ନୂଆଦିଲ୍ଲୀ,୧୨/୧୨; ଦେଶରେ ଇଣ୍ଡିଗୋ ସଙ୍କଟ ଟଳୁନାହିଁ । ବିମାନ ଉଡୁନି ଫଳରେ ଯାତ୍ରୀ ହନ୍ତସନ୍ତ ହେଉଛନ୍ତି । ଇଣ୍ଡିଗୋ ବିମାନ ଉଡ଼ାଣ ବାତିଲ ସଙ୍କଟ ମଧ୍ୟରେ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (DGCA) ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ସୁରକ୍ଷା ଏବଂ ନିୟମ ଅବହେଳା ଅଭିଯୋଗରେ ୪ ଜଣ ଫ୍ଲାଇଟ୍ ଅପରେସନ୍ସ ଇନ୍ସପେକ୍ଟର (FOI)ଙ୍କୁ ସେମାନଙ୍କ ପଦବୀରୁ ବହିଷ୍କାର କରିଛି । ସାମ୍ପ୍ରତିକ ଇଣ୍ଡିଗୋ ସଙ୍କଟ ସମ୍ପର୍କରେ ଡିଜିସିଏ ସହିତ ଏଫଟିଏଗୁଡିକର ଚୁକ୍ତିନାମା ଶେଷ କରାଯାଇଛି । ବହିଷ୍କୃତ ୪ ଜଣ ହେଉଛନ୍ତି, ରିଷି ରାଜ ଚାର୍ଟାର୍ଜୀ, ସୀମା ଜାମନାନି, ଅନୀଲ କୁମାର ପୋଖରିଆଲ ଏବଂ ପ୍ରିୟମ କୌଶିକ ।
The Directorate General of Civil Aviation sacked four Flight Operations Inspectors (FOIs) in connection with the IndiGo flight cancellation crisis.
— ANI (@ANI) December 12, 2025
"They are relieved from DGCA with immediate effect to join their respective parent organisations." pic.twitter.com/GrZ2isKcca
ନିଲମ୍ବିତ ୪ ଜଣ ଇନ୍ସପେକ୍ଟର ଇଣ୍ଡିଗୋ ବିମାନର ସୁରକ୍ଷା ଏବଂ ପରିଚାଳନା ଯାଞ୍ଚରେ ସାମିଲ ଥିଲେ। ଯାଞ୍ଚ ଏବଂ ତଦାରଖରେ ଅବହେଳା ନେଇ ଡିଜିସିଏକୁ ଏହି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡ଼ିଛି । ଯେଉଁ ଅଧିକାରୀଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି ସେମାନେ ସମସ୍ତେ ଡିଜିସିଏ ଦ୍ୱାରା ଚୁକ୍ତିଭିତ୍ତିକ ଭାବରେ ନିଯୁକ୍ତ ଥିଲେ ଏବଂ ବିମାନ କମ୍ପାନୀଗୁଡ଼ିକ, ବିଶେଷକରି ଇଣ୍ଡିଗୋର ସୁରକ୍ଷା ଏବଂ ପରିଚାଳନା ତଦାରଖ କରୁଥିଲେ । ୧୦ରୁ ଅଧିକ ଦିନ ହେବ ଇଣ୍ଡିଗୋ ସମସ୍ୟା ଲାଗି ରହିଛି । ଡିସେମ୍ବର ୧ ରୁ ୯ ତାରିଖ ମଧ୍ୟରେ ପ୍ରାୟ ୪,୨୯୦ ଟି ଘରୋଇ ଏବଂ ୬୪ ଟି ଆନ୍ତର୍ଜାତୀୟ ଉଡ଼ାଣ ବାତିଲ ହୋଇଥିଲା ।
