କଟକ,୨୫/୦୭: ଓଡ଼ିଶାରେ ବୈଦ୍ୟୁତିକ ଯାନ (ଇଭି) ଗତିଶୀଳତାକୁ ବଡ଼ ପ୍ରୋତ୍ସାହନ ଯୋଗାଇ ଦେବା ଲାଗି ଭାରତ ସରକାରଙ୍କ ଭାରୀ ଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ୪୦ କୋଟି ୫୦ ଲକ୍ଷ ୭୫ ହଜାର ୭୪୦ ଟଙ୍କାର ଅନୁଦାନ ମଞ୍ଜୁର କରାଯାଇଛି । ଏହି ଅର୍ଥରେ ସାର୍ବଜନୀନ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା କରାଯିବ । ପିଏମ୍ ଇ-ଡ୍ରାଇଭ୍ ଯୋଜନାରେ ଏହି ଅର୍ଥ ପ୍ରଦାନ କରାଯାଇଛି ।

ପରିବେଶ ସୁରକ୍ଷା ଓ ଇନ୍ଧନ ସଞ୍ଚୟ ପାଇଁ ସାରା ଦେଶରେ ଏବେ ବୈଦ୍ୟୁତିକ ଯାନ (ଇଭି) ବ୍ୟବହାର ନେଇ ଅଭୂତପୂର୍ବ ଉତ୍ସାହ ସୃଷ୍ଟି ହୋଇଛି । ଫଳରେ ଗତ ଜୁନ ମାସରେ ସାରା ଦେଶ ମଧ୍ୟରେ ଓଡ଼ିଶାରେ ସର୍ବାଧିକ ଇଭି ବିକ୍ରି ହୋଇଥିବା ରେକର୍ଡ ରହିଛି । ଓଡ଼ିଶାରେ ‘ପିଏମ୍ ଇ-ଡ୍ରାଇଭ୍' ଯୋଜନା ରୂପାୟନ ପାଇଁ ରାଜ୍ୟ ପରିବହନ ପ୍ରାଧିକରଣକୁ ନୋଡାଲ ଏଜେନ୍ସି ଭାବେ ମନୋନୀତ କରାଯାଇଛି । ଏହି ଯୋଜନା ଅଧୀନରେ ଆଥି ର୍କ ସହାୟତା ପାଇଁ ଏସ୍‌ଟଏ ଦ୍ୱାରା ଦାଖଲ ହୋଇଥିବା ପ୍ରସ୍ତାବକୁ ଭାରୀ ଶିଳ୍ପ ମନ୍ତ୍ରଣାଳୟ ଅନୁମୋଦନ କରିଛି । ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟରେ ଓଡ଼ିଶାର ୬ଟି ସହରର ୧୭୦ଟି ସ୍ଥାନରେ ପବ୍ଲିକ ଇଭି ଚାର୍ଜିଂ ଷ୍ଟେସନ ଓ ଏଥିରେ ୬୮୮ଟି ଇଭି ଚାର୍ଜର ଏବଂ ୪ଟି ବ୍ୟାଟେରୀ ସ୍ୱାପିଂ ଷ୍ଟେସନ୍ ସ୍ଥାପନ କରାଯିବ । ଇଭି ଚାର୍ଜିଂ ସୁବିଧା ସହଜରେ ଉପଲବ୍ଧ କରାଇବା ପାଇଁ ବିଭିନ୍ନ ସରକାରୀ ଦପ୍ତର ପରିସର, ପ୍ରମୁଖ ସଡ଼କ, ପାର୍କିଂ ସ୍ଥାନ, ରେଳଷ୍ଟେସନ୍, ହସ୍ପିଟାଲ୍, ଶିକ୍ଷାନୁଷ୍ଠାନ, ପୁଲିସ ପ୍ରତିଷ୍ଠାନ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସାର୍ବଜନୀନ ସ୍ଥାନଗୁଡ଼ିକୁ ପ୍ରସ୍ତାବିତ ସ୍ଥାନ ଭାବେ ଅନ୍ତର୍ଭୁକ୍ତ କରାଯାଇଛି ।

