ଜୟପୁର,୨୪/୦୫: ଚଳିତ ଆଇପିଏଲ୍‌ର  ୬୬ତମ ଲିଗ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସ  ଓ ଦିଲ୍ଲୀ କ୍ୟାପିଟାଲ୍ସ ପରସ୍ପରକୁ ଭେଟିବେ । ପ୍ଲେ-ଅଫ୍‌ ଦୌଡ଼ରୁ ବାଦ ପଡ଼ି ସାରିଥିବା ଦିଲ୍ଲୀ କ୍ୟାପିଟାଲ୍ସ ଦଳର  ଏହା ଶେଷ ଲିଗ୍‌ ମ୍ୟାଚ୍‌ । କେବଳ ସମ୍ମାନ ବଞ୍ଚାଇବା ପାଇଁ ଦଳ ଉନ୍ନତ ପ୍ରଦର୍ଶନ କରିବାକୁ ପ୍ରୟାସ କରିବ । ପଞ୍ଜାବ କିଙ୍ଗ୍‌ସ ୧୨ଟି ମ୍ୟାଚ୍‌ରୁ ୧୭ ପଏଣ୍ଟ ଅର୍ଜନ  କରି ପ୍ଲେ-ଅଫ୍‌ରେ ପ୍ରବେଶ କରିସାରିଛି । ଆଜି ଦିଲ୍ଲୀ କ୍ୟାପିଟାଲ୍ସକୁ ହରାଇ ପଏଣ୍ଟ ତାଲିକାର ପ୍ରଥମ  କିମ୍ବା ଦ୍ୱିତୀୟ ସ୍ଥାନକୁ ଉଠିବାକୁ ଦଳ ଚେଷ୍ଟା କରିବ । 

ଅସଲରେ କହିବାକୁ ଗଲେ କ୍ରୀଡ଼ାସୂଚୀ ଅନୁଯାୟୀ  ଉଭୟ ଦଳ ମଧ୍ୟରେ ଗୋଟିଏ ମ୍ୟାଚ୍‌ ଖେଳାଯିବାର ଥିଲା ।  ମାତ୍ର ଉଭୟ ଦ୍ୱିତୀୟ ଥର ପାଇଁ ଭେଟିବାକୁ ଯାଉଛନ୍ତି ।  ଗତ ୮ ତାରିଖରେ ଧର୍ମଶାଳାର ଏଚପିସିଏ ଗ୍ରାଉଣ୍ଡ୍‌ରେ  ଉଭୟ ଦଳ ମଧ୍ୟରେ ମ୍ୟାଚ୍‌ ଖେଳାଯାଇଥିଲା । ପଞ୍ଜାବ  କିଙ୍ଗ୍‌ସ ୧୦.୧ ଓଭର ଖେଳ ସୁଦ୍ଧା ୧ ୱିକେଟ୍‌ ହରାଇ ୧୧୦  ରନ ସଂଗ୍ରହ କରିସାରିଥିଲା । ଏହି ସମୟରେ ପାକିସ୍ତାନ ସେନା ଧର୍ମଶାଳ ନିକଟବର୍ତ୍ତୀ ଅଞ୍ଚଳ(ପଠାନକୋଟ୍‌) ରେ ମିସାଇଲ ଆକ୍ରମଣ କରିଥିଲା । ବାଧ୍ୟ ହୋଇ ମ୍ୟାଚ୍‌କୁ ଅଧାରୁ ବନ୍ଦ କରାଯାଇଥିଲା । ୧୬ଦିନ ପରେ ପୁନର୍ବାର ଏହି ମ୍ୟାଚ୍‌ ଖେଳାଯିବ । ଏଥର ଅଧାରୁ ନୁହେଁ ବରଂ ଟସ୍‌ ପଡ଼ିବ ଓ ମ୍ୟାଚ୍‌ ଆରମ୍ଭ ହେବ ।

ଶ୍ରେୟାସ ଆୟରଙ୍କ ନେତୃତ୍ୱରେ ପଞ୍ଜାବ କିଙ୍ଗ୍‌ସ  ୧୧ ବର୍ଷ ପରେ ପ୍ଲେ-ଅଫ୍‌ରେ ପ୍ରବେଶ କରିଥିବାରୁ  ଦଳର ମନୋବଳ ବେଶ୍‌ ଊଦ୍ଧ୍ୱର୍ରେ । ଦଳର ପ୍ରାୟ ସବୁ  ଖେଳାଳି ଫିଟ୍‌ ଓ ଫର୍ମରେ ରହିଛନ୍ତି । ତେଣୁ ଆୟର  ବାହିନୀ ପଲା ଭାରି ଜଣା ପଡ଼ୁଛି । ପ୍ରିୟାଂଶ ଆର୍ଯ୍ୟ,  ପ୍ରଭସିମରନ ସିଂହ, ନେହାଲ ୱଧେରା, ଶଶାଙ୍କ ସିଂହ  ଓ ଅଧିନାୟକ ଆୟର ଚମତ୍କାର ଫର୍ମରେ ରହିଛନ୍ତି ।  

