ଅନେକ ସମୟରେ ଆମେ ଗର୍ବର ସହିତ କହିଥାଉ ଆମ ଐତିହ୍ୟ ସମୃଦ୍ଧ, ଆମ ପରମ୍ପରା ଉଜ୍ଜ୍ୱଳମୟ । ଏହି ସମୃଦ୍ଧ ଐତିହ୍ୟ ବିମଣ୍ଡିତ ପରମ୍ପରା ଆମେ ଆମ ପୂର୍ବଜଙ୍କଠାରୁ କେବଳ ଉତ୍ତରାଧିକାରୀ ସୂତ୍ରରେ ପାଇନାହୁଁ, ବରଂ ଏକ ଜୀବନ୍ତ ନୈତିକ ସମ୍ବଳ ଭାବରେ ଏହା ଆମ ଜୀବନଧାରାର ଭିନ୍ନ ଭିନ୍ନ କାର୍ଯ୍ୟଧାରାକୁ ନିୟନ୍ତ୍ରିତ କରିଆସିଛି । ଏହା ମଧ୍ୟରେ ରହିଛି ଜଳବାୟୁ ନୈତିକତା, ଧୀମତ୍ତା ବା ବିଜ୍ଞ ବୋଧଶକ୍ତି ଓ ନୈତିକ ନେତୃତ୍ୱ । ଆମ ଦେଶର ସର୍ବପ୍ରାଚୀନତମ ବେଦ ଋକ୍ ବେଦର ସ୍ତୋତ୍ରରେ କୁହାଯାଇଛି ‘ମଧୁବାତା ଋତାୟତେ ମଧୁ କ୍ଷରନ୍ତି ସିନ୍ଧବଃ’ । ସଂପୂର୍ଣ୍ଣ ଶ୍ଳୋକଟିର ଅର୍ଥ ହେଉଛି “ପୃଥିବୀବାସୀଙ୍କ ନିମନ୍ତେ ବାୟୁମଣ୍ଡଳ ମଧୁଭରା ହେଉ, ନଦୀମାନେ ମଧୁପ୍ରବାହୀ ହୁଅନ୍ତୁ । ଔଷଧୀୟ ଗଛ ଅମୃତ ସ୍ୱରୂପ ମଧୁମୟ ହୁଅନ୍ତୁ । ବନସ୍ପତି ମଧୁଧାରା ପ୍ରଦାନ କରୁ । ସୂର୍ଯ୍ୟକିରଣ ମଧୁବର୍ଷା କରୁ । ସକଳ ଜାଗତିକ ବସ୍ତୁ ମଧୁମୟ ହେଉ ।” କିନ୍ତୁ ଏବେ ବିପରୀତର କବଜାରେ ସମୟ, ପୃଥିବୀ ଏବଂ ଆମେ ପୃଥିବୀବାସୀ । ବାୟୁମଣ୍ଡଳ ବିଷଭରା, ନଦୀଜଳ ପ୍ରଦୂଷିତ, ଆକାଶ ଓ ସୂର୍ଯ୍ୟକିରଣ ମଧୁବର୍ଷା ନକରି ଅଗ୍ନିବର୍ଷା କରୁଛନ୍ତି । ଋକ୍ ବେଦର ଏହି ଶ୍ଳୋକ ବା ସ୍ତୋତ୍ରଟି ବିଶ୍ୱଚେତନାରେ ଉଦ୍ବୁଦ୍ଧ । ପୂର୍ବକାଳରେ ମୁନିଋଷିମାନେ କେବଳ ନିଜପାଇଁ ବା ଆମ ଦେଶପାଇଁ ନୁହେଁ³ ବରଂ ସମଗ୍ର ବିଶ୍ୱର ପରିବେଶ ନିମନ୍ତେ ଚିନ୍ତା ପ୍ରକଟ କରୁଥିଲେ । ଏହାର କାରଣ ହେଇପାରେ, ପରିବେଶର କୌଣସି ଭୌଗୋଳିକ ସୀମା ସରହଦ ନାହିଁ । କୌଣସି ସ୍ଥାନରେ ପରିବେଶ ଅସନ୍ତୁଳିତ ହେଲେ ସଂକ୍ରାମକ ରୋଗ ପରି ତାହା ଅନ୍ୟତ୍ର ବ୍ୟାପିଯିବ । ବୈଦିକ ସଂସ୍କୃତିର ପ୍ରାଣକେନ୍ଦ୍ର