ହାଇଦ୍ରାବାଦ, ୧୪/୦୩:  ଚଳିତ ଏଫ୍ଆଇଏଚ୍ ବିଶ୍ୱକପ୍ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରେ ଫାଇନାଲ୍ ଲାଇନ୍ ଅପ୍ ଚୂଡ଼ାନ୍ତ ହୋଇଛି । ଆସନ୍ତାକାଲି ଭାରତ ଓ ଇଂଲଣ୍ଡ ମଧ୍ୟରେ ଟାଇଟଲ୍ ମୁକାବିଲା ଖେଳାଯିବ । ସେମି ଫାଇନାଲ୍‌ରେ ଭାରତ ୧-୦ ଗୋଲ୍‌ରେ ଇଟାଲୀକୁ ଏବଂ ଇଂଲଣ୍ଡ ୨-୦ ଗୋଲ୍‌ରେ ସ୍କଟଲାଣ୍ଡ୍‌କୁ ପରାସ୍ତ କରିଥିଲା । ପୂର୍ବରୁ ଭାରତ ସେମି ଫାଇନାଲ୍‌ରେ ପ୍ରବେଶ କରିବା ସହ ଆଗାମୀ ଏଫ୍ଆଇଏଚ୍ ମହିଳା ବିଶ୍ୱକପ୍-୨୦୨୬କୁ ଯୋଗ୍ୟତା ଅର୍ଜନ କରି ସାରିଥିଲା । ମାତ୍ର ଆନୁଷ୍ଠାନିକ ଘୋଷଣାକୁ ଅପେକ୍ଷା ରହିଥିଲା ।

ଏଫ୍ଆଇଏଚ୍ ନିୟମ ଅନୁଯାୟୀ, ହାଇଦ୍ରାବାଦ ଓ ସାଣ୍ଟିଆଗୋ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟରୁ ମୋଟ ୭ଟି ଦଳ ବିଶ୍ୱକପ୍ ଟିକେଟ୍ ହାସଲ କରିବେ । ଉଭୟ ପର୍ଯ୍ୟାୟର ପ୍ରଥମ ୩ଟି ସ୍ଥାନରେ ଥିବା ଦଳ ଏବଂ ଶ୍ରେଷ୍ଠ ପ୍ରଦର୍ଶନକାରୀ ଚତୁର୍ଥ ସ୍ଥାନ ଦଳକୁ ଟିକେଟ୍ ପ୍ରଦାନ କରାଯିବ । ପୂର୍ବରୁ ସାଣ୍ଟିଆଗୋରେ ଚିଲି, ଅଷ୍ଟ୍ରେଲିଆ ଓ ଆୟର୍ଲାଣ୍ଡ ଯୋଗ୍ୟତା ଅର୍ଜନ କରିଥିଲେ । ସେହିପରି ହାଇଦ୍ରାବାଦରେ ଭାରତ ଓ ଇଂଲଣ୍ଡ ଯୋଗ୍ୟତା ହାସଲ କରିଛନ୍ତି ।

ଶୁକ୍ରବାର ଭାରତ-ଇଟାଲୀ ମ୍ୟାଚ୍ କଡ଼ା ସଂଘର୍ଷପୂର୍ଣ୍ଣ ହୋଇଥିଲା । ମନୀଷା ଚୌହାନଙ୍କ ଏକମାତ୍ର ଗୋଲ୍ ବଳରେ ଦଳ ଫାଇନାଲ୍‌ରେ ପ୍ରବେଶ କରିଥିଲା । ପ୍ରଥମ କ୍ୱାର୍ଟର ଆକ୍ରମଣ ଓ ପ୍ରତିଆକ୍ରମଣ ମଧ୍ୟରେ ଗୋଲଶୂନ୍ୟ ରହିଥିଲା । ଦ୍ୱିତୀୟାର୍ଦ୍ଧରେ ଭାରତ ଆକ୍ରମଣକୁ ତୀବ୍ରତର କରିଥିଲା । ଏହି ଭାଗରେ ଦଳ ୩ଟି ପେନାଲ୍ଟି ସୁଯୋଗ ସୃଷ୍ଟି କରିଥିଲା । ମାତ୍ର ସମସ୍ତ ପ୍ରୟାସ ବିଫଳ ଯାଇଥିଲା ।

ତୃତୀୟ କ୍ୱାର୍ଟରରେ ମଧ୍ୟ ଭାରତୀୟ ଖେଳାଳି ଜୋରଦାର ଆକ୍ରମଣ କରିଥିଲେ । ଶେଷରେ ୪୦ମିନିଟ୍‌ରେ ଦଳ ଗୋଲ୍ ଖାତା ଖୋଲିଥିଲା । ମନୀଷା ପେନାଲ୍ଟି ସୁଯୋଗକୁ ଗୋଲ୍ ରୂପ ଦେବାରେ ଆଦୌ ଅବହେଳା କରିନଥିଲେ । ଭାରତ ୧-୦ରେ ଆଗେଇ ଥିଲା । ଏହି ଭାଗରେ ଶେଷ ଆଡ଼କୁ ଦଳ ଆଉ ୨ଟି ପେନାଲ୍ଟି ସୁଯୋଗର ହାତଛଡ଼ା କରିଥିଲା ।

ଚତୁର୍ଥ କ୍ୱାର୍ଟରରେ ଭାରତ ଆଉ୍ ୨ଟି ପେନାଲ୍ଟି ସୁଯୋଗ ପାଇଥିଲା ଏବଂ ତାହା ବିଫଳ ଯାଇଥିଲା । ୫୯ମିନିଟ୍ରେ ଇଟାଲୀକୁ ଏକ ପେନାଲ୍ଟି ମିଳିଥିଲା । ଦଳ ନିକଟରେ ସ୍ଥିତି ବରାବର କରିବାର ସୁଯୋଗ ଥିଲେ ମଧ୍ୟ ଏହାକୁ ଗୋଲ୍ ରୂପ ଦେବାରେ ବିଫଳ ହୋଇଥିଲା । ଭାରତ ୧-୦ରେ ବିଜୟୀ ହୋଇ ଫାଇନାଲ୍‌ରେ ସ୍ଥାନ ପକ୍କା କରିଥିଲା ।

ଅଧିକ ପଢ଼ନ୍ତୁ :-  ଏହି କାରଣରୁ ଆଇପିଏଲରୁ ବାଦ୍ ପଡ଼ିଲେ ଷ୍ଟାର ବୋଲର ହର୍ଷିତ ରାଣା