ନୂଆଦିଲ୍ଲୀ, ୨୧/୬ : ଅଷ୍ଟମ ଦିନରେ ପହଞ୍ଚିଛି ଇରାନ-ଇସ୍ରାଏଲ ଯୁଦ୍ଧ । ଉଭୟ ଦେଶ ମଧ୍ୟରେ ସଂଘର୍ଷ ଏବେ ଘମାଘୋଟ ହୋଇଚାଲିଛି । ଯୁଦ୍ଧ ବଢୁଥିବାବେଳେ ବିଶ୍ୱ ତେଲ ଯୋଗାଣରେ ପ୍ରମୁଖ ରୁଟ୍‌ ଭାବେ ପରିଗଣିତ ୩୩ କିମି ବିଶିଷ୍ଟ ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜରେ ଅସ୍ଥିରତା ବୃଦ୍ଧି ପାଇଛି । ଏହାମଧ୍ୟରେ କ୍ରେଡିଟ୍‌ ରେଟିଂ ଏଜେନ୍ସି ଇକ୍ରା ଚେତାବନୀ ଦେଇଛି ଯେ, ଏସବୁ ମଧ୍ୟରେ ତୈଳ ଏବଂ ଗ୍ୟାସ ଯୋଗାଣରେ କୌଣସି ପ୍ରକାର ବାଧା ଭାରତୀୟ ଅର୍ଥବ୍ୟବସ୍ଥା ଉପରେ ବଡ଼ ଚାପ ପକାଇପାରେ । ତୈଳ ବିଲ୍‌ ଆକାରରେ ଭାରତକୁ ମିଳିପାରେ ୧.୨୧ ଲକ୍ଷ କୋଟିର ଝଟ୍‌କା । 

ରେଟିଂ ଏଜେନ୍ସିର କହିବାନୁସାରେ, ଯୁଦ୍ଧଜନିତ ଅସ୍ଥିରତା ମଧ୍ୟରେ ତୈଳ ଆମଦାନି ବିଲ୍‌ ବୃଦ୍ଧି ପାଇବ । ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ବଢ଼ିବ ଏବଂ ଘରୋଇ କ୍ଷେତ୍ର ନିବେଶ ବାଧାପ୍ରାପ୍ତ ହେବ । ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜ ଏକ ରଣନୀତିକ ବ୍ୟାପାର ମାର୍ଗ, ଯାହା ମାଧ୍ୟମରେ ବିଶ୍ୱ ତୈଳ ଏବଂ ଏଲ୍‌ଏନ୍‌ଜିର ପାଖାପାଖି ୨୦% ପ୍ରବାହ ହୋଇଥାଏ । ଇକ୍ରା ଅନୁସାରେ, ଭାରତର ଅଶୋଧିତ ତୈଳ ଆମଦାନିର ପାଖାପାଖି ୪୫ରୁ ୫୦% ଏବଂ ଏହାର ପ୍ରାକୃତିକ ଗ୍ୟାସ ଆମଦାନିର ୬୦% ଏହି ମାର୍ଗ ଦେଇ ଆସିଥାଏ । ଇକ୍ରା ଏହାର ରିପୋର୍ଟରେ ପ୍ରକାଶ କରିଛି ଯେ, ଇରାକ, ସାଉଦି ଆରବ, କୁଏତ୍‌ ଏବଂ ୟୁଏଇରୁ ଅଶୋଧିତ ତୈଳ ଆମଦାନି ଏହି ରାସ୍ତା ଦେଇ ହୋଇଥାଏ ଓ ଭାରତ ପ୍ରାୟ ୪୫ରୁ ୫୦% ଅଶୋଧିତ ତୈଳ ଏସବୁ ଦେଶରୁ ଆମଦାନି କରିଥାଏ । ଏଭଳି କ୍ଷେତ୍ରରେ ଯୁଦ୍ଧ ବଢ଼ିବା ଦ୍ୱାରା ଭାରତ ବଡ଼ ମାତ୍ରାରେ ପ୍ରଭାବିତ ହେବ । ଜୁନ୍‌ ୧୩ରେ ଇସ୍ରାଏଲ୍‌ ଇରାନ୍‌ର ସୈନ୍ୟ ଏବଂ ତୈଳ ଉତ୍ତୋଳନ ସ୍ଥଳଗୁଡ଼ିକ ଉପରେ ହମ୍‌ଲା କରିବା ପରେ ସଂଘର୍ଷ ଆରମ୍ଭ ହୋଇଥିଲା । ଏହା ପରଠାରୁ ହିଁ ତୈଳ ଦର ଦ୍ରୁତ ବେଗରେ ବଢ଼ିଚାଲିଛି । ବ୍ୟାରେଲ ପିଛା ୬୪ରୁ ୬୫ ଡଲାରରୁ ବର୍ତ୍ତମାନ ଏହା ୭୪ରୁ ୭୫ ଡଲାର ହୋଇଗଲାଣି, ଯାହାକି ଯୋଗାଣ ପ୍ରଭାବିତ ହୋଇଥିବା ଦର୍ଶାଉଛି । ଇକ୍ରା ଅନୁମାନ କରିଛି ଯେ, ଯଦି ଅଶୋଧିତ ତୈଳ ଦରରେ ବ୍ୟାରେଲ ପିଛା ୧୦ ଡଲାର ବୃଦ୍ଧି ଘଟେ, ତେବେ ଭାରତର ତୈଳ ଆମଦାନି ବିଲ୍‌ ଏକ ଆର୍ଥିକବର୍ଷରେ ୧୩ରୁ ୧୪ ବିଲିୟନ ଡଲାର ବା ୧.୨୧ ଲକ୍ଷ କୋଟି ଟଙ୍କା ବଢ଼ିଯିବ । ଏହାଦ୍ୱାରା ଦେଶର ଚଳନ୍ତି ଖାତା ନିଅଣ୍ଟ(ସିଏଡି) ଜିଡିପିର ୦.୩% ପର୍ଯ୍ୟନ୍ତ ବଢ଼ିପାରେ । 

ଏଜେନ୍ସି ପ୍ରକାଶ କରିଛି ଯେ, ଯୁଦ୍ଧରେ ନିରନ୍ତର ବୃଦ୍ଧି ଦ୍ୱାରା ଅଶୋଧିତ ତୈଳ ଦର ଦ୍ରୁତ ବେଗରେ ବୃଦ୍ଧି ପାଇବ । ଏହା ଭାରତର ସିଏଡିକୁ ଚାପଗ୍ରସ୍ତ କରିପାରେ । ଇକ୍ରା ଅନୁମାନ କରିଛି ଯେ, ୨୦୨୫-୨୬ ଆର୍ଥିକବର୍ଷରେ ବ୍ୟାରେଲ ପିଛା ତୈଳ ଦର ହାରାହାରି ୭୦ରୁ ୮୦ ଡଲାର ମଧ୍ୟରେ ରହିପାରେ । ତୈଳଦର ଉଚ୍ଚ ରହିବା ଦ୍ୱାରା ଅପ୍‌ଷ୍ଟ୍ରିମ୍‌ ତୈଳ କମ୍ପାନିଗୁଡ଼ିକ ଲାଭ ପାଇବେ କିନ୍ତୁ ଡାଉନ୍‌ଷ୍ଟ୍ରିମ୍‌ କମ୍ପାନିଗୁଡ଼ିକର ଚିତ୍ର ଅଧିକ ଜଟିଳ ହେବ ଏବଂ ସେମାନଙ୍କ ଲାଭ ପ୍ରଭାବିତ ହୋଇପାରେ । ବିଶ୍ୱ ତେଲ ଯୋଗାଣରେ ପ୍ରମୁଖ ରୁଟ୍‌ ଭାବେ ପରିଗଣିତ ୩୩ କିମି ବିଶିଷ୍ଟ ଷ୍ଟ୍ରେଟ୍‌ ଅଫ୍‌ ହୋର୍ମୁଜ୍‌ ଦେଇ ଯାଉଥିବା ଦୈନିକ ୨୦ ନିୟୁତ ବ୍ୟାରେଲ(ଏମ୍‌ବିଡି) ତେଲର ୮୦%ରୁ ଅଧିକ ଭାଗ ଏସିଆ ବ୍ୟବହାର କରିଥାଏ, ଯେଉଁଥିରେ ଭାରତ, ଚୀନ୍‌, ଜାପାନ ଏବଂ ଦକ୍ଷିଣ କୋରିଆର ଭାଗ ୬୫% । ଇରାନ୍‌ରେ ତୈଳ ବିଶୋଧନାଗାର, ଭଣ୍ଡାରଣ କେନ୍ଦ୍ର ଏବଂ ଉର୍ଜା ପରିସମ୍ପତ୍ତିଗୁଡ଼ିକରେ ଇସ୍ରାଏଲ୍‌ ହମ୍‌ଲା କରିଛି । ଇରାନ୍‌ ପ୍ରାୟ ୩.୩ ଏମ୍‌ବିଡି ଅଶୋଧିତ ତୈଳ ଉତ୍ପାଦନ କରିଥାଏ, ଯେଉଁଥିରୁ ୧.୮ରୁ୨.୦ ଏମ୍‌ବିଡି ରପ୍ତାନି ହୋଇଥାଏ । ତୈଳ ଯୋଗାଣରେ କୌଣସି ପ୍ରକାର ବାଧା ବିଶ୍ୱ ଯୋଗାଣ ଅସନ୍ତୁଳନକୁ ଆହୁରି ଗଭୀର କରିବ ।