ଋଷି ମୁନିଙ୍କ ଆଶ୍ରମରେ ଅତୀତରେ ଉଷା ଆଗମନୀରେ ଝଙ୍କୃତ ହେଉଥିଲା ଶାନ୍ତି ମନ୍ତ୍ର ‘ଓଁ ଦ୍ୟୈାଃ ଶାନ୍ତିରକ୍ଷରୀକ୍ଷଂ ଶାନ୍ତିଃ ପୃଥିବୀ, ଶାନ୍ତିରାପଃ ଶାନ୍ତି ରୋଷଧୟଃ ଶାନ୍ତି ବନସ୍ପତୟେ ଶାନ୍ତିଃ ବିଶ୍ୱଦେବାଃ, ଶାନ୍ତିଃ ବ୍ରହ୍ମ ଶାନ୍ତିଃ ସର୍ବଂ ଶାନ୍ତିଃ ଶାନ୍ତିରେତ ଶାନ୍ତିଃ, ସାମରେଧି ଶାନ୍ତିଃ’ । ଅର୍ଥାତ୍- ସ୍ୱର୍ଗ, ଅନ୍ତରୀକ୍ଷ, ପୃଥିବୀ, ଜଳ, ଔଷଧୀ, ବନସ୍ପତି, ବିଶ୍ୱଦେବତା, ବ୍ରହ୍ମ ସମସ୍ତେ ଶାନ୍ତ ହୁଅନ୍ତୁ । ଶାନ୍ତି ହିଁ ଶାନ୍ତି ବିରାଜମାନ କରୁ । ପ୍ରକୃତି ଏବଂ ପ୍ରାକୃତିକ ପରିସଂସ୍ଥା ସହିତ ଶାନ୍ତିପୂର୍ଣ୍ଣ ସହାବସ୍ଥାନର ଅନ୍ୟ ନାମ ସନ୍ତୁଳିତ ପରିବେଶ ।

ବୈଦିକ ଶାସ୍ତ୍ରରେ ଏହାକୁ କୁହାଯାଏ ପଞ୍ଚ ମହାଭୂତ- କ୍ଷିତି (ପୃଥିବୀ), ଆପ୍ (ଜଳ), ତେଜ (ଆଲୋକ), ମରୁତ (ବାୟୁ), ବ୍ୟୋମ (ଆକାଶ/ଅନ୍ତରୀକ୍ଷ) । ଏହା ହିଁ ଭାରତୀୟ ସଂସ୍କୃତିର ବିଶ୍ୱ ପ୍ରତି ଆହ୍ୱାନ । ବିଶ୍ୱ ଐତିହ୍ୟ, ପରମ୍ପରା, ସଂସ୍କୃତି ଏବଂ ବିଶ୍ୱ ସହାବସ୍ଥାନ ପ୍ରତି ଭାରତର ଅବଦାନ । ଆମ ଐତିହ୍ୟର ଅନ୍ୟତମ ଧରୋହର ମହାଉପନିଷଦରେ କୁହାଯାଇଛି- ବସୁଧୈବ କୁଟୁମ୍ବକମ୍, ଅର୍ଥାତ୍- ସମଗ୍ର ବିଶ୍ୱ ଏକ ପରିବାର । ବିଶ୍ୱ ବା ପୃଥିବୀ ଏକ ଘର ସଦୃଶ । ଆମେ ପୃଥିବୀବାସୀ ଗୋଟିଏ ପରିବାରର ସଦସ୍ୟ ଭାବେ ଏହି ଘରେ ବସବାସ କରୁଛୁ । ୨୦୨୩ ମସିହାରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ଜି-୨୦ ଦେଶମାନଙ୍କର ସମ୍ମିଳନୀର ପ୍ରସଙ୍ଗ ରଖାଯାଇଥିଲା- ଗୋଟିଏ ପୃଥିବୀ, ଗୋଟିଏ ପରିବାର ଏବଂ ଗୋଟିଏ ଭବିଷ୍ୟତ । ବସୁଧୈବ କୁଟୁମ୍ବକମ୍ ମହାଉପନିଷଦର ଏହି ଆଦର୍ଶ ନୀତିବାଣୀ ଖୋଦିତ ହୋଇ ରହିଛି ଆମ ପାର୍ଲାମେଣ୍ଟ ଭବନର ପ୍ରବେଶ ପଥରେ । ଯାହାର ଅର୍ଥ ହେଉଛି ସାର୍ବଜନୀନତା ବା ବିଶ୍ୱବ୍ୟାପିତା । ବୈଶ୍ୱିକ ଭାଇଚାରା, ସଦ୍ଭାବନା ଏବଂ ସଂପୃକ୍ତି ତଥା ବିଶ୍ୱ ମାନବ ସମାଜ ପରସ୍ପର ସହିତ ପ୍ରକୃତି ଏବଂ ପରିବେଶ ଜରିଆରେ ଏକ ସାର୍ବଜନୀନ ବନ୍ଧନରେ ଯୋଡ଼ା ହୋଇଥିବାର ସନ୍ଦେଶ । ମନୁଷ୍ୟ, ଜୀବ, ଅଣୁଜୀବ, ପଶୁପକ୍ଷୀ ଏବଂ ଉଦ୍ଭିଦଜଗତ ପରସ୍ପର ସହିତ ସଂଯୁକ୍ତ ଏବଂ ପରସ୍ପର ଉପରେ ପୂର୍ଣ୍ଣତଃ ନିର୍ଭରଶୀଳ । ଏହି ସଂପର୍କର ସେତୁ କେଉଁଠି ନଷ୍ଟଭ୍ରଷ୍ଟ ହେଲେ ସମଗ୍ର ଶୃଙ୍ଖଳ ଖଣ୍ଡ ଖଣ୍ଡ ହୋଇ ଛିଣ୍ଡି ପଡ଼ିବ । କାରଣ ସମସ୍ତେ ବିଶାଳ ବିଶ୍ୱ ପରିବାରର ସଦସ୍ୟ ଏବଂ ଅଂଶୀଦାର ।

ଜନୈକ ବ୍ରିଟିଶ ରସାୟନବିତ୍ ଗବେଷକ ଜେମ୍ସ ଲଭ୍ ହକ୍ ତାଙ୍କ ରଚିତ ପୁସ୍ତକ ‘ଗଇଆର ପ୍ରତିଶୋଧ’ରେ ଯେଉଁ ସୈଦ୍ଧାନ୍ତିକ ତଥ୍ୟ ଉପସ୍ଥାପନା କରିଛନ୍ତି ଗଇଆ ପ୍ରକରଣ ତନ୍ମଧ୍ୟରେ ପ୍ରମୁଖ । ଗ୍ରୀକ ପୌରାଣିକ ଗ୍ରନ୍ଥରେ ଆଦିମ ଦେବୀ ଗଇଆଙ୍କୁ ପୃଥିବୀ ମାତା ଭାବରେ ଚିତ୍ରଣ କରାଯାଇଛି । ଗଇଆ ପ୍ରକରଣ ମୁତାବକ ପୃଥିବୀ ଏକ ଯୌଗିକ, ସୁନିୟନ୍ତ୍ରିତ ସଂସ୍ଥା, ଯାହା ମଧ୍ୟରେ ଜୈବିକ (ଉଦ୍ଭିଦ ଓ ଜୀବଜଗତ, ଜୈବବିବିଧତା) ଏବଂ ଅଜୈବିକ (ବାୟୁମଣ୍ଡଳ, ଜଳ, ମୃତ୍ତିକା) ବସ୍ତୁଗୁଡ଼ିକ ପରସ୍ପର ସହିତ ସମନ୍ୱୟ ରକ୍ଷାକରି କାର୍ଯ୍ୟ କରନ୍ତି । ଉଦ୍ଭିଦଜଗତ ମୌଳିକ ଉତ୍ପାଦନକାରୀ ହୋଇଥିବାରୁ ବାୟୁମଣ୍ଡଳର ସଂରଚନା ଏବଂ ତାପମାତ୍ରାକୁ ନିୟନ୍ତ୍ରିତ କରି ପୃଥିବୀରେ ଜୀବନ ତିଷ୍ଠି ରହିବା ନିମନ୍ତେ ଅନୁକୂଳ ପରିବେଶ ସୃଷ୍ଟି କରିଥାଏ ।

