ଆଉ ଦିନ କେତେଟା ପରେ କ୍ୟାଲେଣ୍ଡରର ପୃଷ୍ଠା ବଦଳି ଯିବ । ଖାଲି ପୃଷ୍ଠା ବଦଳି ଯିବ ନାହିଁ, ଗୋଟିଏ ବର୍ଷ ଶେଷ ହୋଇ ଆଉ ଏକ ନୂଆ ବର୍ଷ ଆସିବ । ଗତ ଜାନୁଆରୀରୁ ଏ ପର୍ଯ୍ୟନ୍ତ ଭାରତୀୟ କ୍ରୀଡ଼ା ଇତିହାସରେ ଯୋଡ଼ି ହୋଇଛି ଅନେକ ନୂଆ ଫର୍ଦ୍ଦ । ବିଶେଷ କରି ମହିଳାମାନଙ୍କ ପ୍ରଦର୍ଶନ ଅତି ପ୍ରଶଂସନୀୟ ରହିଥିଲା । ମହିଳା କ୍ରିକେଟ ଦଳ ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ପ୍ରଥମ ଥର ବିଶ୍ୱ ଚାମ୍ପିଅନ ହୋଇଥିଲା । ଦୃଷ୍ଟି ବାଧିତ ଟି-ଟ୍ୱେଣ୍ଟି ବିଶ୍ୱକପ୍, ମହିଳା କବାଡ଼ି ବିଶ୍ୱକପ୍ରେ ଭାରତ ଚାମ୍ପିଅନ, ଚେସ୍ ବିଶ୍ୱକପ୍ରେ ଦିବ୍ୟା ଦେଶମୁଖଙ୍କୁ ସ୍ୱର୍ଣ୍ଣ ଏବଂ ମହିଳା ଫୁଟବଲ ଦଳର ଏସିଆନ କପ୍ ୨୦୨୬କୁ ପ୍ରଥମ ଯୋଗ୍ୟତା ୨୦୨୫କୁ ନିଶ୍ଚିତ ଭାବେ ସ୍ମରଣୀୟ କରି ରଖିବ । (ବିମଳ କୁମାର ରାଉଳ)
ମହିଳା କ୍ରିକେଟରେ ଇତିହାସ
ମହିଳା କ୍ରିକେଟ୍ରେ ଭାରତୀୟ ଦଳ ଇତିହାସ ରଚିଥିଲେ । ୨୦୨୫ ଦିନିକିଆ ବିଶ୍ୱକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିଥିଲେ । ସେପ୍ଟେମ୍ବର ୩୦ ତାରିଖରୁ ବିଶ୍ୱକପ୍ ଆରମ୍ଭ ହୋଇ ନଭେମ୍ବର ୨ ତାରିଖରେ ଉଦ୍ଯାପିତ ହୋଇଥିଲା । ୮ଟି ଦଳ ଫାଇନାଲ ପର୍ଯ୍ୟନ୍ତ ମୋଟ୍ ୩୧ଟି ମ୍ୟାଚ୍ ଖେଳିଥିଲେ । ଭାରତ ଓ ଡିଫେଣ୍ଡିଂ ଚାମ୍ପିଅନ ଅଷ୍ଟ୍ରେଲିଆ ମଧ୍ୟରେ ସେମି ଫାଇନାଲ ମ୍ୟାଚ ଖେଳାଯାଇଥିଲା । ୫ ୱିକେଟ୍ରେ ଭାରତ ରୋମାଞ୍ଚକର ବିଜୟ ହାସଲ କରିଥିଲା । ଜେମିମା ରୋଡ୍ରିଗ୍ସ ୧୨୭ ରନର ଅପରାଜିତ ଇନିଂସ ଖେଳିଥିଲେ ।
