ନୂଆଦିଲ୍ଳୀ,୨୫।୬: ଭାରତୀୟ ପାସପୋର୍ଟ ଯାତ୍ରା କରିବାର ଏକ ଦସ୍ତାବିଜ। ଏହା ନାଗରିକତାର ପ୍ରମାଣ ନୁହେଁ। ବୈଦେଶିକ ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ ପାସପୋର୍ଟ ସେବା ଦିବସ ଅବସରରେ ଏହା କହିଛନ୍ତି। ତାଙ୍କର ଏହି ବୟାନ ପରେ ସୋସିଆଲ ମିଡିଆରେ ବିତର୍କ ଆରମ୍ଭ ହୋଇଯାଇଛି। ଲୋକେ ପଚାରିବାରେ ଲାଗିଛନ୍ତି ଯଦି ପାସପୋର୍ଟ, ଆଧାର କାର୍ଡ ଓ ଭୋଟର ଆଇଡି କାର୍ଡ ନାଗରିକତାର ପ୍ରମାଣ ନୁହେଁ, ତା ହେଲେ ପ୍ରକୃତ ପ୍ରମାଣ କ’ଣ ?

ପାସପୋର୍ଟ ନାଗରିକତାର ପ୍ରମାଣ ନୁହେଁ। ଏହା କୌଣସି ନୂଆ କଥା ନୁହେଁ। ଏହି କଥା ଗତ ବର୍ଷ ଆଇନରେ ମଧ୍ୟ ଲେଖା ହୋଇଛି। ପାସପୋର୍ଟକୁ ନେଇ ଗୋଟିଏ କଥା ବାରମ୍ବାର କୁହାଯାଇଛି। ତାହା ହେଲା ଏହା କୌଣସି ଭାରତୀୟଙ୍କ ନାଗରିକତା ପ୍ରମାଣ ପତ୍ର ନୁହେଁ।  ପାସପୋର୍ଟ କେବଳ ଏକ ଯାତ୍ରା ଦସ୍ତାବିଜ। ନାଗରିକତାର ଅନ୍ତିମ ପ୍ରମାଣ ପତ୍ର ନୁହେଁ।

କ’ଣ କୁହେ ପାସପୋର୍ଟ ଆକ୍ଟ ?

ପାସପୋର୍ଟ ଆକ୍ଟ ୧୯୬୭ର ଧାରା ୨୦ରେ ସ୍ପଷ୍ଟ ଭାବରେ ଲେଖାଯାଇଛି ଯେ, କେନ୍ଦ୍ର ସରକାର ଯଦି ଚାହିଁବେ ତେବେ ଏଭଳି ବ୍ୟକ୍ତିଙ୍କୁ ବି ପାସପୋର୍ଟ କିମ୍ବା ଯାତ୍ରା ଦସ୍ତାବିଜ ଦେଇପାରିବେ, ଯିଏକି ଭାରତର ନାଗରିକ ନୁହଁନ୍ତି। ସର୍ତ୍ତ କେବଳ ଏହା ଯେ, ଏହା ଜନସ୍ବାର୍ଥ ଦିଗରେ ଜରୁରୀ। ଅର୍ଥାତ ଆଇନ ନିଜେ ମାନୁଛି ଯେ, ପାସପୋର୍ଟ ଭାରତୀୟ ନାଗରିକଙ୍କୁ ହିଁ ମିଳିଥାଏ। କିନ୍ତୁ ଏହା ଏକ କଠୋର ନିୟମ ନୁହେଁ। ଧାରା ୨୦ ରେ ଛାଡ଼ ପାଇଁ ବ୍ୟବସ୍ଥା କରାଯାଇଛି।

ବମ୍ବେ ହାଇକୋର୍ଟଙ୍କ ରାୟ

୨୦୧୩ ରେ ଏକ ରାୟରେ, ବମ୍ବେ ହାଇକୋର୍ଟ ମଧ୍ୟ ସ୍ପଷ୍ଟ ଭାବରେ କହିଥିଲେ ଯେ ପାସପୋର୍ଟ ଥିବାର ଅର୍ଥ ଜଣେ ବ୍ୟକ୍ତି ଭାରତୀୟ ନାଗରିକ ନୁହେଁ। କୋର୍ଟ କହିଥିଲେ ଯେ ପାସପୋର୍ଟକୁ ନାଗରିକତାର ପ୍ରମାଣ ଭାବରେ ଦେଖାଯାଇପାରିବ ନାହିଁ।

