେକ ରେକର୍ଡ ସ୍ଥାପନ  କରିଥିଲା । ଦ୍ୱିତୀୟ ସର୍ବାଧିକ ରନ୍‌ ଠାରୁ ଆରମ୍ଭ କରି ସର୍ବବୃହତ୍‌  ଭାଗିଦାରୀ ଭଳି ଅନେକ ରେକର୍ଡ ସ୍ଥାପନ ହୋଇଥିଲା।

୨୩ ଛକା,  ୮୬ ବଲ୍‌ରେ ୨୧୦ ରନ୍‌ର ଭାଗିଦାରୀ, ଓଭର  ପିଛା ୧୪.୧୫ ହାରରେ ୨୮୩ ରନ୍‌ । ମାତ୍ର ୨୦  ଓଭରର ଇନିଂସ ମଧ୍ୟରେ ଏଭଳି ବିଧ୍ୱଂସୀ ବ୍ୟାଟିଂକୁ  ସହଜରେ ବିଶ୍ୱାସ କରିହେବ ନାହିଁ । ୱାଣ୍ଡରର୍ସ  ଷ୍ଟାଡ଼ିୟମ୍‌ରେ ଅବିଶ୍ୱସନୀୟ ବ୍ୟାଟିଂ ପ୍ରଦର୍ଶନ  କରି ଦର୍ଶକଙ୍କ ହୋସ୍‌ ଉଡ଼ାଇ ଦେଇଥିଲା ଯୁବ  ଟିମ୍‌ ଇଣ୍ଡିଆ । ଘରୋଇ ଦକ୍ଷିଣ ଆଫ୍ରିକା ବିପକ୍ଷରେ  ଅନୁଷ୍ଠିତ ଚତୁର୍ଥ ଟି-ଟ୍ୱେଣ୍ଟି ମୁକାବିଲାରେ ଭାରତ  ୧୩୫ ରନ୍‌ରେ ବିଶାଳ ବିଜୟ ହାସଲ କରିଥିଲା ।  ଏଥିସହ ଦଳ ୩-୧ରେ ସିରିଜ ବିଜୟୀ ହୋଇଥିଲା ।  ସଞ୍ଜୁ ସାମସନ ଓ ତିଲକ୍  ବର୍ମାଙ୍କ ବିସ୍ଫୋରକ ଶତକ  ବଳରେ ଭାରତ ଏହି ମ୍ୟାଚ୍‌ରେ ୧ ୱିକେଟ୍‌ ହରାଇ  ୨୮୩ ରନ୍‌ ସଂଗ୍ରହ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୧୮.୨ ଓଭରରେ ୧୪୮ ରନ୍‌ କରି ଅଲ୍‌  ଆଉଟ୍‌ ହୋଇଯାଇଥିଲା । ତିଳକ ଉଭୟ ପ୍ଲେୟାର  ଅଫ୍‌ ଦ ମ୍ୟାଚ୍‌ ଓ ସିରିଜ ବିବେଚିତ ହୋଇଥିଲେ । 

ଟସ୍‌ ଜିତି ଭାରତ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଓ  ଆରମ୍ଭ ହୋଇଥିଲା ବିଧ୍ୱଂସୀ ବ୍ୟାଟିଂ । ଅଭିଷେକ ଶର୍ମା  ଓ ସଞ୍ଜୁ ସାମସନ ଛକା ଓ ଚୌକାରେ ପ୍ରତ୍ୟୁତ୍ତର  ଦେଇଥିଲେ । ୫.୪ ଓଭରରେ ଦଳୀୟ ସ୍କୋର  ୭୩ରେ ପହଞ୍ଚି ଯାଇଥିଲା । ଲୁଥୋ ସିମ୍ପାଲା ପରବର୍ତ୍ତୀ  ବଲ୍‌ରେ ଅଭିଷେକଙ୍କୁ ଆଉଟ୍‌ କରିଥିଲେ । ସେ ୧୮ଟି  ବଲ୍‌ରୁ ୨ଚୌକା ଓ ୪ ଛକା ବଳରେ ୩୬ ରନ୍‌  କରି ଆଉଟ୍‌ ହୋଇଥିଲେ । ଏହା ପରେ ଗ୍ରାଉଣ୍ଡକୁ  ଓହ୍ଲାଇଥିଲେ ତିଳକ ବର୍ମା । ସେଞ୍ଚୁରୀୟନ୍‌ରେ ଶତକ  ଅର୍ଜନ କରିଥିବା ତିଲକ୍  ଅପରାଜିତ ସାମସନଙ୍କ ସହ  ତାଳ ଦେଇ ଧୂଆଁଧାର ବ୍ୟାଟିଂ କରିଥିଲେ । 

