ନୂଆଦିଲ୍ଲୀ,୨୨/୦୭: ଆସନ୍ତାକାଲିଠାରୁ (ଗୁରୁବାର) ଆରମ୍ଭ ହେବ ଜିମ୍ବାୱେ-ଭାରତ ଟିଟ୍ୱେଣ୍ଟି ସିରିଜ । ଇତି ମଧ୍ୟରେ ଭାରତୀୟ ଦଳ ଜିମ୍ବାୱେରେ ପହଞ୍ଚି ପ୍ରସ୍ତୁତି ଜାରି ରଖିଛି । ଗତ ମାସକ ମଧ୍ୟରେ ୨ଟି ଟି-ଟ୍ୱେଣ୍ଟି ସିରିଜ ପରାଜିତ ହୋଇଥିବା ଭାରତୀୟ ଦଳ ଯଥା ସମ୍ଭବ ଲୟକୁ ଫେରି ବିଜୟ ଖାତା ଖୋଲିବାକୁ ପ୍ରୟାସ କରିବ । ଏହି ସିରିଜରେ ଗୌତମ ଗମ୍ଭୀରଙ୍କ ପରିବର୍ତ୍ତେ ଭିଭିଏସ ଲକ୍ଷ୍ମଣ କୋଚ ଦାୟିତ୍ୱ ତୁଲାଇବାକୁ ଯାଉଥିବାରୁ ଏକ ସନ୍ତୁଳିତ ଏକାଦଶ ପ୍ରସ୍ତୁତ ହେବ ବୋଲି ଆଶା କରାଯାଉଛି । ଶ୍ରେୟାସ ଆୟରଙ୍କ ନେତୃତ୍ୱ ଅପେକ୍ଷା ଏହି ସିରିଜରେ ଯୁବ ବ୍ୟାଟିଂ ବିସ୍ମୟ ବୈଭବ ସୂର୍ଯ୍ୟବଂଶୀ, ପ୍ରତ୍ୟାବର୍ତ୍ତନ କରୁଥିବା ରିଙ୍କୁ ସିଂହ ଓ ଯୁବ ପେସ୍‌ ବାହିନୀ ଉପରେ ସମଗ୍ର କ୍ରିକେଟ୍‌ ପ୍ରେମୀଙ୍କ ନଜର ରହିବ ।

ବୈଭବ ଓ ବାଉନ୍ସର ଆୟର୍ଲାଣ୍ଡ ଓ ଇଂଲଣ୍ଡ ଗସ୍ତ ପାଇଁ ଦଳରେ ସ୍ଥାନ ପାଇବା ଦିନଠୁ ବୈଭବଙ୍କୁ ନେଇ ଜୋରଦାର ଚର୍ଚ୍ଚା ଚାଲିଥିଲା । ଆୟର୍ଲାଣ୍ଡରେ ସେ ଖେଳିବାକୁ ସୁଯୋଗ ପାଇ ନଥିଲେ । ହେଲେ ଇଂଲଣ୍ଡରେ ତାଙ୍କୁ ୩ଟି ମ୍ୟାଚରେ ଖେଳିବାକୁ ସୁଯୋଗ ମିଳିଥିଲା । ଦକ୍ଷତା ମୁତାବକ ପ୍ରଦର୍ଶନ କରିବାରେ ବିଫଳ ହୋଇଥିଲେ ବୈଭବ । ୩ଟି ମ୍ୟାଚରେ ସେ ଯଥାକ୍ରମେ ୧୪, ୧୩ ଓ ୧୫ ରନ କରିଥିଲେ । ଜୋଫ୍ରା ଆର୍ଚର ତାଙ୍କୁ ବାଉନ୍ସର ଓ ସଟ୍‌ ପିଚ୍‌ ବଲ୍‌ ପକାଇ ବାରମ୍ବାର ଆଉଟ୍‌ କରିଥିଲେ । ଅର୍ନ୍ତଜାତୀୟ କ୍ରିକେଟ୍‌ର ଅସଲ ସ୍ୱାଦ ଚାଖିଥିବା ବୈଭବ ଇଂଲଣ୍ଡ ବିପକ୍ଷ ଦୁର୍ବଳତାରୁ ବଡ଼ ଶିକ୍ଷା ପାଇଥିବେ । ସମୟ ସୀମିତ ଥିଲେ ମଧ୍ୟ ସେ ନିଜ ତ୍ରୁଟି ସୁଧାରିଥିବେ ବୋଲି ଆଶା କରାଯାଇପାରେ । ଅପର ପକ୍ଷରେ ଜିମ୍ବାୱେର ପେସ୍‌ ବୋଲରମାନେ ଆର୍ଚରଙ୍କ ଭଳି ସଟ୍‌ ପିଚ ରଣନୀତି ଆପଣେଇ ବୈଭବଙ୍କୁ ବାନ୍ଧି ରଖିବାକୁ ଚେଷ୍ଟା କରିବେ । ଦଳରେ ତୃତୀୟ ଓପନର ନଥିବାରୁ ବୈଭବ ୩ଟି ଯାକ ମ୍ୟାଚ ଖେଳିବା ନିଶ୍ଚିତ । ବାଦ ପଡ଼ିବାର ଭୟ ନଥିବାରୁ ତାଙ୍କ ମନୋବଳ ସୁଦୃଢ଼ ହେବା ନିଶ୍ଚିତ ।

