ନୂଆଦିଲ୍ଲୀ ୧୪/୦୩: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ସ୍ଥିତିରେ ସେଠାରୁ ଗ୍ୟାସ ଯୋଗାଣ ବନ୍ଦ ହୋଇଯାଇଛି । ଏଭଳି କ୍ଷେତ୍ରରେ ଦେଶରେ ଦେଖାଦେଇଛି ବଡ଼ ଏଲ୍‌ପିଜି ସଂକଟ । ଲୋକେ ବିପୁଳ ସଂଖ୍ୟାରେ ସିଲିଣ୍ଡର ଠୁଳ କରିଦେଉଛନ୍ତି । ଫଳରେ କଳାବଜାରୀଙ୍କ ଉତ୍ପାତ ବଢ଼ିଛି । କୃତ୍ରିମ ଅଭାବ ସ୍ଥିତିରେ ଅନେକ ଶିଳ୍ପ ପ୍ରଭାବିତ ହୋଇଛି । ସବୁଠୁ ଅଧିକ ମାଡ଼ ଖାଇଛି ହୋଟେଲ ଏବଂ ରେସ୍ତୋରାଁ ଶିଳ୍ପ । ଘରୋଇ ଏଲ୍‌ପିଜି ଯୋଗାଣ ଉପରେ ଜୋର ଦିଆଯାଉଥିବାବେଳେ ହୋଟେଲ ଏବଂ ରେସ୍ତୋରାଁଗୁଡ଼ିକୁ କମର୍ସିଆଲ ଏଲ୍‌ପିଜି ଯୋଗାଣ ବନ୍ଦ କରିଦିଆଯାଇଛି । ଏଭଳି ସ୍ଥିତିରେ ଅଧିକାଂଶ ହୋଟେଲ ବନ୍ଦ ହୋଇଯାଇଥିବାବେଳେ କିଛି ହୋଟେଲ ସେମାନଙ୍କ ମେନ୍ୟୁକୁ ଛୋଟ କରିଦେଲେଣି ।

ଅନେକ ସହରରେ ରେସ୍ତୋରାଁ ଏବଂ କ୍ଲାଉଡ୍ କିଚେନ୍ ଗ୍ୟାସ ଅଭାବ ସ୍ଥିତିର ସାମ୍ନା କରୁଛନ୍ତି । ଫଳରେ ସ୍ୱିଗି ଏବଂ ଜୋମାଟୋ ଭଳି ଖାଦ୍ୟ ଡେଲିଭରୀ ପ୍ଲାଟ୍‌ଫର୍ମଗୁଡ଼ିକରେ ଅର୍ଡର ସଂଖ୍ୟା ହ୍ରାସ ପାଇଛି । ଗିଗ୍ ୱର୍କରଙ୍କ କହିବାନୁସାରେ, ପୂର୍ବରୁ ସେମାନେ ଦିନକୁ ୩୦ଟି ଅର୍ଡର ଡେଲିଭର କରୁଥିଲେ । ଏବେ ତାହା ୫ରୁ ୧୦କୁ ହ୍ରାସ ପାଇଛି । କାରଣ ରେସ୍ତୋରାଁଗୁଡ଼ିକ ମେନ୍ୟୁ ଛୋଟ କରିଦେଇଛନ୍ତ କିମ୍ବା ନିଜେ ବନ୍ଦ ହୋଇଯାଇଛନ୍ତି । ରୁଟି, ଦୋସା ଏବଂ ପୁରି ଭଳି ଅଧିକ ଗ୍ୟାସ୍ ଖର୍ଚ୍ଚ କରୁଥିବା ଖାଦ୍ୟ ମେନ୍ୟୁରୁ ହଟିଯାଇଛି । ତେଣୁ ଲୋକେ ନିଜ ପସନ୍ଦର ଖାଦ୍ୟ ଅର୍ଡର କରିପାରୁନାହାନ୍ତି । ଗିଗ୍ ଏବଂ ପ୍ଲାଟ୍‌ଫର୍ମ ସେବା କର୍ମଚାରୀ ସଂଘର କହିବାନୁସାରେ, ଜୋମାଟୋ ଏବଂ ସ୍ୱିଗି ଭଳି ପ୍ଲାଟ୍‌ଫର୍ମଗୁଡ଼ିକରେ ଖାଦ୍ୟ ଡେଲିଭରି ୫୦ରୁ ୬୦% ବାତିଲ ହେଉଛି । ଏଭଳି ସମୟରେ କେତେକ ଡେଲିଭରୀ ପାର୍ଟନର, ଯେଉଁମାନେ ପୂର୍ବରୁ ଅଧିକ ଡେଲିଭରି କରୁଥିଲେ, ସେମାନେ ଏବେ ଦିନରେ କେବଳ ୪ରୁ୫ଟି ଅର୍ଡର ଡେଲିଭରୀ କରୁଛନ୍ତି । ଫଳରେ ସେମାନେ ବଡ଼ ଆର୍ଥିକ ସଂକଟର ସାମ୍ନା କରୁଛନ୍ତି ।

ଆହୁରି ପଢ଼ନ୍ତୁ...କେଉଁଠି ଗ୍ୟାସ୍ ପାଇଁ ଠେଲାପେଲା ତ ଆଉ କେଉଁଠି ଭିଡ଼ ଭିତରେ ଚାଲିଯାଉଛି ଜୀବନ, ନଜର ପକାନ୍ତୁ ଏଲପିଜିକୁ ନେଇ ସାରା ଦେଶରେ କିଭଳି ରହିଛି ସମସ୍ୟା

ଏହାକୁ ଦୃଷ୍ଟିରେ ରଖି ସଂଘ ସରକାରଙ୍କ ନିକଟରେ କିଛି ଜରୁରୀ ଦାବି ରଖିଛି । ସେଗଡ଼ିକ ହେଲା ପ୍ରଭାବିତ ଗିଗ୍ ୱର୍କରମାନଙ୍କୁ ତୁରନ୍ତ ୧୦,୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଯାଉ । ସ୍ୱିଗି ଏବଂ ଜୋମାଟୋ ଭଳି ପ୍ଲାଟ୍‌ଫର୍ମଗୁଡ଼ିକରେ ଆଇଡି ଡିଆକ୍ଟିଭେଟ୍ ଉପରେ ଅନ୍ୟୁନ ୩ ମାସ ରୋକ୍ ଲଗାଯାଉ । ଡେଲିଭରି ପାର୍ଟନରମାନଙ୍କୁ ଏହି ଅବଧିରେ ଅନ୍ୟୁନ ସର୍ବନିମ୍ନ ପ୍ରୋତ୍ସାହନ ଏବଂ ନିଶ୍ଚିତ ଆୟ ପ୍ରଦାନ କରାଯାଉ । ଗ୍ୟାସ ସଂକଟ ଦ୍ୱାରା ପ୍ରଭାବିତ ଡେଲିଭରି ପାର୍ଟନର, କ୍ଲାଉଡ୍ କିଚେନ କର୍ମଚାରୀ, ରାଇଡ୍‌ହେଲିଙ୍ଗ୍ ଡ୍ରାଇଭର ଏବଂ କ୍ଷୁଦ୍ର ଖାଦ୍ୟ ବ୍ୟବସାୟରେ ଜଡ଼ିତ ଲୋକଙ୍କ ପାଇଁ ରିହାତି ପ୍ୟାକେଜ୍ ପ୍ରଦାନ କରାଯାଉ ।