ନୂଆଦିଲ୍ଲୀ,୧୦/୦୯: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଭାରତ ଏକ ଦୂତାବାସ ଖୋଲିବା ପାଇଁ ଆନୁଷ୍ଠାନିକ ଭାବରେ ଘୋଷଣା କରିଛି। ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଆଫଗାନିସ୍ତାନର ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକିଙ୍କ ସହ ଏକ ସାକ୍ଷାତ ସମୟରେ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କର ଏହି ଘୋଷଣା କରିଛନ୍ତି। ଜୟଶଙ୍କର ଏନେଇ ଆଫଗାନିସ୍ତାନର ସାର୍ବଭୌମତ୍ୱ ପ୍ରତି ମଧ୍ୟ ସମର୍ଥନ ପ୍ରକାଶ କରିଛନ୍ତି।୨୦୨୧ ପରେ ଏହା ପ୍ରଥମ ଥର ଯେ ଭାରତ ଆଫଗାନିସ୍ତାନର ସାର୍ବଭୌମତ୍ୱକୁ ପୂର୍ଣ୍ଣ ସମର୍ଥନ କରିଛି।

ମୁତାକିଙ୍କ ସହ ସାକ୍ଷାତରେ ବୈଦେଶିକ ମନ୍ତ୍ରୀ ଜୟଶଙ୍କର କହିଛନ୍ତି, "ଭାରତ ସର୍ବଦା ଆଫଗାନିସ୍ତାନକୁ ସମର୍ଥନ କରିଆସିଛି। ଆଫଗାନମାନେ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଆଫଗାନମାନେ ଆତଙ୍କବାଦ ବିରୋଧରେ ଲଢ଼େଇରେ ଆମକୁ ସମର୍ଥନ କରିଥିଲେ। ଆମେ ପହଲଗାମ ଆକ୍ରମଣକୁ ନିନ୍ଦା କରିଛୁ।" ବର୍ତ୍ତମାନ, କେବଳ ରୁଷ ଏବଂ ପାକିସ୍ତାନ ଭଳି ଦେଶଗୁଡ଼ିକର ଆଫଗାନିସ୍ତାନରେ ଦୂତାବାସ ଅଛି। କାବୁଲରେ ଭାରତର ଏକ ହାଇକମିଶନ ଅଛି କିନ୍ତୁ ଏହାକୁ ଦୂତାବାସରେ ପରିଣତ କରାଯାଇ ନାହିଁ। ତାଲିବାନ ଶାସନ କ୍ଷମତାକୁ ଆସିବା ପରଠାରୁ ଭାରତ ନୀରବ ରହିଥିଲା, କିନ୍ତୁ ଏବେ ସେ ସେଠାରେ ଏକ ଦୂତାବାସ ଖୋଲିବା ଘୋଷଣା କରିଛି।ଜୟଶଙ୍କର ଆହୁରି କହିଛନ୍ତି ଯେ, ଭାରତ ଆଫଗାନିସ୍ତାନରେ ଏହାର ବିକାଶ ଏବଂ ମାନବିକ ସହାୟତା କାର୍ଯ୍ୟ ଜାରି ରଖିବ। ଏହା ବ୍ୟତୀତ, ଭାରତ ଆଫଗାନିସ୍ତାନରେ ଘୋଷଣା କରିଥିବା ପ୍ରକଳ୍ପଗୁଡ଼ିକୁ ପୁଣି ଆରମ୍ଭ କରିବାକୁ ପ୍ରସ୍ତୁତ। ଭାରତ ଆଫଗାନିସ୍ତାନକୁ ୨୦ଟି ଆମ୍ବୁଲାନ୍ସ ଯୋଗାଇବା ଘୋଷଣା କରିଛି। ଜୟଶଙ୍କରଙ୍କ ସହ ଏକ ବୈଠକରେ ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ମୁତାକି କହିଛନ୍ତି ଯେ,  ଭାରତ ସର୍ବଦା ଆଫଗାନିସ୍ତାନର ଲୋକଙ୍କ ସହିତ ଛିଡ଼ା ହୋଇଛି।ଆମେ ଭାରତ ବିରୁଦ୍ଧରେ କୌଣସି ଷଡ଼ଯନ୍ତ୍ର ହେବାକୁ ଦେବୁ ନାହିଁ। ଦୁଇ ଦେଶ ସୀମାପାର ଆତଙ୍କବାଦ ଉପରେ ମଧ୍ୟ ଆଲୋଚନା କରିଥିଲେ। ପ୍ରକାଶ ଥାଉକି, ମୁତାକି ହେଉଛନ୍ତି ତାଲିବାନ ଶାସନର ପ୍ରଥମ ବୈଦେଶିକ ମନ୍ତ୍ରୀ ଯିଏ ନୂଆଦିଲ୍ଲୀ ଗସ୍ତ କରିଛନ୍ତି। ନୂଆଦିଲ୍ଲୀରେ ପହଞ୍ଚିବା ପୂର୍ବରୁ ମୁତାକି ତାଲିବାନ ନେତା ଆଖୁନଜାଦାଙ୍କୁ ଭେଟିଥିଲେ।