ବ୍ରିଟିଶ ଶାସିତ ଭାରତରେ ଯେଉଁମାନଙ୍କୁ ପ୍ରଶାସନିକ ସେବାକ୍ଷେତ୍ରରେ ନିଯୁକ୍ତି ଦିଆଯାଉଥିଲା, ସେମାନଙ୍କୁ ପ୍ରଥମେ ଇଂଲଣ୍ଡରେ ତାଲିମ ଦିଆଯାଉଥିଲା । ୧୮୮୨ ମସିହାରେ ସେମାନଙ୍କୁ ତାଲିମ ଦେବାପାଇଁ ତତ୍କାଳୀନ ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ପ୍ରଫେସର ତଥା ଜର୍ମାନ ପ୍ରାଚ୍ୟତତ୍ତ୍ୱବିତ୍ ମେକ୍ସ ମ୍ୟୁଲାର କେମ୍ବ୍ରିଜକୁ ଆମନ୍ତ୍ରିତ ହୋଇଥିଲେ । ସେଠାରେ ସେ ଯେଉଁ କେତୋଟି ଭାଷଣ ଦେଇଥିଲେ ତା’ ମଧ୍ୟରୁ ଗୋଟିଏ ଭାଷଣର ବିଷୟ ଥିଲା ‘ହିନ୍ଦୁମାନଙ୍କ ସତ୍ୟନିଷ୍ଠ ଚରିତ୍ର’ (Truthful Character of the Hindus) ସେତେବେଳେ ହିନ୍ଦୁବହୁଳ ଭାରତ ହିନ୍ଦୁସ୍ଥାନ ନାମରେ ବିଦିତ ଥିଲା । ତେଣୁ ହିନ୍ଦୁ ଓ ଭାରତୀୟ ଶବ୍ଦ ଦୁଇଟି ସମାର୍ଥବୋଧକ ଶବ୍ଦ ଭାବରେ ବ୍ୟବହୃତ ହେଉଥିଲା । ସେହି ସମୟରେ ଜେମ୍ସ ମିଲ୍ଙ୍କ ବହି "ହିଷ୍ଟ୍ରି ଅଫ୍ ବ୍ରିଟିଶ ଇଣ୍ଡିଆ' ଭାରତ ପ୍ରତି ବ୍ରିଟିଶ ଔପନିବେଶିକ ନୀତିକୁ ପ୍ରଭାବିତ କରିଥିଲା । ଲେଖକ କେବେ ଭାରତ ନଆସି ଭାରତୀୟମାନଙ୍କ ସଂପର୍କରେ ନକାରାତ୍ମକ ମନ୍ତବ୍ୟ ଦେଇଥିଲେ । ଔପନିବେଶିକ ପକ୍ଷପାତିତା ବ୍ୟାଧିଦ୍ୱାରା ଆକ୍ରାନ୍ତ ହୋଇ ସେ ଭାରତୀୟମାନଙ୍କୁ ମିଥ୍ୟାବାଦୀ, ପ୍ରବଞ୍ଚକ ଓ ନିକୃଷ୍ଟ ନୈତିକ ଚରିତ୍ରର ବ୍ୟକ୍ତି ଭାବରେ ବର୍ଣ୍ଣନା କରିଥିଲେ । ଏହି ବହି ପ୍ରଭାବରେ ଇଂଲଣ୍ଡରୁ କେହି ଯଦି ଭାରତକୁ ପ୍ରଶାସନିକ ବା ସାମରିକ ଅଫିସର ଭାବରେ ଆସୁଥିଲା, ସେ ଏକ ବଦ୍ଧମୂଳ ଧାରଣା ନେଇ ଆସୁଥିଲା ଯେ ଭାରତୀୟମାନେ ପ୍ରାୟତଃ ମିଥ୍ୟାବାଦୀ ଓ ପ୍ରବଞ୍ଚକ । ମାତ୍ର ମେକ୍ସ ମ୍ୟୁଲାର ତାଙ୍କର ଏହି ମତକୁ ପ୍ରତ୍ୟାଖ୍ୟାନ କରିଥିଲେ ଓ କହିଥିଲେ ଯେ ଏହା ଆତ୍ମଶ୍ଳାଷା ଓ ଦୋଷଦର୍ଶୀ ଦୃଷ୍ଟିଭଙ୍ଗୀ । ସେ କହିଲେ, ମନେ କରାଯାଉ ଜଣେ ବ୍ୟକ୍ତି ଗ୍ରୀସ୍ରେ ଭ୍ରମଣ କଲାବେଳେ କୌଣସି ଗାଇଡ୍ ଦ୍ୱାରା ହରଣଚାଲ ହୋଇଥାଏ, ଏହାର ଅର୍ଥ ନୁହେଁ ଯେ ସବୁ ଗ୍ରୀସ୍ବାସୀ ଠକ ଓ ଡକାୟତ ବା ସେଠାରେ ଠକାମି ଓ ଡକାୟତିକୁ ଅନୁମୋଦନ କରାଯାଏ । ଯଦି କଲିକତା ବମ୍ବେ ବା ମାନ୍ଦ୍ରାଜର କୌଣସି ଅଦାଲତରେ କେହି ହତ୍ୟାକାରୀ ବା ଡକାୟତ ମିଛ କହେ, ଏହାର ଅର୍ଥ ନୁହେଁ ଯେ ସବୁ ଭାରତୀୟ ମିଥ୍ୟାବାଦୀ ।
ମ୍ୟୁଲାର ଏହିଭଳି ଯଥାର୍ଥ ଯୁକ୍ତି ଉପସ୍ଥାପନ କରିବା ସଙ୍ଗେ ସଙ୍ଗେ ଭାରତରେ ଅନେକ ବର୍ଷ ଅତିବାହିତ କରିଥିବା ଏସିଆଟିକ ସୋସାଇଟି ଅଫ ବେଙ୍ଗଲର ସଂପାଦକ ତଥା ଅକ୍ସଫୋର୍ଡ ବିଶ୍ୱବିଦ୍ୟାଳୟର ସଂସ୍କୃତ ପ୍ରଫେସର ହୋରେସ୍ ହେମେନ୍ ଉଇଲ୍ସନଙ୍କ ମତ ଉଦ୍ଧାର କରିଛନ୍ତି । କଲିକତା ମୁଦ୍ରାଶାଳାରେ କାର୍ଯ୍ୟାରତ ଭାରତୀୟ କର୍ମଚାରୀମାନଙ୍କୁ ଅଧ୍ୟୟନ କରି ସେ କହିଛନ୍ତି ସେମାନେ କେବେ ମଦ୍ୟପାନ କରି ଉନ୍ମତ୍ତ ହେଉନଥିଲେ କି ବିଶୃଙ୍ଖଳ ଆଚରଣ କରୁନଥିଲେ । ସେମାନଙ୍କ ମଧ୍ୟରେ ଶଠତା ନଥିଲା ବୋଲି କୁହାଯାଇନପାରେ, ମାତ୍ର ଶଠତା ଥିଲା ଅତ୍ୟନ୍ତ ବିରଳ । ନିଷ୍କପଟତା ଥିଲା ସେମାନଙ୍କ ଚରିତ୍ରର ବୈଶିଷ୍ଟ୍ୟ । ପୁନଶ୍ଚ ଶିଷ୍ଟ ଆଚରଣ, ବୁଝିବା ଶକ୍ତିରେ ସ୍ପଷ୍ଟତା ଓ ବ୍ୟାପକତା, ଭାବାବେଗରେ ନମନୀୟତା ଓ ନୀତିରେ ସ୍ୱାତନ୍ତ୍ର୍ୟ ଦୃଷ୍ଟିରୁ ସେମାନେ ଥିଲେ ଅତ୍ୟନ୍ତ ଭଦ୍ର ଓ ନମ୍ର । ଏଣୁ ସେ ଅନେକ ଭାରତୀୟଙ୍କ ସହ ମିତ୍ରତା ସୂତ୍ରରେ ଆବଦ୍ଧ ହୋଇଥିଲେ । ପ୍ରଫେସର ମ୍ୟୁଲାର ଭାରତରେ ପ୍ରଶାସନିକ ଅଫିସର ଭାବରେ କାର୍ଯ୍ୟ କରିବାକୁ ଯାଉଥିବା ତାଲିମପ୍ରାପ୍ତ ଯୁବକମାନଙ୍କୁ ଭାରତୀୟମାନଙ୍କୁ ଠିକ୍ଭାବରେ ବୁଝିବା ପାଇଁ Rambles and Recollections of an Indian Of¿cial (୧୮୮୪) ପୁସ୍ତକଟି ପଢ଼ିବାକୁ ପରାମର୍ଶ ଦେଇଥିଲେ । ଏହି ପୁସ୍ତକର ଲେଖକ କର୍ଣ୍ଣେଲ ସ୍ଲିମେନ୍ କହିଛନ୍ତି- ଭାରତର ବଡ଼ ବଡ଼ ସହରରେ ରହୁଥିବା ବ୍ୟକ୍ତିବିଶେଷଙ୍କ ଚରିତ୍ରକୁ ଭିତ୍ତିକରି ପ୍ରକୃତ ଭାରତୀୟଙ୍କୁ ଜାଣିହେବନାହିଁ । ଭାରତୀୟ ଚରିତ୍ରକୁ ଜାଣିବାକୁ ହେଲେ ଭାରତର ଗ୍ରାମ୍ୟଜୀବନକୁ ଅନୁଧ୍ୟାନ କରିବାକୁ ପଡିବ । ସଂଖ୍ୟାଧିକ ଗ୍ରାମବାସୀ ହିଁ ଭାରତୀୟ ଚରିତ୍ରକୁ ପ୍ରତିଫଳିତ କରନ୍ତି । ସ୍ଲିମେନ୍ କହିଛନ୍ତି, ଗାଁର ଲୋକମାନେ ପ୍ରାୟତଃ ମିଛ କହନ୍ତି ନାହିଁ । ତାର ମୁଖ୍ୟ କାରଣ ହେଉଛି ଦୈବ ଭୟ । ସେତେବେଳେ କିଛି ଆଦିବାସୀ ସଂପ୍ରଦାୟର ବିଶ୍ୱାସ ଥିଲା ପିପ୍ପଳ ଗଛର ପତ୍ରରେ ଦେବତା ବସନ୍ତି । ଏଣୁ ଗାଁ ପଞ୍ଚାୟତରେ ବିଚାର ହେଉଥିବାବେଳେ ସାକ୍ଷୀ କିଛି ପିପ୍ପଳ ପତ୍ର ହାତରେ ଧରି ଦେବତାଙ୍କୁ ଆବାହନ କରନ୍ତି ଓ ପତ୍ରକୁ ଦଳିଦେଇ କହନ୍ତି "ଯଦି ମୁଁ ସତ୍ୟ ବ୍ୟତୀତ ଅନ୍ୟ କିଛି କୁହେଁ, ତାହେଲେ ଦେବତା ମୋତେ ଦଳି ଦିଅନ୍ତୁ, ଯେମିତି ମୁଁ ପତ୍ରଗୁଡ଼ିକୁ ଦଳିଦେଉଛି' । ଏହିଭଳି ଶପଥ ନେବାପରେ ସେମାନେ ସତ୍ୟ ହିଁ କହନ୍ତି, କାରଣ ମିଛ କହିଲେ ଦୈବଦଣ୍ଡ ଭୋଗିବାର ଭୟ ଥାଏ । ଲେଖକ କହିଛନ୍ତି "ମୁଁ ନିଜେ ଶହ ଶହ ମାମଲା ଦେଖିଛି, ଯେଉଁଥିରେ ମିଛ କହିବା ଉପରେ ନିର୍ଭର କରୁଥିଲା ଅମାପ ଧନସମ୍ପତ୍ତି ଲୋଭ, ତଥାପି ଲୋକ ମିଛ କହୁନଥିଲେ । ଏହି ଦୈବ ଭୟ ଏକ ଅନ୍ଧବିଶ୍ୱାସ ହୋଇପାରେ, ମାତ୍ର ଏହା ଭାରତୀୟମାନଙ୍କୁ ସତ୍ୟନିଷ୍ଠ ଭାବରେ ଗଢ଼ି ତୋଳିଥିଲା' ।
ସ୍ଲିମେନ୍ ତାଙ୍କ ପୁସ୍ତକରେ ଜଣେ ଇଂରେଜ ବିଶିଷ୍ଟ ପଦାଧିକାରୀ ଓ ଭାରତୀୟ ଓକିଲଙ୍କ ମଧ୍ୟରେ ହୋଇଥିବା ବାର୍ତ୍ତାଳାପ ଉଦ୍ଧାର କରିଛନ୍ତି । ଭାରତୀୟ ଓକିଲ ଜଣକ ସାକ୍ଷୀମାନଙ୍କୁ ତିନିଭାଗରେ ବିଭକ୍ତ କରିଛନ୍ତି । ସେତେବେଳେ ଅଦାଲତରେ ସାକ୍ଷୀମାନେ କୋରାନ/ଗଙ୍ଗାଜଳ ହାତରେ ଧରି ଶପଥ କରୁଥିଲେ ଯେ, ସେମାନେ ସତ୍ୟ କହିବେ । ପ୍ରଥମ ଶ୍ରେଣୀର ଭାରତୀୟ ସାକ୍ଷୀ ହେଲେ ସେମାନେ, ଯେଉଁମାନେ ଶପଥ ନନେଲେ ମଧ୍ୟ କୌଣସି ଭୟ ବା ଲାଞ୍ଚ ସେମାନଙ୍କୁ ସତ୍ୟ କହିବାରୁ ବିରତ କରେନାହିଁ । ସେମାନେ ପ୍ରବୃତ୍ତିଗତ ଓ ନୀତିଗତ ଭାବରେ ସତ୍ୟବାଦୀ । ଦ୍ୱିତୀୟ ଶ୍ରେଣୀର ସାକ୍ଷୀ ମିଛ କହିବାକୁ ଦ୍ୱିଧା ପ୍ରକାଶ କରନ୍ତେ ନାହିଁ, ଯଦି ସେମାନଙ୍କୁ କୋରାନ/ଗଙ୍ଗାଜଳ ହାତରେ ଧରି ଶପଥ ଗ୍ରହଣ କରିବାକୁ କୁହାନଯାଆନ୍ତା । ମାତ୍ର ଏହି ଶପଥ ସେମାନଙ୍କୁ ସତ୍ୟବାଦୀ କରାଏ, କାରଣ ସେମାନେ ଦେବତାଙ୍କ କ୍ରୋଧ ଓ ମଣିଷ ସମାଜର ଘୃଣାକୁ ଭୟ କରନ୍ତି । ଏ ସଂପର୍କରେ ଭାରତୀୟ ଓକିଲ ଜଣକ ଏକ ସତ୍ୟ ଘଟଣାର ଅବତାରଣା କରିଛନ୍ତି । ଜଣେ ବିଶିଷ୍ଟ ମହିଳାଙ୍କଠାରୁ ଅଦାଲତରେ ଉପସ୍ଥାପନା କରିବାପାଇଁ ଏକ କ୍ଷମତାପତ୍ର ଆବଶ୍ୟକ ଥିଲା । ତାଙ୍କ ଭାଇ ତାହା ଆଣି ଓକିଲଙ୍କୁ ଦେଲେ ଓ ଦୁଇଜଣ ସାକ୍ଷୀ ଆସି ଘୋଷଣା କଲେ ଯେ, ଏହା ସେହି ବିଶିଷ୍ଟ ମହିଳା ଦେଇଛନ୍ତି । ଓକିଲ କହିଲେ "ସେହି ମହିଳା ଜଣକ ସର୍ବଦା ପରଦା ଉହାଡ଼ରେ ରହନ୍ତି । ତୁମକୁ ଯଦି ବିଚାରକ ପଚାରନ୍ତି ସେହି ମହିଳା ନିଜେ ଏହି କ୍ଷମତାପତ୍ର ଦେଇଥିବାର ତୁମେ ଦେଖିଛ କି, ତୁମେ କ’ଣ କହିବ'? ସେମାନେ ଉତ୍ତର ଦେଲେ "ଯଦି ଆମକୁ ଶପଥ ନେବାପାଇଁ କୁହାନଯାଏ, ତାହେଲେ ଆମେ କହିବୁ- ହଁ । କାରଣ ଆମେ ଯଦିଓ ନିଜ ଆଖିରେ ଦେଖିନାହୁଁ ଆମେ ଏହା ସତ ବୋଲି ଜାଣିଛୁ । ମାତ୍ର ସେ ଯଦି ହାତରେ କୋରାନ ରଖି ଉତ୍ତର ଚାହାନ୍ତି ଆମେ କହିବୁ ନା, କାରଣ ହଁ କହିଲେ ଲୋକେ ଆମକୁ ମିଛକୁହା ସାକ୍ଷୀ ବୋଲି ଘୃଣା କରିବେ, କାରଣ ଆମେ ପ୍ରକୃତରେ ଦେଖିନାହୁଁ' । ଏହି ଦୁଇଟି ଶ୍ରେଣୀର ସାକ୍ଷୀଙ୍କ ବ୍ୟତୀତ ଆଉ କିଛି ସାକ୍ଷୀ ଅଛନ୍ତି ଯେଉଁମାନେ ମିଛ କହନ୍ତି, ତା’ପଛରେ କୌଣସି କାରଣ ଥାଉ ବା ନଥାଉ କିମ୍ବା