କଟକ/ଭୁବନେଶ୍ୱର,୦୯/୧୨: ଦକ୍ଷିଣ ଆଫ୍ରିକା ଅଧିନାୟକ ଆଡେନ ମାରକ୍ରମ କହିଥିଲେ, ‘ଟି-ଟ୍ୱେଣ୍ଟି କ୍ରିକେଟ ହେଉଛି ମନୋରଞ୍ଜନର ଫର୍ମାଟ । ଆମେ ଚାହୁଁଛୁ, ଆମ ଖେଳାଳି ଚାପ ମୁକ୍ତ ହୋଇ ଖେଳନ୍ତୁ ଏବଂ ଖେଳକୁ ଉପଭୋଗ କରନ୍ତୁ । ସେମାନେ ସେମାନଙ୍କର ଶ୍ରେଷ୍ଠ କୌଶଳ ଦେଖାନ୍ତୁ । ଆଶା କରୁଛି ଯଦି ଆମେ ଦଳଗତ ଶ୍ରେଷ୍ଠ ପ୍ରଦର୍ଶନ ଦେଉ, ତେବେ ଫଳାଫଳ ଭଲ ରହିବ ।
ଦକ୍ଷିଣ ଆଫ୍ରିକା ସିରିଜରେ ଆଉ ଗୋଟିଏ ଟି-ଟ୍ୱେଣ୍ଟି ଜିତିଲେ ଭାରତ ବିପକ୍ଷରେ ସବୁଠୁ ସଫଳ ଦଳ ହେବ । ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ୧୨ଟି ଲେଖାଏଁ ମ୍ୟାଚ ଭାରତ ବିପକ୍ଷରେ ଜିତିଛନ୍ତି । ଦକ୍ଷିଣ ଆଫ୍ରିକା ଜିତିଲେ ଉଭୟ ଦଳକୁ ପଛରେ ପକାଇବ ।
ଆଉ ଗୋଟିଏ ୱିକେଟ୍ ହାସଲ କଲେ ଯଶପ୍ରୀତ ବୁମରା (୯୯) ଓ ୨ଟି ୱିକେଟ୍ ନେଲେ ହାର୍ଦ୍ଦିକ ପାଣ୍ଡ୍ୟା (୯୮) ଅନ୍ତର୍ଜାତୀୟ ଟି-ଟ୍ୱେଣ୍ଟିରେ ୧୦୦ ୱିକେଟ୍ ପୂରଣ କରିବେ । ଏକମାତ୍ର ଭାରତୀୟ ଭାବେ କେବଳ ଅର୍ଶଦୀପ ସିଂ ୧୦୫ଟି ୱିକେଟ୍ ନେବାରେ ସଫଳ ହୋଇଛନ୍ତି ।
ତିଳକ ବର୍ମା ଓ ସଞ୍ଜୁ ସାମସନ ୧୦୦୦ ରନ କ୍ଲବର ନିକଟତର ହୋଇଛନ୍ତି । ତିଳକ ଆଉ ୪ ରନ୍ ଏବଂ ସଞ୍ଜୁ ୫ ରନ୍ କଲେ ଏହି କ୍ଲବରେ ସାମିଲ ହେବେ।