ନଭେମ୍ବର ୨ ତାରିଖରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ବହୁ ପ୍ରତୀକ୍ଷିତ ଫାଇନାଲ ମ୍ୟାଚ ଖେଳାଯାଇଥିଲା । ଭାରତ ପ୍ରଥମେ ବ୍ୟାଟିଂ କରି ୭ ୱିକେଟ୍ରେ ୨୯୮ ରନ୍ କରିଥିଲା । ଶେଫାଳି ବର୍ମା ୮୭ ରନ କରିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୨୪୬ ରନ୍ରେ ସୀମିତ ରହିଥିଲା । ଭାରତ ୫୨ ରନ୍ରେ ବିଜୟୀ ହୋଇ ନୂଆ ବିଶ୍ୱ ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା ।
୮୭ ରନ୍ ଏବଂ ୨ଟି ୱିକେଟ୍ ହାସଲ କରି ଶେଫାଳି ପ୍ଲେୟାର ଅଫ୍ ଦ ଫାଇନାଲ ବିବେଚିତ ହୋଇଥିଲେ । ଦୀପ୍ତି ଶର୍ମା ଫାଇନାଲରେ ୫ଟି ୱିକେଟ୍ ହାସଲ କରିଥିଲେ । ବିଶ୍ୱକପ୍ରେ ସେ ୨୨ଟି ୱିକେଟ୍ ଓ ୨୧୫ ରନ୍ କରି ପ୍ଲେୟାର ଅଫ୍ ଦ ଟୁର୍ଣ୍ଣାମେଣ୍ଟ ପୁରସ୍କାର ପାଇଥିଲେ । ୨୦୦୫ ଓ ୨୦୧୭ରେ ଭାରତ ଫାଇନାଲ ଖେଳିଥିଲା । କିନ୍ତୁ ଟାଇଟଲ ଜିତିବାରେ ସଫଳ ହୋଇନଥିଲା ।
ଭେଟେରାନ ହର୍ମନପ୍ରୀତ କୌର ଦଳର ନେତୃତ୍ୱ ନେଇଥିଲେ । ସେମିତି ଦଳରେ ରହିଥିଲେ ପ୍ରତୀକା ରାୱଲ, ହର୍ଲିନ ଦେଓଲ, ଦୀପ୍ତି ଶର୍ମା, ଜେମିମା ରୋଡ୍ରିଗ୍ସ, ରେଣୁକା ସିଂ ଠାକୁର, ଅରୁନ୍ଧତୀ ରେଡ୍ଡୀ, ରିଚା ଘୋଷ, କ୍ରାନ୍ତି ଗୌଡ଼, ଅମନଜୋତ କୌର, ରାଧା ଯାଦବ, ଶ୍ରୀ ଚରଣୀ, ୟସ୍ତିକା ଭାଟିଆ ଓ ସ୍ନେହ ରାଣା । ଆହତ ହୋଇ ଦଳରୁ ବାଦ ପଡ଼ିଥିବା ପ୍ରତୀକାଙ୍କ ସ୍ଥାନରେ ଶେଫାଳି ଦଳରେ ସାମିଲ ହୋଇଥିଲେ।
ଜୁନିୟର ମହିଳାଙ୍କୁ ଦ୍ୱିତୀୟ ବିଶ୍ୱ ଟାଇଟଲ
୧୯ ବର୍ଷରୁ କମ୍ ମହିଳା ଟି-ଟ୍ୱେଣ୍ଟିରେ ଭାରତ କ୍ରମାନ୍ୱୟରେ ଦ୍ୱିତୀୟ ଥର ଚାମ୍ପିଅନ ହେବାର ଗୌରବ ଲାଭ କରିଥିଲା । ମାଲେସିଆରେ ଏହି ଟୁର୍ଣ୍ଣାମେଣ୍ଟ ଜାନୁଆରୀ ୧୮ରୁ ଫେବ୍ରୁଆରୀ ୨ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଭାରତ ଓ ଦକ୍ଷିଣ ଆଫ୍ରିକା ଫାଇନାଲ ଖେଳିଥିଲେ । ଶେଷରେ ଭାରତ ୯ ୱିକେଟ୍ରେ ବିଜୟୀ ହୋଇଥିଲା ।
ଦିବ୍ୟା ଚେସ୍ ଚାମ୍ପିଅନ୍