ଜନ୍ମ ଓ ବଂଶରୁ ନାଗରିକତା

୨୬ ଜାନୁଆରୀ ୧୯୫୦ ଏବଂ ୧ ଜୁଲାଇ ୧୯୮୭ ମଧ୍ୟରେ ଭାରତରେ ଜନ୍ମିତ ଯେକୌଣସି ବ୍ୟକ୍ତିଙ୍କୁ ନାଗରିକତା ମିଳିଛି। ୧୯୮୭ ଏବଂ ୨୦୦୩ ମଧ୍ୟରେ, ଯଦି ପିତାମାତାଙ୍କ ମଧ୍ୟରୁ ଜଣେ ଭାରତୀୟ ନାଗରିକ ରହିଥାନ୍ତି ତେବେ ବି ନାଗରିକତା ପ୍ରଦାନ କରାଯାଉଥିଲା। ୨୦୦୩ ପରେ, ଉଭୟ ପିତାମାତା ଭାରତୀୟ ନାଗରିକ ହୋଇଥିବେ, କିମ୍ବା ଜଣେ ନାଗରିକ ଥିବେ ଏବଂ ଅନ୍ୟ ଜଣେ ବେଆଇନ ପ୍ରବାସୀ ନଥିବେ ତାଙ୍କୁ ଭାରତୀୟ କୁହାଯିବ। ବିଦେଶରେ ଜନ୍ମିତ ଶିଶୁ ମଧ୍ୟ ଭାରତୀୟ ପିତାମାତାଙ୍କ  ବଂଶାନୁକ୍ରମ ଆଧାରରେ ନାଗରିକତା ହାସଲ କରିପାରିବେ, ଯଦି ଜନ୍ମର ଗୋଟିଏ ବର୍ଷ ମଧ୍ୟରେ ଭାରତୀୟ ଦୂତାବାସରେ ପଞ୍ଜିକୃତ ହୋଇଥାଏ।

ପଞ୍ଜୀକରଣ ଏବଂ ପ୍ରାକୃତିକୀକରଣ ମାଧ୍ୟମରେ ନାଗରିକତା

ଭାରତୀୟ ବଂଶୋଦ୍ଭବଙ୍କ ପାଇଁ କିଛି ଖାସ୍ ସ୍ଥିତିରେ ଆବେଦନ କରି ପଞ୍ଜୀକରଣ ଜରିଆରେ ନାଗରିକତା ମିଳିପାରିବ। କୌଣସି ବିଦେଶୀ ନାଗରିକ ଯେଉଁମାନେ ବେଆଇନ ପ୍ରବାସୀ ନହୋଇଥିବେ, ଯଦି ଭାରତରେ ଲଗାତାର ୧୨ ବର୍ଷ ରୁହନ୍ତି ତେବେ କେନ୍ଦ୍ର ସରକାର ତାଙ୍କୁ ନାଚୁରଲାଇଜେସନ୍ ସାର୍ଟିଫିକେଟ୍ ଦେଇପାରନ୍ତି। ଶପଥ ନେବାପରେ ସେହି ବ୍ୟକ୍ତି ଭାରତର ନାଗରିକ ହୋଇଯାଇଥାନ୍ତି।

ଅଞ୍ଚଳ ମିଶ୍ରଣ ଦ୍ୱାରା ନାଗରିକତା

ଯଦି କୌଣସି ନୂଆ ଅଞ୍ଚଳର ଭାରତରେ ସାମିଲ ହୁଏ ତେବେ ସେଠାର ଲୋକଙ୍କୁ ବି ସରକାରଙ୍କ ନିର୍ଦେଶ ଜରିଆରେ ନାଗରିକତା ଦିଆଯାଇପାରେ।

ନାଗରିକତାର ପ୍ରମାଣ

ଭାରତୀୟ ନାଗରିକତାର ଆଇନଗତ ଆଧାର ହେଉଛି ନାଗରିକତା ଆଇନ, ୧୯୫୫ ଯାହା ନିର୍ଣ୍ଣୟ କରେ ଯେ ଭାରତର ନାଗରିକ କିଏ ? ପାଞ୍ଚଟି ପ୍ରକ୍ରିୟା ମାଧ୍ୟମରେ ନାଗରିକତା କିପରି ଅର୍ଜନ କରାଯାଏ ? ଏହି ପ୍ରକ୍ରିୟା ପରେ ଜାରି ହୋଇଥିବା ନାଗରିକତା ପ୍ରମାଣପତ୍ର ହେଉଛି ନାଗରିକତାର ଆନୁଷ୍ଠାନିକ ପ୍ରମାଣପତ୍ର। ପାସପୋର୍ଟ, ଆଧାର, ଭୋଟର ପରିଚୟପତ୍ର ଏବଂ ପାନକାର୍ଡ କେବଳ ପରିଚୟ ପତ୍ର। ପାସପୋର୍ଟ ଆଇନ,୧୯୬୭ ର ଧାରା ୨୦, ଅନୁସାରେ ବିଶେଷ ପରିସ୍ଥିତିରେ ଅଣ-ନାଗରିକମାନଙ୍କୁ ପାସପୋର୍ଟ ପ୍ରଦାନ କରିବାକୁ ଅନୁମତି ଦିଏ, ତେଣୁ ପାସପୋର୍ଟକୁ ନାଗରିକତାର ଚୂଡ଼ାନ୍ତ ଆଇନଗତ ପ୍ରମାଣ ଭାବରେ ଗ୍ରହଣ କରାଯିବ ନାହିଁ।