ନୂଆଦିଲ୍ଲୀ, ୧୪/୦୨ : ଯୌତୁକ ନିର୍ଯାତନା ଅଭିଯୋଗ ଆଣିଲେ ଲିଭ୍-ଇନ୍-ପାର୍ଟନର। ହରଡ଼ଘଣାରେ ପଡ଼ିଲେ ସୁପ୍ରିମକୋର୍ଟ। କ'ଣ ଦେବେ ରାୟ ? କେନ୍ଦ୍ର ସରକାରଙ୍କୁ ମାଗିଲେ ଜବାବ। ତେବେ କ'ଣ କହୁଛି ଭାରତୀୟ ଦଣ୍ଡ ସଂହିତା ? ଅବୈଧ ସମ୍ପର୍କରେ ରହି ଅଭିଯୋଗ ଆଣିପାରିବେ କି ଲିଭ୍-ଇନ୍-ପାର୍ଟନର? କାରଣ ହିନ୍ଦୁ ବିବାହ ଅଧିନିୟମ ଅନୁଯାୟୀ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ଦ୍ଵିତୀୟ ବିବାହ ଆଇନ ଅନୁଯାୟୀ ଅମାନ୍ୟ। 

ସୂଚନାନୁଯାୟୀ, ଲୋକେଶ ୨୦୦୦ ଫେବୃଆରୀରେ ନବୀନାଙ୍କୁ ବିବାହ କରିଥିଲେ। ହେଲେ ୨୦୧୦ରେ ସେ ତୀର୍ଥ ନାକମ ଜଣେ ମହିଳାଙ୍କ ସଂସ୍ପର୍ଶରେ ଆସି ତାଙ୍କୁ ଦ୍ଵିତୀୟ ବିବାହ କରିଥିଲେ। ପ୍ରଥମ ପତ୍ନୀଙ୍କୁ ଛାଡ଼ପତ୍ର ନଦେଇ ସେ ତୀର୍ଥଙ୍କୁ ଦ୍ଵିତୀୟ ବିବାହ କରିଥିବାରୁ ଏହା ଆଇନ ଅନୁଯାୟୀ ଅବୈଧ ଥିଲା। ୨୦୧୬ରେ ତୀର୍ଥ ଲୋକେଶଙ୍କ ବିରୋଧରେ ଯୌତୁକ ଜନିତ ନିର୍ଯାତନା ଅଭିଯୋଗ ଆଣିଥିଲେ। ପରେ ଘରୋଇ ହିଂସାର ମଧ୍ୟ ଅଭିଯୋଗ ଆଣିଥିଲେ। ଏନେଇ ଲୋକେଶ କହିଥିଲେ ଯେ, ତୀର୍ଥଙ୍କ ସହ ତାଙ୍କର ଆଇନ ଅନୁଯାୟୀ କୌଣସି ବୈବାହିକ ସମ୍ପର୍କ ନାହିଁ। ଖାଲି ସେତିକି ନୁହେଁ ତୀର୍ଥ ଅଭିଯୋଗ ଆଣିଥିବା ଘଟଣା ଦିନ ଲୋକେଶ ହସ୍ପିଟାଲରେ ଡ୍ୟୁଟି କରୁଥିବା ମଧ୍ୟ କହିଥିଲେ। ତେଣୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରଦ୍ଦ କରିବାକୁ ସେ କର୍ଣ୍ଣାଟକ ଉଚ୍ଚ ନ୍ୟାୟାଳୟରେ ଆବେଦନ କରିଥିଲେ। ହେଲେ କୋର୍ଟ ତାଙ୍କ ଯାଚିକାକୁ ଖାରଜ କରି ଦେଇଥିଲେ। 

ସୁପ୍ରିମକୋର୍ଟ ନ୍ୟାୟାଧୀଶ ସଞ୍ଜୟ କରୋଲ ଏବଂ ଜଷ୍ଟିସ୍ ଏନ କେ ସିଂଙ୍କ ଖଣ୍ଡପୀଠ ଲୋକେଶ ବି.ଏଚଙ୍କ ଦ୍ଵାରା ଆବେଦନ କରାଯାଇଥିବା ଏକ ଯାଚିକାର ଶୁଣାଣି କରିଛନ୍ତି। ଏହି ମାମଲାରେ ଏବେ କେନ୍ଦ୍ର ସରକାରଙ୍କୁ ଜବାବ ମାଗିଛନ୍ତି। ଅତିରିକ୍ତ ସଲିସିଟର ଜେନେରାଲ ଐଶ୍ଵର୍ଯ୍ୟା ଭାଟିଙ୍କୁ ଏହି ମାମଲାରେ ସହଯୋଗ କରିବା ପାଇଁ ଅଦାଲତ କହିଛନ୍ତି। ଏତଦ୍ ବ୍ୟତୀତ ମାମଲାକୁ ଗୁରୁତର ସହ ନେଇ ବରିଷ୍ଠ ଅଧିବକ୍ତା ନୀନା ନରିମନଙ୍କୁ ଆମିକସ୍ କ୍ୟୁରୀ ନିଯୁକ୍ତ କରାଯାଇଛି। ସେ ଏହି ମାମଲାରେ ନିଷ୍ପକ୍ଷ ରାୟ ଦେବେ। 

ଏହି ଖବରଟିକୁ ପଢନ୍ତୁ-  ରେରା ଉପରେ ବର୍ଷିଲେ ସୁପ୍ରିମ୍‌କୋର୍ଟ, ଗୃହକ୍ରେତାଙ୍କୁ ସହାୟତା କରିବା ବଦଳରେ ବିଲ୍ଡରଙ୍କୁ ଫାଇଦା ଦେଉଛି...