ନୂଆଦିଲ୍ଲୀ,୦୨/୦୬; ଆଉ ମାତ୍ର ଦିନ କେଇଟା ପରେ ଆରମ୍ଭ ହେବ ୨୩ତମ ଫିଫା ବିଶ୍ୱକପ୍ । ସମଗ୍ର ବିଶ୍ୱ ଫୁଟବଲ୍ ପ୍ରେମୀ ବିଶ୍ୱକପ୍କୁ ନେଇ ଉତ୍ସାହିତ । ଭାରତ ମଧ୍ୟ ଏଥିରୁ ବାଦ ଯାଇ ନାହିଁ । ଯଦିଓ ଭାରତୀୟ ଦଳ ପ୍ରତିଥର ଭଳି ବିଶ୍ୱକପ୍କୁ ଯୋଗ୍ୟତା ଅର୍ଜନ କରିବାରେ ବିଫଳ ହୋଇଛି, ତଥାପି ଅଗଣିତ ଫୁଟବଲ ପ୍ରେମୀ ବିଶ୍ୱକପର ରୋମାଞ୍ଚକର ମୁକାବିଲା ଓ ପ୍ରିୟ ଖେଳାଳିମାନଙ୍କୁ ଦେଖିବା ପାଇଁ ଆଗ୍ରହର ସହ ଅପେକ୍ଷା କରିଛନ୍ତି । ଭାରତ ବିଶ୍ୱକପ୍ ଖେଳୁ ନଥିଲେ ମଧ୍ୟ ଏଥର କିଛି ଭାରତୀୟ ବଂଶୋଦ୍ଭବ ବିଶ୍ୱକପ ଖେଳିବେ । ଶେଷ ଥର ପାଇଁ ଭାରତୀୟ ବଂଶୋଦ୍ଭବ ଭାବେ ବିକାଶ ଧୋରାସୁ ୨୦୦୬ ବିଶ୍ୱକପ୍ରେ ଫ୍ରାନ୍ସ ଦଳର ସଦସ୍ୟ ରହିଥିଲେ । ଏଥର ୩ଜଣ ଭାରତୀୟ ବଂଶୋଦ୍ଭବ ଖେଳାଳି ଭିନ୍ନ ଭିନ୍ନ ଦଳରେ ରହିଛନ୍ତି ।
ଶରପ୍ରୀତ ସିଂହ(ନ୍ୟୁଜିଲାଣ୍ଡ)- ନ୍ୟୁଜିଲାଣ୍ଡ ଏଥର ଏସନିଆ ଗ୍ରୁପରୁ ବିଶ୍ୱକପ୍ ଟିକେଟ୍ ହାସଲ କରିଛି । ନ୍ୟୁଜିଲାଣ୍ଡ ବିଶ୍ୱକପ୍ ଦଳରେ ରହିଛନ୍ତି ଭାରତୀୟ ବଂଶୋଦ୍ଭବ ଶରପ୍ରୀତ ସିଂହ । ଦଳର ସେ ମୁଖ୍ୟ ମିଡ୍ ଫିଲ୍ଡର । ଶରପ୍ରୀତ ଅକଲାଣ୍ଡ ଜନ୍ମିତ ଓ ସ୍ଥାୟୀ ବାସିନ୍ଦା । ତାଙ୍କ ପୂର୍ବଜ ଭାରତର ପଞ୍ଜାବ ସହରରେ ଅବସ୍ଥାନ କରୁଛନ୍ତି । ଶରପ୍ରୀତ ଭାରତ ପକ୍ଷରୁ ଖେଳିବା ପାଇଁ ମଧ୍ୟ ଯୋଗ୍ୟ । ମାତ୍ର ସେ ନ୍ୟୁଜାଲାଣ୍ଡକୁ ଚୟନ କରିଛନ୍ତି । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ ୨୦୧୯ରେ ବାୟର୍ନ ମ୍ୟୁନିଜ୍ ପକ୍ଷରୁ ବୁନ୍ଦେସ ଲିଗା ଖେଳିଥିଲେ । ବର୍ତ୍ତମାନ ସେ ପର୍ତ୍ତୁଗାଲ କ୍ଲବ୍ ଉନିଆଓ ଡି ଲେରିଆ ପକ୍ଷରୁ ଖେଳୁଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ଶରପ୍ରୀତ ୨୬ଟି ମ୍ୟାଚ ଖେଳି ୩ଟି ଗୋଲ୍ କରିବା ସହ ୭ଟି ଗୋଲରେ ସହାୟତା କରିଛନ୍ତି ।
