ନୂଆଦିଲ୍ଲୀ,୦୯/୦୨; ଭାରତ ଆମେରିକା ଏବେ ବାଣିଜ୍ୟ ଚୁକ୍ତି ନେଇ ଘୋଷଣା କରିଛନ୍ତି । ଏଭଳି ସ୍ଥିତିରେ ଭାରତୀୟ କମ୍ପାନି ଗୁଡ଼ିକ ଏପ୍ରିଲ ମାସ ଲାଗି ରୁଷ ତେଲ କିଣା ଅର୍ଡରକୁ ବନ୍ଦ କରି ଦେଇଛନ୍ତି । ଆଗକୁ କମ୍ପାନି ଏହି ଧାରାକୁ ଜାରି ରଖିବାର ଢ଼େର ସମ୍ଭାବନା ରହିଛି ବୋଲି ପ୍ରକ୍ରିୟା ସହ ଜଡିତ ଜଣେ ଅଧିକାରୀ କହିଛନ୍ତି । ନୂଆଦିଲ୍ଲୀର ଏଭଳି ପଦକ୍ଷେପ ୱାଶିଂଟନ ସହ ଚୁକ୍ତି କାର୍ଯ୍ୟକାରୀ କରିବାରେ ସହାୟକ ହେବ । ଶୁକ୍ରବାର ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି ନେଇ ନିକଟତର ହୋଇଥିଲେ । ଏହି ଡିଲ୍ ନେଇ ଉଭୟ ଦେଶ ଫ୍ରେମୱାର୍କ ଘୋଷଣା କରିଛନ୍ତି । ମାର୍ଚ୍ଚ ଆଡକୁ ଚୂଡାନ୍ତ ଚୁକ୍ତି ହୋଇପାରେ । ଏହାଦ୍ୱାରା ଭାରତ ଉପରେ ନିମ୍ନ ଟିକସ ଏବଂ ଦ୍ୱିପାକ୍ଷିକ ସମ୍ପର୍କ ଆହୁରି ଦୃଢ଼ ହେବ ।

ମାର୍ଚ୍ଚ ଏବଂ ଏପ୍ରିଲ ମାସ ପାଇଁ କୌଣସି ରୁଷ କମ୍ପାନିଠାରୁ ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ ଏବଂ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ କୌଣସି ଅର୍ଡର ଦେଇ ନ ଥିବା ଜଣେ ଟ୍ରେଡର୍ କହିଛନ୍ତି । ତେବେ ଏହି କମ୍ପାନି ଗୁଡ଼ିକ ପୂର୍ବରୁ ସୂଚୀ ଅନୁସାରେ ମାର୍ଚ୍ଚରେ କିଛି ମାତ୍ରାରେ ରୁଷ ତେଲ ଡେଲିଭରି ପାଇବେ । ତେବେ ଅଧିକାଂଶ ଅନ୍ୟ କମ୍ପାନି ରୁଷ ତେଲ କିଣାକୁ ବନ୍ଦ କରି ଦେଇଥିବା ରିଫାଇନାରି କ୍ଷେତ୍ରର ଜଣେ ଅଧିକାରୀ କହିଛନ୍ତି । ତେବେ ଏ ନେଇ ୩ କମ୍ପାନି ଏବଂ ପେଟ୍ରୋଲିୟମ ମନ୍ତ୍ରଣାଳୟର ପକ୍ଷରୁ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ପ୍ରବକ୍ତା କହିଛନ୍ତି, ଦେଶର ତେଲ ଚାହିଦା ପୂରଣ ସହ ଏ କ୍ଷେତ୍ରରେ ଯେଭଳି କୌଣସି ସମସ୍ୟା ନ ହେବ ସେଥିଲାଗି ଆମଦାନି କ୍ଷେତ୍ରକୁ ବିସ୍ତୃତୀକରଣ କରାଯିବ । ଅନ୍ୟ ଦେଶ ଗୁଡ଼ିକରୁ ମଧ୍ୟ ତେଲ ମଗାଇବ ଭାରତ । ଭାରତ ଆମେରିକା ବାଣିଜ୍ୟ ଚୁକ୍ତିରେ ରୁଷ ତେଲ ସମ୍ପର୍କରେ ଉଲ୍ଲେଖ ନାହିଁ । ମାତ୍ର ରୁଷ ତେଲ କିଣାକୁ ନେଇ ଲାଗିଥିବା ୨୫% ଅତିରିକ୍ତ ଟାରିଫକୁ ଆମେରିକା ହଟାଇଛି । ଫଳରେ ନୂଆଦିଲ୍ଲୀ ପ୍ରତ୍ୟକ୍ଷ କିମ୍ବା ପରୋକ୍ଷ ଭାବେ ରୁଷ ତେଲ ଆମଦାନିକୁ ବନ୍ଦ କରିବ । ତେବେ ଏ ନେଇ ବିଧିବଦ୍ଧ ଭାବେ କୌଣସି ଯୋଜନା ସମ୍ପର୍କରେ ଦେଶ କୌଣସି ଘୋଷଣା କରିନି ।

