ନୂଆଦିଲ୍ଲୀ: ଇଣ୍ଡିଗୋ ଯାତ୍ରୀଙ୍କୁ ପୁଣି ଥରେ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଛି । ପ୍ରବଳ ଶୀତ ଏବଂ ଭୋକରେ ପ୍ରାୟ ୨୪ ଘଣ୍ଟା ବିତାଇଛନ୍ତି ୪୦୦ ଯାତ୍ରା । ତୁର୍କୀରୁ ଦିଲ୍ଲୀ-ମୁମ୍ବାଇକୁ ଉଡ଼ାଣ ଭରିଥିବା ଇଣ୍ଡିଗୋ ବିମାନର ଯାତ୍ରୀଙ୍କୁ ଇସ୍ତାନବୁଲ୍‌ରେ ପ୍ରାୟ ୨୪ ଘଣ୍ଟା ଧରି ଅପେକ୍ଷା କରିବାକୁ ପଡ଼ିଥିଲା । ପରିଚାଳନାଗତ ସମସ୍ୟା ଯୋଗୁଁ ବିମାନର ଉଡ଼ାଣ ବିଳମ୍ବ ହୋଇଥିଲା ବୋଲି ଏୟାର ଲାଇନ୍‌ ପକ୍ଷରୁ କୁହାଯାଇଛି । ସେପଟେ ଇଣ୍ଡିଗୋର ଏଭଳି ମନମାନୀ ପାଇଁ ଯାତ୍ରୀମାନେ ଏକ୍ସରେ ଅସନ୍ତୋଷ ଝାଡ଼ିଛନ୍ତି । 

ଜଣେ ଯାତ୍ରୀ ଲେଖିଛନ୍ତି, ପରିଚାଳନାଗତ ସମସ୍ୟା ସଂପର୍କରେ ଆମକୁ ୨ ଘଣ୍ଟା ବିଳମ୍ବରେ ସୂଚନା ମଳିଥିଲା ।  ଦୀର୍ଘ ସମୟ ଅପେକ୍ଷା କରିବାକୁ ପଡ଼ିଥିଲେ ସୁଦ୍ଧା ଏୟାର ଲାଇନ୍‌ ପକ୍ଷରୁ କୌଣସି ସୁବିଧା ଦିଆଯାଇ ନଥିଲା । ଫସିଥିବା ଯାତ୍ରୀଙ୍କ ଲାଗି ଏୟାର ଲାଇନ୍ ପକ୍ଷରୁ ଖାଦ୍ୟପେୟର ବ୍ୟବସ୍ଥା ହୋଇନଥିଲା ।  ଫଳରେ ଯାତ୍ରୀଙ୍କୁ ଭୋକ ଉପାସରେ ଦୀର୍ଘ ୨୪ ଘଣ୍ଟା ଏୟାରପୋର୍ଟ ଲାଉଞ୍ଜରେ ବିତାଇବାକୁ ପଡ଼ିଥିଲା । 

ସେପଟେ ଦୀର୍ଘ ସମୟ ଅପେକ୍ଷା କରିବାରୁ ବିଭିନ୍ନ ଯାତ୍ରୀ ଥକାପଣ ଏବଂ ଜ୍ବରରେ ଶିକାର ହୋଇଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଖାଦ୍ୟ ପାନୀୟ ତ ଦୂରର କଥା ଇଣ୍ଡିଗୋର କୌଣସି କର୍ମଚାରୀ ଯାତ୍ରୀଙ୍କ ହାଲଚାଲ ମଧ୍ୟ ପଚାରି ବୁଝିନଥିଲେ । ସୂଚନାଯୋଗ୍ୟ, ଚଳିତ ମାସ ଆରମ୍ଭରେ ଏୟାର ହେଲ୍ପ ସ୍କୋର ୨୦୨୪ରେ ଇଣ୍ଡିଗୋକୁ ଦୁନିଆର ସବୁଠାରୁ ଖରାପ ଏୟାର ଲାଇନ୍‌ରେ ସାମିଲ କରାଯାଇଛି । ସେହିଭଳି ଏୟାର ଇଣ୍ଡିଆକୁ ୬୧ ଏବଂ ଏୟାର ଏସିଆକୁ ୯୪ତମ ସ୍ଥାନରେ ରଖାଯାଇଛି ।