ବିମାନବନ୍ଦରରେ ଅବବ୍ୟବସ୍ଥା ନେଇ ହାଇକୋର୍ଟ କ୍ଷୁବ୍ଧ- ଦିଲ୍ଲୀ ହାଇକୋର୍ଟ ପୂର୍ବରୁ କେନ୍ଦ୍ର ସରକାର ଏବଂ ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (DGCA)କୁ ବିମାନ ଚଳାଚଳରେ ବାଧା ଏବଂ ବିମାନବନ୍ଦରଗୁଡ଼ିକରେ ଯାତ୍ରୀମାନେ ସମ୍ମୁଖୀନ ହେଉଥିବା ଅସୁବିଧା ସମ୍ପର୍କରେ କଠୋର ପ୍ରଶ୍ନ ଉଠାଇଥିଲେ । କୋର୍ଟ ପଚାରିଥିଲେ ଯେ ହଠାତ୍ ଏହି ପରିସ୍ଥିତି କାହିଁକି ସୃଷ୍ଟି ହେଲା ଏବଂ ଯାତ୍ରୀମାନଙ୍କୁ ସହାୟତା କରିବା ପାଇଁ କ’ଣ ପଦକ୍ଷେପ ନିଆଯାଇଛି । କୋର୍ଟ ଏହା ମଧ୍ୟ ଜାଣିବାକୁ ଚାହିଁଥିଲେ ଯେ ବିମାନବନ୍ଦରଗୁଡ଼ିକରେ ଫସି ରହିଥିବା ଯାତ୍ରୀମାନଙ୍କ ଅସୁବିଧାକୁ ଦୂର କରିବା ଏବଂ ପରିଚାଳନା କରିବା ପାଇଁ ସରକାର କ’ଣ ବ୍ୟବସ୍ଥା କରିଛନ୍ତି ।
ବିମାନ ଭଡ଼ା ହଠାତ୍ ବୃଦ୍ଧି ଉପରେ କୋର୍ଟଙ୍କ ଅସନ୍ତୋଷ- କୋର୍ଟ ବିମାନ ଟିକେଟ୍ ମୂଲ୍ୟ ଆକାଶ ଛୁଆଁ ସମ୍ପର୍କରେ ଗମ୍ଭୀର ପ୍ରଶ୍ନ ଉଠାଇଥିଲେ । ହାଇକୋର୍ଟ ପ୍ରଶ୍ନ କରିଥିଲେ ଯେ ୫ ହଜାର ମୂଲ୍ୟର ଟିକେଟ୍ କିପରି ୩୦ ହଜାର ଯାଏ ବଢିଗଲା । ଏହି ସଙ୍କଟ ସମୟରେ ଅନ୍ୟ ଏୟାରଲାଇନ୍ସଗୁଡ଼ିକୁ ଏତେ ଲାଭ ପାଇବାକୁ କିପରି ଅନୁମତି ଦିଆଗଲା । ଏତେ ଉଚ୍ଚ ଭଡ଼ା ଆଦାୟ କରିବା କିପରି ସମ୍ଭବ ହେଲା ? ଜବାବରେ, ଏଏସଜି ଚେତନ ଶର୍ମା କହିଥିଲେ ଯେ, ସମ୍ପୂର୍ଣ୍ଣ ଆଇନଗତ ବ୍ୟବସ୍ଥା ରହିଛି ଏବଂ କେନ୍ଦ୍ର ସରକାର ଦୀର୍ଘ ସମୟ ଧରି ଏଫଡିଟିଏଲ କାର୍ଯ୍ୟକାରୀ କରିବାକୁ ଚେଷ୍ଟା କରିଆସୁଛନ୍ତି, କିନ୍ତୁ ବିମାନ କମ୍ପାନୀଗୁଡ଼ିକ ଜୁଲାଇ ଏବଂ ନଭେମ୍ବର ପର୍ଯ୍ୟାୟ ପାଇଁ ଆଶ୍ୱସ୍ତି ମାଗିଥିଲେ । ଏହା ପ୍ରଥମ ଥର ଯେ ମନ୍ତ୍ରଣାଳୟ ହସ୍ତକ୍ଷେପ କରିଛି ଏବଂ ଭଡ଼ା ସୀମା ସ୍ଥିର କରିଛି ।