ୱାଙ୍ଖଡ଼େ,୦୭/୦୪ : ଆଇପିଏଲର ୨୦ତମ ଲିଗ୍‌ ମୁକାବିଲାରେ ଆଜି ୫ଥର ଚାମ୍ପିଅନ୍‌ ମୁମ୍ବାଇ ଇଣ୍ଡିଆନ୍ସ ଓ ରୟାଲ୍‌  ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପରସ୍ପରକୁ ଭେଟିବାକୁ ଯାଉଛନ୍ତି । ମୁମ୍ବାଇ ଇଣ୍ଡିଆନ୍ସର ଘରୋଇ ଗ୍ରାଉଣ୍ଡ ୱାଙ୍ଖଡ଼େ ଷ୍ଟାଡିୟମରେ ଏହି ମ୍ୟାଚ୍‌ ଖେଳାଯିବ । ଷ୍ଟାର୍‌ ପେସ୍‌ ବୋଲର ଯଶପ୍ରୀତ ବୁମରା ଫିଟ୍‌ ଘୋଷିତ ହୋଇଥିବାବେଳେ ଆଜିର ମ୍ୟାଚ୍‌ ଖେଳିବେ ବୋଲି ମୁମ୍ବାଇ ଇଣ୍ଡିଆନ୍ସର ମୁଖ୍ୟ କୋଚ୍‌ ମାହେଲା ଜୟବର୍ଦ୍ଧନେ ସ୍ପଷ୍ଟ କରିଛନ୍ତି । ଫଳରେ କ୍ରିକେଟ୍‌ପ୍ରେମୀଙ୍କ ଉତ୍ସାହ ଦ୍ୱିଗୁଣିତ ହୋଇଯାଇଛି । ଘରୋଇ ଦଳ ବିଜୟକୁ ଫେରିବା ପାଇଁ ସବୁ ଶକ୍ତି ଖଟାଇବ । ଅନ୍ୟ ପଟରେ ରୟାଲ ଚ୍ୟାଲେଞ୍ଜର୍ସ ମଧ୍ୟ ୱାଙ୍ଖଡ଼େରେ ଶ୍ରେଷ୍ଠ ପ୍ରଦର୍ଶନ ଦେବାକୁ ପ୍ରସ୍ତୁତ । ଫଳରେ ଉଭୟ ଦଳ ମଧ୍ୟରେ ଏକ ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ ଦେଖିବାକୁ ମିଳିବ । 

ମୁମ୍ବାଇ ଇଣ୍ଡିଆନ୍ସ ୪ଟି ମ୍ୟାଚ୍‌ ଖେଳି ୩ଟିରେ ପରାଜିତ ହୋଇଛି । ଗତ ୩୧ ତାରିଖରେ ଦଳ  ୱାଙ୍ଖଡ଼େରେ କୋଲକାତା ନାଇଟ୍‌ ରାଇଡର୍ସକୁ  ହରାଇ ପଏଣ୍ଟ ଖାତା ଖୋଲିଥିଲା । ମାତ୍ର ପରବର୍ତ୍ତୀ ଲକ୍ଷ୍ନୌ ସୁପରଜାଏଣ୍ଟ୍‌ସ ବିପକ୍ଷ ମ୍ୟାଚ୍‌ରେ ପରାଜିତ ହୋଇଥିଲା । ଆଜି ଦଳ ଘରୋଇ ଗ୍ରାଉଣ୍ଡରେ ଆଧିପତ୍ୟ ଜାରି ରଖି ବିଜୟକୁ ଫେରିବା ପାଇଁ ପ୍ରୟାସ କରିବ । ଖାସ୍‌ କରି  ବୁମରାଙ୍କ ପ୍ରତ୍ୟାବର୍ତ୍ତନ ଦଳର ଭାଗ୍ୟ ପରିବର୍ତ୍ତନ  କରିବ ବୋଲି ଆଶା କରାଇପାରେ । ସେ ଦୀର୍ଘ  ଦିନ ପରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ମ୍ୟାଚ୍‌ ଖେଳିବାକୁ  ଯାଉଛନ୍ତି । ଗତ ବର୍ଡର-ଗାଭାସ୍କର ଟ୍ରଫି ଟେଷ୍ଟ  ସିରିଜର ଅନ୍ତିମ ମ୍ୟାଚ୍‌ରେ ତାଙ୍କ ପିଠିରେ ଯନ୍ତ୍ରଣା ହୋଇଥିଲା । ଏହାପରଠୁ ସେ ଏନ୍‌ସିଏରେ ରହି  ଚିକିତ୍ସିତ ହେଉଥିଲେ । ରବିବାର ଏନ୍‌ସିଏ ପକ୍ଷରୁ ତାଙ୍କୁ ମ୍ୟାଚ୍‌ ଫିଟ୍‌ ଘୋଷଣା କରାଯାଇଥିଲା ଏବଂ ସେ  ମୁମ୍ବାଇ ଇଣ୍ଡିଆନ୍ସ ଶିବିରରେ ଯୋଗଦେଇ ଅଭ୍ୟାସ  କରିଥିଲେ । ଅନ୍ୟପଟେ ଆଣ୍ଠୁରେ ଆଘାତ ପାଇଁ  ପୂର୍ବ ମ୍ୟାଚ୍‌ ଖେଳି ନଥିବା ରୋହିତ ଶର୍ମା ଆଜି  ବ୍ୟାଟିଂ ଅଭ୍ୟାସ କରିଥିଲେ । ସେ ଖେଳିବା ସମ୍ଭାବନା  ରହିଛି । ଆଜି ବୁମରାଙ୍କ ସମେତ ସୂର୍ଯ୍ୟକୁମାର  ଯାଦବଙ୍କ ଉପରେ ସମସ୍ତଙ୍କ ନଜର ରହିବ । 

