ନୂଆଦିଲ୍ଲୀ : ବର୍ତ୍ତମାନର ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କର ସ୍ଥିତି ବିଷୟରେ କାହାକୁ ଅଛପା ନାହିଁ। ଏହି କାରଣରୁ ଭାରତ ସତର୍କତାର ସହ ତ୍ୱରିତ ନିଷ୍ପତ୍ତି ନେଉଛି। କୁହାଯାଉଛି ଯେ, ବାଂଲାଦେଶରେ ବଡ଼ ରାଜନୈତିକ ପରିବର୍ତ୍ତନର ଆଶାରେ ଭାରତ ଆଗୁଆ ପ୍ରସ୍ତୁତି ଆରମ୍ଭ କରି ଦେଇଛି, ଯାହାକୁ ନେଇ ଅନ୍ତର୍ଜାତୀୟ ସ୍ତରରେ ଆଲୋଚନା ମଧ୍ୟ ଜୋର ଧରିଛି। ଉଲ୍ଲେଖନୀୟ ଯେ, ବାଂଲାଦେଶରେ ନିର୍ବାଚନ ଏବେ ମାତ୍ର କିଛି ଦିନ ବାକି ଅଛି ।

ରିପୋର୍ଟ ମୁତାବିକ , ମଧ୍ୟବର୍ତ୍ତୀକାଳୀନ ସରକାର ମୁଖ୍ୟ ମହମ୍ମଦ ୟୁନୁସ୍ ନିର୍ବାଚନ ଟାଳିବାକୁ ଚେଷ୍ଟା କରିଛନ୍ତି ଏବଂ କଠୋରପନ୍ଥୀ ଶକ୍ତିଙ୍କୁ ଭାରତ ବିରୋଧୀ କାର୍ଯ୍ୟକଳାପ ପାଇଁ ଉତ୍ସାହିତ କରିବାକୁ ପ୍ରୟାସ କରିଥିଲେ। ଯାହାକି ଚୀନ ଓ ପାକିସ୍ତାନ ସହ ସମ୍ୱନ୍ଧକୁ ଆହୁରି ମଜବୁତ କରାଯାଇ ପାରିବ। କିନ୍ତୁ ଏହି ଚେଷ୍ଟା ବିଫଳ ହୋଇଥିଲା।

ଏହି ସମୟରେ, ଭାରତ ଏକ ଗୁରୁତ୍ତ୍ୱପୂର୍ଣ ଏବଂ ଆଶ୍ଚର୍ଯ୍ୟଜନକ ନିଷ୍ପତ୍ତି ନେଇଛି। ଭାରତ, ବାଂଲାଦେଶକୁ ନନ୍-ଫ୍ୟାମିଲି ଷ୍ଟେସନ ଘୋଷଣା କରି ଦେଇଛି। ଏହାର ଅର୍ଥ ହେଉଛି ବାଂଲାଦେଶରେ ନିଯୁକ୍ତ ଭାରତୀୟ କୂଟନୀତିଜ୍ଞ ଏବଂ ଅଧିକାରୀଙ୍କୁ ଏବେ ସେମାନଙ୍କ ପରିବାର (ପତି-ପତ୍ନୀ କିମ୍ୱା ପିଲା)ଙ୍କୁ ସାଥିରେ ରଖିବାକୁ ଅନୁମତି ମିଳିବ ନାହିଁ। ପୂର୍ବରୁ, ଏହି କ୍ୟାଟେଗୋରୀ ଇରାକ, ଆଫଗାନିସ୍ତାନ, ପାକିସ୍ତାନ ଏବଂ ଦକ୍ଷିଣ ସୁଡାନ ଭଳି ଦେଶ ପାଇଁ ସୀମିତ ଥିଲା। ଏବେ ବାଂଲାଦେଶ ମଧ୍ୟ ଏହି ତାଲିକାରେ ସାମିଲ ହୋଇ ଯାଇଛି।

କୁହାଯାଉଛି ଯେ, ଭାରତୀୟ ଅଧିକାରୀଙ୍କୁ କଡ଼ା ନିର୍ଦ୍ଦେଶ ଦିଆଯାଇଛି ଯେ, ସେମାନଙ୍କ ପରିବାର ଲୋକ ୮ ଜାନୁଆରୀ ସୁଦ୍ଧା ଭାରତ ଫେରି ଆସନ୍ତୁ। ସ୍କୁଲ ଯାଉଥିବା ପିଲା ପରିବାରଙ୍କୁ ୭ଦିନର ଅତିରିକ୍ତ ମହଲତ ଦିଆଯାଇଛି। ଉକ୍ତ ନିଷ୍ପତ୍ତି ଅନୁସାରେ, ୧୫ ଜାନୁଆରୀ ଯାଏ ଢାକା ସମେତ ଅନ୍ୟାନ୍ୟ ସ୍ଥାନରେ ନିଯୁକ୍ତ କୂଟନୀତିଜ୍ଞଙ୍କ ଅଧିକାଂଶ ପରିବାର ଭାରତ ଫେରି ଆସିଛନ୍ତି।

ଯଦିଓ ଏବେସୁଦ୍ଧା ବୈଦେଶିକ ମନ୍ତ୍ରଣାଳୟ ଏହି ନିଷ୍ପତ୍ତିର କୌଣସି ଅଫିସିଆଲି ସାର୍ବଜନୀନ ଘୋଷଣା କରି ନାହିଁ, କିନ୍ତୁ ସୂତ୍ରାନୁସାରେ ଏହି ପଦକ୍ଷେପ ଗୁଇନ୍ଦା ରିପୋର୍ଟ ଏବଂ ସୁରକ୍ଷା ଆକଳନର ଆଧାରରେ ନିଆଯାଇଛି। ଏହି କାରଣ ଯେ,ଦେଶ ଦୁନିଆରେ ଏହି ନିଷ୍ପତ୍ତିକୁ ନେଇ ଆଲୋଚନା ଜୋରଦାର ହୋଇଛି।