ରୁଷ-ୟୁକ୍ରେନ ଯୁଦ୍ଧ ପରେ ଭାରତ ରୁଷ ତେଲର ସବୁଠୁ ବଡ ଆମଦାନିକାରୀ ପାଲଟିଥିଲା । ଏହାକୁ ନେଇ ଆମେରିକା ଭାରତ ଉପରେ ଅତିରିକ୍ତ ୨୫% ଟାରିଫ ଲାଗୁ କରିବା ପରେ ଦେଶ ଉପରେ ମୋଟ ୫୦% ଟାରିଫ ଛୁଇଁଥିଲା । ଭାରତରେ ଅବସ୍ଥାପିତ ନାଏରା କେବଳ ଦୈନିକ ୪ ଲକ୍ଷ ବ୍ୟାରେଲ ରୁଷ ତେଲ ମଗାଉଥିଲା । ନାଏରା ମଧ୍ୟ ଏପ୍ରିଲ ଲାଗି କୌଣସି ରୁଷ ତେଲ ଅର୍ଡର କରିନି । ତେବେ ଭାରତୀୟ କମ୍ପାନି ଗୁଡ଼ିକ ସରକାରଙ୍କ ପରାମର୍ଶକ୍ରମେ କାର୍ଯ୍ୟକ୍ରମ ଗ୍ରହଣ କରିବେ । ରୁଷ ତେଲ କିଣା ଉପରେ ଆମେରିକା ନଜର ରଖିବ । ଭାରତ ତେଲ କିଣା ପୁଣି ଜାରି ରଖିଲେ ଟାରିଫ ପ୍ରତ୍ୟାବର୍ତ୍ତନ କରିବ ଆମେରିକା ।

ଏହା ବି ପଢନ୍ତୁ...ବାରମ୍ବାର "ଋଣ" ମାଗୁଥିଲା ପାକିସ୍ତାନ, ଗେମ୍ ଖେଳିଦେଲା ଭାରତ! ଏବେ ସଫଳ ହେବନି ପାକିସ୍ତାନର ଯୋଜନା

ଜଣେ ଅଧିକାରୀ କହିଛନ୍ତି, ଭାରତ ମାର୍ଚ୍ଚ ମାସ ଲାଗି ଦୈନିକ ରୁଷ ତେଲ କ୍ରୟ ୧ ନିୟୁତ ବ୍ୟାରେଲରୁ ନିମ୍ନକୁ ଆଣିବା ଲାଗି ଯୋଜନା ରଖିଛି । ଯାହାକୁ ପରେ ୫ରୁ ୬ ଲକ୍ଷ ବ୍ୟାରେଲ କରାଯିବ । ଯାହା ଗତବର୍ଷ ଦୈନିକ ହାରାହାରି ୧.୭ ଲକ୍ଷ ବ୍ୟାରେଲ ଥିଲା । ୨୦୨୫ ମଧ୍ୟ ଭାଗରେ ଭାରତ ରୁଷଠାରୁ ଦୈନିକ ହାରାହାରି ୨ ନିୟୁତ ବ୍ୟାରେଲ ତେଲ କିଣିଥିଲା । ବିଶ୍ୱର ତୃତୀୟ ବୃହତ ତେଲ ବ୍ୟବହାରକାରୀ ଏବଂ ଆମଦାନିକାରୀ ଦେଶ ଭାରତ ଡିସେମ୍ବର ମାସରେ ରୁଷ ତେଲ ଆମଦାନି ୨ ବର୍ଷର ନିମ୍ନ ସ୍ତରକୁ ଖସିଛି । ଏବେ ଭାରତୀୟ କମ୍ପାନି ଗୁଡ଼ିକ ମଧ୍ୟ ପ୍ରାଚ୍ୟ, ଆଫ୍ରିକ ଏବଂ ଦକ୍ଷିଣ ଆମେରିକୀୟ ଦେଶ ଗୁଡ଼ିକରୁ ତେଲ କିଣୁଛନ୍ତି ।