ନୂଆଦିଲ୍ଲୀ,୨୯/୧୦: ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ମୁକାବିଲା ଓ ମୂଳତ୍ପାଟନ ଲାଗି ବିଏମପି-୨ କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ ମୁତୟନ କରିଛି ସ୍ଥଳସେନା। ଆତଙ୍କବାଦୀଙ୍କୁ ଜବାବ ଦେବା ପାଇଁ ସ୍ଥଳସେନା ପକ୍ଷରୁ ଏକାଧିକ ଯୁଦ୍ଧ ଯାନ ମୁତୟନ କରାଯାଇଥିବା ଦେଖିବାକୁ ମିଳିଛି। ତେବେ ଗତକାଲି ଜମ୍ମୁର ଅଖନୋର ଅଞ୍ଚଳରେ ଆତଙ୍କବାଦୀମାନେ ସେନାର ଏକ ଗାଡ଼ିକୁ ଟାର୍ଗେଟ କରିଥିଲେ। ସେନା ଗାଡ଼ି ଉପରେ ଏହି ହମଲା ପରେ ସେନା ପକ୍ଷରୁ ଜବାବି କାର୍ଯାନୁଷ୍ଠାନ ଗ୍ରହଣ କରାଯାଇଥିଲା।
ଗୁଳି ବିନିମୟରେ ଜଣେ ଆତଙ୍କବାଦୀର ମୃତ୍ୟୁ ହୋଇଥିବା ବେଳେ ନିହତ ଆତଙ୍କବାଦୀର ମୃତଦେହ ଜବତ ସହ ତା ନିକଟରୁ ବହୁ ଅସ୍ତ୍ରଶସ୍ତ୍ର ଯବତ ହୋଇଛି। ଘଟଣା ପରେ ପ୍ରଥମଥର ପାଇଁ ସେନା ୪ଟି ବିଏମପି-୨ କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ ନିୟୋଜିତ କରିଛି। ଖୌରର ଭଟ୍ଟାଲ ଅଞ୍ଚଳର ନିୟନ୍ତ୍ରଣ ରେଖାରେ ଜଗୱାନ୍ ଗାଁର ଆସାନ୍ ମନ୍ଦିର ନିକଟରେ ଥିବା ଆକ୍ରମଣ ସ୍ଥଳରୁ ନଜର ରଖିବା ପାଇଁ ଏହି ଯୁଦ୍ଧ ଯାନକୁ ସେନା ମୁତୟନ କରିଛି। କେବଳ ସେତିକି ନୁହେଁ ଲୁଚି ରହିଥିବା ଆତଙ୍କବାଦୀଙ୍କୁ ଧରିବା ପାଇଁ ପୂରା ଅଞ୍ଚଳରେ ହଲିକପ୍ଟରଗୁଡିକୁ ମଧ୍ୟ ନିୟୋଜିତ କରାଯାଇଛି। ବିଏମ୍ପି-୨ ହେଉଛି ୧୯୮୦ଦଶକର ସୋଭିଏତ୍ ସଂଘର କମ୍ବାଟ ଇନଫାଣ୍ଟ୍ରି ଯୁଦ୍ଧ ଯାନ। ଯେଉଁଥିରେ ୩୦ ମିଲିମିଟର ସଂପୂର୍ଣ୍ଣ ସ୍ଥିର ସମ୍ପୂର୍ଣ୍ଣ ସ୍ୱୟଂ ଚାଳିତ ତୋପ, ୭.୬୨ ମିଲିମିଟର ମେସିନ୍ ଗନ୍ ଲାଗିଛି। ଏଥିରେ ୭ ଜଣ ସୈନିକ ଏବଂ ତିନି ଜଣ କ୍ରୁ ମେମ୍ବର ରହିପାରିବେ।