ବ୍ରିଷ୍ଟଲ,୦୧/୦୭: ଆଜି ଘରୋଇ  ଇଂଲଣ୍ଡ ମହିଳା ଦଳ ଓ ଭାରତ  ମଧ୍ୟରେ ଦ୍ୱିତୀୟ ଟି-ଟ୍ୱେଣ୍ଟି  ଖେଳାଯିବ । ପ୍ରଥମ ମ୍ୟାଚ୍‌ରେ ବୃହତ୍‌ ବିଜୟ ସହ ଅଭିଯାନ ଆରମ୍ଭ କରିଥିବା ଭାରତ ପୂର୍ବ ପ୍ରଦର୍ଶନ ଦୋହରାଇବାକୁ  ଲକ୍ଷ୍ୟ ରଖିଛି । ଅନ୍ୟ ପଟରେ ଇଂଲଣ୍ଡ ସିରିଜକୁ ଫେରିବା ପାଇଁ ଜୋରଦାର  ପ୍ରସ୍ତୁତି କରିଛି । 

ପ୍ରଥମ ଟି-ଟ୍ୱେଣ୍ଟିରେ ଆହତ ହର୍ମନପ୍ରୀତ କୌରଙ୍କ ସ୍ଥାନରେ ସ୍ମୃତି ମନ୍ଧନା ନେତୃତ୍ୱ ନେଇଥିଲେ । ସେ କ୍ୟାରିୟରରେ ପ୍ରଥମ ଟି-ଟ୍ୱେଣ୍ଟି ଶତକ ଅର୍ଜନ କରିବା ସହ ଦଳକୁ ଜିତାଇବାରେ  ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ହର୍ମନପ୍ରୀତଙ୍କ ଖେଳିବା ନେଇ କୌଣସି  ସୂଚନା ମିଳିନାହିଁ । ମନ୍ଧନାଙ୍କ ସମେତ ଶେଫାଳି ବର୍ମା, ହର୍ଲିନ ଦେଉଲ, ଦୀପ୍ତି ଶର୍ମାଙ୍କ ସମେତ ପ୍ରଥମ ମ୍ୟାଚ୍‌ରେ  ୪ଟି ୱିକେଟ୍‌ ନେଇଥିବା ବାମ ହାତି  ସ୍ପିନର ଶ୍ରୀ ଚରଣୀଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ଇଂଲଣ୍ଡ ଦଳ ପ୍ରଥମ ମ୍ୟାଚ୍‌ରେ ନୈରାଶ୍ୟଜନକ ପ୍ରଦର୍ଶନ କରିଥିଲା ।  ବୋଲିଂରେ ପେସ୍‌ ବୋଲର ଲାଉରେନ ବେଲ୍‌ଙ୍କୁ ଛାଡ଼ିଦେଲେ ଅନ୍ୟ କୌଣସି ବୋଲର ମନ୍ଧନାଙ୍କ ଆକ୍ରମଣରୁ ବର୍ତ୍ତି ନଥିଲେ । ସେହିପରି ବ୍ୟାଟିଂରେ ଅଧିନାୟିକା ନାତାଲି ସ୍କିଭର-ବ୍ରଣ୍ଟ୍‌  ୬୬ରନ୍‌ କରିଥିବାବେଳେ ଅନ୍ୟ  କେହି ଦକ୍ଷତା ମୁତାବକ ପ୍ରଦର୍ଶନ କରିପାରିନଥିଲେ । ଆଜି ଦଳ ପୂର୍ବ  ତ୍ରୁଟି ସୁଧାରି ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରୟାସ କରିବ । 

ସମ୍ଭାବ୍ୟ ଏକାଦଶ 

ଭାରତ: ସ୍ମୃତି ମନ୍ଧନ  (ଅଧିନାୟିକା), ଶେଫାଳି ବର୍ମା,  ହର୍ଲିନ ଦେଓଲ, ରିଚା ଘୋଷ, ଜେମିମା  ରୋଡ୍ରିଗ୍ସ, ଅମନଜୋତ କୌର, ଦୀପ୍ତି ଶର୍ମା, ରାଧା ଯାଦବ, ଅରୁନ୍ଧତୀ ରେଡ୍ଡୀ,  ସ୍ନେହ ରାଣା, ଶ୍ରୀ ଚରଣୀ । 

ଇଂଲଣ୍ଡ: ସୋଫିଆ ଡଙ୍କ୍‌ଲି, ଡାନି  ୱାଟ୍‌, ନାତାଲି ସ୍କିଭର-ବ୍ରଣ୍ଟ୍‌, ଟାମି  ବ୍ୟୁମଣ୍ଟ, ଆମି ଜୋନ୍ସ, ଆଲିସ୍‌ କ୍ୟାପସୀ,  ଏମ୍‌ ଆର୍ଲୋଟ, ସୋଫି ଏକ୍ଲେଷ୍ଟୋନ,  ଲାଉରେନ ଫିଲର, ଲିନ୍‌ସୀ ସ୍ମିଥ୍‌,  ଲାଉରେନ ବେଲ୍‌ ।