ଚଳିତ ବର୍ଷ ଅଲିମ୍ପିକ୍ସ, ଏସିଆଡ୍ ଏବଂ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଭଳି ଗୁରୁତ୍ୱପୂର୍ଣ୍ଣ କ୍ରୀଡ଼ା ମହାକୁମ୍ଭ ରହିନଥିଲେବି ଭାରତୀୟ କ୍ରୀଡ଼ାବିତ ବିଭିନ୍ନ ଅନ୍ତର୍ଜାତୀୟ କ୍ରୀଡ଼ାରେ ଦଳଗତ ଓ ବ୍ୟକ୍ତିଗତ ବର୍ଗରେ ଦେଶକୁ ଗୌରବାନ୍ୱିତ କରିଥିଲେ । ମହିଳା ଚେସ୍ ବିଶ୍ୱକପ୍ରେ ବିଶ୍ୱ ଚାମ୍ପିଅନ ହୋଇଥିଲେ ଗ୍ରାଣ୍ଡମାଷ୍ଟର ଦିବ୍ୟା ଦେଶମୁଖ । ଜର୍ଜିଆରେ ଜୁଲାଇ ୫ରୁ ୨୯ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇଥିଲା । ପ୍ରଥମ ଥର ଭାରତର ଦୁଇ ଗ୍ରାଣ୍ଡମାଷ୍ଟର କୁନେରୁ ହମ୍ପି ଓ ଦିବ୍ୟାଙ୍କ ମଧ୍ୟରେ ଫାଇନାଲ ଖେଳାଯାଇଥିଲା । ଶେଷରେ ଦିବ୍ୟା ହୋଇଥିଲେ ବିଶ୍ୱ ଚାମ୍ପିଅନ । ହମ୍ପି ରୌପ୍ୟ ପଦକ ପାଇଥିଲେ । ଭାରତୀୟ ମହିଳା ଚେସ୍ରେ ଏହା ଏକ ବିରଳ ସଫଳତା ରହିଥିଲା।
ସୁଟିଂ ବିଶ୍ୱକପରେ ୯ ସ୍ୱର୍ଣ୍ଣ
ସୁଟିଂ ବିଶ୍ୱକପ୍ର ବିଭିନ୍ନ ଇଭେଣ୍ଟ ଏପ୍ରିଲ ୧ରୁ ଡିସେମ୍ବର ୯ ତାରିଖ ମଧ୍ୟରେ ବିଭିନ୍ନ ଦେଶରେ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ୯ଟି ସ୍ୱର୍ଣ୍ଣ ଭାରତକୁ ମିଳିଛି । ଏପ୍ରିଲ ୪ରେ ସିଫ୍ଟ କୌର ଶମରା ମହିଳା ୫୦ ମିଟର ରାଇଫଲ ଥ୍ରୀ ପୋଜିସନରେ, ଏପ୍ରିଲ ୬ରେ ପୁରୁଷ ୧୦ ମିଟର ଏୟାର ରାଇଫଲରେ ରୁଦ୍ରାକ୍ଷ ପାଟିଲ, ୮ ତାରିଖରେ ମହିଳା ୧୦ ମିଟର ଏୟାର ପିସ୍ତଲରେ ସୂରୁଚୀ ଇନ୍ଦର ସିଂ ଓ ପୁରୁଷ ୨୫ ମିଟର ରାପିଡ୍ ଫାୟାର ପିସ୍ତଲରେ ବିଜୟବୀର ସିନ୍ଧୁ, ଏପ୍ରିଲ ୧୫ରେ ମହିଳା ୧୦ ମିଟର ଏୟାର ପିସ୍ତଲରେ ସୂରୁଚୀ, ୧୬ରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ରେ ସୂରୁଚୀ ଓ ସୌରଭ ଚୌଧୁରୀ, ଜୁନ ୧୩ରେ ମହିଳା ୧୦ ମିଟର ଏୟାର ପିସ୍ତଲରେ ସୂରୁଚୀ, ୧୪ ତାରିଖରେ ୧୦ ମିଟର ଏୟାର ପିସ୍ତଲ ମିକ୍ସଡ ଟିମ୍ରେ ଆର୍ଯ୍ୟା ବର୍ସରେ ଓ ଅର୍ଜୁନ ବାବୁତା ଏବଂ ସେପ୍ଟେମ୍ବର ୧୩ ତାରିଖରେ ଈଶା ସିଂ ମହିଳା ୧୦ ମିଟର ଏୟାର ପିସ୍ତଲରେ ସ୍ୱର୍ଣ୍ଣ ପଦକ ଜିତିଥିଲେ ।