ଅଧିକ ପଢ଼ନ୍ତି :-  Textbook Error : ବହି ତ୍ରୁଟିକୁ ନେଇ ବଡ଼ ଅପଡେଟ୍ ; ଘରୋଇ ଫାର୍ମକୁ ସଂଶୋଧନ ଦାୟିତ୍ୱ, ବାରମ୍ବାର ବିଶେଷଜ୍ଞଙ୍କ ଦ୍ୱାରା ହେବ ସମୀକ୍ଷା

‘ପିଏମ୍ ଇ-ଡ୍ରାଇଭ୍' ଯୋଜନାର କାର୍ଯ୍ୟକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ, ଅନୁମୋଦିତ ଆର୍ଥିକ ସହାୟତା ମଧ୍ୟରେ ଅପଷ୍ଟ୍ରିମ୍ ବୈଦ୍ୟୁତିକ ଭିତ୍ତିଭୂମି ଏବଂ ଇଭି ଯୋଗାଣ ଉପକରଣ ଉଭୟ ପାଇଁ ସହାୟତା ଅନ୍ତର୍ଭୁକ୍ତ ରହିଛି । ଏସ୍‌ଟିଏ ଏହି ଯୋଜନାର ନିର୍ଦ୍ଦେଶାବଳୀ ଅନୁସାରେ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବ ଏବଂ ଭାରୀ ଶିଳ୍ପ ମନ୍ତ୍ରଣାଳୟ ଦ୍ୱାରା ବିକଶିତ ‘ନାସନାଲ୍ ୟୁନିଫାଇଡ୍ ହବ୍' ସହିତ ପରିଚାଳନାଗତ ମାନଦଣ୍ଡ ଏବଂ ତଥ୍ୟ ଏକୀକରଣ ବଜାୟ ରଖି ଚାର୍ଜିଂ ଷ୍ଟେସନ ଗୁଡ଼ିକର ସ୍ଥାପନ ଏବଂ କାର୍ଯ୍ୟକ୍ଷମତା ସୁନିଶ୍ଚିତ କରିବ । ସେହିଭଳି ଓଡ଼ିଶାର ଇଭି ଅଭିଯାନକୁ ଆହୁରି ଆଗକୁ ନେବାକୁ ଓଡ଼ିଶା ସରକାର ରାଜ୍ୟର ଇଭି ଚାର୍ଜିଂ ପରିବେଶକୁ ସୁଦୃଢ଼ କରିବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି । ରାଜ୍ୟ ପରିବହନ ପ୍ରାଧିକରଣ ଏବଂ ଓଡ଼ିଶା ରାଜ୍ୟ ସଡ଼କ ପରିବହନ ନିଗମ ମାଧ୍ୟମରେ ବାଣିଜ୍ୟ ଓ ପରିବହନ ବିଭାଗ ଦ୍ୱାରା ପ୍ରଥମ ପର୍ଯ୍ୟାୟରେ ରାଜ୍ୟରେ ୫୦୦ରୁ ଅଧିକ ଇଭି ଚାର୍ଜିଂ ଷ୍ଟେସନ୍ ପ୍ରତିଷ୍ଠା ପାଇଁ ପଦକ୍ଷେପ ନିଆଯାଇଛି । ବୈଦ୍ୟୁତିକ ଯାନ ବ୍ୟବହାରକାରୀଙ୍କ ପାଇଁ ଏକ ବାଧାମୁକ୍ତ ଏବଂ ସୁଗମ ଚାର୍ଜିଂ ନେଟୱର୍କ ସୃଷ୍ଟି କରିବା ପାଇଁ ଏହି ଚାର୍ଜିଂ ଷ୍ଟେସନ ଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ସହରାଞ୍ଚଳ, ଅଟଳ ବସ୍‌ଷ୍ଟାଣ୍ଡ, ଟ୍ରକ୍ ଟମି ର୍ନାଲ୍ ଏବଂ ଅନ୍ୟାନ୍ୟ ପ୍ରମୁଖ ପରିବହନ ଭିତ୍ତିଭୂମିରେ ଯୋଜନା କରାଯାଇଛି । କେନ୍ଦ୍ର ସରକାରଙ୍କୁ ଏହି ସହାୟତା ପାଇଁ ରାଜ୍ୟ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା କୃତଜ୍ଞତା ଜଣାଇଛନ୍ତି ।