ନୂଆଦିଲ୍ଲୀ,୧୫।୯: ରେଳ ଟିକେଟର ବୁକିଂରେ ଠକେଇ ରୋକିବା ପାଇଁ ଏବେ ଭାରତୀୟ ରେଲଓ୍ବେ ବଡ଼ ପଦକ୍ଷେପ ଗ୍ରହଣ କରିଛି। ଆଗାମୀ ମାସରୁ ଅନଲାଇନ୍ ଟିକେଟ ବୁକିଂ ସିଷ୍ଟମରେ ବଡ ପରିବର୍ତ୍ତନ ହେବାକୁ ଯାଉଛି। ୧ ଅକ୍ଟୋବର ୨୦୨୫ ରୁ ରିଜର୍ଭେସନ୍ ଖୋଲିବା ପରେ ପୂର୍ବ ୧୫ ମିନିଟ୍ କେବଳ ସେହି ଲୋକ ଅନଲାଇନ୍ ଟିକେଟ୍ ବୁକ୍ କରିପାରିବେ, ଯାହାର ଆଧାର ଭେରିଫିକେସନ୍ ହୋଇଛି। ଏହି ନିୟମ ଆଇଆରସିଟିସିର ଓ୍ବେବସାଇଟ୍ ଓ ମୋବାଇଲ ଆପ୍ ଦୁଇଟିରେ ଉପରେ ଲାଗୁ ହେବ।
ଉଲ୍ଲେଖନୀୟ ଯେ, ଭାରତୀୟ ରେଲଓ୍ବେର ଉଦେଶ୍ୟ ଟିକେଟ୍ ରିଜର୍ଭେସନ୍ ସିଷ୍ଟମର ଦୁରୁପଯୋଗକୁ ରୋକିବା ଓ ପ୍ରକୃତ ଯାତ୍ରୀଙ୍କୁ ପ୍ରାଥମିକତା ଦେବା। ଏହି ପର୍ଯ୍ୟାୟରେ ପ୍ରଥମ ଅକ୍ଟୋବରରୁ ଟ୍ରେନ ପାଇଁ ବୁକିଂ ଖୋଲିବା ପରେ ପ୍ରଥମ ୧୫ ମିନିଟ୍ କେବଳ ଆଧାର ପ୍ରମାଣିତ ଉପଯୋଗକାରୀଙ୍କୁ ଆଇଆରସିଟିସି ଓ୍ବେବସାଇଟ୍ କିମ୍ବା ଆପ୍ ମାଧ୍ୟମରେ ଜେନେରାଲ ରିଜର୍ଭେସନ୍ ବୁକ୍ କରିବାର ଅନୁମତି ଦେବ। ଉଲ୍ଲେଖନୀୟ ଯେ, ବର୍ତ୍ତମାନ ଏହି କଟକଣା କେବଳ ତତ୍କାଳ ବୁକିଂ ଉପରେ ଲାଗୁ ରହିଛି। ରେଲଓ୍ବେର କହିବା ଅନୁସାରେ, ରିଜର୍ଭ ଜେନେରାଲ ଟିକେଟ୍ର ବୁକିଂ, ରିଜର୍ଭେସନ୍ ଖୋଲିବାର ପ୍ରଥମ ୧୫ ମିନିଟ୍ ପଯ୍ୟନ୍ତ କେବଳ ଆଧାର ପ୍ରମାଣିକରଣ ଥିବା ୟୁଜର୍ସ ହିଁ କରିପାରିବେ। ଏହି ସୁବିଧା କେବଳ ଆଇଆରସିଟିସି ଓ୍ବେବସାଇଟ୍ ଓ ମୋବାଇଲ ଆପ୍ରେ ରହିଛି। ଏହାର ସିଧା ପ୍ରଭାବ ସେହି ଯାତ୍ରୀଙ୍କ ଉପରେ ପଡିବ, ଯେଉଁମାନଙ୍କର ତୁରନ୍ତ ବୁକିଂ ଆରମ୍ଭ ହେବାମାତ୍ରେ ଟିକେଟ ପାଇବାକୁ ଚେଷ୍ଟା କରନ୍ତି।
ରେଳବାଇ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ ଏହି ନୂତନ ନିୟମ କେବଳ ଅନଲାଇନ୍ ବୁକିଂ ପାଇଁ ପ୍ରଯୁଜ୍ୟ ହେବ। କମ୍ପ୍ୟୁଟରାଇଜଡ୍ ପିଆରଏସ୍ କାଉଣ୍ଟରରୁ ଟିକେଟ୍ ନେଉଥିବା ଲୋକଙ୍କ ପାଇଁ ସମୟ ଏବଂ ପ୍ରକ୍ରିୟାରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ। ସେହିପରି, ଅଧିକୃତ ଟିକେଟ୍ ଏଜେଣ୍ଟମାନଙ୍କ ପାଇଁ ପୂର୍ବରୁ ଥିବା ୧୦ ମିନିଟ୍ କଟକଣା (ଓପନିଂ ଡେ ରିଜର୍ଭଡ୍ ଟିକେଟ୍ ବୁକ୍ ନକରିବା) ଜାରି ରହିବ। ରେଳବାଇ ଏହା ମଧ୍ୟ କହିଛି ଯେ ଏହି ପରିବର୍ତ୍ତନକୁ କାର୍ଯ୍ୟକାରୀ କରିବା ପାଇଁ, CRIS (ସେଣ୍ଟର ଫର ରେଲୱେ ଇନଫର୍ମେସନ ସିଷ୍ଟମ) ଏବଂ IRCTC କୁ ଆବଶ୍ୟକୀୟ ବୈଷୟିକ ପରିବର୍ତ୍ତନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।