ନୂଆଦିଲ୍ଲୀ ୧୪/୦୩: ଭାରତୀୟ ବାୟୁସେନା ଚଳିତ ବର୍ଷ ଶେଷରେ ନିଜର ସବୁଠୁ ବଡ଼ ବହୁରାଷ୍ଟ୍ରୀୟ ବାୟୁ ଯୁଦ୍ଧାଭ୍ୟାସ ‘ତରଙ୍ଗ ଶକ୍ତି ୨.୦’ର ପ୍ରସ୍ତୁତି ଆରମ୍ଭ କରିଛି । ଏହାର ଅଭ୍ୟାସ ରାଜସ୍ଥାନର ଯୋଧପୁରରେ ହେବ । ସେପ୍ଟେମ୍ବର-ଅକ୍ଟୋବରରେ ଦୁଇ ସପ୍ତାହ ଧରି ଯୁଦ୍ଧାଭ୍ୟାସ ଚାଲିବ । ଏଥିରେ ଅନେକ ବନ୍ଧୁ ରାଷ୍ଟ୍ରର ଫାଇଟର ଜେଟ୍ ଭାରତୀୟ ବାୟୁସେନାର ବିମାନ ସହ ମିଶି ଜଟିଳ ଯୁଦ୍ଧାଭ୍ୟାସ କରିବେ ।
ତରଙ୍ଗ ଶକ୍ତି କ’ଣ?
ତରଙ୍ଗ ଶକ୍ତି ଭାରତର ଏପର୍ଯ୍ୟନ୍ତର ସବୁଠୁ ବଡ଼ ବହୁରାଷ୍ଟ୍ରୀୟ ଅଭ୍ୟାସ । ଏହାର ପ୍ରଥମ ସଂସ୍କରଣ ୨୦୨୪ରେ ଦୁଇଟି ଚରଣରେ ହୋଇଥିଲା । ଅଗଷ୍ଟ ୬ରୁ ୧୪ ତାରିଖ ପର୍ଯ୍ୟନ୍ତ ତାମିଲନାଡୁର ସୁଲୁର ବାୟୁସେନା ଷ୍ଟେସନରେ ପ୍ରଥମ ଚରଣ ହୋଇଥିଲା । ଏଥିରେ ୟୁରୋପୀୟ ଦେଶମାନଙ୍କର ବାୟୁସେନା ଯୋଗ ଦେଇଥିଲେ । ଫ୍ରାନ୍ସର ରାଫେଲ, ଜର୍ମାନୀ, ସ୍ପେନ୍ ଓ ବ୍ରିଟେନର ୟୁରୋଫାଇଟର ଟାଇଫୁନ୍ ଜେଟ୍ ଭାଗ ନେଇଥିଲେ ।
୨ୟ ଚରଣ ୨୯ ଅଗଷ୍ଟରୁ ୧୪ ସେପ୍ଟେମ୍ବର ପର୍ଯ୍ୟନ୍ତ ଯୋଧପୁରରେ ହୋଇଥିଲା । ଏଥିରେ ଅଷ୍ଟ୍ରେଲିଆର ଇଏ-୧୮ଜି ଗ୍ରାଉଲର, ଗ୍ରୀକ୍ ଓ ୟୁଏଇର ଏଫ୍-୧୬, ଆମେରିକାର ଏ-୧୦ ଥଣ୍ଡରବୋଲ୍ଟ ୨ ଏବଂ ଏଫ୍୧୬ ସାମିଲ ହୋଇଥିଲା । ମୋଟ୍ ୨୭ ବିଦେଶୀ ଫାଇଟର ଜେଟ୍ ଅଭ୍ୟାସ କରିଥିଲେ । ଭାରତୀୟ ବାୟୁସେନା ନିଜର ପ୍ରାୟ ସମସ୍ତ ପ୍ରମୁଖ ବିମାନ- ରାଫେଲ, ସୁଖୋଇ ସୁ୩୦ଏମକେଆଇ, ମିରାଜ ୨୦୦୦, ଜାଗୁଆର, ତେଜସ, ମିଗ୍-୨୯ ଓ ପ୍ରଚଣ୍ଡ ହେଲିକପ୍ଟରକୁ ଯୁଦ୍ଧାଭ୍ୟାସରେ ଉତାରିଥିଲା ।
ଅଭ୍ୟାସରେ ଅନେକ ଐତିହାସିକ ମୁହୂର୍ତ୍ତ ଦେଖିବାକୁ ମିଳିଥିଲା । ୩ ସେନାର ଉପାଧ୍ୟକ୍ଷମାନେ ସ୍ୱଦେଶୀ ତେଜସରେ ଉଡ଼ିଥିଲେ । ଫ୍ରାନ୍ସ ଓ ଜର୍ମାନୀର ଏୟାର ଚିଫ୍ ତେଜସରେ ଉଡ଼ିଥିଲେ । ସ୍ପେନ୍ର ଏୟାର ଚିଫ୍ ସୁଖୋଇ ସୁ-୩୦ଏମକେଆଇରେ ଉଡ଼ିଥିଲେ ।
ତରଙ୍ଗ ଶକ୍ତି ୨.୦ରେ ନୂଆ କ’ଣ ହେବ?
