ନୂଆଦିଲ୍ଲୀ,୨୩।୧୦: ଭାରତୀୟ ସେନାର ଦୀର୍ଘ ଦିନର ଅପେକ୍ଷା ଶେଷ ହେବାକୁ ଯାଉଛି। ବର୍ଷକ ଭିତରେ ତାକୁ କ୍ଲୋଜ୍ କ୍ବାର୍ଟର ବ୍ୟାଟଲ କାର୍ବାଇନ୍ ମିଳିବାକୁ ଯାଉଛି। ଏହି ହାଲକା ହତିଆର କାଉଣ୍ଟର-ଟେରର ଅପରେସନ୍‌ ଓ ଆତଙ୍କୀଙ୍କ ସହ ଘନିଷ୍ଠତକୁ ନେଇ ଖୁବ୍ ଉପଯୋଗୀ ମନେକରାଯାଏ। ଦୁଇ ଭାରତୀୟ କମ୍ପାନୀ ସହ ଏହାର ଉତ୍ପାଦନ ପାଇଁ ଚୁକ୍ତି ହୋଇଛି। ବର୍ଷକ ଭିତରେ ଏହାର ଡେଲିଭରି ଆରମ୍ଭ ହୋଇଯିବ। ଏଥିପାଇଁ ୨୭୭୦ କୋଟି ଟଙ୍କାର ଚୁକ୍ତି ଉପରେ ସ୍ବାକ୍ଷର ହୋଇସାରିଛି। ଭାରତୀୟ ସେନା ଏଭଳି କାର୍ବାଇନର ଅପେକ୍ଷଶ ଦେଢ ଦଶକ ଧରି କରୁଛି।

ଇକୋନୋମିକ୍ସ ଟାଇମ୍ସର ରିପୋର୍ଟ ଅନୁଯାୟୀ, ଜଣେ ବରିଷ୍ଠ ଭାରତୀୟ ସେନା ଅଧିକାରୀ କହିଛନ୍ତି  ସୈନିକଙ୍କ ପାଇଁ ୪.୨୫ ଲକ୍ଷ CQB କାର୍ବାଇନ ତିଆରି କରିବାର ଚୁକ୍ତି ଦୁଇଟି ଭାରତୀୟ କମ୍ପାନୀ: କଲ୍ୟାଣୀ ଷ୍ଟ୍ରାଟେଜିକ୍ ସିଷ୍ଟମ୍ସ ଏବଂ ଆଦାନୀ ଗ୍ରୁପର ପ୍ରତିରକ୍ଷା କମ୍ପାନୀ PLR ସିଷ୍ଟମ୍ସ ସହିତ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ଏହି ୨୭୭୦ କୋଟି ଟଙ୍କାର ଚୁକ୍ତିନାମାରେ କଲ୍ୟାଣୀର ୬୦% ଅଂଶ ରହିବ। ବାକି ଉତ୍ପାଦନ ଗ୍ବାଲିୟର ନିକଟରେ ଅବସ୍ଥିତ ଆଦାନୀ ଗ୍ରୁପର ଏକ କମ୍ପାନୀ ଦ୍ୱାରା ପରିଚାଳିତ ହେବ। ନିର୍ଦ୍ଦେଶକ ଜେନେରାଲ ଇନଫାଣ୍ଟ୍ରି, ଲେଫ୍ଟନାଣ୍ଟ ଜେନେରାଲ ଅଜୟ କୁମାର କହିଛନ୍ତି,   ସ୍ୱଦେଶୀ ଭାବରେ ନିର୍ମିତ ଅସ୍ତ୍ରଶସ୍ତ୍ରର ଯୋଗାଣ ଗୋଟିଏ ବର୍ଷ ମଧ୍ୟରେ ଆରମ୍ଭ ହେବ। ଏହା ଭାରତୀୟ ସେନା ପାଇଁ ବହୁତ ଭଲ ଖବର, କାରଣ ଏହା ପୂର୍ବରୁ ଅନେକ ପ୍ରୟାସ ବିଫଳ ହୋଇଛି।

ସେନା ପାଖରେ ଯେଉଁ ପୁରୁଣା ପୀଢିର କାର୍ବାଇନ୍ ରହିଛି, ତାହା ବହୁତ ଆଗରୁ ଖରାପ ହୋଇସାରିଛି। ଏହାର ଅଭାବକୁ ପୁରା କରିବା ପାଇଁ ୧୫ ବର୍ଷରୁ ଧରି ଆମଦାନୀ ଚେଷ୍ଟା ବିଫଳ ରହିଛି। ସବୁବେଳେ ଏହି ବିବାଦ ଓ ଭ୍ରଷ୍ଟାଚାରର ଅଭିଯୋଗ କାରଣରୁ ଜଟିଳ ହୋଇଛି। ଡିଜି ଇନଫାନଟ୍ରି ଏହା ମଧ୍ୟ କହିଛନ୍ତି ଯେ, ସେନା ଏବେ ଜରୁରୀକାଳୀନ ବ୍ୟବସ୍ଥା ଅନୁସାରେ, ୧୨ଟି ଲଞ୍ଚର ସହ ୧୦୪ ଜାଭେଲିନ୍ ଆଣ୍ଟି ଟ୍ୟାଙ୍କ ମିସାଇଲ ମଧ୍ୟ କିଣିବାର ଚେଷ୍ଟାରେ ରହିଛି, ଯାହାକି ଭାରତରେ ହିଁ ତିଆରି କରାଯିବ।