ନୂଆଦିଲ୍ଲୀ, ୨୦।୨: ଟ୍ରାଫିକ୍ ଜାମ୍ରେ ଫସି ରହୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର । ଉଡ଼ି ଉଡ଼ି ମିନିଟକରେ ଲକ୍ଷ୍ୟସ୍ଥଳରେ ପହଞ୍ଚିବେ ଯାତ୍ରୀ । ବିଦେଶରେ ନୁହେଁ, ଭାରତରେ ମିଳିବ ଏହି ସୁବିଧା । ଏଣିକି ରିକ୍ସା-ଅଟୋ ବଦଳରେ ଏୟାର ଟ୍ୟାକ୍ସି ବ୍ୟବହାର କରିବେ ଯାତ୍ରୀ । ୮ ମିନିଟ୍ରେ ଅତିକ୍ରମ କରିବ ୩୬ କିମି । ଅର୍ଥାତ୍ ଆଖି ବନ୍ଦ କରି ଖୋଲୁ ଖୋଲୁ ପହଞ୍ଚିଯିବେ । ଏବେ ଭାରତରେ ବାସ୍ତବତାର ରୂପ ନେବାକୁ ଯାଉଛି ‘ଉଡ଼ନ୍ତା ଟ୍ୟାକ୍ସି’ । ଭାରତ ମିଳିବ ତା’ର ପ୍ରଥମ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ଏୟାର୍ ଟ୍ୟାକ୍ସି । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏହାର ସମସ୍ତ ଗୁରୁତ୍ୱପୂର୍ଣ୍ଣ ପାର୍ଟ୍ସ ଯେପରିକି ଏୟାରଫ୍ରେମ୍ ଏବଂ ପ୍ରୋପେଲର ସମ୍ପୂର୍ଣ୍ଣ ଭାବେ ଭାରତରେ ପ୍ରସ୍ତୁତ କରାଯାଇଛି ।
ଏହା ବି ପଢ଼ନ୍ତୁ... ଗଗନଯାନ ପାରାଶୁଟ ପରୀକ୍ଷଣ ସଫଳ, ସୁରକ୍ଷିତ ପୃଥିବୀକୁ ଫେରିବେ ମହାକାଶଚାରୀ
AI ସମିଟ୍ରେ ପ୍ରଦର୍ଶିତ ହେଲା ମଡେଲ୍:
ନୂଆଦିଲ୍ଲୀର ଭାରତ ମଣ୍ଡପମ୍ଠାରେ ଅନୁଷ୍ଠିତ ‘ଇଣ୍ଡିଆ AI ଇମ୍ପାକ୍ଟ ସମିଟ୍ ୨୦୨୬’ରେ ଏହି ଅତ୍ୟାଧୁନିକ e-VTOL (ଇଲେକ୍ଟ୍ରିକ୍ ଭର୍ଟିକାଲ୍ ଟେକ୍-ଅଫ୍ ଆଣ୍ଡ୍ ଲ୍ୟାଣ୍ଡିଂ) ବିମାନକୁ ପ୍ରଦର୍ଶନ କରାଯାଇଛି । ଚେନ୍ନାଇର ଷ୍ଟାର୍ଟଅପ୍ କମ୍ପାନୀ ‘ଦି ଇ-ପ୍ଲେନ୍ କମ୍ପାନୀ’ (The E Plane Company) ଏବଂ IIT ମାଡ୍ରାସର ମିଳିତ ଉଦ୍ୟମରେ ଏହାକୁ ବିକଶିତ କରାଯାଇଛି ।
୮ ମିନିଟ୍ରେ ୩୬ କିଲୋମିଟର:
କମ୍ପାନୀର ଦାବି ଅନୁଯାୟୀ, ବେଙ୍ଗାଲୁରୁ ଭଳି ବ୍ୟସ୍ତବହୁଳ ସହରରେ ଯେଉଁ ୩୬ କିଲୋମିଟର ରାସ୍ତା ଅତିକ୍ରମ କରିବାକୁ ସାଧାରଣତଃ ୨ ଘଣ୍ଟା ସମୟ ଲାଗେ, ଏହି ଏୟାର୍ ଟ୍ୟାକ୍ସି ସେହି ଦୂରତାକୁ ମାତ୍ର ୮ ମିନିଟ୍ରେ ଅତିକ୍ରମ କରିପାରିବ । ସଡ଼କ ପଥରେ ଏଥିପାଇଁ ହଜାରେ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏୟାର୍ ଟ୍ୟାକ୍ସିରେ ଏହାର ଭଡ଼ା ପ୍ରାୟ ୧,୭୦୦ ଟଙ୍କା ରହିବ ।
ଏୟାର୍ ଟ୍ୟାକ୍ସିର ପ୍ରମୁଖ ବିଶେଷତ୍ୱ:
ନା ରନୱେ, ନା ଇନ୍ଧନ: ଏହା ଏକ ବ୍ୟାଟେରୀ ଚାଳିତ ବିମାନ । ଏହାକୁ ଉଡ଼ିବା କିମ୍ବା ଓହ୍ଲାଇବା ପାଇଁ କୌଣସି ରନୱେର ଆବଶ୍ୟକତା ନାହିଁ । ଏହା ହେଲିକପ୍ଟର ପରି ସିଧା ଉପରକୁ ଉଡ଼ିପାରିବ ।
ବିନା ଶବ୍ଦରେ ଚାଲିବ: ସାଧାରଣ ହେଲିକପ୍ଟର ତୁଳନାରେ ଏହାର ଶବ୍ଦ ବହୁତ କମ୍ ଅର୍ଥାତ୍ ୧୨୦ ଡେସିବେଲ୍ରୁ କମ୍ । ଫଳରେ ସହର ଭିତରେ ଏହା ସହଜର ଚାଲିପାରିବ ।
ଏକାଧିକ ଷ୍ଟପେଜ୍: ଥରେ ଚାର୍ଜ ହେଲେ ଏହା ଅନେକ ସ୍ଥାନରେ ଓହ୍ଲାଇ ପାରିବ ଏବଂ ପୁନର୍ବାର ଉଡ଼ିପାରିବ ।
କେବେ ଆରମ୍ଭ ହେବ ସେବା ?
କମ୍ପାନୀ ପ୍ରଥମେ ୨୦୨୭ ସେପ୍ଟେମ୍ବର-ଅକ୍ଟୋବର ସୁଦ୍ଧା ଏୟାର୍ ଆମ୍ବୁଲାନ୍ସ ସେବା ଆରମ୍ଭ କରିବାକୁ ଲକ୍ଷ୍ୟ ରଖିଛି । ଏହାପରେ ବ୍ୟବସାୟିକ ଭାବେ ଏୟାର ଟ୍ୟାକ୍ସି ସେବା ଆରମ୍ଭ କରାଯିବ । ପ୍ରଥମ ପର୍ଯ୍ୟାୟରେ ବେଙ୍ଗାଲୁରୁ, ଚେନ୍ନାଇ, ପୁଣେ, ମୁମ୍ବାଇ ଏବଂ ଅହମ୍ମଦାବାଦ ଭଳି ସହରରେ ଏହି ସେବା ଉପଲବ୍ଧ ହେବ । ବର୍ତ୍ତମାନ ଏଥିରେ ପାଇଲଟଙ୍କ ସହ ୩ ଜଣ ବସିବା ପାଇଁ ବ୍ୟବସ୍ଥା ଥିବାବେଳେ ଭବିଷ୍ୟତରେ ଏହାକୁ ୧୯ ସିଟ୍ ପର୍ଯ୍ୟନ୍ତ ବୃଦ୍ଧି କରାଯିବ ।