ଦିଲ୍ଲୀ କ୍ୟାପିଟାଲ୍ସ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପ୍ରଥମ  ୪ଟି ମ୍ୟାଚ୍‌ ଜିତି ସବୁଠୁ ଶକ୍ତିଶାଳୀ ଦଳ ଭାବେ ଗଣା  ହେଉଥିଲା । ମାତ୍ର ଧିରେ ଧିରେ ଦଳ ଲୟ ହରାଇଥିଲା ।  ବର୍ତ୍ତମାନ ଶ୍ରେଷ୍ଠ ଏକାଦଶ ଚୟନ କରିବା ମଧ୍ୟ କଷ୍ଟକର  ହୋଇ ଯାଉଛି । ଆଜି କେଏଲ ରାହୁଲ ଓ ଅର୍ଶଦୀପ  ସିଂହଙ୍କ ମଧ୍ୟରେ ଏକ ଲଢ଼େଇ ଦେଖିବାକୁ ମିଳିପାରେ । ଅର୍ଶଦୀପଙ୍କ ବିପକ୍ଷରେ ରାହୁଲ ୨୫ଟି ବଲ୍‌ ଖେଳି ୩୧  ରନ କରିଛନ୍ତି ଓ ୨ଥର ଆଉଟ୍‌ ହୋଇଛନ୍ତି । ସେହିପରି  ଫାଫ ଡୁ ପ୍ଲେସି ଓ ୟୁଝବେନ୍ଦ୍ର ଚହଲଙ୍କ ମଧ୍ୟରେ ଲଢ଼େଇ  ହେବ । ଚହଲଙ୍କ ବିପକ୍ଷରେ ଡୁ ପ୍ଲେସି ୫୦ ବଲ୍‌ ଖେଳି  ୪୪ ରନ କରିଛନ୍ତି ଓ ୩ଥର ଆଉଟ୍‌ ହୋଇଛନ୍ତି । 

କ୍ୟାପିଟାଲ୍ସ ଅଧିନାୟକ ଅକ୍ଷର ପଟେଲ ଆଜି ମଧ୍ୟ ଖେଳିବା ନେଇ ଆଶଙ୍କା  ରହିଛି । ତେଣୁ ଡୁ ପ୍ଲେସି ନେତୃତ୍ୱ ନେବେ । ସୱାଇ ମାନସିଂ ଷ୍ଟାଡ଼ିୟମ୍‌ର ପିଚ୍‌ ବ୍ୟାଟିଂ ପାଇଁ ବେଶ୍‌  ଅନୁକୂଳ । ଏଠାରେ ଆଜି ବିଶାଳ ସ୍କୋର ହେବା  ଆଶ କରାଯାଉଛି । ରାତ୍ରିରେ ମ୍ୟାଚ୍‌ ରହିଥିବାରୁ ଟସ  ବିଜୟୀ ଦଳ ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ବାଦଶ

ପଞ୍ଜାବ କିଙ୍ଗ୍‌ସ: ପ୍ରିୟାଂଶ ଆର୍ଯ୍ୟ, ପ୍ରଭସିମରନ ସିଂହ,  ଜୋସ ଇଂଲିଶ, ଶ୍ରେୟାସ ଆୟର (ଅଧିନାୟକ), ନେହାଲ  ୱଧେରା, ମାର୍କସ ଷ୍ଟଇନିସ୍‌/ଅଜମତୁଲ୍ଲା ଓମାରଜାଇ,  ଶଶାଙ୍କ ସିଂହ, ମାର୍କୋ ଜାନସେନ, କେଲି ଜାମିସନ,  ହରପ୍ରୀତ ବ୍ରାର, ଅର୍ଶଦୀପ ସିଂହ, ୟୁଝବେନ୍ଦ୍ର ଚହଲ । 

ଦିଲ୍ଲୀ କ୍ୟାପିଟାଲ୍ସ: କେଏଲ ରାହୁଲ, ଫାଫ ଡୁ ପ୍ଲେସି, ଅଭିଷେକ ପୋରେଲ, ଟ୍ରିଷ୍ଟନ ଷ୍ଟବ୍ସ, ସମୀର ରିଜଭୀ, ଆଶୁତୋଷ ଶର୍ମା, ଅକ୍ଷର ପଟେଲ (ଅଧିନାୟକ)/ ମାଧବ ତିୱାରୀ, ବିପ୍ରଜ ନିଗମ, କୁଲଦୀପ ଯାଦବ, ଦୁଷ୍ମନ୍ତ ଚାମୀରା, ମୁସ୍ତାଫିଜୁର ରେହମାନ, ମୁକେଶ କୁମାର ।