ସେମାନେ କୋରାନ୍ ବା ଗଙ୍ଗାଜଳ ଧରି ଶପଥ କରନ୍ତୁ ବା ନକରନ୍ତୁ । ଇଂରେଜ ଅଫିସର୍ ଓକିଲଙ୍କୁ ପଚାରିଲେ "ଏହି ତିନିଶ୍ରେଣୀ ମଧ୍ୟରୁ କେଉଁ ଶ୍ରେଣୀର ଲୋକଙ୍କ ସଂଖ୍ୟା ଅଧିକ'? ସେ ଉତ୍ତର ଦେଲେ "ଦ୍ୱିତୀୟ ଶ୍ରେଣୀ, ଯେଉଁମାନେ ଦୈବଭୟ ଓ ମଣିଷ ସମାଜର ଘୃଣାକୁ ଡରି ସର୍ବଦା ସତ୍ୟ କହନ୍ତି । ସେମାନେ ସାଧାରଣତଃ ଗାଁ ଆଦିବାସୀ ଓ କୃଷକ ଶ୍ରେଣୀର । ଗାଁର ବୟସ୍କ ଲୋକଙ୍କ ସାମନାରେ ସେମାନେ ମିଛ କହିବାକୁ ଲଜ୍ଜାବୋଧ କରନ୍ତି । ସେହିଦୃଷ୍ଟିରୁ ସେମାନେ ସହରୀ ମଣିଷଙ୍କଠାରୁ ଭିନ୍ନ । ସହରର ଲୋକସଂଖ୍ୟା କମ୍, ମାତ୍ର ଗ୍ରାମୀଣ ଲୋକସଂଖ୍ୟା ସର୍ବାଧିକ ଯେଉଁମାନେ ସତ୍ୟନିଷ୍ଠ ଜୀବନ ଯାପନ କରନ୍ତି । ସେହି ସଂଖ୍ୟାବହୁଳ ଗ୍ରାମବାସୀମାନେ ହିଁ ଭାରତୀୟ ଚରିତ୍ରର ବାସ୍ତବ ରୂପକୁ ପ୍ରତିଫଳିତ କରନ୍ତି' ।
ଗ୍ରୀକ୍ ଐତିହାସିକ ମେଘାସ୍ଥିନିସ (ଖ୍ରୀ.ପୂ. ଚତୁର୍ଥ ଶତାବ୍ଦୀ), ଚୀନ ପରିବ୍ରାଜକ ହୁଏନ୍ ସାଂ (ସପ୍ତମ ଶତାବ୍ଦୀ), ଇଟାଲୀର ପରିବ୍ରାଜକ ମାର୍କୋ ପୋଲୋ (ତ୍ରୟୋଦଶ ଶତାବ୍ଦୀ), ଆକବରଙ୍କ ମନ୍ତ୍ରୀ ଆବୁଲ୍ ଫାଜଲ୍ (ଷୋଡଶ ଶତାବ୍ଦୀ) ମଧ୍ୟ ଭାରତୀୟମାନଙ୍କ ସତ୍ୟନିଷ୍ଠା, ନିଷ୍କପଟତା ଓ ସାଧୁତାର ଭୂୟସୀ ପ୍ରଶଂସା କରିଛନ୍ତି । ଉପନିଷଦରେ "ସତ୍ୟଂ ବଦ ଧର୍ମଂ ଚର' କୁହାଯାଇଛି । ରାମାୟଣରେ ସତ୍ୟ ରକ୍ଷାପାଇଁ ରାମଚନ୍ଦ୍ର ଚଉଦ ବର୍ଷ ବନବାସକୁ ଗ୍ରହଣ କରିନେଇଛନ୍ତି । ମହାଭାରତରେ ଭୀଷ୍ମ ଏହି ସତ୍ୟରକ୍ଷା ପାଇଁ ଆଜୀବନ ବ୍ରହ୍ମଚାରୀ ରହିଛନ୍ତି । ପ୍ରଫେସର ମ୍ୟୁଲାର ଏହିସବୁ ଶାସ୍ତ୍ର ଓ ମହାକାବ୍ୟର ଉଦାହରଣ ଦେଇ ଦୃଢ଼ତାର ସହ କହିଛନ୍ତି ଯେ, ଭାରତୀୟମାନେ ମିଥ୍ୟାବାଦୀ ଥିବାର ଅବଧାରଣାର କୌଣସି ଭିତ୍ତି ନାହିଁ । ସେ ପ୍ରଶ୍ନ କରିଛନ୍ତି, ଏହା ନିଃସନ୍ଦେହ ଯେ ଭାରତରେ ନୈତିକ ଅଧଃପତନ ଅଛି, ମାତ୍ର