ନୂଆଦିଲ୍ଲୀ, ୧୭/୦୩ : ସାଇପ୍ରସ୍‌ ଠାରେ ଆସନ୍ତା ୨୮ରୁ ଏପ୍ରିଲ ୧୬ ତାରିଖ ପର୍ଯ୍ୟନ୍ତ କ୍ୟାଣ୍ଡିଡେଟ୍ସ-୨୦୨୬ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହେବ । ପୁରୁଷ ବର୍ଗରେ ଭାରତୀୟ ଗ୍ରାଣ୍ଡମାଷ୍ଟର ଆର୍‌. ପ୍ରଜ୍ଞାନନ୍ଦା ଏବଂ ମହିଳା ବର୍ଗରେ ଫିଡେ ବିଶ୍ୱକପ୍‌ ଚାମ୍ପିଅନ୍‌ ଦିବ୍ୟା ଦେଶମୁଖ, କୋନେରୁ ହମ୍ପି ଓ ଆର୍‌. ବୈଶାଳୀ ଭାଗ ନେବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି । ମାତ୍ର ମଧ୍ୟପ୍ରାଚ୍ୟରେ ଲାଗି ରହିଥିବା ଯୁଦ୍ଧକୁ ନେଇ ଭାରତୀୟ ଖେଳାଳିମାନେ ସାଇପ୍ରସ୍‌ ଗସ୍ତ କରିବାକୁ ଚାହୁଁନଥିବା ଜଣାପଡ଼ିଛି ।

ଆମେରିକା, ଇସ୍ରାଏଲ ଓ ଇରାନ ମଧ୍ୟରେ ଯୁଦ୍ଧ ଲାଗି ରହିଛି । ଗତ ୧ ତାରିଖରେ ସାଇପ୍ରସରେ ଥିବା ବ୍ରିଟିଶ ଏୟାର ବେସ୍‌ ଉପରେ ଏକ ଡ୍ରୋନ ମାଡ଼ ହୋଇଥିଲା । ଏହି ଘଟଣା ପରଠୁ ଭାରତୀୟ ଖେଳାଳିମାନେ ସାଇପ୍ରସ୍‌ରେ ଖେଳିବାକୁ ଅମଙ୍ଗ ହେଉଛନ୍ତି । ଭାରତୀୟ ମହିଳା ଗ୍ରାଣ୍ଡମାଷ୍ଟର ହମ୍ପି ନିକଟରେ ହିନ୍ଦୁସ୍ତାନ ଟାଇମ୍ସକୁ ସାକ୍ଷାତକାର ଦେଇ କହିଥିଲେ ଯେ, ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସମୟରେ ସାଇପ୍ରସ୍‌ ଯାତ୍ରା କରିବା ବିପଦଜ୍ଜନକ ହେବ । ଏପର୍ଯ୍ୟନ୍ତ ଯୁଦ୍ଧ ଲାଗି ରହିଛି । ଟୁର୍ଣ୍ଣାମେଣ୍ଟକୁ ଆଉ ମାତ୍ର ୨ସପ୍ତାହରୁ କମ୍‌ ସମୟ ରହିଲା । ଏଭଳି ସମୟରେ ସାଇପ୍ରସ୍‌ ଯାତ୍ରା କରିବା ଆମ ପାଇଁ ଠିକ୍‌ ହେବ ନାହିଁ । ମୋ’ ମତରେ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ସ୍ଥାନାନ୍ତର କରିବା ଉପଯୁକ୍ତ ନିଷ୍ପତ୍ତି ହେବ । କିନ୍ତୁ ଆୟୋଜକ (ଫିଡେ) ଏପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନେଇ ନାହାନ୍ତି । ବିଶ୍ୱର ଶ୍ରେଷ୍ଠ ୧୬ଜଣ (ପୁରୁଷ ଓ ମହିଳା) ଖେଳାଳି ଏହି ଟୁର୍ଣ୍ଣାମେଣ୍ଟରେ ଭାଗ ନେବେ । ଆୟୋଜକ ଖେଳାଳିମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦେବା ଉଚିତ୍‌ ।

ଫିଡେ ସିଇଓ ଏମିଲ ସୁଟୋଭସ୍କାଏ କହିଛନ୍ତି ଯେ, ଆମର ଭେନ୍ୟୁ ପରିବର୍ତ୍ତନ କରିବାର ଯୋଜନା ହୋଇନାହିଁ । ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ପ୍ରସ୍ତୁତି ଏକପ୍ରକାର ଶେଷ ହୋଇଛି । ଆମେ ସେଠାକାର ସ୍ଥିତିର ସମୀକ୍ଷା କରିଛୁ । ସାଇପ୍ରସ୍‌ ଖେଳାଳିମାନଙ୍କ ପାଇଁ ସୁରକ୍ଷିତ ଥିବା ଅନୁଭବ କରିଛୁ । ତେଣୁ ଟୁର୍ଣ୍ଣାମେଣ୍ଟର ଭେନ୍ୟୁ ପରିବର୍ତ୍ତନ କରିବାର କୌଣସି ଆବଶ୍ୟକତା ନାହିଁ ।

ଏହି ଖବରଟିକୁ ପଢନ୍ତୁ- KKR ପାଇଁ ମିଳିଲା ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଦାୟିତ୍ବ , ଶାହାରୁଖଙ୍କୁ ନେଇ ଏମିତି କହିଲେ ଗମ୍ଭୀର