ନୂଆଦିଲ୍ଲୀ,୨୨/୦୪: ପୂର୍ବତନ ଭାରତୀୟ ସ୍ପିନର ଅମିତ ମିଶ୍ରା ତାଙ୍କ ପତ୍ନୀଙ୍କ ଦ୍ୱାରା ଦାୟର କରାଯାଇଥିବା ଘରୋଇ ହିଂସା ଏବଂ ଯୌତୁକ ନିର୍ଯାତନା ମାମଲାରେ ମୁହଁ ଖୋଲିଛନ୍ତି। ସେ ତାଙ୍କ ପରିବାର ସଦସ୍ୟଙ୍କ ବିରୁଦ୍ଧରେ ମାମଲା ରୁଜୁ ହୋଇଥିବା ନେଇ "ଭୁଲ" ଏବଂ "ଅସମ୍ପର୍କିତ" ଗଣମାଧ୍ୟମ ରିପୋର୍ଟକୁ ଦୃଢ଼ ଭାବରେ ଖଣ୍ଡନ କରିଛନ୍ତି। ରିପୋର୍ଟ ଅନୁସାରେ, ମିଶ୍ରାଙ୍କ ପତ୍ନୀ ୧ କୋଟି ଟଙ୍କା କ୍ଷତିପୂରଣ ଦାବି କରିଛନ୍ତି ଏବଂ ଦାବି କରିଛନ୍ତି ଯେ ତାଙ୍କ ପରିବାର ବିବାହ ସମୟରେ ୧୦ ଲକ୍ଷ ଟଙ୍କା ଏବଂ ଏକ କାର ଯୌତୁକ ବାବଦକୁ ଦାବି କରିଥିଲେ।

ମିଶ୍ରା ଏକ୍ସରେ ଏକ ପୋଷ୍ଟ କରି ଲେଖିଛନ୍ତି ଯେ,' ଗଣମାଧ୍ୟମରେ ଯାହା ବି କିଛି ପ୍ରସାରଣ କରାଯାଉଛି, ସେ ନେଇ ମୁଁ ଅତ୍ୟନ୍ତ ମର୍ମାହତ। ମୁଁ ସବୁବେଳେ ଗଣମାଧ୍ୟମକୁ ସମ୍ମାନ ଦେଇଆସିଛି। ଯଦିଓ ଖବର ସତ, କିନ୍ତୁ ମୋର ଯେଉଁ ଫଟୋକୁ ବ୍ୟବହାର କରାଯାଇଛି, ତାହା ସମ୍ପୁର୍ଣ୍ଣ ଭୁଲ ଅଟେ। ମୋର ସମ୍ପର୍କ ନଥିବା କୌଣସି ମନଗଢ଼ା କାହାଣୀ ପାଇଁ ମୋ ଫଟୋର ବ୍ୟବହାର ତୁରନ୍ତ ବନ୍ଦ ହେବା ଉଚିତ, ନଚେତ୍ ମୁଁ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ବାଧ୍ୟ ହେବି।"



ଏହି ଅଭିଜ୍ଞ ସ୍ପିନର ଭାରତ ପାଇଁ ୨୨ଟି ଟେଷ୍ଟ, ୩୬ଟି ଦିନିକିଆ ଏବଂ ୧୦ଟି ଟି-୨୦ ଖେଳି ଯଥାକ୍ରମେ ୭୬, ୬୪ ଏବଂ ୧୬ଟି ୱିକେଟ୍ ନେଇଛନ୍ତି। ଟେଷ୍ଟ କ୍ରିକେଟରେ ତାଙ୍କ ନାଁରେ ଚାରୋଟି ଅର୍ଦ୍ଧଶତକ ମଧ୍ୟ ଅଛି। ତାଙ୍କ ଆଇପିଏଲ୍ କ୍ୟାରିୟର ମଧ୍ୟରେ, ମିଶ୍ରା ଚାରୋଟି ଫ୍ରାଞ୍ଚାଇଜ୍ ପାଇଁ ଖେଳିଛନ୍ତି। ସେଗୁଡ଼ିକ ହେଉଛି ଡେକାନ୍ ଚାର୍ଜର୍ସ, ଦିଲ୍ଲୀ କ୍ୟାପିଟାଲ୍ସ, ସନରାଇଜର୍ସ ହାଇଦ୍ରାବାଦ ଏବଂ ଲକ୍ଷ୍ନୌ ସୁପରଜାଏଣ୍ଟ୍ସ। ୧୬୨ଟି ମ୍ୟାଚ୍ ରେ ସେ ୭.୩୭ ହାରରେ ୧୭୪ଟି ୱିକେଟ୍ ନେଇଛନ୍ତି। ସେ ଏକମାତ୍ର ବୋଲର ଯିଏକି ଆଇପିଏଲ୍ ଇତିହାସରେ ଭିନ୍ନ ଭିନ୍ନ ଦଳ ପାଇଁ ତିନୋଟି ହ୍ୟାଟ୍ରିକ୍ ନେଇଛନ୍ତି।