ବୈଜ୍ଞାନିକମାନଙ୍କର ମତ ଅନୁସାରେ, ସମଗ୍ର ବିଶ୍ୱରେ ୮୦ଲକ୍ଷରୁ ୧କୋଟି ପ୍ରଜାତିର ଜୈବବିବିଧତା ରହିଛି । ଅଦ୍ୟାବଧି ମାତ୍ର ୧୪ଲକ୍ଷରୁ ୧୭ଲକ୍ଷ ପ୍ରଜାତି ଚିହ୍ନଟ ହୋଇପାରିଛନ୍ତି । ଜୈବବିବିଧତାର ୭୦% ହେଉଛି ଜୀବ, ଅଣୁଜୀବ ଓ କୀଟପତଙ୍ଗ । ଏହି ଜୀବଜଗତରୂପୀ ପିରାମିଡର ଶୀର୍ଷରେ ରହିଛି ମନୁଷ୍ୟ ପ୍ରଜାତି । ପ୍ରାରମ୍ଭରେ ଆଦିମ ମନୁଷ୍ୟ ବଣ ଜଙ୍ଗଲରେ ବସବାସ କରୁଥିଲା । ପ୍ରକୃତି ଓ ପରିବେଶ କୋଳରେ ଜୀବନ ବିତାଉଥିଲା । ଜଙ୍ଗଲର ଫଳ, ମୂଳ ଓ କଞ୍ଚାମାଂସ ଭକ୍ଷଣ କରି ଜୀବନଧାରଣ କରୁଥିଲା । ସେଥିପାଇଁ ସେ ପ୍ରକୃତିକୁ ପୂଜା କରୁଥିଲା ଓ ତା’ର ସୁରକ୍ଷା ତଥା ସଂରକ୍ଷଣ ପାଇଁ ସତତ ଚେଷ୍ଟିତ ଥିଲା । ନିଆଁ ଥିଲା ତା’ପାଇଁ ପ୍ରଥମ ବୈଜ୍ଞାନିକ ଆବିଷ୍କାର । କାଳକ୍ରମେ ନିଆଁର ବ୍ୟବହାର ଜାଣିବା ପରେ ପରେ ମନୁଷ୍ୟର ବୁଦ୍ଧିମତା ଓ ବୈଷୟିକ ଜ୍ଞାନକୌଶଳ ବିକଶିତ ହେବାକୁ ଲାଗିଲା । ମନୁଷ୍ୟର ବୈଜ୍ଞାନିକ ଓ ବୈଷୟିକ ଜ୍ଞାନ ଅଭିବୃଦ୍ଧିର ପରିପ୍ରକାଶ ହେଲା କୃଷି ବିପ୍ଳବ ଓ ଶିଳ୍ପ ବିପ୍ଳବ । ଉଭୟ କ୍ଷେତ୍ରରେ ଶହୀଦ ହେଲା ଜଙ୍ଗଲ ଓ ଜଙ୍ଗଲର ବୃକ୍ଷରାଜି । ଅନ୍ୟପଟେ ଜନସଂଖ୍ୟା ମଧ୍ୟ ଦ୍ରୁତଗତିରେ ବୃଦ୍ଧି ପାଇବାରେ ଲାଗିଛି । ୧୮୦୦ ମସିହାରେ ବିଶ୍ୱ ଜନସଂଖ୍ୟା ୧୦୦କୋଟି ଥିଲାବେଳେ, ୨୦୨୫ ବେଳକୁ ଏହା ୮୨୦କୋଟି ଟପି ସାରିଲାଣି । ଲୋକମାନଙ୍କର ଜୀବନଯାପନ ଶୈଳୀରେ ମଧ୍ୟ ପରିବର୍ତ୍ତନ ହୋଇଛି । ବର୍ତ୍ତମାନର ବୈଶ୍ୱିକ ହାରାହାରି ଜୀବନଯାପନ ଶୈଳୀରେ ଆମ ପାଇଁ ୧.୭ଟି ପୃଥିବୀର ଆବଶ୍ୟକତା ପଡ଼ୁଛି । ଆମେରିକାର ଲୋକସଂଖ୍ୟା ବିଶ୍ୱ ଲୋକସଂଖ୍ୟାର ୪.୮%, କିନ୍ତୁ ସେମାନେ ପୃଥିବୀର ୩୨% ପ୍ରାକୃତିକ ସମ୍ବଳ ବ୍ୟବହାର କରନ୍ତି । ଆମେରିକୀୟମାନଙ୍କର ଜୀବନଶୈଳୀ ଯଦି ବିଶ୍ୱବାସୀ ଆପଣେଇବାକୁ ଚାହାଁନ୍ତି, ସେଥିପାଇଁ ୫ଟି ପୃଥିବୀ ଆବଶ୍ୟକ ପଡ଼ିବ । ଅଥଚ, ଏଯାବତ୍ ଆମ ପାଖେ ମାତ୍ର ଗୋଟିଏ ପୃଥିବୀ ଉପଲବ୍ଧ, ତେଣୁ ସ୍ୱାଭାବିକ ଭାବେ ପୃଥିବୀର ପ୍ରାକୃତିକ ସମ୍ବଳ ଓ ପରିବେଶ ଉପରେ ଗଭୀର ଚାପ ସୃଷ୍ଟି ହେଉଛି ।

ଏହି ପରିପ୍ରେକ୍ଷୀରେ ୨୦୨୫ ମସିହାରେ ଗ୍ଲାସଗୋ ଠାରେ ଅନୁଷ୍ଠିତ କୋପ୍-୨୬ (କନଫରେନ୍ସ ଅଫ୍ ପାର୍ଟିଜ-୨୬) ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ‘ମିଶନ ଲାଇଫ୍ର’ ଆହ୍ୱାନ ଦେଇଥିଲେ । ଯାହାର ଆକ୍ଷରିକ ଅର୍ଥ ହେଲା ‘ପରିବେଶ ଅନୁକୂଳନ ଜୀବନଶୈଳୀ’ । ମିଶନ ଲାଇଫ୍, ଭାରତୀୟ ଅବବୋଧ ହୋଇଥିଲେ ହେଁ ବିଶ୍ୱବାସୀଙ୍କ ପାଇଁ ଏକ ସରଳ, ସହନୀୟ ତଥା ପରିବେଶ ସହାୟକ ଜୀବନଶୈଳୀ ଆପଣେଇବା ଓ ତାହା ମାଧ୍ୟମରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ୱତାପନ ଆଦି ସମସ୍ୟାକୁ ହ୍ରାସ କରିବା ପାଇଁ ଆହ୍ୱାନ ଭରି ରହିଥିଲା । ଅନ୍ୟ ଏକ ଭାରତ ଉଦ୍ଭବ ଚିନ୍ତାଧାରା, ଯାହା ବିଶ୍ୱବାସୀଙ୍କ ପାଇଁ ପ୍ରଣୋଦିତ, ତାହା ହେଉଛି ସର୍ବଧର୍ମ ସମ୍ଭବ ବା ସମନ୍ୱୟ । ସବୁ ଧର୍ମ ସମାନ ଓ ସବୁ ଧର୍ମ ମହାନ । ସିଦ୍ଧିପ୍ରାପ୍ତ କରିବାପାଇଁ ବିଭିନ୍ନ ଧର୍ମରେ ଭିନ୍ନ ଭିନ୍ନ ପନ୍ଥା ଅନୁସରଣ କରାଯାଉଥିଲେ ମଧ୍ୟ ଶେଷ ଲକ୍ଷ୍ୟ ବା ସତ୍ୟ ଏକ ଓ ଅଦ୍ୱିତୀୟ । ଜାତିର ପିତା ମହାତ୍ମା ଗାନ୍ଧିଙ୍କର ଏହି ବୈପ୍ଳବିକ ଭାବଧାରା ସେବେ ଏବଂ ଏବେ ମଧ୍ୟ ବିଶ୍ୱବାସୀଙ୍କୁ ପରସ୍ପର ପ୍ରତି ସହନଶୀଳ ମନୋଭାବ ପୋଷଣ କରି ଏକ ସରଳ, ନିରାଡମ୍ବର ଜୀବନଯାପନ ଶୈଳୀ ଆପଣେଇ, ଶାନ୍ତିପୂର୍ଣ୍ଣ ସହାବସ୍ଥାନ ପାଇଁ ପ୍ରେରିତ କରୁଛି । ୨୦୧୫ ମସିହାରେ ମିଳିତ ଜାତିସଂଘ ଦ୍ୱାରା ଯେଉଁ ୧୭ଟି ସହନୀୟ ବିକାଶ ଲକ୍ଷ୍ୟ ରଖାଯାଇଛି ଓ ଆସନ୍ତା ୨୦୨୩୦ ସୁଦ୍ଧା ଯାହା ହାସଲ କରିବାକୁ ସ୍ଥିର କରାଯାଇଛି, ତାର ୧୬ତମ ଲକ୍ଷ୍ୟ ହେଉଛି ଶାନ୍ତି, ନ୍ୟାୟ ଏବଂ ଦୃଢ଼ ପ୍ରତିଷ୍ଠାନ । ଏହି ଶାନ୍ତି ନିଷ୍କ୍ରିୟତାର ପ୍ରବଚକ ନୁହେଁ, ବରଂ ନୈତିକତା ଆଧାରରେ ନ୍ୟାୟୋଚିତ ଭାବରେ ଆଲୋଚନା ମାଧ୍ୟମରେ ବିଶ୍ୱର ବିଭିନ୍ନ ରାଷ୍ଟ୍ର ପରସ୍ପର ପ୍ରତି ସହନଶୀଳ ଓ ଉତ୍ତରଦାୟୀ ହେବାପାଇଁ ବାର୍ତ୍ତା ଦେଇଥାଏ ।

ଦିନକୁ ଦିନ କ୍ରମାଗତ ଭାବେ ବିଶ୍ୱରେ ବିଭିନ୍ନ ଅଞ୍ଚଳରେ ଜଳବାୟୁ ପରିବର୍ତ୍ତନଜନିତ ଅକଳ୍ପନୀୟ ଓ ଅବିଶ୍ୱସନୀୟ ବିପର୍ଯ୍ୟୟମାନ ଘଟିଚାଲିଛି । ବାୟୁମଣ୍ଡଳରେ ସବୁଜ କୋଠରି ବାଷ୍ପ ଅଙ୍ଗାରକାମ୍ଳର ପରିମାଣ ବୃଦ୍ଧି ବିଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନର ଅନ୍ୟତମ କାରଣ । ଏହାକୁ ନିୟନ୍ତ୍ରଣ କରିବାକୁ ହେଲେ ପ୍ରାକୃତିକ ଅଙ୍ଗାରକ କୁଣ୍ଡ ଯଥା- ଜଙ୍ଗଲ ଓ ସମୁଦ୍ରର ଅଙ୍ଗାରକ ଶୋଷଣ ଦକ୍ଷତା ବଢ଼ାଇବାକୁ ହେବ । ଜଙ୍ଗଲର ଆୟତନ ବୃଦ୍ଧି, ବୃକ୍ଷର ସୁରକ୍ଷା, ସଂରକ୍ଷଣ ତଥା ଘଞ୍ଚତା ବୃଦ୍ଧି ଏବଂ ଜଙ୍ଗଲ ଅବକ୍ଷୟ ରୋକିବା ପାଇଁ ସାରା ବିଶ୍ୱ ଏବେ ଚେଷ୍ଟିତ । ଜୈବିକ ଯୁଗର ଭାରତୀୟ ଦର୍ଶନ, ଐତିହ୍ୟ ଓ ସଂସ୍କୃତି, ବେଦ, ଉପନିଷଦର ବିଭିନ୍ନ ସୂକ୍ତ ଓ ମନ୍ତ୍ର ଜରିଆରେ ବୃକ୍ଷ, ପ୍ରକୃତି ଓ ପରିବେଶ ସଂରକ୍ଷଣ ଏବଂ ଶାନ୍ତିପୂର୍ଣ୍ଣ ସହାବସ୍ଥାନ ନିମନ୍ତେ ବିଶ୍ୱକୁ ଦିଗ୍ଦର୍ଶନ ଦେଇଆସିଛି । ମାନବ ସମାଜ ଯଦି ତା’ର ପାରମ୍ପରିକ ଜୀବନଶୈଳୀକୁ ଆପଣାଇ ପୁଣି ଥରେ ଜୀବନ ବଞ୍ଚିବାକୁ ଆରମ୍ଭ କରେ ତେବେ ଧରିତ୍ରୀ ପୃଷ୍ଠରୁ ଅଧିକାଂଶ ପରିବେଶ ସମସ୍ୟା ଆପଣା ଛାଏଁ ସମାଧାନ ହୋଇଯିବ । ଆମକୁ ଏହି ଆପ୍ତବାକ୍ୟଟିକୁ ସଦାବେଳେ ସ୍ମରଣ ରଖିବାକୁ ହେବ ଯେ ପ୍ରକୃତି ଆମର ସକଳ ଆବଶ୍ୟକତା ପୂରଣ କରିବାକୁ ସକ୍ଷମ, କିନ୍ତୁ ଆମର ଲୋଭକୁ ମେଣ୍ଟାଇବାକୁ ଅକ୍ଷମ ।