କୋଲକାତା, ୧୪।୨: କୋଲକାତାରେ କୋଲକାତା-ଶିଲଂ ଇଣ୍ଡିଗୋ ବିମାନକୁ ବୋମା ଧମକ ମିଳିଛି । ଶନିବାର ସକାଳେ ପଶ୍ଚିମବଙ୍ଗର କୋଲକାତାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରରେ ଶିଲଂ ଯାଉଥିବା ଏକ ଇଣ୍ଡିଗୋ ବିମାନ (6E3074) ରେ ବୋମା ଥିବା ଖବର ମିଳିବା ପରେ ଆତଙ୍କ ଖେଳିଯାଇଛି । ଇଣ୍ଡିଗୋ ବିମାନ 6E3074 ସକାଳ ୯ଟା ୧୫ ମିନିଟ୍ ରେ କୋଲକାତାରୁ ଶିଲଂ ଅଭିମୁଖେ ଯାତ୍ରା କରିବାର ଥିଲା । ଏହି ସମୟରେ, କ୍ରୁ ସଦସ୍ୟମାନେ ବିମାନର ଶୌଚାଳୟ ବଗିରେ ଏକ ସନ୍ଦେହଜନକ କାଗଜ ଖଣ୍ଡ ପାଇଲେ, ଯେଉଁଥିରେ ବିମାନରେ ବୋମା ଥିବା ଲେଖାଥିଲା । ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଅନ୍ତର୍ଜାତୀୟ ବିମାନବନ୍ଦରର ସୁରକ୍ଷା କର୍ମୀମାନେ ପରବର୍ତ୍ତୀ ସମୟରେ ଇଣ୍ଡିଗୋ ବିମାନ ଯାଞ୍ଚ ଆରମ୍ଭ କରିଥିଲେ । ସମସ୍ତ ଯାତ୍ରୀ ବର୍ତ୍ତମାନ ସୁରକ୍ଷିତ ଅଛନ୍ତି ।

ଏହା ବି ପଢ଼ନ୍ତୁ... ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଲିଭ୍-ଇନ୍-ପାର୍ଟନର, କେନ୍ଦ୍ରକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ବିମାନରେ ବୋମା ଥିବା ଖବର ଗୁଜବ:

ଘଟଣା ସମ୍ପର୍କରେ କୋଲକାତା ବିମାନବନ୍ଦର ନିର୍ଦ୍ଦେଶକ କହିଛନ୍ତି, "କୋଲକାତାରୁ ଶିଲଂ ଯାଉଥିବା ଇଣ୍ଡିଗୋ ବିମାନ 6E3074ରେ ବୋମା ଥିବା ଏକ କାଗଜ ଖଣ୍ଡରେ ଲେଖାଥିଲା । ଏହି ବିମାନଟି ସକାଳ ୯ଟା ୧୫ ମିନିଟ୍ ରେ କୋଲକାତା ବିମାନବନ୍ଦରରୁ ଉଡ଼ାଣ ଭରିବାର ଥିଲା । ବିମାନରେ ପ୍ରବେଶ ସମୟରେ, କ୍ରୁ ସଦସ୍ୟମାନେ ବିମାନର ଶୌଚାଳୟ ବଗି ଭିତରେ ଏକ କାଗଜ ପାଇଲେ ଯେଉଁଥିରେ ଲେଖାଥିଲା ଯେ ବିମାନ ଭିତରେ ଏକ ବୋମା ଅଛି । ତୁରନ୍ତ ଯାତ୍ରୀମାନଙ୍କୁ ବିମାନରୁ ବାହାର କରାଯାଇଥିଲା ପରେ ବିମାନଟିକୁ ଆଇସୋଲେସନ ବେକୁ ସ୍ଥାନାନ୍ତର କରାଯାଇଛି ଏବଂ ଯାଞ୍ଚ ଚାଲିଛି ।" ଭାରତୀୟ ବିମାନବନ୍ଦର କର୍ତ୍ତୃପକ୍ଷ (AAI) କହିଛନ୍ତି ଯେ ଆଜି ସକାଳେ ଜଣେ କ୍ରୁ ସଦସ୍ୟ ଶୌଚାଳୟରେ ହାତଲେଖା ଚିଠି ପାଇଥିଲେ । ବିମାନର ସମ୍ପୂର୍ଣ୍ଣ ତଲାସ ଚାଲିଛି, କିନ୍ତୁ ବିମାନରୁ କିଛି ବି ସନ୍ଦେହପୂର୍ଣ୍ଣ ବସ୍ତୁ ମିଳିନାହିଁ । ମାନକ କାର୍ଯ୍ୟ ପ୍ରଣାଳୀ ଅନୁଯାୟୀ ସମସ୍ତ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଉଛି ।