ଭୁବନେଶ୍ୱର,୦୬/୧୨: ବିଶାଖାପଟନମରେ ଶନିବାର ଅନ୍ତିମ ଦିନିକିଆ ଶେଷ ହେବାପରେ ଆସନ୍ତା ୯ ତାରିଖରୁ କଟକରୁ ଭାରତ-ଦକ୍ଷିଣ ଆଫ୍ରିକା ଟି-ଟ୍ୱେଣ୍ଟି ସିରିଜ ଆରମ୍ଭ ହେବ। ତେଣୁ ଶୁକ୍ରବାରଠୁ ଦକ୍ଷିଣ ଆଫ୍ରିକା ଦଳର ୫ ଜଣ ଖେଳାଳି ଭୁବନେଶ୍ୱର ପହଞ୍ଚିଛନ୍ତି । ସେମାନେ ହେଲେ ତ୍ରିସ୍ତନ ଷ୍ଟବ୍ସ, ଡୋନୋଭାନ ଫେରେଇରା, ରେଜା ହେଣ୍ଡ୍ରିକ୍ସ, ଜର୍ଜ ଲିଣ୍ଡେ ଓ ଡେଭିଡ୍ ମିଲର । ସମସ୍ତ ଖେଳାଳିଙ୍କୁ ଆଜି ସନ୍ଧ୍ୟାରେ ବିମାନବନ୍ଦରରେ ଭବ୍ୟ ସ୍ୱାଗତ କରାଯାଇ କଡ଼ା ସୁରକ୍ଷା ମଧ୍ୟରେ ହୋଟେଲ ମେ’ ଫେୟାରକୁ ନିଆଯାଇଥିଲା ।
ଯାହା ସୂଚନା ରହିଛି, ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଟି-ଟ୍ୱେଣ୍ଟି ଅଧିନାୟକ ସୂର୍ଯ୍ୟକୁମାର ଯାଦବ ଆଜି ସନ୍ଧ୍ୟାରେ ପହଞ୍ଚିବାର କାର୍ଯ୍ୟକ୍ରମ ରହିଥିଲା । କିନ୍ତୁ ବିମାନ ବାତିଲ ହୋଇଯିବାରୁ ସେମାନେ ଆସିପାରି ନଥିଲେ । ଆସନ୍ତାକାଲି ସେମାନେ ଭୁବନେଶ୍ୱର ପହଞ୍ଚିବାର କାର୍ଯ୍ୟକ୍ରମ ରହିଛି । ଦକ୍ଷିଣ ଆଫ୍ରିକା ଖେଳାଳି ଆଜି ଅଭ୍ୟାସ କରିବେ କି ନାହିଁ ତାହା ଜଣା ପଡ଼ି ନାହିଁ ।
ଯଦି ସେମାନେ ଅଭ୍ୟାସ କରନ୍ତି, ତେବେ ଭୁବନେଶ୍ୱରରେ କରିବେ ନା କଟକ ଯିବେ ସେ ବିଷୟରେ ମଧ୍ୟ କିଛି ସୂଚନା ନାହିଁ । ଆଜି ଦିନିକିଆ ସିରିଜର ନିର୍ଣ୍ଣାୟକ ମ୍ୟାଚ ଖେଳାଯିବ । ଯିଏ ବିଜୟୀ ହେବ ସେହି ଦଳ ସିରିଜ ଜିତିବ । ପୂର୍ବରୁ ଦକ୍ଷିଣ ଆଫ୍ରିକା ଟେଷ୍ଟ ସିରିଜ ୨-୦ରେ ବିଜୟୀ ହୋଇଥିଲା । କଟକରେ ଟି-ଟ୍ୱେଣ୍ଟି ସିରିଜର ପ୍ରଥମ ମ୍ୟାଚ ଖେଳାଯିବ । ପରବର୍ତ୍ତୀ ୪ଟି ମ୍ୟାଚ ୧୧, ୧୪, ୧୭ ଓ ୧୯ ତାରିଖରେ ଖେଳାଯିବାର ସୂଚୀ ରହିଛି ।