ପୃଥିବୀର କେଉଁ ଦେଶରେ ନୈତିକ ଅବନତି ନାହିଁ? ଶେଷରେ ଭାରତକୁ ପ୍ରଶାସନିକ ଅଫିସର ଭାବରେ ଯିବାପାଇଁ ତାଲିମ ନେଉଥିବା ଯୁବକମାନଙ୍କୁ ସେ କହିଛନ୍ତି ଭାରତ ମିଥ୍ୟା ଓ ନୈତିକ ଅଧୋପତନର ଗନ୍ତାଘର ବୋଲି ଧାରଣା ନେଇ ଯଦି ଇଂରେଜ ଅଫିସର ସେଠାକୁ ଯାଆନ୍ତି, ତା’ଠୁ ବଳି ବିପଜ୍ଜନକ ଓ ଅନିଷ୍ଟକାରକ କିଛି ନାହିଁ ଓ ଭାରତରେ ବ୍ରିଟିଶ ଶାସନର ସ୍ଥାୟିତ୍ୱ ପ୍ରତି ତା’ଠୁ ବଳି ମାରାତ୍ମକ ଧାରଣା କିଛି ନାହିଁ ।
ଅତୀତ ଭାରତର ଏହିଭଳି ଏକ ଗୌରବମୟ ଚିତ୍ର ସଂପର୍କରେ ଅବଗତ ହେବାପରେ ଆଜି ଯେତେବେଳେ ଆମେ ସାଂପ୍ରତିକ ସମୟର ଭାରତକୁ ଦେଖୁ, ଆମେ ବିଷାଦଗ୍ରସ୍ତ ହେଉ । ପାରିବାରିକ ଓ ସାମାଜିକ ଜୀବନରେ କିଛି ସ୍ୱାର୍ଥ ହାସଲ କରିବା ପାଇଁ ମିଛ କହିବା ଏବେ ସ୍ୱାଭାବିକ ଘଟଣା ହେଲାଣି । ନିଜର ସାମାଜିକ ସ୍ଥିତିକୁ ରକ୍ଷା କରିବାପାଇଁ ଅନ୍ୟାୟ କରି ମଧ୍ୟ ତାକୁ ସ୍ୱୀକାର ନକରିବା, ଆର୍ଥିକ ଲାଭ ପାଇଁ ମିଥ୍ୟାର ଆଶ୍ରୟ ନେବା, ବ୍ୟାବସାୟିକ ପ୍ରତିଯୋଗିତାରେ ସଫଳ ହେବା ପାଇଁ ମିଛ କହିବା ଆଦି ସାଧାରଣ ଘଟଣା । ନିର୍ବାଚନରେ ଜିତିବା ପାଇଁ ନେତାମାନଙ୍କ ମିଥ୍ୟା ପ୍ରତିଶ୍ରୁତି ଦେବା, ରାଜନୈତିକ କର୍ମୀମାନେ ସାମାଜିକ ଗଣମାଧ୍ୟମରେ ରାଜନୈତିକ ପ୍ରଚାର ନାମରେ ମିଥ୍ୟା ପରିବେଷଣ କରି ଜନମାନସକୁ ବିଭ୍ରାନ୍ତ କରିବା, ଅଦାଲତରେ ଗୀତା, କୋରାନ ହାତରେ ଧରି ଶପଥ ନେଇ ମଧ୍ୟ ମିଥ୍ୟା ସାକ୍ଷ୍ୟ ଦେବା ଆଉ ବିସ୍ମୟକର ଘଟଣା ହୋଇ ରହିନାହିଁ । ଏହିସବୁ ଦୃଶ୍ୟ ଦେଖି ଚିନ୍ତାଶୀଳ ବ୍ୟକ୍ତିମାନେ କବିବର ରାଧାନାଥଙ୍କ ଭଳି ଖେଦ ପ୍ରକାଶ କରିଛନ୍ତି "ଦେଖୁନାହାନ୍ତି କି ମନେ ବହି ଲାଜ, କି ଥିଲା ଏ ରାଜ୍ୟ, କି ହୋଇଛି ଆଜ' । ଏହି ଖେଦୋକ୍ତି କେବଳ ଓଡ଼ିଶା ରାଜ୍ୟ ପାଇଁ ନୁହେଁ, ଭାରତ ପାଇଁ ମଧ୍ୟ ପ୍ରଯୁଜ୍ୟ ।