ନୂଆଦିଲ୍ଲୀ,୨୪/୦୨; ଘରୋଇ ଅଷ୍ଟ୍ରେଲିଆ ଓ ଭାରତୀୟ ମହିଳା କ୍ରିକେଟ ଦଳ ମଧ୍ୟରେ ଆଜି ପ୍ରଥମ ଦିନିକିଆ ଆରମ୍ଭ ହୋଇଛି । ଟି-ଟ୍ୱେଣ୍ଟି ସିରିଜକୁ ୨-୧ରେ ଜିତିବା ପରେ ଏବେ ବିଶ୍ୱ ଚାମ୍ପିଅନ୍ ଭାରତୀୟ ଦଳର ନଜର ଦିନିକିଆ ଟ୍ରଫି ଉପରେ ରହିଛି । ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଛନ୍ତି ଭାରତର ଅଧିନାୟିକା ହର୍ମନପ୍ରୀତ କୌର । ଅଷ୍ଟ୍ରେଲିଆ ପ୍ରଥମେ ବୋଲିଂ କରିବ । ଅଷ୍ଟ୍ରେଲିଆ ଦଳ ଭାରତଠୁ ଗତ ବିଶ୍ୱକପ୍ ସେମି ଫାଇନାଲ୍ ପରାଜୟର ପ୍ରତିଶୋଧ ନେବାକୁ ପ୍ରସ୍ତୁତ । ଫଳରେ ଆଜି ଏକ ସଂଘର୍ଷ ମ୍ୟାଚ୍ ଦେଖିବାକୁ ମିଳିବ । ଭାରତ ବିଜୟରୁ ଅଭିଯାନ ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି ।

ଗତ ଦିନିକିଆ ବିଶ୍ୱକପ୍ ସେମି ଫାଇନାଲ୍‌ରେ ଉଭୟ ଦଳ ସାମ୍ନାସାମ୍ନି ହୋଇଥିଲେ । ଭାରତ ୩୩୯ରନ୍ ଟାର୍ଟେଟର ପିଛା କରି ଅବିଶ୍ୱସନୀୟ ବିଜୟ ହାସଲ କରିଥିଲା । ଜେମିମା ରୋଡ୍ରିଗ୍ସ (ଅପରାଜିତ ୧୨୭) ଶତକୀୟ ଇନିଂସ୍ ଖେଳି ଦଳକୁ ଫାଇନାଲ୍‌ରେ ପହଞ୍ଚାଇବାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଆଜି ତାଙ୍କ ଉପରେ ସମସ୍ତଙ୍କ ନଜର ରହିବ । ସେହିପରି ପ୍ରତୀକା ରାୱଲ ଦଳକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଉପଅଧିନାୟିକା ସ୍ମୃତି ମନ୍ଧନା ଫର୍ମରେ ଥିବାବେଳେ ବୋଲିଂ ବିଭାଗ ଅପେକ୍ଷାକୃତ ଦୃଢ଼ ରହିଛି ।

ଟି-ଟ୍ୱେଣ୍ଟି ସିରିଜର ଫଳାଫଳକୁ ଭୁଲି ଅଷ୍ଟ୍ରେଲିଆ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ । ଅଧିନାୟିକା ଆଲିସା ହିଲିଙ୍କ ପାଇଁ ଏହା ଶେଷ ଦିନିକିଆ ସିରିଜ ହେବ । ସେ ପୂର୍ବରୁ ଅବସର ଘୋଷଣା କରି ସାରିଛନ୍ତି । ତେଣୁ ତାଙ୍କ ଉପରେ ସମସ୍ତଙ୍କ ନଜର ରହିବା ସ୍ୱାଭାବିକ । ଭାରତ ବିପକ୍ଷରେ ତାଙ୍କ ପ୍ରଦର୍ଶନ ସବୁବେଳେ ଭଲ ରହିଛି । ସେହିପରି ଦଳରେ ବେଥ ମୁନି, ଆସଲି ଗାର୍ଡନର, ଏଲିସ୍ ପେରୀ ଓ ତହଲିଆ ମ୍ୟାକ୍ଗ୍ରାଙ୍କ ଭଳି ତାରକା ଖେଳାଳି ରହିଛନ୍ତି ।

ଏହା ବି ପଢନ୍ତୁ...ସୁପର-୮ ଫାଇଟ୍; ହେତମାୟରଙ୍କ ଧୂଆଁଧାର ହିଟ୍, ଜିମ୍ୱାୱେ ବିପକ୍ଷରେ ୱେଷ୍ଟଇଣ୍ଡିଜର ବିଶାଳ ବିଜୟ

ଭାରତ ଚୂଡାନ୍ତଏକାଦଶ: ଶେଫାଳି ବର୍ମା, ସ୍ମୃତି ମନ୍ଧନା, ପ୍ରତୀକା ରାୱଲ, ଜେମିମା ରୋଡ୍ରିଗ୍ସ, ହର୍ମନପ୍ରୀତ କୌର (ଅଧିନାୟିକା), ଦୀପ୍ତି ଶର୍ମା, ରିଚା ଘୋଷ, କାଶଭୀ ଗୌତମ, କ୍ରାନ୍ତି ଗୌଡ଼, ଶ୍ରୀ ଚରଣୀ, ରେଣୁକା ସିଂହ ଠାକୁର । 

ଅଷ୍ଟ୍ରେଲିଆ ଚୂଡାନ୍ତଏକାଦଶଆଲିସା ହିଲି (ଅଧିନାୟିକା), ଫୋଏବ ଲିଚଫିଲ୍ଡ, ଜର୍ଜିଆ ଭୋଲ, ବେଥ୍ ମୁନି, ଆନାବେଲ ସୁଦରଲାଣ୍ଡ, ଆସଲି ଗାର୍ଡନର, ତହଲିଆ ମ୍ୟାକ୍ଗ୍ରା, ସୋଫି ମୋଲିନକ୍ସ, ଆଲାନା କିଙ୍ଗ୍, କିମ୍ ଗାର୍ଥ, ଡାର୍ସି ବ୍ରାଉନ ।