ନୂଆଦିଲ୍ଲୀ,୧୨/୦୫: ଭାରତ-ପାକିସ୍ତାନ  ସୀମାରେ ଭୟାବହ ସ୍ଥିତିକୁ ଦୃଷ୍ଟିରେ ରଖି ଆଇପିଏଲକୁ ଏକ ସପ୍ତାହ ସ୍ଥଗିତ ଘୋଷଣା କରାଯାଇଥିଲା । ଦୁଇ ଦେଶ ମଧ୍ୟରେ ଯୁଦ୍ଧବିରତି ନେଇ ସହମତି ପ୍ରକାଶ  ପାଇବା ପରେ ପୁଣି ଆଇପିଏଲ ଆରମ୍ଭ କରିବା ନେଇ ବିସିସିଆଇ ଯୋଜନା କରୁଛି । କେନ୍ଦ୍ର ସରକାର ଅନୁମତି ଦେଲେ ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଲିଗ୍‌ର ଅବଶିଷ୍ଟ  ମ୍ୟାଚ୍‌ ଖେଳାଯିବ । 

ଗତ ୮ ତାରିଖରେ ଧର୍ମଶାଳାରେ ଆଇପିଏଲର ୫୮ତମ ମ୍ୟାଚ୍‌ ପଞ୍ଜାବ କିଙ୍ଗ୍‌ସ ଓ ଦିଲ୍ଲୀ କ୍ୟାପିଟାଲ୍ସ  ମଧ୍ୟରେ ଖେଳ ଚାଲିଥିଲା । ପଠାନକୋଟରେ ପାକିସ୍ତାନ ପଟୁ ମିସାଇଲ ମାଡ଼ କରାଯିବା ପରେ ୧୦.୧ ଓଭର ଖେଳ ପରେ ମ୍ୟାଚକୁ ବାତିଲ କରାଯାଇ ଦର୍ଶକଙ୍କୁ ଷ୍ଟାଡିୟମରୁ ବାହୁଡ଼ି ଯିବାକୁ କୁହାଯାଇ ଥିଲା । ତେବେ ଏହି ମ୍ୟାଚ୍‌ ପୁଣି ଥରେ ଖେଳାଯିବ କି ନାହିଁ ସେ ବିଷୟରେ କିଛି  ନିଷ୍ପତ୍ତି ନିଆଯାଇ ନାହିଁ । ଷ୍ଟାଡିୟମରେ ଫ୍ଲଡ୍‌ ଲାଇଟ ବନ୍ଦ କରି ଦିଆଯାଇଥିଲା । ଖେଳାଳି ଏବଂ  ଖେଳ ସହ ଜଡ଼ିତ ସମସ୍ତ ଲୋକଙ୍କୁ ସୁରକ୍ଷିତ  ସ୍ଥାନରେ ରଖାଯାଇଥିଲା । ପରଦିନ ଏକ ସ୍ୱତନ୍ତ୍ର ରେଳରେ  ସେମାନଙ୍କୁ ଦିଲ୍ଲୀ ଅଣା ଯାଇଥିଲା ।  ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି,  ‘ଆମେ ଟୁର୍ଣ୍ଣାମେଣ୍ଟ ଆରମ୍ଭ କରିବା ନେଇ ପ୍ରସ୍ତୁତ ରହିଛୁ ।  କେନ୍ଦ୍ର ସରକାର ଅନୁମତି ଦେଲେ ସୂଚୀ ପ୍ରକାଶିତ ହୋଇ  ଖେଳ ଆରମ୍ଭ ହୋଇଯିବ ।’ ଭେନ୍ୟୁକୁ ନେଇ ଭିନ୍ନ ଭିନ୍ନ  କଥା ଜାତୀୟ ଗଣମାଧ୍ୟମରେ ଆଲୋଚନା ହେଉଛି ।  

