ନୂଆଦିଲ୍ଲୀ,୨୮/୫ : କାନାଡ଼ାର ନାୟଗ୍ରା ଅଞ୍ଚଳରୁ ଏକ ଲୋମ ଟାଙ୍କୁରା ଘଟଣା ସାମ୍ନାକୁ ଆସିଛି । ଯାହା ସମସ୍ତଙ୍କୂ ଆଶ୍ଚର୍ଯ୍ୟ କରି ଦେଇଛି । ଗୁଜୁରାଟର ଜନୈକ ୨୨ବର୍ଷୀୟ ଭାରତୀୟ ଛାତ୍ରୀଙ୍କୁ ଦିନ ଦ୍ବିପ୍ରହରରେ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଛାତ୍ରୀ ଜଣଙ୍କ ବିଧି କଳ୍ପେଶଭାଇ ମେଘାନି ହୋଇଥିବାବେଳେ କାନାଡ଼ାକୁ ଏକ ଉଜ୍ଜ୍ବଳ ଭବିଷ୍ୟତ ଗଢିବାକୁ ଆସିଥିଲେ । ତାଙ୍କର କ୍ଷତ ବିକ୍ଷତ ଶରୀର ଦେଖି ସେଠାରେ ଥିବା ଡାକ୍ତରମାନେ ବି ଭୟଭୀତ ହୋଇଯାଇଥିଲେ। ଏହି ଭୟଙ୍କର ଘଟଣା ପରେ, କାନାଡାରେ ରହୁଥିବା ଭାରତୀୟ ଛାତ୍ରଛାତ୍ରୀମାନେ ନିଜ ସୁରକ୍ଷା ପାଇଁ ଗଭୀର ଭୟଭୀତ।

କୁହାଯାଉଛି ଯେ, ୧୫ମଇରେ, ବିଧି ସବୁଦିନ ପରି ଘରୁ ବାହାରକୁ ବାହାରିଥିଲେ । ଏହି ସମୟରେ ହଠାତ୍ ତାଙ୍କ ଉପରକୁ ଆକ୍ରମଣ ହୋଇଥିଲା । ଆକ୍ରମଣକାରୀ ତାଙ୍କୁ ଅନେକ ଥର ଛୁରାମାଡ଼ କରିଥିଲେ । ଏହି ଆକ୍ରମଣ ସମୟରେ ବିଧି ନିଜକୁ ବଞ୍ଚାଇବାକୁ ସୁଯୋଗ ମଧ୍ୟ ପାଇ ନ ଥିଲେ। ସେ ଚିତ୍କାର କରିଥିଲେ ମଧ୍ୟ କୌଣସି ସାହାଯ୍ୟ ପାଇ ନ ଥିଲେ। ସେ ରକ୍ତରେ ଜୁଡ଼ୁବୁଡ଼ୁ ହୋଇ ତଳେ ପଡ଼ି ଯାଇଥିଲେ। ତାଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ଆକ୍ରମଣକାରୀ ଫେରାର୍ ହୋଇଯାଇଥିଲେ ।

ରକ୍ତ ଜୁଡୁବୁଡୁ ଅବସ୍ଥାରେ ବିଧିଙ୍କୁ ସ୍ଥାନୀୟ ଲୋକମାନେ ତୁରନ୍ତ ଏକ ଆମ୍ବୁଲାନ୍ସ ଡାକି ନିକଟସ୍ଥ ହସ୍ପିଟାଲକୁ ନେଇଯାଇଥିଲେ । ଡାକ୍ତରଙ୍କ ଏକ ଦଳ ବିଧିଙ୍କ ଜୀବନ ବଞ୍ଚାଇବା ପାଇଁ ଯଥା ସମ୍ଭବ ଚେଷ୍ଟା କରିଥିଲେ, କିନ୍ତୁ କ୍ଷତ ଏତେ ଗଭୀର ଏବଂ ସାଂଘାତିକ ଥିଲା ଯେ ତାଙ୍କର ପ୍ରଚୁର ରକ୍ତସ୍ରାବ ହୋଇଥିଲା । ଶେଷରେ, ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ଖବର କେବଳ କାନାଡ଼ାରେ ତାଙ୍କ ପରିବାରକୁ ନୁହେଁ ବରଂ ଭାରତରେ ତାଙ୍କ ପରିବାରକୁ ମଧ୍ୟ ଦୁଃଖିତ କରିଛି ।

ଏହି ହତ୍ୟାକାଣ୍ଡ ପରେ କାନାଡ଼ାର ନାୟଗ୍ରା ଆଞ୍ଚଳିକ ପୋଲିସ ତୁରନ୍ତ ସତର୍କ ହୋଇ ଏକ ହତ୍ୟା ମାମଲା ପଞ୍ଜିକରଣ କରି ଘଟଣାର ତଦନ୍ତ କରୁଛି । ଘଟଣାସ୍ଥଳର ସମସ୍ତ ସିସିଟିଭି ଫୁଟେଜ ଯାଞ୍ଚ କରାଯାଉଛି ଏବଂ ସେହି ବାଟ ଦେଇ ଯାଉଥିବା ପ୍ରତ୍ୟେକ୍ଷଦର୍ଶୀଙ୍କୁ ବ୍ୟାପକ ପଚରାଉଚରା କରାଯାଉଛି । ଘଟଣାର କିଛିଦିନ ପରେ ମଧ୍ୟ ଅଭିଯୁକ୍ତ ଧରାପଡ଼ି ନାହିଁ। ଫେରାର ହତ୍ୟାକାରୀକୁ ଧରିବାକୁ ପୋଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି, କିନ୍ତୁ ଏ ପର୍ଯ୍ୟନ୍ତ କୌଣସି ସୁରାକ ମିଳିନାହିଁ।