ରାଜସ୍ଥାନ, ୧୦।୪: ଭାରତୀୟ ସେନା ନିଜର ଶକ୍ତିଶାଳୀ ରୂପ ଦେଖାଇ ଶତ୍ରୁ ଶିବିରରେ କମ୍ପନ ସୃଷ୍ଟି କରିଛି । ରାଜସ୍ଥାନର ପୋଖରାନ ଫାୟାରିଂ ରେଞ୍ଜରେ ସେନା ପକ୍ଷରୁ 'ବ୍ରହ୍ମାସ୍ତ୍ର' ନାମକ ଏକ ସ୍ୱତନ୍ତ୍ର ଲାଇଭ୍ ଫାୟାରିଂ ଅଭ୍ୟାସ କରାଯାଇଛି । ଏହି ଅଭ୍ୟାସ ସମୟରେ ବିଶ୍ୱର ସବୁଠୁ ଘାତକ ଆଟାକ୍ ହେଲିକପ୍ଟର 'ବୋଇଂ AH-64 ଆପାଚେ' ନିଜର ପ୍ରଳୟଙ୍କାରୀ ରୂପ ପ୍ରଦର୍ଶନ କରିଛି । ଏହି ସମର ଅଭ୍ୟାସ ସମୟରେ ଆପାଚେ ହେଲିକପ୍ଟରଗୁଡ଼ିକ ଅତି ସଠିକତାର ସହ ଶତ୍ରୁର କୃତ୍ରିମ ଘାଟିଗୁଡ଼ିକୁ ଧ୍ୱଂସ କରିଥିଲେ । ଅଭ୍ୟାସ ବେଳେ AGM-114 ହେଲଫାୟାର ମିସାଇଲ୍, ଅତ୍ୟାଧୁନିକ ରକେଟ୍ ଏବଂ ଅନ୍‌ବୋର୍ଡ ଗନ୍ ସିଷ୍ଟମ୍‌ର ବ୍ୟବହାର କରାଯାଇଥିଲା । ପାଇଲଟ୍ ଏବଂ ଗ୍ରାଉଣ୍ଡ୍ କ୍ରୁ ମଧ୍ୟରେ ଉତ୍ତମ ସମନ୍ୱୟ ରକ୍ଷା କରିବା ସହ ଯୁଦ୍ଧ ସମୟରେ କିଭଳି କମ୍ ସମୟରେ ସଠିକ୍ ଲକ୍ଷ୍ୟଭେଦ କରାଯାଇପାରିବ, ତାହାର ପରୀକ୍ଷା କରାଯାଇଥିଲା । ବୋଇଂ AH-64 ଆପାଚେ ହେଉଛି ଦୁନିଆର ସବୁଠୁ ଶକ୍ତିଶାଳୀ ମଲ୍ଟି-ରୋଲ୍ କମ୍ବାଟ୍ ହେଲିକପ୍ଟର ।

ଏହା ବି ପଢ଼ନ୍ତୁ... ​​​​​​​AC ବିଲ୍ ଟେନସନ୍ ଶେଷ ! 'ପିଏମ୍ ସୂର୍ଯ୍ୟ ଘର' ଯୋଜନାରେ ଘରକୁ ଆଣନ୍ତୁ ସୋଲାର ଏସି

କାହିଁକି ଏହାକୁ 'ଉଡ଼ନ୍ତା ଟ୍ୟାଙ୍କ' କୁହାଯାଏ ?

ଏହାର କିଛି ଖାସ୍ ବୈଶିଷ୍ଟ୍ୟ:

୩୦ ମିମି ଚେନ୍ ଗନ୍: ଏଥିରେ ଲାଗିଥିବା ଗନ୍ ଶତ୍ରୁ ସୈନ୍ୟଙ୍କୁ ମୂଳପୋଛ କରିବାରେ ସକ୍ଷମ ।

ଲଙ୍ଗବୋ ରଡାର: ଏହି ରଡାର ସାହାଯ୍ୟରେ ହେଲିକପ୍ଟରଟି ବହୁ ଦୂରରୁ ଶତ୍ରୁର ଗତିବିଧି ଜାଣିପାରେ ।

ରାତ୍ରିକାଳୀନ ଯୁଦ୍ଧ: ନାଇଟ୍-ଭିଜନ ସେନ୍ସର ଯୋଗୁଁ ଏହା ଅନ୍ଧାର ରାତିରେ ମଧ୍ୟ ସଠିକ୍ ଭାବେ ଅପରେସନ୍ କରିପାରେ ।

ସର୍ବକାଳୀନ ପ୍ରସ୍ତୁତି: ଯେକୌଣସି ପାଣିପାଗ ଏବଂ ଭୟଙ୍କର ପରିସ୍ଥିତିରେ ବି ଏହା ଯୁଦ୍ଧ କରିବାକୁ ସମର୍ଥ ।

ସ୍ଥଳସେନା ପାଇଁ 'ଢାଲ' ସାଜିବ ଆପାଚେ:

କର୍ଣ୍ଣେଲ ବିକ୍ରାନ୍ତ ଶର୍ମାଙ୍କ କହିବା ଅନୁଯାୟୀ, ଆଧୁନିକ ଯୁଦ୍ଧରେ ସ୍ଥଳସେନାକୁ ତୁରନ୍ତ ସହାୟତା ଯୋଗାଇବାରେ ଆଟାକ୍ ହେଲିକପ୍ଟରର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଏହି ହେଲିକପ୍ଟରଗୁଡ଼ିକର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ସ୍ଥଳସେନାର କମାଣ୍ଡରଙ୍କ ପାଖରେ ରହିଥାଏ, ଯାହା ଫଳରେ ଯୁଦ୍ଧ କ୍ଷେତ୍ରରେ ଥିବା ସୈନିକମାନଙ୍କୁ ଶୀଘ୍ର ଆକାଶମାର୍ଗରୁ ସୁରକ୍ଷା ଓ ଫାୟାର ସପୋର୍ଟ ମିଳିପାରିବ । ଭାରତୀୟ ସେନାରେ ଆପାଚେର ସାମିଲ ହେବା ଏବଂ ପୋଖରାନରେ ଏହାର ସଫଳ ପ୍ରଦର୍ଶନ ଦର୍ଶାଉଛି ଯେ, ଭାରତୀୟ ସେନା ଏବେ ଯେକୌଣସି ଆହ୍ୱାନର ସାମ୍ନା କରିବାକୁ ପୂର୍ଣ୍ଣ ପ୍ରସ୍ତୁତ ।