ଯୋଧପୁରରେ ହେବାକୁ ଯାଉଥିବା ୨ୟ ସଂସ୍କରଣରେ ଅଭ୍ୟାସ ବଡ଼ ଓ ଜଟିଳ ହେବ । ଅନେକ ଦେଶର ଉନ୍ନତ ଫାଇଟର ଜେଟ୍ ଭାଗ ନେବେ । ବାୟୁ ଯୁଦ୍ଧର ପ୍ରସ୍ତୁତିକୁ ଆହୁରି ମଜଭୁତ କରିବା, ବିଭିନ୍ନ ବିମାନ ମଧ୍ୟରେ ଉତ୍ତମ ତାଳମେଳ ବଢ଼ାଇବା ଏବଂ ଯୁଦ୍ଧ ରଣନୀତିକୁ ପରଖିବା ଏହାର ଉଦ୍ଦେଶ୍ୟ । ଏହି ଅଭ୍ୟାସ ଭାରତର ବୃଦ୍ଧି ପାଉଥିବା ସୈନ୍ୟ ଶକ୍ତି ଓ ଇଣ୍ଡୋ-ପାସିଫିକ୍ କ୍ଷେତ୍ରରେ ଏହାର ମହତ୍ୱପୂର୍ଣ୍ଣ ଭୂମିକାକୁ ଦର୍ଶାଇବ । ଭାରତୀୟ ବାୟୁସେନା ବିଶ୍ୱର କିଛି ସବୁଠୁ ଉନ୍ନତ ବାୟୁସେନା ସହ ମିଶି କାମ କରିବ ।
ଆହୁରି ପଢ଼ନ୍ତୁ...ବିମାନ ଯାତ୍ରୀଙ୍କୁ ଶକ୍ତ ଝଟ୍କା: ମହଙ୍ଗା ହେଲା ଇଣ୍ଡିଗୋ ଟିକେଟ୍, ଲାଗିବ ନୂଆ 'ଫୁଏଲ୍ ଚାର୍ଜ'
ଅଭ୍ୟାସର ମହତ୍ୱ କ’ଣ?
ତରଙ୍ଗ ଶକ୍ତି କେବଳ ଏକ ତାଲିମ ନୁହେଁ । ଏହା ଭାରତ ଓ ବନ୍ଧୁ ରାଷ୍ଟ୍ରଙ୍କ ମଧ୍ୟରେ ସୈନ୍ୟ ସହଯୋଗକୁ ମଜଭୁତ କରିବ । ପାଇଲଟ୍ ଭିନ୍ନ ଭିନ୍ନ ବିମାନ ବିରୋଧରେ ଯୁଦ୍ଧାଭ୍ୟାସ କରନ୍ତି, ଯାହା ଦ୍ୱାରା ବାସ୍ତବ ଯୁଦ୍ଧରେ ପ୍ରସ୍ତୁତି ମଜଭୁତ ହୁଏ । ଭାରତ ପାଇଁ ବାୟୁସେନାର କ୍ଷମତା ବିଶ୍ୱକୁ ଦେଖାଇବାର ଏହା ଏକ ସୁଯୋଗ । ଏଥିସହ ଏହି ଅଭ୍ୟାସ କ୍ଷେତ୍ରୀୟ ସୁରକ୍ଷା ଆହ୍ୱାନ ମଧ୍ୟରେ ଭାରତର ପ୍ରସ୍ତୁତିର ବାର୍ତ୍ତା ମଧ୍ୟ ଦିଏ । ତରଙ୍ଗ ଶକ୍ତି ୨.୦ ଭାରତୀୟ ବାୟୁସେନାର ବଢୁଥିବା ଶକ୍ତି ଓ ଅନ୍ତର୍ଜାତୀୟ ସହଯୋଗର ପ୍ରତୀକ ହେବ ।