ନୂଆଦିଲ୍ଲୀ, ୧୮।୨: ଯଦି ଗୋଟିଏ ଦେଶ ଅନ୍ୟ ଦେଶକୁ ନିଜର ବନ୍ଧୁ ବୋଲି ଭାବେ ଏବଂ ତାକୁ ସାହାଯ୍ୟ କରେ, ଏହାଠୁ ବଡ଼ କଥା ଆଉ କିଛି ନାହିଁ । ଭାରତ ଏବଂ ଆଫଗାନିସ୍ତାନ ମଧ୍ୟରେ ଦୃଢ଼ ସମ୍ପର୍କକୁ ପ୍ରଦର୍ଶନ କରୁଥିବା ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । ନିକଟରେ ଆଫଗାନିସ୍ତାନ ଗସ୍ତ କରିଥିବା ଜଣେ ଭାରତୀୟଙ୍କ ଏକ ଭିଡିଓ ଭାଇରାଲ ହେଉଛି । ଜଣେ ଜୁସ୍ ବିକ୍ରେତା ଜଣେ ଭାରତୀୟଙ୍କୁ ନିଜ ଭାଇ ଭାବେ ସମ୍ୱୋଧନ କରୁଛନ୍ତି ଏବଂ ତାଙ୍କଠୁ ଜୁସ୍ର ଟଙ୍କା ନେବାକୁ କରିବାକୁ ମନା କରୁଛନ୍ତି । ଏହି ଭିଡିଓରେ ଯେତେବେଳେ ବ୍ୟକ୍ତି ଜଣକ ଦୋକାନୀକୁ ଜୁସ୍ ମାଗୁଛନ୍ତି, ସେ ଜୁସ୍ ପ୍ରସ୍ତୁତ କରିବା ସମୟରେ ସେ କହନ୍ତି "ଭାରତ ଏକ ଭଲ ଦେଶ" ଏବଂ "ଆଫଗାନିସ୍ତାନ ଏବଂ ଭାରତ ଭାଇ ଭାଇ" ପଚାରନ୍ତି । ଏହା ପରେ ଭାରତୀୟ ଜଣକ ଜୁସ୍ ନେଇ ତାଙ୍କୁ ଟଙ୍କା ଦେବାକୁ କହିବାରୁ ସେ ଟଙ୍କା ନେବାକୁ ମନା କରିଦିଅନ୍ତି । ସେ କହନ୍ତି, “ତୁମେ ପର୍ଯ୍ୟଟକ ନୁହଁ, ତୁମେ ଆମ ଅତିଥି ।”
ଏହା ବି ପଢ଼ନ୍ତୁ... ୮୦ କୋଟି ଲୋକଙ୍କ ରାସନ ବ୍ୟବସ୍ଥାକୁ ବଦଳାଇ ଦେବ AI,ବିଳମ୍ବ ଏବଂ ବାହାନା ଭଳି ଅଭିଯୋଗରେ ଲାଗିବ ରୋକ
ଏହି ଭିଡିଓରେ ଆଫଗାନ ବ୍ୟକ୍ତି ଜଣକ ଭାରତୀୟଙ୍କ ସହ ଯେଉଁ ଉଦାରତାର ସହିତ ବ୍ୟବହାର କରୁଛନ୍ତି ତାହା ଦେଖି, ଭାରତୀୟ ଜଣକ ତାଙ୍କ ଇନଷ୍ଟା ରିଲ୍ରେ ଲେଖିଛନ୍ତି, "ସେମାନେ ଆମକୁ ପର୍ଯ୍ୟଟକ ଭାବରେ ନୁହେଁ, ବରଂ ଅତିଥି ଭାବରେ ଦେଖନ୍ତି ।" ଅଜୟ କୁମାର ସିଂହ (@travelmantra_ajay) ଏହି ରିଲ୍କୁ ଇନଷ୍ଟାଗ୍ରାମରେ ପୋଷ୍ଟ କରି ଲେଖିଛନ୍ତି, "ଆଫଗାନିସ୍ତାନ ଭାରତକୁ କେତେ ଭଲ ପାଏ ! ସେମାନେ ଭାରତୀୟମାନଙ୍କୁ ପର୍ଯ୍ୟଟକ ଭାବରେ ଦେଖନ୍ତି ନାହିଁ, ଅତିଥି ବୋଲି ଭାବନ୍ତି ।" ଅଜୟ ପ୍ରଥମେ ଏହି ଭିଡିଓଟିକୁ ୨୯ ଡିସେମ୍ବର, ୨୦୨୫ରେ ଇନଷ୍ଟାଗ୍ରାମରେ ପୋଷ୍ଟ କରିଥିଲେ ଏବଂ ଏହାକୁ ସାଢ଼େ ୫ ଲକ୍ଷରୁ ଅଧିକ ଭ୍ୟୁ ମିଳିଥିଲା । ସେ ଏହାକୁ ବର୍ତ୍ତମାନ ରି ସେୟାର ଅର୍ଥାତ୍ ପୁନଃ ସେୟାର କରିଛନ୍ତି, ଯାହା ଏହାକୁ ଭାଇରାଲ କରିଛି ।
ଭାରତ ଏବଂ ଆଫଗାନିସ୍ତାନ ଭଲ ବନ୍ଧୁ କାହିଁକି ?