କିଛି ଗଣମାଧ୍ୟମ କହୁଛନ୍ତି, କେବଳ କୋଲକାତା,  ବେଙ୍ଗାଲୁରୁ, ଚେନ୍ନାଇ, ହାଇଦ୍ରାବାଦ ଓ  ବିଶାଖାପଟନମରେ ଅବଶିଷ୍ଟ ମ୍ୟାଚ୍‌ ଖେଳାଯିବ। ପୁଣି କିଛି ମତ ଦେଉଛନ୍ତି ଯେ, କେବଳ  ଧର୍ମଶାଳାକୁ ବାଦ ଦେଇ ଅବଶିଷ୍ଟ ଭେନ୍ୟୁରେ ମ୍ୟାଚ୍‌  ଆୟୋଜିତ ହେବ । ଅବଶିଷ୍ଟ ୧୨ଟି ଲିଗ୍‌ ଏବଂ ୪ଟି  ପ୍ଲେ ଅଫ୍‌ ମ୍ୟାଚ୍‌ ପାଇଁ ୩ଟି ଭେନ୍ୟୁ ଯଥେଷ୍ଟ ବୋଲି  କୁହାଯାଉଛି । ତେଣୁ କେବଳ ଚେନ୍ନାଇ, ବେଙ୍ଗାଲୁରୁ  ଓ ହାଇଦ୍ରାବାଦରେ ବାକି ମ୍ୟାଚ୍‌ ଗୁଡ଼ିକ ଖେଳାଯାଇ  ପାରେ । ୭ଟି ଦଳ ପ୍ଲେ ଅଫ୍‌ ଦୌଡ଼ରେ ରହିଛନ୍ତି ।  ଚେନ୍ନାଇ ସୁପର କିଙ୍ଗ୍‌ସ, ସନ୍‌ରାଇଜର୍ସ ହାଇଦ୍ରାବାଦ  ଏବଂ ରାଜସ୍ଥାନ ରୟାଲ୍ସ ଦୌଡ଼ରୁ ବାଦ ପଡ଼ିସାରିଛନ୍ତି ।  

ଆଇପିଏଲ୍‌ ପୁନଃ ଆରମ୍ଭ ହେବା ବିଷୟରେ ହୁଏତ  ଆସନ୍ତାକାଲି ସୁଦ୍ଧା ସ୍ପଷ୍ଟ ଚିତ୍ର ଜଣା ପଡ଼ିବ । ଟୁର୍ଣ୍ଣାମେଣ୍ଟକୁ ଏକ ସପ୍ତାହ ସ୍ଥଗିତ ଘୋଷଣା ହେବା  ପରେ ବିଦେଶୀ ଖେଳାଳି ସ୍ୱଦେଶ ବାହୁଡ଼ି ଯାଇଛନ୍ତି ।  ଫ୍ରାଞ୍ଚାଇଜମାନେ ଖେଳାଳିମାନଙ୍କ ସହ ଯୋଗାଯୋଗ  କରୁଛନ୍ତି ଏବଂ ପୁଣି ଫେରି ଆସି ଦଳରେ ଯୋଗ ଦେବାକୁ  କହିଲେଣି । ଗୁରୁବାର ସୁଦ୍ଧା ଖେଳାଳିମାନେ ନିଜ ନିଜ  ଦଳରେ ଯୋଗ ଦେବା ଆରମ୍ଭ କରିବେ ବୋଲି ଜଣା ପଡ଼ିଛି । 

 ଯଦି ଆସନ୍ତା ୧୬ କିମ୍ବା ୧୭ ତାରିଖରୁ ଟୁର୍ଣ୍ଣାମେଣ୍ଟ  ଆରମ୍ଭ ହୁଏ ତେବେ ଚଳିତ ମାସ ୩୦ କିମ୍ବା ଜୁନ୍‌  ପହିଲାରେ ଫାଇନାଲ ଖେଳାଯିବ । ଅଧିକ ବିଳମ୍ବ କଲେ  ଟୁର୍ଣ୍ଣାମେଣ୍ଟ ଶେଷ କରିବା କଷ୍ଟକର ହୋଇ ପଡ଼ିବ ।  କାରଣ ଆସନ୍ତା ମାସରେ ଭାରତୀୟ ଦଳ ଟେଷ୍ଟ ଖେଳିବା  ନେଇ ଇଂଲଣ୍ଡ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି ।