ନୂଆଦିଲ୍ଲୀ,୩୦/୧୨: ଭାରତୀୟଙ୍କ ସୁନା ମୋହ କେଉଁ କାଳରୁ ରହିଆସିଛି । ଘରେ ବଡ଼ ଆକାରରେ ସୁନା ଗହଣା ଆଉ ମୁଦ୍ରା ଜମା କରିଛନ୍ତି ଏମାନେ । ଉଚ୍ଚ ଦର ଯୋଗୁ ଏବେ ଭାରତୀୟ ପରିବାରରେ ଥିବା ମୋଟ ସୁନାର ମୂଲ୍ୟ ୫ ଟ୍ରିଲିୟନ ଡଲାର ପାର୍ କରିଯାଇଛି । ଭାରତୀୟ ମୁଦ୍ରାରେ ଏହା ୪୫୦ ଲକ୍ଷ କୋଟି ଟଙ୍କା ଉପରେ । ଏହା ଦେଶର ମୋଟ ଘରୋଇ ଉତ୍ପାଦ(ଜିଡିପି)ଠାରୁ ଅଧିକ । ଦେଶର ଜିଡିପି ୪.୧ ଟ୍ରିଲିୟନ ଡଲାର ବା ୩୭୦ ଲକ୍ଷ କୋଟି ଟଙ୍କା ।
ସୁନା ଦର ରେକର୍ଡ ଉଚ୍ଚ ସ୍ତରରେ ପହଞ୍ଚିଯାଇଥିବାରୁ ଭାରତୀୟ ଘରେ ଥିବା ସୁନା ମୂଲ୍ୟ ବି ବଡ଼ ଆକାରରେ ବଢ଼ିଯାଇଛି । ୫ ଟ୍ରିଲିୟନ ଡଲାର ଜିଡିପି ଲକ୍ଷ୍ୟ ପୂରଣ ହୋଇନାହିଁ କିନ୍ତୁ ଭାରତୀୟ ଘରେ ଥିବା ସୁନା ଏହି ଟାର୍ଗେଟ ପାର୍ କରିଯାଇଛି ।
ମୋର୍ଗାନ ଷ୍ଟେନ୍ଲିର ଏକ ରିପୋର୍ଟ ଅନୁସାରେ, ଭାରତୀୟ ଘରେ ପ୍ରାୟ ୩୪,୬୦୦ ଟନ୍ ସୁନା ମହଜୁଦ ଅଛି । ଏବେ ୧୦ ଗ୍ରାମ ପିଛା ସୁନା ମୂଲ୍ୟ ପାଖାପାଖି ୧.୩୮ ଲକ୍ଷ ଟଙ୍କା ରହିଛି । ଉକ୍ତ ହିସାବରେ ୩୬,୬୦୦ ଟନ୍ ସୁନା ମୂଲ୍ୟ ୫ ଟ୍ରିଲିୟନ ଡଲାର ବା ୪୫୦ ଲକ୍ଷ କୋଟି ଟଙ୍କା ହେବ ।
ଅନ୍ତର୍ଜାତୀୟ ବଜାରରେ ଆଉନ୍ସ(ପ୍ରାୟ ୨୮ ଗ୍ରାମ) ପିଛା ସୁନା ଦାମ ପାଖାପାଖି ୪,୫୦୦ ଡଲାର ରହିଛି । ଏହାକୁ ଟଙ୍କାରେ ବଦଳାଗଲେ ୧୦ ଗ୍ରାମ ପିଛା ଏହି ଧାତୁର ଦାମ ହେବ ୧.୩୦ ଲକ୍ଷ ଟଙ୍କା ।
ବିଶେଷଜ୍ଞଙ୍କ କହିବାନୁସାରେ, ଭାରତୀୟ ଅର୍ଥବ୍ୟବସ୍ଥାରେ ସୁନାର ସ୍ୱତନ୍ତ୍ର ସ୍ଥାନ ରହିଛି । ଇନ୍ଫୋମେରିକ୍ସ ଭ୍ୟାଲ୍ୟୁଏସନ୍ ଏଣ୍ଡ୍ ରେଟିଙ୍ଗ୍ସର ମୁଖ୍ୟ ଅର୍ଥନୀତିଜ୍ଞ ଡ. ମନୋରଞ୍ଜନ ଶର୍ମାଙ୍କ ମୁତାବକ, ଭାରତୀୟ ରଖିଥିବା ସୁନା ସହ ଜିଡ଼ିପିର ତୁଳନା ଅତ୍ୟନ୍ତ ମଜାଦାର । ସେ କହିଲେ, ଏହି ଅଙ୍କ ଭାରତୀୟ ଅର୍ଥବ୍ୟବସ୍ଥାରେ ହଳିଦିଆ ଧାତୁର ସାଂସ୍କୃତିକ, ବିତ୍ତୀୟ ଏବଂ ମନୋବୈଜ୍ଞାନିକ ମହତ୍ୱକୁ ଦର୍ଶାଇଥାଏ ।
ସାଧାରଣତଃ କୁହାଯାଏ, ଯେତେବେଳେ କୌଣସି ସମ୍ପତ୍ତିର ମୂଲ୍ୟ ବଢ଼ିଥାଏ, ସେତେବେଳେ ଲୋକେ ନିଜକୁ ଧନୀ ଅନୁଭବ କରନ୍ତି ଏବଂ ଅଧିକ ଖର୍ଚ୍ଚ କରନ୍ତି । ଏହାକୁ ୱେଲ୍ଥ ଇଫେକ୍ଟ ବା ଧନର ପ୍ରଭାବ କୁହାଯାଏ । କିନ୍ତୁ ଏମ୍କେ ଗ୍ଲୋବାଲର ଏକ ରିପୋର୍ଟରେ ଏହାର ବିପରୀତ କୁହାଯାଏ । ରିପୋର୍ଟ ଅନୁସାରେ, ଭାରତରେ ୭୫ରୁ୮୦% ସୁନା ଗହଣା ଆକାରରେ ଅଛି । ଲୋକେ ଏହାକୁ ଦୀର୍ଘକାଳୀନ ସଞ୍ଚୟ ଏବଂ ପରମ୍ପରା ଭାବେ ଦେଖନ୍ତି । କାରଣ ଏହାକୁ ଲୋକେ ବିକ୍ରି କରନ୍ତି ନାହିଁ । ଏଥିପାଇଁ ଦର ବଢ଼ିବା ଦ୍ୱାରା ଲୋକଙ୍କ ଦୈନନ୍ଦିନ ଖର୍ଚ୍ଚ ଏବଂ କ୍ରୟ ଉପରେ କୌଣସି ପ୍ରଭାବ ପଡ଼ି ନ ଥାଏ ।
କେବଳ ସାଧାରଣ ଲୋକେ ନୁହନ୍ତି, ଭାରତୀୟ ରିଜର୍ଭ ବ୍ୟାଙ୍କ(ଆର୍ବିଆଇ) ବି ଏହାର ସୁନା ଭଣ୍ଡାରକୁ ଲଗାତର ବଢ଼ାଉଛି । ୨୦୨୪ରୁ ଏଯାବତ ଆର୍ବିଆଇ ଏହାର ଭଣ୍ଡାରରେ ୭୫ ଟନ୍ ସୁନା ଯୋଡ଼ିଛି । ଏବେ ଭାରତର ମୋଟ ସରକାରୀ ସୁନା ଭଣ୍ଡାର ୮୮୦ ଟନ୍ ହୋଇଯାଇଛି । ଏହା ଦେଶର ମୋଟ ବୈଦେଶିକ ମୁଦ୍ରା ଭଣ୍ଡାରର ପାଖାପାଖି ୧୪%।
ଭାରତୀୟ ରିଜର୍ଭ ବ୍ୟାଙ୍କ ଭଳି ଚୀନ୍ର ‘ପିପୁଲ୍ସ ବ୍ୟାଙ୍କ୍ ଅଫ୍ ଚାଇନା’ ବି ବଡ଼ ଆକାରରେ ସୁନା କିଣୁଛି । ଅନେକ ଦେଶ ଏବେ ଡଲାର ଉପରୁ ନିର୍ଭରତା କମ୍ କରିବା ପାଇଁ ଏବଂ ଭୁ-ରାଜନୈତିକ ରିସ୍କ୍ରୁ ବଞ୍ଚିବା ପାଇଁ ସୁନାକୁ ସୁରକ୍ଷିତ ବିକଳ୍ପ ଭାବେ ଦେଖୁଛନ୍ତି ।
ଅର୍ଥନୀତିଜ୍ଞମାନଙ୍କ ପାଇଁ ସବୁଠାରୁ ବଡ଼ ଆହ୍ୱାନ ହେଉଛି, ଘରେ ଘରେ ଥିବା ସୁନା ଏକ ‘ଅଚଳ ସମ୍ପତ୍ତି’(ଏଭଳି ସମ୍ପତ୍ତି ଯେଉଁଥିରୁ କିଛି ଆୟ ହୁଏ ନାହିଁ) ପାଲଟିଛି । ସରକାର ସୋଭରେନ୍ ଗୋଲ୍ଡ ବଣ୍ଡ୍(ଏସ୍ଜିବି), ଗୋଲ୍ଡ ଇଟିଏଫ୍ ଏବଂ ଡିଜିଟାଲ ଗୋଲ୍ଡ ଭଳି ବିକଳ୍ପ ଆଣିଛନ୍ତି, ଯଦ୍ଦ୍ୱାରା ଲୋକେ ଫିଜିକାଲ ଗୋଲ୍ଡ ବଦଳରେ ବିତ୍ତୀୟ ଗୋଲ୍ଡରେ ନିବେଶ କରିବେ । କିନ୍ତୁ ଭାରତୀୟମାନେ ଫିଜିକାଲ ଗୋଲ୍ଡ ବା ଗହଣା ଏବଂ ସୁନା ପ୍ରତି ପ୍ରତି ମୋହ ଛାଡୁନାହାନ୍ତି ।
ଚୀନ୍ ପରେ ବିଶ୍ୱର ଦ୍ୱିତୀୟ ବୃହତ୍ ସୁନା କ୍ରେତା ଭାବେ ଜଣା ଭାରତ । ବିଶ୍ୱ ଚାହିଦାରେ ଏହାର ଭାଗ ରହିଛି ୨୬% । ଚୀନ୍ର ଭାଗ ହେଉଛି ୨୮% ।