ମୀରାବାଈଙ୍କ ପ୍ରତ୍ୟାବର୍ତ୍ତନ
ରାଜ୍ୟଗୋଷ୍ଠୀ ଭାରୋତ୍ତୋଳନ ଚାମ୍ପିଅନସିପ୍ ଅହମ୍ମଦାବାଦରେ ଅଗଷ୍ଟ ୨୪ରୁ ୩୦ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଅଲିମ୍ପିଆନ ମୀରାବାଈ ଚାନୁ ୪୮ କିଲୋ ଓଜନ ବର୍ଗରେ ସ୍ୱର୍ଣ୍ଣ ପଦକ ବିଜୟୀ ହୋଇଥିଲେ । ସେ ମୋଟ୍ ୧୯୩ କିଲୋ ଓଜନ ଉଠାଇଥିଲେ । ସ୍ନାଚରେ ୮୪ କିଲୋ ଏବଂ କ୍ଲିନ ଏଣ୍ଡ ଜର୍କରେ ୧୦୯ କିଲୋ ଟେକି ଧରିଥିଲେ । ଏଥିସହ ସେ ନୂଆ ରାଜ୍ୟଗୋଷ୍ଠୀ ଚାମ୍ପିଅନସିପ୍ ରେକର୍ଡର ଅଧିକାରୀ ହୋଇଥିଲେ । ପ୍ରୀତିସ୍ମିତା ଭୋଇ ୪୪ କିଲୋ ଓଜନ ବର୍ଗରେ ସ୍ୱର୍ଣ୍ଣ ଜିତିଥିଲେ ।
ମୁମ୍ବାଇ ଡବ୍ଲ୍ୟୁପିଏଲ୍ ଚାମ୍ପିଅନ୍
ଡବ୍ଲ୍ୟୁପିଏଲ୍ରେ (ମହିଳା ପ୍ରିମିୟର ଲିଗ) ୨୦୨୫ ସଂସ୍କରଣରେ ମୁମ୍ବାଇ ଇଣ୍ଡିଆନ୍ସ ଚାମ୍ପିଅନ ହୋଇଥିଲା । ଫାଇନାଲ ମ୍ୟାଚ୍ ମୁମ୍ବାଇ ଓ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ଖେଳାଯାଇଥିଲା । ଶେଷରେ ମାତ୍ର ୮ ରନ୍ରେ ବିଜୟୀ ହୋଇ ଇଣ୍ଡିଆନ୍ସ ଦ୍ୱିତୀୟ ଟାଇଟଲ ହାସଲ କରିଥିଲା ।
ତୀରନ୍ଦାଜୀ ବିଶ୍ୱକପ୍ରେ ୩ ସ୍ୱର୍ଣ୍ଣ
ତୀରନ୍ଦାଜୀ ବିଶ୍ୱକପ୍ରେ ସିରିଜ ଟୁର୍ଣ୍ଣାମେଣ୍ଟ ବିଶ୍ୱର ବିଭିନ୍ନ ଭେନ୍ୟୁରେ ଅକ୍ଟୋବର ୧୯ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଚଳିତ ବର୍ଷ ଭାରତ ୩ଟି ସ୍ୱର୍ଣ୍ଣ ଜିତିବାରେ ସଫଳ ହୋଇଥିଲା । କମ୍ପାଉଣ୍ଡ ମହିଳା ବ୍ୟକ୍ତିଗତ ବର୍ଗରେ ମଧୁରା ଧମନଗାଓଁକର ମେ’ ୧୦ ତାରିଖ ଇଭେଣ୍ଟରେ ସ୍ୱର୍ଣ୍ଣ ଜିତିଥିଲେ । ସମାନ ତାରିଖରେ ଅଭିଷେକ ବର୍ମା, ରିଷଭ ଯାଦବ ଓ ଓଜସ ପ୍ରବୀଣ ଦେଓଟଲଙ୍କୁ ନେଇ ଭାରତୀୟ ଦଳ ମଧ୍ୟ ସ୍ୱର୍ଣ୍ଣ ଜିତିଥିଲେ । ଏପ୍ରିଲ ୧୨ ତାରିଖରେ କମ୍ପାଉଣ୍ଡ ମିକ୍ସଡ ଟିମ୍ରେ ଜ୍ୟୋତି ସୁରେଖା ଭେନମ ଓ ରିଷଭ ଯାଦବ ଚାମ୍ପିଅନ ହୋଇଥିଲେ ।
ଖୋ ଖୋ ବିଶ୍ୱକପ୍ରେ ଡବଲ ସ୍ୱର୍ଣ୍ଣ
ଭାରତ ପ୍ରଥମ ଥର ଉଭୟ ପୁରୁଷ ଓ ମହିଳା ବର୍ଗରେ ଖୋ ଖୋ ବିଶ୍ୱକପ୍ ଆୟୋଜନ କରିଥିଲା । ଜାନୁଆରୀ ୧୩ରୁ ୧୯ ତାରିଖ ପର୍ଯ୍ୟନ୍ତ ଏହା ଆୟୋଜିତ ହୋଇଥିଲା । ଆୟୋଜକ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ଟ୍ରଫି ହାସଲ କରିଥିଲା । ପୁରୁଷ ଫାଇନାଲରେ ଭାରତ ୫୪-୩୬ ପଏଣ୍ଟରେ ନେପାଳକୁ ହରାଇଥିଲା । ସେହିପରି ମହିଳାରେ ମଧ୍ୟ ଭାରତ ୭୮-୪୦ ପଏଣ୍ଟରେ ନେପାଳକୁ ପରାସ୍ତ କରିଥିଲା ।
ଏସିଆ କପ୍ ହକିରେ ସ୍ୱର୍ଣ୍ଣ
ପୁରୁଷ ଏସିଆ କପ୍ ହକି ବିହାରର ରାଜଗିରରେ ଅଗଷ୍ଟ ୨୯ରୁ ସେପ୍ଟେମ୍ବର ୭ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା । ଫାଇନାଲରେ ଦକ୍ଷିଣ କୋରିଆକୁ ୪-୧ ଗୋଲରେ ପରାଜିତ କରି ଭାରତ ଚତୁର୍ଥ ଥର ଏସିଆ କପ୍ ଟାଇଟଲ ବିଜେତା ହେବାର ଗୌରବ ଲାଭ କରିଥିଲା । ମହିଳା ଏସିଆ କପ୍ ସଂସ୍କରଣ ଚୀନର ହାଙ୍ଗଝୌରେ ସେପ୍ଟେମ୍ବର ୫ରୁ ୧୪ ତାରିଖ ପର୍ଯ୍ୟନ୍ତ ଖେଳାଯାଇଥିଲା । ଆୟୋଜକ ଚୀନ ଓ ଭାରତ ଫାଇନାଲ ଖେଳିଥିଲେ । ଚୀନ ୪-୧ ଗୋଲରେ ବିଜୟୀ ହୋଇଥିଲା । ଭାରତ ରୌପ୍ୟରେ ସନ୍ତୁଷ୍ଟ ରହିଥିଲା ।
ମହିଳା କବାଡ଼ିରେ ଦ୍ୱିତୀୟ ଟାଇଟଲ
ବାଂଲାଦେଶର ଢାକାରେ ନଭେମ୍ବର ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଆୟୋଜିତ ହୋଇଥିଲା ମହିଳା କବାଡ଼ି ବିଶ୍ୱକପ୍ । ଭାରତ ଫାଇନାଲରେ ୩୫-୨୮ ପଏଣ୍ଟରେ ଚାଇନିଜ ତାଇପେ ଦଳକୁ ହରାଇ ଟାଇଟଲ ହାସଲ କରିଥିଲା । ଏହା ଦଳର ଦ୍ୱିତୀୟ ଟାଇଟଲ । ୨୦୧୨ରେ ପାଟନାରେ ପ୍ରଥମ ସଂସ୍କରଣ ଆୟୋଜିତ ହୋଇଥିଲା । ଭାରତ ଟାଇଟଲ ଜିତିଥିଲା । ୧୩ ବର୍ଷ ପରେ ଦ୍ୱିତୀୟ ସଂସ୍କରଣ ଆୟୋଜିତ ହୋଇଥିଲା ।
ମହିଳା ଫୁଟବଲରେ ଗୌରବର ଫର୍ଦ୍ଦ
ପ୍ରଥମ ଥର ଭାରତୀୟ ମହିଳା ଫୁଟବଲ ଦଳ ୨୦୨୬ ଏଏଫ୍ସି ମହିଳା ଏସିଆନ କପ୍କୁ ଯୋଗ୍ୟତା ହାସଲ କରିଛି । ଗତ ଜୁଲାଇ ୫ ତାରିଖରେ ଆୟୋଜକ ଥାଇଲାଣ୍ଡକୁ ୨-୧ ଗୋଲରେ ହରାଇ ଭାରତ ଏହି ଐତିହାସିକ ସଫଳତା ହାସଲ କରିଥିଲା । ଏସିଆନ କପ୍ର ଯୋଗ୍ୟତା ପର୍ଯ୍ୟାୟ ଆରମ୍ଭ ଦିନରୁ ଭାରତ କେବେ ଟୁର୍ଣ୍ଣାମେଣ୍ଟର ମୁଖ୍ୟ ପର୍ଯ୍ୟାୟ ଖେଳିବାର ସୁଯୋଗ ପାଇନଥିଲା । ଏସିଆ କପ୍ର ୨୦୨୬ ସଂସ୍କରଣ ଅଷ୍ଟ୍ରେଲିଆରେ ଆୟୋଜିତ ହେବ ।
ଦୃଷ୍ଟି ବାଧିତ ମହିଳା ଟି-ଟ୍ୱେଣ୍ଟିରେ ଚାମ୍ପିଅନ
ଭାରତ ପ୍ରଥମ ଦୃଷ୍ଟିବାଧିତ ମହିଳା ଟି-ଟ୍ୱେଣ୍ଟି ବିଶ୍ୱକପ୍ରେ ଚାମ୍ପିଅନ ହୋଇଥିଲା । ଫାଇନାଲରେ ଦଳ ନେପାଳକୁ ୭ ୱିକେଟ୍ରେ ହରାଇଥିଲା । କଲମ୍ବୋରେ ଖେଳାଯାଇଥିବା ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ନେପାଳ ୫ ୱିକେଟ୍ରେ ୧୧୪ ରନ୍ କରିଥିଲା । ଜବାବରେ ଭାରତ ୧୨.୧ ଓଭରରେ ୩ ୱିକେଟ୍ ହରାଇ ବିଜୟୀ ହୋଇଥିଲା । ଷ୍ଟାର ବ୍ୟାଟର ଫୁଲ ସୋରେନ ୨୭ଟି ବଲରୁ ଅପରାଜିତ ୪୪ ରନ୍ କରି ଦଳକୁ ଜିତାଇଥିଲେ । ବିଶ୍ୱକପ୍ର ପ୍ରଥମ ସଂସ୍କରଣରେ ଚାମ୍ପିଅନ ହୋଇ ଭାରତୀୟ ମହିଳା ଇତିହାସ ରଚିଛନ୍ତି । ଫୁଲ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ । ଭାରତ ଲିଗରେ ଶ୍ରୀଲଙ୍କା, ଆମେରିକା ଓ ପାକିସ୍ତାନକୁ ପରାଜିତ କରିଥିଲା । ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲକୁ ଉନ୍ନୀତ ହୋଇଥିଲା । ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ବିଶ୍ୱକପ୍ ଆୟୋଜନ କରିଥିଲେ । ନଭେମ୍ବର ୧୧ ତାରିଖରୁ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇ ୨୩ ତାରିଖରେ ଶେଷ ହୋଇଥିଲା ।