ହେ଼ଡ୍ ଟୁ ହେଡ୍‌
ମ୍ୟାଚ୍‌-୧୪
ଭାରତ ବିଜୟ-୧୧
ଜିମ୍ୱାୱେ ବିଜୟ- ୩    

ଆୟରଙ୍କ ନେତୃତ୍ୱ ଆୟର୍ଲାଣ୍ଡ (୨-୦) ଓ ଇଂଲଣ୍ଡ (୪-୦)ରେ ସିରିଜ ପରାଜୟ ଆୟରଙ୍କ ନେତୃତ୍ୱ ଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୨୫ ଆଇପିଏଲ୍‌ରେ ଆୟର ପଞ୍ଜାବ କିଙ୍ଗ୍‌ସର ନେତୃତ୍ୱ ନେଇ ଦଳକୁ ଫାଇନାଲ୍‌ରେ ପହଞ୍ଚାଇଥିଲେ । ୨୦୨୬ ଆଇପିଏଲ୍‌ ଆରମ୍ଭରୁ ପଞ୍ଜାବ କିଙ୍ଗ୍‌ସ ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ ପରବର୍ତ୍ତୀ ସମୟରେ ଲୟ ହରାଇ ବସିଥିଲା । ମାତ୍ର ଚୟନ କମିଟି ଆୟରଙ୍କ ଦକ୍ଷତା ଉପରେ ଭରସା ରଖିଥିଲା । ସୂର୍ଯ୍ୟକୁମାର ଯାଦବଙ୍କୁ ଟିଟ୍ୱେଣ୍ଟି ଦଳରୁ ବିଦାୟ ଦେବା ପରେ ଚୟନ କମିଟି ଆୟରଙ୍କୁ ଅଧିନାୟକ ନିଯୁକ୍ତ କରିଥିଲା । ଅଧିନାୟକ ଭାବେ ୨ଟି ସିରିଜ ପରାଜୟ ପରେ ଆୟର ନିଜ ନେତୃତ୍ୱ ଦକ୍ଷତାକୁ ନେଇ ଉଠିଥିବା ଆଶଙ୍କା ଉପରେ ପୂର୍ଣ୍ଣଛେଦ ପକାଇବେ । ଜିମ୍ବାୱେ ବିପକ୍ଷ ସିରିଜ ଏଥିପାଇଁ ଉପଯୁକ୍ତ ସାବ୍ୟସ୍ତ ହୋଇପାରେ । କାରଣ ଭାରତ ଏକ ଶକ୍ତିଶାଳୀ ଦଳ ନେଇ ଜିମ୍ବାୱେ ଗସ୍ତ କରିଛି ।  ଗ୍ରାଉଣ୍ଡ ଭିତରେ ବିଭିନ୍ନ ନିଷ୍ପତ୍ତି ନେବା ଓ ରଣକୌଶଳରେ ପରିବର୍ତ୍ତନ କରିବା ପାଇଁ କୋଚ୍‌ ଲକ୍ଷ୍ମଣ ମଧ୍ୟ ଆୟରଙ୍କୁ ଭରପୁର ସ୍ୱାଧୀନତା ଦେବେ ବୋଲି ଆଶା କରାଯାଇପାରେ । ବ୍ୟାଟର ଭାବେ ଆୟରଙ୍କ ପ୍ରଦର୍ଶନ ଉନ୍ନତ ରହିବ । ସେ ସମ୍ପ୍ରତି ଉନ୍ନତ ଫର୍ମରେ ରହିଛନ୍ତି । ଇଂଲଣ୍ଡ ବିପକ୍ଷ ଟି-ଟ୍ୱେଣ୍ଟି ସିରିଜରେ ସେ ୨୧୮ ରନ ସଂଗ୍ରହ କରିଥିଲେ । କିନ୍ତୁ ତାଙ୍କ ନେତୃତ୍ୱ ଉପରେ କ୍ରିକେଟ୍‌ ସମୀକ୍ଷକଙ୍କ ନଜର ରହିବ ।

