ନୂଆଦିଲ୍ଲୀ,୨୪।୧୧:  ଅରୁଣାଚଳ ପ୍ରଦେଶରେ ଜଣେ ମହିଳା ଅଭିଯୋଗ କରିଛନ୍ତି ଯେ, ଚୀନ୍‌ ଅଫିସରମାନେ ତାଙ୍କ ଭାରତୀୟ ପାସପୋର୍ଟର ପରିଚୟକୁ ଗ୍ରହଣ କରିନଥିଲେ। ଇମିଗ୍ରେସନ୍‌ ଅଫିସର କହିଥିଲେ ଅରୁଣଚଳ ପ୍ରଦେଶ ଚୀନ୍‌ର ଅଂଶ। ମହିଳାଙ୍କ କହିବା ଅନୁସାରେ, ଚୀନ୍ ଇମିଗ୍ରେସନ୍ ଅଫିସର ସାଂଘାଇ ଏୟାରପୋର୍ଟରେ ତାଙ୍କ ସହ ଖରାପ ବ୍ୟବହାର କରିଥିଲେ। ତାଙ୍କୁ କଷ୍ଟଡିରେ ନିଆଯାଇଥିଲା ଓ ଘଣ୍ଟେ ପର୍ଯ୍ୟନ୍ତ ନିର୍ଯାତନା ଦିଆଯାଇଥିଲା। ଭାରତୀୟ ବଂଶୋଦ୍ଭବ ଏହି ମହିଳା ଜଣକ ଏବେ ବ୍ରିଟେନ୍‌ରେ ରୁହନ୍ତି।

ମହିଳାଙ୍କ ନାଁ ହେଉଛି ପ୍ରେମା ଓ୍ବାଙ୍ଗ ଜୋମ୍‌ ଥୋଙ୍କଡୋକ୍‌ । ସେ ୨୧ ନଭେମ୍ବରରେ ଲଣ୍ଡନରୁ ଜାପାନ ଯାତ୍ରା କରୁଥିଲେ। ଏହି ଯାତ୍ରା ବେଳେ ସେ ସାଂଘାଇ ପୁଡାଙ୍ଗ ଏୟାରପୋର୍ଟରେ ଟ୍ରାଞ୍ଜିଟ୍ ହଲ୍ଟ ପାଇଁ ରହିଥିଲେ। ମହିଳାଙ୍କ ଅଭିଯୋଗ ଯେ, ଇମିଗ୍ରେସନ୍ କାଉଣ୍ଟରର ଅଧିକାରୀ ତାଙ୍କର ପାସପୋର୍ଟକୁ ବେଆଇନ୍ ବୋଲି କହିଥିଲେ। ଏଭଳି କରିବାର କାରଣ ଥିଲା ପାସପୋର୍ଟରେ ମହିଳାଙ୍କ ଜନ୍ମସ୍ଥାନ ଅରୁଣାଚଳ ପ୍ରଦେଶ ଲେଖାଯାଇଥିଲା। ଅଧିକାରୀ ତାଙ୍କୁ କହିଥିଲେ, ଅରୁଣାଚଳ ଚୀନ୍‌ର ଅଂଶ।