ଅଧିକ ପଢ଼ନ୍ତୁ...'ନିଷ୍ପତ୍ତି ମୋର ଶରୀର ନେବ ୧୦ ମାସ ସମୟ ଅଛି', IPLରୁ ଅବସର ନେଇ ମୁହଁ ଖୋଲିଲେ ଏମଏସଡ଼ି

ରୟାଲ୍‌ ଚ୍ୟାଲେଞ୍ଜର୍ସ ୩ଟି ମ୍ୟାଚ୍‌ ଖେଳି  ୨ଟି ଜିତିଛି । ଦଳ ନାଇଟ୍‌ ରାଇଡର୍ସ ଓ ଚେନ୍ନାଇ ସୁପରକିଙ୍ଗ୍‌ସକୁ ହରାଇବା ପରେ ଗତ ୨ ତାରିଖରେ ଗୁଜରାଟ ଟାଇଟନ୍ସ ନିକଟରୁ ପରାଜିତ ହୋଇଥିଲା । ଏଥର ରୟାଲ୍‌ ଚ୍ୟାଲେଞ୍ଜର୍ସ ଏକ ଦୃଢ଼ ଏକାଦଶ ପ୍ରସ୍ତୁତ କରିଛି । ଖାସ୍‌ କରି ଅଧିନାୟକ ରଜତ ପାତିଦାରଙ୍କ ପ୍ରଦର୍ଶନ  ଉଚ୍ଚକୋଟୀର ରହିଛି । ଆଜି ବିରାଟ କୋହଲି, ପାତିଦାର ଏବଂ ପେସ୍‌ ବୋଲର ଜୋସ ହାଜେଲଉଡ୍‌ଙ୍କ ଉପରେ ନଜର ରହିବ । 

ଆଇପିଏଲ୍‌ରେ ଉଭୟ ଦଳ ୩୩ଥର  ପରସ୍ପରକୁ ଭେଟିଛନ୍ତି । ଏଥିରେ ମୁମ୍ବାଇ ଇଣ୍ଡିଆନ୍ସ  ୧୯ଟି ଓ ରୟାଲ୍‌ ଚ୍ୟାଲେଞ୍ଜର୍ସ ୧୩ଟି ମ୍ୟାଚ୍‌ ଜିତିଛନ୍ତି । ଗତ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ୭  ୱିକେଟରେ ରୟାଲ୍‌ ଚ୍ୟାଲେଞ୍ଜର୍ସକୁ ହରାଇଥିଲା ।

ସମ୍ଭାବ୍ୟ ଦ୍ବାଦଶ

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା, ର‌୍ୟାନ୍‌  ରିକେଲଟନ୍‌, ୱିଲ୍‌ ଜାକ୍ସ, ସୂର୍ଯ୍ୟକୁମାର  ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା  (ଅଧିନାୟକ), ନମନ ଧିର, ମିଚେଲ  ସାଣ୍ଟନର, ଯଶପ୍ରୀତ ବୁମରା, ଦୀପକ  ଚହର, ଟ୍ରେଣ୍ଟ ବୋଲ୍ଟ, ବିଘ୍ନେଶ ପୁଥୂର । 

ରୟାଲ୍‌ ଚ୍ୟାଲେଞ୍ଜର୍ସ: ଫିଲ୍‌ ସଲ୍ଟ, ବିରାଟ  କୋହଲି, ଦେବଦତ୍ତ ପାଡିକଲ, ରଜତ  ପାତିଦାର (ଅଧିନାୟକ), ଲାଏମ୍‌ ଲିଭିଙ୍ଗଷ୍ଟୋନ୍‌, ଜିତେଶ ଶର୍ମା, କୃନାଲ୍‌ ପାଣ୍ଡ୍ୟା, ଟିମ୍‌ ଡେଭିଡ୍‌,  ଭୁବନେଶ୍ୱର କୁମାର, ଜୋସ ହାଜେଲଉଡ୍‌,  ୟଶ ଦୟାଲ, ରସିଖ ସଲାମ/ସୂୟାଶ ଶର୍ମା ।

IPL-2025: ହାଇଦ୍ରାବାଦର ଲଗାତାର ଚତୁର୍ଥ ପରାଜୟ; ୭ ୱିକେଟରେ ହରାଇଲା ଗୁଜୁରାଟ