ତହସିନ ମହମ୍ମଦ ଜାମସିଦ (କତାର୍)- କତାର ଦଳରେ ଯୁବ ୱିଙ୍ଗର ଭାବେ ସ୍ଥାନ ପାଇଛନ୍ତି ତଦସିନ ମହମ୍ମଦ ଜାମସିଦ । ବୟସ ମାତ୍ର ୧୯ ବର୍ଷ । ପ୍ରଥମ ଭାରତୀୟ ବଂଶୋଦ୍ଭବ ଭାବେ ସେ କତାର ଷ୍ଟାର୍ସ ଲିଗ୍ ଖେଳୁଛନ୍ତି ସମ୍ପ୍ରତ୍ତି ଚର୍ଚ୍ଚାରେ ଅଛନ୍ତି । ଜାମସିଦ କତାରରେ ଜନ୍ମ ଗ୍ରହଣ କରିଥିଲେ ହେଁ ତାଙ୍କ ପରିବାର କେରଳର କୁନ୍ନୁର ଅଞ୍ଚଳରେ ରହୁଛନ୍ତି । ଜାମସିଦଙ୍କ ବାପା ଜଣେ ପେସାଦାର ଫୁଟବଲ ଖେଳାଇ ଥିଲେ । ବିଶ୍ୱକପ ପାଇଁ ଘୋଷଣା କରାଯାଇଥିବା ପ୍ରାଥମିକ ୩୪ ଜଣିଆ ଦଳରେ ଜାମସିଦଙ୍କୁ ସ୍ଥାନ ମିଳିଛି । ଚୂଡାନ୍ତ ୨୬ ଜଣଆ ଦଳ ଘୋଷଣା ହୋଇନଥିଲେ ବି ଜାମସିଦ ସ୍ଥାନ ବଜାୟ ରଖିବା ଏକ ପ୍ରକାର ନିଶ୍ଚିତ । ଜାମସିଦ ଦୋହା ସ୍ଥିତ ଅଲ୍ ଦୁହୈଲ କ୍ଲବ ପକ୍ଷରୁ ଖେଳୁଛନ୍ତି । ନିଜର ଡ୍ରିବଲ୍ କୌଶଳ, ବଲ୍ ନିୟନ୍ତ୍ରଣ ଓ ଦ୍ରୁତ ବେଗକୁ ନେଇ ବେଶ୍ ଚର୍ଚ୍ଚିତ ।
ଏହା ବି ପଢନ୍ତୁ...FIFA World Cup 2026: ZEE ଟିଭି ହାତେଇଲା ଫିଫା ବିଶ୍ବକପ୍ ପ୍ରସାରଣ ଅଧିକାର, ୩୯ଟି ଟୁର୍ଣ୍ଣାମେଣ୍ଟ ପାଇଁ ଚୁକ୍ତି
ନିଆଲ ମାସୋନ (କତାର)- କତାର ପକ୍ଷରୁ ଖେଳିବାକୁ ଯାଉଥିବା ଆଉ ଜଣେ ଭାରତୀୟ ବଂଶୋଦ୍ଭବ ହେଉଛନ୍ତି ନିଆଲ ମାସନ । ନିଆଲଙ୍କ ମା ଭାରତୀୟ ଓ ବାପା ଆମେରିକୀୟ । ନିଆଲ ଡିଫେଣ୍ଡର ଭାବେ ଦଳରେ ସ୍ଥାନ ପାଇବା ଏକ ପ୍ରକାର ନିଶ୍ଚିତ । ସେ ପୂର୍ବରୁ ରିୟଲ ମାଦ୍ରିଦ, ସାଉତମ୍ପଟନ ଓ ଆଷ୍ଚନ ଭିଲ୍ଲା ଏକାଡେମୀରେ ପ୍ରଶିକ୍ଷଣ ନେଇ ସାରିଛନ୍ତି । ଇଂଲିଶ ଫୁଟବଲ କ୍ଲବ ଡନକାଷ୍ଟର ରୋଭର୍ସ ଓ ପିଟରବର୍ଗ ୟୁନାଇଟେଡ୍ ପକ୍ଷରୁ ଖେଳି ସାରିଛନ୍ତି ମାସୋନ । ୨୦୧୧ରୁ ସେ କତାର ନାଗରିକତ୍ୱ ହାସଲ କରିସାରିଛନ୍ତି ।