ମହିଳା ଜଣକ କହିଛନ୍ତି, ଇମିଗ୍ରେସନ୍ ପରେ ମୁଁ ନିଜର ପାସପୋର୍ଟ ଜମା କରିଦେଇଥିଲି ଓ ସିକ୍ୟୁରିଟି ବନ୍ଦୋବସ୍ତର ଅପେକ୍ଷା କରିଥିଲି। ଏହି ସମୟରେ ଜଣେ ଅଧିକାରୀ ଆସିଥିଲେ ଓ ମୋ ନାଁ ନେଇ ଇଣ୍ଡିଆ ଇଣ୍ଡିଆ ଚିଲାଇବାରେ ଲାଗିଥିଲେ। ସେ ମୋ ଆଡକୁ ଇଶାରା ମଧ୍ୟ କରୁଥିଲେ। ଏହାପରେ ଯେତେବେଳେ ମୁଁ ପଚାରିଥିଲି ମୋତେ ଇମିଗ୍ରେସନ୍ ଡେସ୍କକୁ ନିଆଯାଇଥିଲା ଓ କୁହାଯାଇଥିଲା ଅରୁଣାଚଳ ପ୍ରଦେଶର ହୋଇଥିବାରୁ ଏହା ବୈଧ ପାସପୋର୍ଟ ନୁହେଁ। ଏହାପରେ ଯେତେବେଳେ ମହିଳା ଜଣକ ପଚାରିଥିଲେ ତାଙ୍କର ଭାରତୀୟ ପାସପୋର୍ଟ କାହିଁକି ବୈଧ ନୁହେଁ ? ଏହାପରେ ସେହି ଅଧିକାରୀ ଜଣକ କହିଥିଲେ ଅରୁଣାଚଳ ପ୍ରଦେଶ ଚୀନ୍‌ର ଅଂଶ।

ଏହାପରେ ପ୍ରେମା କହିଥିଲେ ଗତ ବର୍ଷ ସେ ସାଂଘାଇରେ ଟ୍ରାଞ୍ଜିଟ୍ ହଲ୍ଟ କରିଥିଲେ,ସେତେବେଳେ ଏଭଳି କିଛି ହୋଇନଥିଲା। ଏହା ଶୁଣି ଇମିଗ୍ରେସନ୍ ଅଧିକାରୀ ଓ ଚାଇନା ଇଷ୍ଟର୍ନ ଏୟାରଲାଇନ୍ସ ଷ୍ଟାଫ୍ ତାଙ୍କୁ ଥଟ୍ଟା ପରିହାସ କରିଥିଲେ। ଏପରିକି ଏହି ଲୋକମାନେ ତାଙ୍କୁ ଚୀନ୍ ପାସପୋର୍ଟ ଆପ୍ଲାଇ କରିବାକୁ ପରାମର୍ଶ ଦେଇଥିଲେ। ପ୍ରେମାଙ୍କ ଏହା ମଧ୍ୟ ଅଭିଯୋଗ ରହିଛି ଯେ, ତାଙ୍କର  ପାସପୋର୍ଟ ରଖି ଦିଆଯାଇଥିଲା। ଏହି କାରଣରୁ ସେ ବୈଧ ଭିସା ଥାଇ ମଧ୍ୟ ଜାପାନର ବିମାନକୁ ଚଢିପାରିନଥିଲେ। ଏହି ପୁରା ଘଟଣାକ୍ରମ  ପରେ ସେ ବ୍ରିଟିସ୍ ବନ୍ଧୁଙ୍କ ସାହାରାରେ ସାଂଘାଇରେ ଥିବା ଭାରତୀୟ ଦୂତାବାସରେ ପହଁଞ୍ଚିଥିଲେ। ଏହାପ​ରେ​‌ ସେଠାରେ ଭାରତୀୟ ଅଧିକାରୀ ତାଙ୍କୁ ସାହାଯ୍ୟ କରିଥିଲେ। ଏବେ ପ୍ରେମା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନ୍ୟ ଅଧିକାରୀଙ୍କୁ ଚିଠି ଲେଖିଛନ୍ତି। ଏହି ପତ୍ରରେ ପ୍ରେମା ଲେଖିଛନ୍ତି, ଏହି ଘଟଣାକ୍ରମ ଦ୍ବାରା ସେ ଭାରତୀୟ ସାର୍ବଭୌମତ୍ବ ଓ ଅରୁଣାଚଳ ପ୍ରଦେଶର ନାଗରିକଙ୍କ ପାଇଁ ଅପମାନ ଅନୁଭବ କରିଛନ୍ତି। ସେ ଭାରତ ସରକାରଙ୍କୁ ଅନୁରୋଧ କରିଛନ୍ତି ଏହି ମାମଲାକୁ ବେଜିଂରେ ଅଧିକାରୀଙ୍କ ଆଗରେ ଉଠାନ୍ତୁ।