ନୂଆଦିଲ୍ଲୀ,୨୧।୮: ଠିକ୍ ଠାକ୍ ଅଛି ତ ଖେଳାଳିଙ୍କ ଫିଟନେସ୍ ? ଏକଥା ଜାଣିବା ପାଇଁ ଏବେ ଭାରତୀୟ କ୍ରିକେଟ କନଟ୍ରୋଲ ବୋର୍ଡ ବା ବିସିସିଆଇ ଆରମ୍ଭ କରିବ ନୂଆ ଫିଟନେସ୍ ଟେଷ୍ଟ । ପୂର୍ବରୁ ୟୋ ୟୋ ଟେଷ୍ଟ ଥିଲା। ହେଲେ ଏବେ ଆରମ୍ଭ ହେବ ବ୍ରୋଙ୍କୋ ଟେଷ୍ଟ। ଏହି ଟେଷ୍ଟ ବେଙ୍ଗାଲୁର ସ୍ଥିତି ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ହେବ। ଏହି ଟେଷ୍ଟର ଉଦେଶ୍ୟ ଖେଳାଳିଙ୍କୁ ବିଶେଷ ଭାବରେ ଦ୍ରୁତ ବୋଲରଙ୍କ ଫିଟନେସରେ ସୁଧାର କରିବା।
ଭାରତୀୟ କ୍ରିକେଟ ଟିମ୍ ନିକଟରେ ଇଂଲଣ୍ଡ ଗ୍ରସ୍ତ କରିଥିଲା। ସେଠାରେ ଆୟୋଜକ ଟିମ୍ ବିରୋଧରେ ୫ଟି ଟେଷ୍ଟ ମ୍ୟାଚ ବିଶିଷ୍ଟ ସିରିଜ୍ ଖେଳିଥିଲଲା। ଏହି ଟେଷ୍ଟ ସିରିଜ୍ ଖୁବ୍ ରୋମାଞ୍ଚକର ଥିଲା ଓ ୨-୨ ରେ ଡ୍ର ହୋଇ ଶେଷ ହୋଇଛି। ଭାରତୀୟ ଟିମ୍ର ଯଦି ଫିଟନେସ୍ ଭଲ ରହିଥାନ୍ତା ତେବେ ଏହି ସିରିଜ୍କୁ ମଧ୍ୟ ଜିତିପାରିଥାନ୍ତା, କିନ୍ତୁ ଖରାପ ଫିଲ୍ଠିଂ କାରଣରୁ ବିଫଳ ହୋଇଥିଲା। ଭାରତୀୟ ଖେଳାଳି ଖୁବ୍ କ୍ୟାଚ୍ ଡ୍ରପ୍ କରିଦେଇଥିଲେ, ଯେଉଁ କାରଣରୁ ଇଂଲଣ୍ଡ ସହ ସିରିଜ୍ ଡ୍ର ହୋଇଥିଲା। ଏବେ ଏହାକୁ ଦେଖି ବିସିସିଆଇ ଖେଳାଳିଙ୍କ ଫିଟନେସ୍ ଟେଷ୍ଟ ଆରମ୍ଭ କରିଛି। ୟୋ ୟୋ ପରେ ଏବେ ବ୍ରୋଙ୍କୋ ଟେଷ୍ଟ ଖରାଯିବ। ଇଂଲଣ୍ଡ ବିପକ୍ଷ ସିରିଜରେ ଆକାଶ ଦୀପ ଏବଂ ପ୍ରସିଦ୍ଧ କୃଷ୍ଣଙ୍କ ଫିଟନେସ ଖରାପ ଥିଲା। ଏଥି ଯୋଗୁଁ ଆକାଶ ଲର୍ଡସ ଟେଷ୍ଟ ମ୍ୟାଚରେ ଖେଳିପାରିନଥିଲେ। ଜସପ୍ରୀତ ବୁମରାହ ଓ୍ବାର୍କଲୋଡ୍ ମ୍ୟାନେଜମେଣ୍ଟ କାରଣରୁ କେବଳ ମାତ୍ର ତିନୋଟି ତିନୋଟି ଟେଷ୍ଟ ଖେଳିଥିଲେ। ଦ୍ରୁତ ବୋଲରଙ୍କ ମଧ୍ୟରେ କେବଳ ମହମ୍ମଦ ସିରାଜ ପାଞ୍ଚଟି ଟେଷ୍ଟ ଖେଳିପାରିଥିଲେ। ଏସବୁକୁ ବିଚାର କରି, ଫିଟନେସର ନୂତନ ମାନଦଣ୍ଡ ସ୍ଥାପନ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଭାରତୀୟ ଦଳର ଷ୍ଟେ୍ରନ୍ଥ ଆଣ୍ଡ କଣ୍ଡିସନିଂ କୋଚ୍ ଆଡ୍ରିଆନ୍ ଲେ ରକ୍ସ ବ୍ରୋଙ୍କୋ ଟେଷ୍ଟ ପାଇଁ ପରାମର୍ଶ ଦେଇଥିଲେ। ହେଡ୍ କୋଚ୍ ଗୌତମ ଗମ୍ଭୀର ମଧ୍ୟ ଏଥିରେ ସହମତ ପ୍ରକାଶ କରିଥିଲେ। ଆଡ୍ରିଆନଙ୍କ ମତରେ ଖେଳାଳିମାନେ ଜିମ୍ ଉପରେ ଅତ୍ୟଧିକ ଧ୍ୟାନ ଦେବା ପରିବର୍ତ୍ତେ ଦୌଡ଼ିବା ଉପରେ ଅଧିକ ଧ୍ୟାନ ଦେବା ଉଚିତ। ଫିଟନେସର ମାନକୁ ଆହୁରି ବୃଦ୍ଧି କରିବା ପାଇଁ ବ୍ରୋଙ୍କୋ ଟେଷ୍ଟର ବ୍ୟବହାର ଆରମ୍ଭ କରାଯାଇଛି। ଭାରତୀୟ କ୍ରିକେଟରମାନେ, ବିଶେଷକରି ଦ୍ରୁତ ବୋଲରମାନେ ଅଧିକ ଦୌଡିବାରେ ସକ୍ଷମ ନୁହଁନ୍ତି। ସେଥିପାଇଁ ଏବେ ଖେଳାଳିଙ୍କୁ କୁହାଯାଇଛି ଅଧିକ ସମୟ ଜିମ୍ ନଯାଇ ଦୌଡିବାକୁ ପଡିବ।
ଏବେ ମନରେ ପ୍ରଶ୍ନ ଆସୁଛି ଏ 'ବ୍ରୋଙ୍କୋ ଟେଷ୍ଟ କ'ଣ? ବ୍ରୋଙ୍କୋ ଟେଷ୍ଟରେ, ଖେଳାଳିଙ୍କୁ ପ୍ରଥମେ ୨୦ ମିଟର ସଟଲ୍ ରନ କରିବାକୁ ପଡିବ। ଏହା ପରେ, ୪୦ ମିଟର ଏବଂ ୬୦ ମିଟର ଦୌଡିବାକୁ ପଡିବ। ଏହି ତିନୋଟି ମିଶି ଏକ ସେଟ୍ ଗଠନ କରାଯାଏ। ଖେଳାଳିଙ୍କୁ ନ ଅଟକି ଏପରି ପାଞ୍ଚଟି ସେଟ୍ ସମାପ୍ତ କରିବାକୁ ପଡିବ। ଭାରତୀୟ ଖେଳାଳିମାନଙ୍କୁ ୬ ମିନିଟ୍ ମଧ୍ୟରେ ଏହି ପରୀକ୍ଷା ଶେଷ କରିବାକୁ ପଡିବ, ଯେଉଁଥିରେ ସେମାନେ ପ୍ରାୟ ୧୨୦୦ ମିଟର ଦୂରତା ଅତିକ୍ରମ କରିବେ। ଏହା ପୂର୍ବରୁ ଖେଳାଳିଙ୍କର ଫିଟନେସ୍ ଜାଣିବାକୁ ୟୋ-ୟୋ ଟେଷ୍ଟ ହେଉଥିଲା।୨କିଲୋମିଟର ଟାଇମ୍ ଟ୍ରାଏଲରେ ଦ୍ରୁତ ବୋଲରମାନଙ୍କ ପାଇଁ ଏହି ସମୟ ୮ ମିନିଟ୍ ୧୫ ସେକେଣ୍ଡ ରଖାଯାଏ। ତେବେ ଅନ୍ୟ ଖେଳାଳିମାନଙ୍କ ପାଇଁ ଏହା ୮ ମିନିଟ୍ ୩୦ରହିଥାଏ। ଏବେ ୟୋ-ୟୋ ଟେଷ୍ଟ, ୨ କିଲୋମିଟର ଟାଇମ୍ ଟ୍ରାଏଲ୍ ଏବଂ ବ୍ରୋଙ୍କୋ ଟେଷ୍ଟ ମାଧ୍ୟମରେ ଭାରତୀୟ ଖେଳାଳିଙ୍କ ଫିଟନେସ୍ ମୂଲ୍ୟାଙ୍କନ କରାଯିବ...