ଭରସା ଜିତିବେ ରିଙ୍କୁ ରିଙ୍କୁ ସିଂହଙ୍କ ଦକ୍ଷତା ବିଷୟରେ ପ୍ରତ୍ୟେକ ଭାରତୀୟ କ୍ରିକେଟ୍‌ ପ୍ରେମୀ ବେଶ୍‌ ପରିଚିତ । ଭାରତ ଟି-ଟ୍ୱେଣ୍ଟି ବିଶ୍ୱକପ୍‌ ଚାମ୍ପିଅନ୍‌ ହେବା ପରେ ରିଙ୍କୁ ହଠାତ ଆଲୋଚନାରୁ ଦୂରେଇ ଯାଇଥିଲେ । ଆଇପିଏଲ ଆରମ୍ଭରୁ ମଧ୍ୟ ତାଙ୍କ ପ୍ରଦର୍ଶନ ନୈରାଶ୍ୟଜନକ ରହିଥିଲା । ଏହି ସମୟରେ ବାପାଙ୍କ ମୃତ୍ୟୁ ମଧ୍ୟ ତାଙ୍କୁ ମାନସିକ ସ୍ତରରେ ଦୁର୍ବଳ କରିଦେଇଥିଲା । କୋଲକାତା ନାଇଟ ରାଇଡର୍ସ କୋଚ ଅଭିଷେକ ନାୟାର ଆଇପିଏଲ୍‌ ସମୟରେ ରିଙ୍କୁଙ୍କ ଟେକ୍‌ନିକ୍‌ରେ ଛୋଟ ମୋଟ ପରିବର୍ତ୍ତନ କରିଥିଲେ । ଏହାପରେ ସେ ଫର୍ମକୁ ଫେରିଥିଲେ ଓ କ୍ରମାନ୍ୱୟରେ ୪ଟି ମ୍ୟାଚ ଅପରାଜିତ ରହି ୨୦୭ ରନ ସଂଗ୍ରହ କରିଥିଲେ । ବିଳମ୍ବରେ ହେଉ ପଛେ ଚୟନ କମିଟି ରିଙ୍କୁଙ୍କ ଉପରେ ପୁଣି ଥରେ ଭରସା କରିଛି ଓ ଦଳରେ ସ୍ଥାନ ଦେଇଛି । ଏହି ସୁଯୋଗକୁ ସେ ହାତଛଡ଼ା କରିବେ ନାହିଁ ବୋଲି ଆଶା କରାଯାଇପାରେ । ଡେଥ ଓଭରଗୁଡ଼ିକରେ ଦର୍ଶକ ପୁଣି ଥରେ ରିଙ୍କୁଙ୍କ ବିସ୍ଫୋରକ ବ୍ୟାଟିଂ ଦେଖିବାକୁ ସୁଯୋଗ ପାଇବେ ।

ଏହା ବି ପଢନ୍ତୁ...IND vs SL Test: ଶ୍ରୀଲଙ୍କା ବିପକ୍ଷ ଟେଷ୍ଟ ସିରିଜ ପାଇଁ କେବେ ହେବ ଭାରତୀୟ ଦଳ ଘୋଷଣା ? ବୁମରା-ଜାଡେଜା ଫେରିବେ, ଏହି ଷ୍ଟାର୍ ବିଦା ହେବେ  ​​​​​​​

​​​​​​​

ଯୁବ ପେସ୍‌ ବାହିନୀ ଜିମ୍ବାୱେ ଗସ୍ତ ପାଇଁ ସ୍ଥାନ ପାଇଥିବା ଦଳରେ ୪ ଜଣ ପେସ୍‌ ବୋଲର ରହିଛନ୍ତି । ପ୍ରିନ୍ସ ଯାଦବଙ୍କ ସମେତ ମୟଙ୍କ ଯାଦବ, ୟଶ ଠାକୁର ଓ ଅଶୋକ ଶର୍ମାଙ୍କୁ ଦଳରେ ସ୍ଥାନ ମିଳିଛି । ଇଂଲଣ୍ଡ ଗସ୍ତରେ ପ୍ରିନ୍ସ ଉନ୍ନତ ପ୍ରଦର୍ଶନ କରିଥିଲେ । ମୟଙ୍କ ଶେଷ ଥର ପାଇଁ ୨୦୨୪ ସେପ୍ଟେମ୍ବରରେ ଭାରତ ପକ୍ଷରୁ ଖେଳିଥିଲେ । ଏହାପରେ ସେ ବାରମ୍ବାର ଆହତ ହୋଇ ଦଳକୁ ଫେରି ପାରି ନଥିଲେ । ଗତ ଆଇପିଏଲ୍‌ ମଧ୍ୟ ସେ ସୀମିତ ସୁଯୋଗ ପାଇଥିଲେ । ଚୟନ କମିଟି ପୁଣି ଥରେ ତାଙ୍କ ମନୋବଳ ଫେରାଇ ଆଣିବା ପାଇଁ ଏକ ସୁଯୋଗ ଦେଇଛନ୍ତି । ୟଶ ଓ ଅଶୋକ ଶର୍ମା ସମ୍ପୂର୍ଣ୍ଣ ନୂଆ । ଅଶୋକ ଗତ ବିଜୟ ହଜାରେ ଟ୍ରଫିରେ ୧୯ଟି ୱିକେଟ୍‌ ନେଇ ବିଦର୍ଭକୁ ଚାମ୍ପିଅନ୍‌ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ । ଅଶୋକ ଶର୍ମା ଗତ ଆଇପିଏଲ୍‌ରେ ନିୟମିତ ଭାବେ ଘଣ୍ଟା ପ୍ରତି ୧୫୦ କିଲୋ ମିଟର ବେଗରେ ବଲ୍‌ ପକାଇ ଚର୍ଚ୍ଚାରେ ରହିଥିଲେ ।