ନୂଆଦିଲ୍ଲୀ - ଆମେରିକାର ଜର୍ଜିଆରେ ଏକ ପାରିବାରିକ ବିବାଦ ଚାରି ଜଣଙ୍କ ହତ୍ୟାର କାରଣ ସାଜିଛି। ଏହି ସମ୍ପୂର୍ଣ ଘଟଣା ପଛରେ ଲୋମ ଟାଙ୍କୁରା କାହାଣୀ ସାମ୍ନାକୁ ଆସିଛି। ୫୧ ବର୍ଷୀୟ ବ୍ୟକ୍ତି ଘରୋଇ ଝଗଡ଼ା ପରେ ତାଙ୍କ ପତ୍ନୀ ଏବଂ ଆଉ ତିନିଜଣ ସଂପର୍କୀୟଙ୍କୁ ଗୁଳି କରିଦେଇ ଥିଲେ। ପୁଲିସ ତାଙ୍କୁ ଗିରଫ କରିଛି। ଗ୍ୱିନେଟ୍ କାଉଣ୍ଟି ପୁଲିସ ଶୁକ୍ରବାର ଏକ ସୋସିଆଲ ମିଡିଆ ପୋଷ୍ଟରେ କହିଛି ଯେ, ବିଜୟ କୁମାର ନାମକ ଜଣେ ବ୍ୟକ୍ତି, ତାଙ୍କ ପତ୍ନୀ ମୀମୁ ଡୋଗରା (୪୩ ବର୍ଷ), ସମ୍ପର୍କୀୟ ଗୌରବ କୁମାର , ନିଧି ଚାନ୍ଦେର ଏବଂ ହରିଶ ଚାନ୍ଦେରଙ୍କୁ ଗୁଳି କରି ହତ୍ୟା କରିଛନ୍ତି ।
ଏହାସହ ମଧ୍ୟ ପଢନ୍ତୁ : ମହିଳାଙ୍କ ଚିତ୍କାର ଶୁଣି କ୍ଷେତରେ ପହଞ୍ଚିଲା ପୁଲିସ୍, ବନ୍ଧା ହୋଇ ଥିଲା ହାତ-ଗୋଡ଼
ସେଦିନ କ’ଣ ଘଟିଥିଲା ?
ପୁଲିସ କହିଛି ଯେ, ସେହିଦିନ କୁମାର ଏବଂ ଡୋଗରାଙ୍କ ମଧ୍ୟରେ ଅଟଲାଣ୍ଟା ସ୍ଥିତ ଘରେ ଝଗଡ଼ା ହୋଇ ଥିଲା। ଏହାପରେ ସେମାନେ ସମସ୍ତେ ବ୍ରୁକ୍ ଇଭିରେ ଥିବା ଜଣେ ସମ୍ପର୍କୀୟଙ୍କ ଘରକୁ ଯାଇଥିଲେ।ତାଙ୍କ ସହ ସେମାନଙ୍କର ୧୨ ବର୍ଷର ପୁଅ ମଧ୍ୟ ଥିଲା। ଏଠାରେ ଗୌରବ, ନିଧି ଓ ହରିଶ ରହୁଥିଲେ। ସେମାନଙ୍କ ସହ ଜଣେ ସାତ ବର୍ଷର ଏବଂ ଆଉ ଜଣେ ୧୦ ବର୍ଷର ପିଲା ମଧ୍ୟ ରହୁ ଥିଲେ। ଗୁଳିକାଣ୍ଡ ପରେ କୁମାରଙ୍କ ପୁଅ ପ୍ରଥମେ ୯୧୧ କୁ ଫୋନ୍ କରିଥିଲେ।
ଆଲମାରୀ ଭିତରେ ଲୁଚି ରହିଥିଲେ ତିନି ଜଣ ପିଲା-
ପୁଲିସ ଅନୁସାରେ- ପିଲାଟିକୁ ଜଣା ନଥିଲା ଯେ, କେଉଁ କଥାକୁ ନେଇ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା ଏବଂ ସେ ଏଠାକୁ କାହିଁକି ଆସିଲେ। ପୁଲିସ ପହଞ୍ଚିବା ପରେ ସେଠାରେ ୪ଟି ମୃତଦେହ ଥିବାର ଦେଖିଲା। ଘର ଭିତରେ ତିନି ଜଣ ପିଲା ଏକ ଆଲମାରୀ ଭିତରେ ଲୁଚି ରହିଥିଲେ।
ପୁଲିସର କହିବାନୁସାରେ , ଏହି ଘଟଣା ପଛର ଉଦ୍ଦେଶ୍ୟ ଏପର୍ଯ୍ୟନ୍ତ ଜଣାପଡି ନାହିଁ । ଅଟଲାଣ୍ଟା ସ୍ଥିତ ଭାରତୀୟ ବାଣିଜ୍ୟ ଦୂତାବାସ ଗୁଳିକାଣ୍ଡ ଘଟଣାରେ ଦୁଃଖ ପ୍ରକାଶ କରି କହିଛି ଯେ, ଅଭିଯୁକ୍ତ ଆକ୍ରମଣକାରୀକୁ ଗିରଫ କରାଯାଇଛି ଏବଂ ପୀଡିତ ପରିବାରକୁ ସମସ୍ତ ପ୍ରକାରର ସହାୟତା ଯୋଗାଇ ଦିଆଯାଉଛି।