ଉଭୟଙ୍କ  ନିର୍ମମ ପ୍ରହାରରେ ୱାଣ୍ଡରର୍ସ କମ୍ପି ଥିଲା । ଉଭୟଙ୍କୁ ଅଟକାଇବା ଅସମ୍ଭବ ମନେ ହୋଇଥିଲା ।  ବୋଲରମାନେ ଲୟ ହରାଇଥିଲେ । ଫିଲ୍ଡରଙ୍କ ଧୈର୍ଯ୍ୟ  ଭାଙ୍ଗି ସାରିଥିଲା । ଶତକ ନିକଟତର ହେବା ବେଳକୁ  ତିଳକ ଓ ସାମସନ କିଛି ତ୍ରୁଟିପୂର୍ଣ୍ଣ ସଟ୍‌ ଖେଳିଥିଲେ।  ହେଲେ ଘରୋଇ ଦଳ ସବୁ କ୍ୟାଚ୍‌ ହାତଛଡ଼ା କରିଥିଲା ।  ପ୍ରଥମେ ସଞ୍ଜୁ ଓ ପରେ ପରେ ତିଳକ ଶତକ ପୂରଣ  କରିଥିଲେ ଓ ଶେଷ ପର୍ଯ୍ୟନ୍ତ ଅପରାଜିତ ରହି ଦଳୀୟ  ସ୍କୋରକୁ ୨୮୩ରେ ପହଞ୍ଚାଇଥିଲେ । ସଞ୍ଜୁ ୫୬ଟି  ବଲ୍‌ରୁ ୬ଚୌକା ଓ ୯ଛକା ବଳରେ ୧୦୯ ଓ ତିଳକ  ୪୭ଟି ବଲ୍‌ରୁ ୯ଚୌକା ଓ ୧୦ ଛକା ବଳରେ ୧୨୦  ରନ୍‌ର ଇନିଂସ ଖେଳିଥିଲେ । ସେ ମଧ୍ୟ ସାମସନଙ୍କ  ପରି କ୍ରମାନ୍ୱୟରେ ୨ଟି ଶତକ ଅର୍ଜନ କରିଥିଲେ । 

୧୨୦ଟି ବଲ୍‌ରେ ୨୮୪ ରନ୍‌ର ଲକ୍ଷ୍ୟ ଦେଖି  ଘରୋଇ ଦଳ ଧୈର୍ଯ୍ୟ ହରାଇ ସାରିଥିଲା । ୧୦ ରନ୍‌  ମଧ୍ୟରେ ଦଳ ୪ଟି ୱିକେଟ ହରାଇଥିଲା । ଏଥରୁ  ୩ଟି ୱିକେଟ୍‌ ନେଇଥିଲେ ଅର୍ଶଦୀପ ସିଂହ । ରିଜା  ହେଣ୍ଡରିକ୍ସ ଓ ହେନରିକ୍‌ କ୍ଲାସେନ ଖାତା ଖୋଲି  ପାରିନଥିଲେ । ର‌୍ୟାନ୍‌ ରିକେଲଟନ୍‌ ୧ ଓ ଆଡେନ  ମାରକ୍ରମ ୮ରନ୍‌ କରି ପାଭିଲିୟନ ଫେରିଥିଲେ ।  ଏହାପରେ ଟ୍ରିଷ୍ଟନ ଷ୍ଟବ୍ସ ଓ ଡେଭିଡ୍‌ ମିଲର କିଛି  ଦର୍ଶନୀୟ ସଟ୍‌ ଖେଳି ୮୬ ରନ ସଂଗ୍ରହ କରିଥିଲେ ।  ଦଳୀୟ ସ୍କୋର ୯୬ ବେଳେ ମିଲରଙ୍କୁ ଆଉଟ୍‌  କରିଥିଲେ ବରୁଣ ଚକ୍ରବର୍ତ୍ତୀ । ସେ ୩୬ (୨ଚୌକା,  ୩ଛକା) ରନ୍‌ କରିଥିଲେ । ପର ଓଭରରେ ଷ୍ଟବ୍ସଙ୍କୁ  ପାଭିଲିୟନ ପଠାଇଥିଲେ ରବି ବିଷ୍ଣୋଇ । ବିସ୍ଫୋରକ  ବ୍ୟାଟିଂ କରୁଥିବା ଷ୍ଟବ୍ସ ୨୯ଟି ବଲ୍‌ରୁ ୪୩ (୩ଚୌକା,  ୨ଛକା) ରନ୍‌ କରି ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ ।  

୬ଟି ୱିକେଟ୍‌ ହରାଇବା ପରେ ଦକ୍ଷିଣ ଆଫ୍ରିକାର  ପରାଜୟ ନିଶ୍ଚିତ ହୋଇସାରିଥିଲା । କେବଳ ମାର୍କୋ  ଜାନସେନ କିଛି ଦର୍ଶନୀୟ ସଟ୍‌ ଖେଳି ମନୋରଞ୍ଜନ  କରାଇଥିଲେ । ଶେଷରେ ୧୦ଟି ବଲ୍‌ ବାକି  ଥାଇ ଦକ୍ଷିଣ ଆଫ୍ରିକା ଅଲ୍‌ ଆଉଟ୍‌ ହୋଇଥିଲା ।  ଜାନସେନ ୨୯ ରନ୍‌ କରି ଅପରାଜିତ ରହିଥିଲେ ।