ଯେକୌଣସି ଦେଶ ତାର ଦୃଢ଼ କୂଟନୀତି ମାଧ୍ୟମରେ ବନ୍ଧୁତା ସୃଷ୍ଟି କରେ । ଭାରତ ମଧ୍ୟ ବିଶ୍ୱ ରାଜନୀତିରେ ଅନେକ ଭଲ ବନ୍ଧୁ ସୃଷ୍ଟି କରିଛି । ଆଫଗାନିସ୍ତାନ ସେମାନଙ୍କ ମଧ୍ୟରୁ ଗୋଟିଏ । ଆସନ୍ତୁ ଜାଣିବା ଭାରତ ଏପର୍ଯ୍ୟନ୍ତ ଆଫଗାନିସ୍ତାନକୁ କେଉଁ କେଉଁ ସାହାଯ୍ୟ କରିଛି । ଆଫଗାନିସ୍ତାନର କାବୁଲରେ ସଂସଦ ଭବନ ନିର୍ମାଣ କରିଛି ଭାରତ । ଭାରତ-ଆଫଗାନିସ୍ତାନ ବନ୍ଧୁତାର ପ୍ରତୀକ ଭାବେ ସାଲମା ଡ୍ୟାମ ନିର୍ମାଣ କରାଯାଇଥିଲା । ଆଫଗାନିସ୍ତାନରେ ବିଦ୍ୟୁତ୍ ପରିବହନ ଲାଇନ ଏବଂ ସବଷ୍ଟେସନ ମଧ୍ୟ ନିର୍ମାଣ କରିଛି ଭାରତ । ଭାରତ ଆଫଗାନ ଛାତ୍ରମାନଙ୍କ ପାଇଁ ଛାତ୍ରବୃତ୍ତି ଏବଂ ତାଲିମ କାର୍ଯ୍ୟକ୍ରମ ମଧ୍ୟ ଚଳାଇଛି । ଭାରତ ଆଫଗାନିସ୍ତାନରେ ଡାକ୍ତରଖାନା, ସ୍କୁଲ ଏବଂ କମ୍ୟୁନିଟି ହଲ୍ଠାରୁ ଆରମ୍ଭ କରି ଅନେକ ଛୋଟ ବିକାଶ ପ୍ରକଳ୍ପରେ ମଧ୍ୟ କାମ କରିଛି । ଭାରତ ଆଫଗାନିସ୍ତାନରେ ଜରଞ୍ଜ-ଦେଲାରାମ ରାଜପଥ ନିର୍ମାଣ କରିଛି, ଏହା ଏକ ରଣନୈତିକ ରାସ୍ତା ଯାହା ଇରାନ ସୀମା ସହିତ ସଂଯୋଗୀକରଣକୁ ବୃଦ୍ଧି କରୁଛି । ଆଜି ବି ଭାରତ ଆଫଗାନିସ୍ତାନର ଲୋକଙ୍କ ଖରାପ ପରିସ୍ଥିତିରେ ତାଙ୍କ ସହ ଛିଡ଼ା ହୋଇଛି । ଏହି କାରଣରୁ ଦୁଇ ଦେଶ ମଧ୍ୟରେ ଏକ ଅତ୍ୟନ୍ତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସମ୍ପର୍କ ରହିଛି ।